ଲକ୍ଷ୍ନୌ,୧୫ା୧୧: ଜନଗଣନା ସମୟରେ ଅସ୍ଥାୟୀ ଭାବେ ବିଦେଶ ଯାଇଥିବା ଭାରତୀୟ ଯଦି ୩୫ ଦିନ ମଧ୍ୟରେ ଫେରିଆସନ୍ତି ତେବେ ଗଣନା ନିୟମ ଅନୁଯାୟୀ, ତାଙ୍କୁ ତାଙ୍କ ସ୍ୱାଭାବିକ ବାସସ୍ଥାନରେ ଗଣନା କରାଯିବ। ଆସନ୍ତା ୧୬ ତାରିଖରୁ ୧୫ ଦିନିଆ ସ୍ୱୟଂଗଣନା ଆରମ୍ଭ ହେଉଥିବାବେଳେ ଏହା ପରେ ଡିସେମ୍ୱର ୧ରୁ ଆସନ୍ତାବର୍ଷ ଜାନୁଆରୀ ୪ ପର୍ଯ୍ୟନ୍ତ ଗଣନାକାରୀମାନେ ଘରକୁ ଘର ଯାଇ ଜନଗଣନା କରିବେ।
ଭାରତରୁ ଅସ୍ଥାୟୀ ଭାବେ ବାହାରେ ରହିବା ଓ ବିଦେଶରେ ସ୍ଥାୟୀ ଭାବେ ବାସ କରିବା ମଧ୍ୟରେ ପାର୍ଥକ୍ୟ ରହିଥିବା ଉତ୍ତରପ୍ରଦେଶର ଜନଗଣନା ପରିଚାଳନା ନିର୍ଦ୍ଦେଶକ ଶୀତଲ ବର୍ମା କହିଛନ୍ତି। ଜନଗଣନା ସମୟରେ ବିଦେଶରେ ରହି ପଢ଼ୁଥିବା, କାମ କରୁଥିବା ବା ସ୍ଥାୟୀ ଭାବେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କୁ ପରିବାର ସହ ଗଣନାରେ ସାମିଲ କରାଯିବ ନାହିଁ। ତେବେ ସାମୟିକ ଅନୁପସ୍ଥିତ ଥିବା ପରିବାର ସଦସ୍ୟ ଯଦି ଗଣନା ସମୟ ମଧ୍ୟରେ ଫେରିଆସନ୍ତି, ତେବେ ଗଣନାକାରୀ ତାଙ୍କ ଘରକୁ ଯାଇ ଯାଞ୍ଚ କଲାବେଳେ ପରିବାର ବିବରଣୀରେ ସଂଶୋଧନ କରିପାରିବେ।
ବିଦେଶରେ ଭାରତୀୟ କୂଟନୈତିକ ମିଶନରେ ନିଯୁକ୍ତ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ଜରିଆରେ ଜନଗଣନାରେ ସାମିଲ କରାଯିବ। ଅନ୍ୟପକ୍ଷରେ ସାଧାରଣ ଭାବେ ଭାରତରେ ରହୁଥିବା ଛାତ୍ରୀଛାତ୍ର ଓ ଶ୍ରମିକଙ୍କ ସମେତ ବିଦେଶୀମାନଙ୍କୁ ନାଗରିକ ନିର୍ୱିଶେଷରେ ଗଣନାରେ ଅନ୍ତର୍ଭୁକ୍ତ କରାଯିବ। ସ୍ୱଳ୍ପକାଳୀନ ବିଦେଶୀ ପର୍ଯ୍ୟଟକ ଓ ସୁରକ୍ଷା ପାଉଥିବା କୂଟନୈତିକ ଅଧିକାରୀମାନଙ୍କ ପାଇଁ ଅଲଗା ନିୟମ ଲାଗୁ ହେବ। କାରଣ ଜନଗଣନାରେ ଲୋକସଂଖ୍ୟାର ରେକର୍ଡ ରଖାଯାଏ, ନାଗରିକତ୍ୱ ନୁହେଁ। ତେଣୁ ଏଥିରେ ସାମିଲ ଅର୍ଥ ଉକ୍ତ ବ୍ୟକ୍ତିଙ୍କୁ ଭାରତୀୟ ନାଗରିକତ୍ୱ ମିଳିବା ନୁହେଁ। ଅନ୍ୟ ରାଜ୍ୟରେ ରହି କାମ କରୁଥିବା ଦାଦନ ଶ୍ରମିକଙ୍କୁ ସେହି ରାଜ୍ୟରେ ଗଣାଯିବ। ଦ୍ୱୈତ ଗଣନା ରୋକିବା ପାଇଁ ସମ୍ପୃକ୍ତ ବ୍ୟକ୍ତି ସେମାନଙ୍କ ମୂଳ ସ୍ଥାନର ଗଣନାକାରୀଙ୍କୁ ଜଣାଇବା ଉଚିତ ବୋଲି ବର୍ମା କହିଛନ୍ତି।

