Posted inଫୁରସତ

ଲିଭିଯାଇଛି ଶୈଶବର ହସ: ହସି ଖେଳି ବୁଲିବା ବୟସରେ କରୋନା ଛଡ଼େଇ ନେଇଛି…

ବୟସ ହସି ଖେଳି ବୁଲିବାର। ହେଲେ ଭାଗ୍ୟ ଖେଳିଛି ସେମାନଙ୍କ ସହ ବଡ଼ ଦାରୁଣ ଖେଳ। ବୁଝିବା ଶୁଝିବା ବୟସ ହେବା ପୂର୍ବରୁ ଛଡ଼େଇ ନେଇଛି ସେମାନଙ୍କ ଉପରୁ ବାପାମା’ଙ୍କ ହାତ । ନା ଅଛି ସେ ସ୍ନେହବୋଳା ପଣତକାନି, ନା ବାପାଙ୍କ ସାହସଭରା କାନ୍ଧ । ଝୁଣ୍ଟି ପଡ଼ିଗଲେ ଆହା ପଦେ କହିବାକୁ ବି କେହି ନାହିଁ ଏମାନଙ୍କର। ଦାରୁଣ ଅଦୃଶ୍ୟ ଭୂତାଣୁ ତ ଛଡ଼େଇ ନେଇଛି ସେମାନଙ୍କ ନିରୀହ ନିଷ୍ପାପ ଓଠରୁ ହସ…

ଆଠବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ: ଆଠ ବର୍ଷର କଅଁଳ ଝିଅ କ୍ରିଷ୍ଣା। କ’ଣ ବା ସେ ଦୁନିଆ ବିଷୟରେ ଜାଣେ। ଖାଲି ସେ ଏତିକି ବୁଝିଛି ଯେ, ତା’ ବାପା ମା’ ଯେଉଁଠିକୁ ଚାଲି ଯାଇଛନ୍ତି, ସେଠୁ ସେମାନେ ଆଉ କେବେ ବି ଫେରିବେ ନାହିଁ। ତେଣୁ ନିଜ ଦେଢ଼ ମାସର ଭାଇର ଦାୟିତ୍ୱ ଏବେ ତା’ର। କାନ୍ଧରେ ପକାଇ ତାକୁ ବୁଲଉଛି। ଭୋକରେ କାନ୍ଦିଲେ କ୍ଷୀର ବୋତଲ ପାଟିରେ ଦେଉଛି। ଆଉ କହି ବୁଲୁଛି ମୁଁ ମୋ ଭାଇକୁ ଲାଳନପାଳନ କରି ବଡ଼ କରିବି। ଏମିତି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ନିମାତପୁର ଗାଁରେ। କଣ୍ଢେଇ ଖେଳିବା ବୟସରେ କ୍ରିଷ୍ଣା ବୁଝିପାରିଛି ଦୁନିଆର ବାସ୍ତବତାକୁ । ଭାଇକୁ ଦୋଳିରେ ଶୁଆଇ ଦେଇ ଆଖି ଛଳଛଳ ହୋଇ ନାନାବାୟା ଗୀତ ଗାଇ ଶୁଣାଉଛି। ଆଉ ଯେବେ ମା’ ବାପାଙ୍କ କଥା ମନେପଡ଼ୁଛି ଘରେ ଏକୁଟିଆ ବସି ଗୁମୁରି ଗୁମୁରି କାନ୍ଦୁଛି। କୁନି ଝିଅର କଷ୍ଟ ଓ ଦୁଃଖ ଜେଜେମା’, ଜେଜେବାପା, ବଡ଼ମା’ ଓ ବଡ଼ବାପା ସହି ନ ପାରି ଆଖି ମଳି ମଳି ପଣତକାନି ଓ ଗାମୁଛାରେ ଲୁହ ପୋଛୁଛନ୍ତି।
ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ନିମାତପୁର ଗାଁର ଅବସରପ୍ରାପ୍ତ ଶିକ୍ଷକ ରାମନାରାୟଣ ପଣ୍ଡାଙ୍କ ବଡ଼ପୁଅ ଦେବାଶିଷ ପଣ୍ଡା ଘରେ ରହି କାମଦାମ କରନ୍ତି। ସାନପୁଅ କମଳେଶ ପଣ୍ଡା (୩୮) ଭୁବନେଶ୍ୱର ପୂର୍ବତଟ ରେଳପଥ ମୁଖ୍ୟ କାର୍ଯ୍ୟାଳୟରେ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ ଓ ତାଙ୍କ ପନତ୍ୀ ସ୍ମିତା ପଣ୍ଡା (୨୮) କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରେ ଷ୍ଟାଫ୍‌ନର୍ସ ଭାବେ କାମ କରୁଥିଲେ। ତେଣୁ କ୍ରିଷ୍ଣାର ଦେଖାଶୁଣା କରୁଥିଲେ ସ୍ମିତାଙ୍କ ବଡ଼ଭଉଣୀ ସୁମତି। ଭୁବନେଶ୍ୱର ସେଣ୍ଟ୍ରାଲ ସ୍କୁଲରେ ଷ୍ଟାଣ୍ଡାର୍ଡ ଥ୍ରୀରେ ପଢ଼ୁଥିବା କ୍ରିଷ୍ଣାର ଆଉ ଏକ ଭାଇ କି ଭଉଣୀ ହେବାର ଥାଏ। ଗର୍ଭବତୀ ଥାଇ ମଧ୍ୟ ମା’ ସ୍ମିତା ହସ୍ପିଟାଲ ଯାଇ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ। ଏମିତିରେ ୯ ମାସ ହୋଇଗଲା। ପ୍ରସବ ସମୟ ପାଖେଇ ଆସୁଥାଏ। କିନ୍ତୁ ଗତ ଏପ୍ରିଲ ୮ ତାରିଖରେ ସେ ଅସୁସ୍ଥ ଅନୁଭବ କଲେ। କୋଭିଡ୍‌ ଟେଷ୍ଟ କରିବା ପରେ ସେ ପଜିଟିଭ୍‌ ଥିବା ଜଣାପଡ଼ିଲା। ସମ୍‌ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ୧୫ ତାରିଖ ଦିନ ସେଠାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ନବଜାତ ଶିଶୁର କରୋନା ପରୀକ୍ଷଣ କରିବାରୁ ତା’ର କରୋନା ନ ଥିବା ଜଣାପଡ଼ିଲା। କିନ୍ତୁ ସ୍ମିତାଙ୍କ ସ୍ଥିତି ଗମ୍ଭୀର ହୋଇଯାଇଥିଲା। ତାଙ୍କୁ ସମ୍‌ରୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା। ହେଲେ ମେ ୨ ତାରିଖ ସେ ସମସ୍ତଙ୍କୁ ଛାଡ଼ି ଆଖି ବୁଜିଲେ। ପନତ୍ୀ ଆଖି ବୁଜିବା ପରେ ସ୍ବାମୀ କମଳେଶ ଅତ୍ୟନ୍ତ ଭାଙ୍ଗି ପଡ଼ି ଦୁଇ ପିଲାଙ୍କୁ ଧରି ନିଜ ଗାଁକୁ ଫେରି ବଡ଼ଭାଉଜ ଓ ଭାଇଙ୍କୁ ପିଲା ଦୁଇଙ୍କୁ ସମର୍ପି ଦେଇଥିଲେ। ଏହାପରେ କରୋନାର କରାଳ ଗ୍ରାସରୁ ସେ ମଧ୍ୟ ବାଦ୍‌ ପଡ଼ି ନ ଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାକୁ ଲାଗିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଶେଷରେ ସେ ବି ଜୁନ୍‌ ୯ ତାରିଖରେ ଆରପାରିକୁ ଚାଲିଗଲେ। ଏମିତି ଜଣେ ପରେ ଜଣେ ଚାଲିଗଲା ପରେ ଘର ଲୋକ ଭାଙ୍ଗି ପଡ଼ିଲେ। କମଳେଶଙ୍କ ବୃଦ୍ଧ ମାତାପିତାଙ୍କ ସହିତ ପରିବାରର ସମସ୍ତଙ୍କ କାନ୍ଦ ବୋବାଳିରେ ଗାଁ ଫାଟି ପଡୁଥିଲା। ଆଉ ଗାଁ ଲୋକ ପାଲଟି ଯାଇଥିଲେ ନିସ୍ତବ୍ଧ।

କମଳେଶଙ୍କ ବଡ଼ଭାଇ ଦେବାଶିଷ ପଣ୍ଡା ଲୁହଭିଜା ଆଖିରେ କୁହନ୍ତି, ନିରୀହ ଛୁଆ ଦୁଇଟିକୁ ଦୟାକରି କେହି ଅନାଥ କୁହ ନାହିଁ। ସାନଭାଇ ପିଲାମାନଙ୍କୁ ଆମ ହାତରେ ଟେକି ଦେଇ ଯାଇଛି ସେମାନେ ମୋ’ ପୁଅଝିଅ। ବୃଦ୍ଧ ପିତା ରାମନାରାୟଣଙ୍କ ପାଟିରେ ତ ଭାଷା ନାହିଁ। ଖାଲି ଯାହା ନୀରବରେ ସବୁ ଶୁଣୁଛନ୍ତି। ଘର ବାରଣ୍ଡାରେ ବସି ବୋହୂପୁଅଙ୍କ ଅଭୁଲା ସ୍ମୃତିର କଥାକୁ ମନେପକାଇ ଭାରସାମ୍ୟ ହରାଇ ଭୋ ଭୋ କାନ୍ଦି ସମସ୍ତଙ୍କୁ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି। ଏଇ ଦୁଃଖଦ ଘଟଣା ସମୟରେ ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ମୃତ ଦମ୍ପତିଙ୍କ ଘରକୁ ଯାଇ ପରିବାରକୁ ସମବେଦନା ଜଣାଇବା ସହିତ ଦୁଇପିଲାର ଭବିଷ୍ୟତ ଦାୟିତ୍ୱ ସେ ନିଜେ ବୁଝିବେ ବୋଲି କହିଛନ୍ତି। ତା’ ସହିତ ରେଡ଼କ୍ରସରୁ ୧୦ହଜାର ଟଙ୍କା ଓ ମଧୁବାବୁ ପେନ୍‌ସନ ଯୋଜନାରେ ଅନ୍ତର୍ଭୁକ୍ତ କରିବାର ପ୍ରକ୍ରିୟା କରାଯିବ ବୋଲି କହିଛନ୍ତି। ସରକାରୀ ସାହାଯ୍ୟ ବ୍ୟତୀତ ରେଳବିଭାଗ ପକ୍ଷରୁ ଦୁଇ ନାବାଳକ ପିଲାଙ୍କ ନାମରେ ୧୦ଲକ୍ଷ କରି ୨୦ଲକ୍ଷ ଟଙ୍କା ଅନୁକମ୍ପା ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବା ସହିତ ପିଲା ବଡ଼ ହେଲେ ଜଣଙ୍କୁ ରେଳବାଇରେ ଚାକିରି ଦେବାର ପ୍ରତିଶ୍ରୁତି ପରିବାର ପକ୍ଷକୁ ଦିଆଯାଇଥିବା କୁହାଯାଉଛି। ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ନବଜ୍ୟୋତି ପଟ୍ଟନାୟକଙ୍କ ବିଚାର ବିମର୍ଷରେ ଭୋଗରାଇ କଂଗ୍ରେସ ଶାଖାର ନେତା ସତ୍ୟଶିବ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାକୁ ଯାଇ ଶିଶୁପୁତ୍ରର ଖାଦ୍ୟ ଖର୍ଚ୍ଚ ବାବଦରେ ନଗଦ ୧୧ହଜାର ଟଙ୍କା, ୪ବର୍ଷ ପର୍ଯ୍ୟନ୍ତ ଦୁଇଜଣଙ୍କୁ ଖାଦ୍ୟ ଯୋଗାଇ ଦେବା, ଗ୍ରାଜୁଏଟ ପର୍ଯ୍ୟନ୍ତ ଭଉଣୀଭାଇଙ୍କୁ ପାଠ ପଢ଼ାଇବା, ୧୬ବର୍ଷ ପର୍ଯ୍ୟନ୍ତ ଉଭୟଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରାଯାଇଛି। କ୍ରିଷ୍ଣା ଓ ତା’ କୁନି ଭାଈ ପାଇଁ ଏବେ ବହୁ ସାମାଜିକ ସଙ୍ଗଠନ ଓ ବଦାନ୍ୟ ବ୍ୟକ୍ତି ସାହାଯ୍ୟର ହାତ ବଢ଼ିବାରେ ଲାଗିଛି।

ଏକା ହୋଇଗଲା ୧୪ ମାସର ରାନୀ:ଦୁନିଆ କ’ଣ ଜାଣିନାହିଁ, କି ଛନ୍ଦ କପଟ ନାହିଁ। ଏତେ ବଡ଼ ଦୁନିଆରେ ଏକା ଅଛି, ତାହା ବି ଜାଣି ନାହିଁ। ଡାକିଦେଲେ ଖିଲି ଖିଲି ହସୁଛି। ଆଉ ଯିଏ ଡାକି ଦେଉଛି, ତା’ କୋଳକୁ ହସି ହସି ଚାଲିଯାଉଛି। ଭୋକ ଲାଗିଲେ କିନ୍ତୁ ମା’ କୋଳ ଖୋଜୁଛି। ମା’କୁ ନ ପାଇ କାନ୍ଦୁଛି। ଆଉ ମାମୁ ଘର ଲୋକ କୁନି ଝିଅକୁ ଭୁଲାଇ ଦେଇ ଖାଇବାକୁ ଦେଉଛନ୍ତି। ଯେତେ ଭୁଲେଇଲେ ବି ମଝିରେ ମଝିରେ ତା’ର ନିରୀହ ଆଖି ଦୁଇଟି ମା’ ଓ ବାପାଙ୍କୁ ଖୋଜୁଛି। ସେମାନଙ୍କୁ ନ ପାଇ ପୁଣି କାନ୍ଦୁଛି। ଖାଲି ମା’ ବାପା ନୁହନ୍ତି ଜେଜେମା’ ବି ଏ ଦୁନିଆରେ ଆଉ ନାହାନ୍ତି ବୋଲି ସେ ଜାଣି ନାହିଁ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଅନୁଗୋଳ ଜିଲାର ବଅଁରପାଳ ବ୍ଲକ କୁକୁଡ଼ାଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି। ୧୪ ମାସର କୁନି ଝିଅ ମିଷ୍ଠୀ ଦେହୁରୀ(ରାନୀ)କୁ ଏକା ଛାଡ଼ି ବାପା, ମା’ ଓ ଜେଜେମା’ ଡକାଡକି ହୋଇ ଆରପାରିକୁ ଚାଲିଯାଇଛନ୍ତି। ଏବେ ବାପା ଓ ମା’ର ସ୍ନେହ ମାଉସୀ କୋଳରେ ସେ ପାଉଛି।
ବହୁ ଦିଅଁ ଦେବତାଙ୍କୁ ପୂଜାର୍ଚ୍ଚନା କରି ବିବାହର ସାତବର୍ଷ ପରେ ମଳୟ ବସନ୍ତ ଦେହୁରୀ ଓ ସୌଦାମିନୀଙ୍କ କୋଳକୁ ଆସିଥିଲା ରାନୀ। ତେଣୁ ସେ ଥିଲା ସେମାନଙ୍କ ହୃଦୟର ଟୁକୁଡା। ଗତ ଏପ୍ରିଲ ମାସରେ ରାନୀ ଏକବର୍ଷର ହେଲା। ତା’ର ପ୍ରଥମ ଜନ୍ମଦିନ ପାଳିବା ଲାଗି କାନ୍ଥରେ ବେଲୁନ୍‌, ଜନ୍ମଦିନର ଷ୍ଟିକର ଲଗାଇ ଘରକୁ ସୁନ୍ଦରଭାବେ ସଜାଯାଇଥିଲା। ରାନୀ ପରିବାର ଓ ମାମୁଘର ଲୋକ ମିଶି ପାଳିଥିଲେ ଏଇ ଖାସ୍‌ଦିନକୁ। ହେଲେ ଏଇ ଖୁସିକୁ ଯେମିତି କାହାର ନଜର ଲାଗିଗଲା। ଦିନ କେଇଟା ଭିତରେ ପରିବାରର ଜଣକ ପରେ ଜଣେ ଅଦୃଶ୍ୟ ଭୂତାଣୁ କବଳରେ କବଳିତ ହେଲେ। ପ୍ରଥମେ କୁକୁଡ଼ାଙ୍ଗ ଗ୍ରାମ ତଥା ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ବାପା ମଳୟଙ୍କର କୋଭିଡ୍‌ ପଜିଟିଭ ଥିବା ଜଣାପଡିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲକୁ ଚିକିସତ୍ା ପାଇଁ ପଠାଯାଇଥିଲା। ଏହାପରେ ରାନୀଙ୍କ ମା’ ସୌଦାମିନୀ ଅସୁସ୍ଥ ହେଲେ। ତେଣୁ ଉଭୟ ମା’ ଓ ଝିଅ(ରାନୀ)ଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ଦୁହେଁ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଦୁହିଁଙ୍କର ଚିକିସତ୍ା ଚାଲିଥିବାବେଳେ ଜେଜେମା’ ମାଳତୀ ଦେହୁରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହେଲେ। ୩ ଜଣଙ୍କର ଚିକିସତ୍ା ଚାଲିଥାଏ। ଏହି ସମୟରେ ହଠାତ୍‌ ସ୍ବାସ୍ଥାବସ୍ଥା ବିଗିଡିଯାଇ ରାନୀଙ୍କର ମା’ ସୌଦାମିନୀଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଗଲା। ସମସ୍ତେ ଦୁଃଖରେ ଭାଙ୍ଗିପଡିଲେ। ଏତିକିରେ ଦୁଃଖ ସରିଲାନି। ଦଇବ ଦାଉ ସାଧିଲା ପରି ସୌଦାମିନୀଙ୍କ ମୃତ୍ୟୁର ଠିକ ୭ ଦିନ ପରେ ଅର୍ଥାତ୍‌ ଗତ ୧୪ ତାରିଖରେ ବାପା ମଳୟ ଓ ଜେଜେମା’ ମାଳତୀ ମଧ୍ୟ କରୋନା ଯୁଦ୍ଧରେ ହାରିଯାଇ ଆରପାରିକୁ ଚାଲିଗଲେ। ଏହାର ଏକ ବର୍ଷ ପୂର୍ବେ ରାନୀଙ୍କ ଜେଜେ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ। ପରିବାରର ସମସ୍ତେ ଜଣକ ପରେ ଜଣେ ଚାଲିଗଲେ। ଏକୁଟିଆ ରହିଗଲା ରାନୀ। କରୋନାରୁ ସିନା ବଞ୍ଚତ୍ଗଲା। ହେଲେ ହୋଇଗଲା ସମ୍ପୂର୍ଣ୍ଣ ଏକା। ଅନ୍ୟପକ୍ଷରେ ରାନୀର ଦାଦା ମଧ୍ୟ କରୋନାରେ କବଳିତ ହୋଇ ଘରେ ରହି ଚିକିସତ୍ିତ ହେଉଛନ୍ତି। ତେଣୁ ଅନାଥ ହୋଇଯାଇଥିବା ଶିଶୁଟିକୁ କୋଳେଇ ନେଲେ ମାମୁଘର ଲୋକେ। ଦୁର୍ଭାଗ୍ୟ ଯେମିତି ରାନୀର ପିଛା ଛାଡିବାକୁ ନାରାଜ। ଏବେ ତା’ର ଅଜା ଓ ଆଈ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଅଜା ଘରେ ରହି ଚିକିସତ୍ା ହେଉଥିବାବେଳେ ଆଈ କିନ୍ତୁ ବଅଁରପାଳସ୍ଥିତି ଇଏସ୍‌ଆଇ କରୋନା ହସ୍‌ପିଟାଲରେ ଚିକିସତ୍ିତ ହେଉଛନ୍ତି। ଆଉ ରାନୀର ଲାଳନ ପାଳନ କରୁଛନ୍ତି ତା’ର ଅବିବାହିତ ମାଉସୀ। ମାଉସୀ ନୁହେଁ ସେ ମା’ ବାପାର ସ୍ନେହ ଦେବାକୁ ରାତିଦିନ ଏକ କରି ଦେଉଛନ୍ତି। ଛାତିରେ ଛାତିଏ କୋହ ଧରି ରାନୀକୁ ଛାତିରେ ଜାବୁଡି ଧରି ତା’ର ଯତ୍ନ ନେଉଛନ୍ତି। ଏଣେ ମା’ ବାପାଙ୍କ ନେଇ ବି ଭାରି ଭୟରେ ଅଛନ୍ତି ସେ। ଖାଲି ଭଗବାନ ଭରସା କରିଛନ୍ତି ବୋଲି ସେ କହନ୍ତି। ଏଇ ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଆଖିରୁ ନିଦ ହଜି ଯାଇଛି। ରାନୀ ପାଇଁ ସମସ୍ତଙ୍କ ମନରେ ଦରଦ। ତା’ ଭିବଷ୍ୟତ ପାଇଁ ସମସ୍ତେ ଚିନ୍ତିତ। ପ୍ରଶାସନ ବି ରାନୀ ପାଇଁ ଆଗେଇ ଆସିଛି। ପ୍ରଶାସନିକ କର୍ତ୍ତୃପକ୍ଷ ରାନୀର ମାମୁ ଘର ଓ ପୈତୃକ ଘରକୁ ଗସ୍ତ କରି ସମବେଦନା ଜଣାଇଛନ୍ତି। ରାନୀକୁ କିଭଳି ଭାବେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ସେନେଇ ବ୍ୟବସ୍ଥା କରିବାକୁ କହିଛନ୍ତି। ସେହିଭଳି ଭାରତ ସରକାରଙ୍କ ବାଲ୍‌ ସ୍ବରାଜ ପୋର୍ଟାଲରେ ନାମ ମଧ୍ୟ ସ୍ଥାନିତ କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଭଳି କି ଆଗାମୀ ଦିନରେ ବି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସାହାଯ୍ୟ ଓ ସହଯୋଗ ଶିଶୁକୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।
୮ ଦିନ ବ୍ୟବଧାନରେ ଚାଲିଗଲେ ବାପା ମା’ :‘ମା’ ବାପା ଆଉ ଆମେ ୨ ଭଉଣୀ ମିଶି ବେଶ୍‌ ହସ ଖୁସିରେ ଚଳୁଥିଲୁ। ମା’ ନିଜ ହାତରେ ଖୁଆଇ ଦେଉଥିଲେ। ବାପା ଯାହା କହିଲେ ଆଣୁଥିଲେ। ହେଲେ ଏବେ ଆମ ଅଳି ଅଝଟ ଶୁଣିବାକୁ କେହି ନାହାନ୍ତି ବୋଲି କୋହଭରା କଣ୍ଠରେ କହନ୍ତି, ରାୟଗଡା ଜିଲା ପଦ୍ମପୁର ବ୍ଲକର ଗୁଡ଼ିଆ ବନ୍ଧ ଗ୍ରାମର ୨ ଯାଆଁଳା ଭଉଣୀ l କରୋନାରେ ଏମାନେ ହରାଇଛନ୍ତି ଉଭୟ ବାପା ଓ ମା’ଙ୍କୁ। ହୋଇଯାଇଛନ୍ତି ସମ୍ପୂର୍ଣ୍ଣ ଏକା। ଗିରିଶ ସୁନା ମୁଦି ଓ ଜ୍ୟୋତିଙ୍କର ଏହି ଦୁଇ ଝିଅ। ଗିରିଶଙ୍କ ଚଳଣି ସେତେ ଭଲ ନ ଥିଲା। ତେଣୁ ବାଧ୍ୟ ହୋଇ ପତ୍ନୀଙ୍କୁ ଧରି ହାଇଦ୍ରାବାଦ ଚାଲିଯାଇଥିଲେ ଦାଦନ ଖଟିବାକୁ। ଆଉ ଦୁଇ ଝିଅଙ୍କୁ ଛାଡି ଦେଇଥିଲେ ମାମୁଘରେ। ତେବେ କରୋନା ଲାଗି ଲକ୍‌ଡାଉନ୍‌ ହୋଇ କାମଧନ୍ଦା ବନ୍ଦ ହୋଇଯିବାରୁ ଦୁହେଁ ଗାଁକୁ ଫେରୁଥିଲେ। କିନ୍ତୁ ଘରେ ପହଞ୍ଚତ୍ବା ପୂର୍ବରୁ ଏପ୍ରିଲ ୨୯ରେ ରାୟଗଡା ଷ୍ଟେସନରେ ଦୁଇ ଝିଅଙ୍କ ବାପା ଗିରିଶ ଅସୁସ୍ଥ ହୋଇଗଲେ। ଆଉ ସେଇ ଷ୍ଟେସନ୍‌ରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା। ମା’ ଜ୍ୟୋତି ମଧ୍ୟ ଅସୁସ୍ଥ ଅନୁଭବ କରୁଥିବାରୁ ତାଙ୍କୁ ଜେକେ କୋଭିଡ୍‌ ହସ୍ପିଟାଲ ନେଇ ଚିକିତ୍ସା କରାଗଲା। ସେ କୋଭିଡ ପଜିଟିଭ ଥିବା ଜଣାପଡିଲା। ସେହି ହସ୍ପିଟାଲରେ ମୃତ ଗିରିଶଙ୍କର ବି କୋଭିଡ୍‌ ଟେଷ୍ଟ କରାଯାଇଥିଲା। ଆଉ ସେ କୋଭିଡ୍‌ ପଜିଟିଭ ଥିଲେ ବୋଲି ଜଣାପଡିଲା। ଏଣେ ଜ୍ୟୋତିଙ୍କ ସ୍ଥିତି ଖରାପ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ନିଆଗଲା। ହେଲେ ମେ ୬ ତାରିଖରେ ସ୍ବାମୀଙ୍କ ମୃତ୍ୟୁର ୮ ଦିନ ପରେ ଜ୍ୟୋତି ବି ଚାଲିଗଲେ। ଏବେ ୧୧ ବର୍ଷିୟା ଯାଆଁଳା ଭଉଣୀ ପାୟଲ ସୁନା ମୁଦି ଓ ପାବନୀ ସୁନା ମୁଦି ହୋଇଯାଇଛନ୍ତି ଅନାଥ। ଗୁଣପୁରରୁ ୧୨ କିମି ଦୂର ଡମ୍ବସରାରେ ଥିବା ମାମୁ ଉତ୍ତମ ଚୌଧୁରୀଙ୍କ ଘରେ ରହୁଛନ୍ତି। ଆଉ ଡମ୍ବସରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି l ତାଙ୍କ ପାଠ ପଢା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଜିଆଇଇଟିର ଅଧ୍ୟକ୍ଷ ସତ୍ୟ ପଣ୍ଡା। ଇଚ୍ଛା ମୁତାବକ ସେମାନେ ଚାହିଁଲେ ଓଡ଼ିଆ କିମ୍ବା ଇଂଲିଶ ମିଡିୟମରେ ପଢ଼ିପାରିବେ ବୋଲି ସେ କହିଛନ୍ତି। ଆଉ ପାଠପଢ଼ାର ସମସ୍ତ ଖର୍ଚ୍ଚ ଜିଆଇଇଟି ବହନ କରିବ ବୋଲି ପ୍ରକାଶ କରିଛନ୍ତି।
ଏବେ ଜେଜେମା’ ଭରସା: ପୁରୀ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ରୁହନ୍ତି ପ୍ରଭାତି ଦାସଙ୍କ ପରିବାର। ଖୁବ୍‌ କମ୍‌ ବୟସରୁ ସେ ସ୍ବାମୀଙ୍କୁ ହରାଇଥିଲେ। ଅନ୍ତରର କଷ୍ଟ ଚାପି ବହୁ କଷ୍ଟରେ ଦୁଇ ପୁଅଙ୍କୁ ବଡ଼ କଲେ। ହେଲେ ଏଇ କରୋନା ତାଙ୍କ ଉପରେ ଲଦି ଦେଲା ଆଉ ଏକ ମସ୍ତବଡ଼ ଦୁଃଖର ପାହାଡ଼। ସାନପୁଅ ତରୁଣ ଗତବର୍ଷ କୋଭିଡ୍‌ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲା। ପୁଅକୁ ହରାଇ ଭାଙ୍ଗିପଡିଥିବା ପ୍ରଭାତି, ଅଭାଗିନୀ ବୋହୂକୁ ସମ୍ଭାଳି ଦୁଇ ନାତୁଣୀ ଓ ଗୋଟିଏ ନାତିର ମୁହଁ ଚାହିଁ ବଞ୍ଚତ୍ବାକୁ ଚେଷ୍ଟା କରୁଥିଲେ। ହେଲେ ଚଳିତ ବର୍ଷ କୋଭିଡ୍‌ର ଦ୍ୱିତୀୟ ଲହରରେ ବୋହୂ ବି କୋଭିଡ୍‌ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ। ପରିଣତ ବୟସରେ ଏଭଳି ଦୁଃଖକୁ ସେ ସମ୍ଭାଳି ପାରୁ ନାହାନ୍ତି। ତଥାପି ନିରୀହ ନିଷ୍ପାପ କୁନି କୁନି ନାତି ନାତୁଣୀଙ୍କ ମୁହଁ ଚାହିଁ ଅଣ୍ଟା ସଳଖି ଛିଡ଼ା ହେବାକୁ ବାଧ୍ୟ ହେଉଛନ୍ତି। ନାତି ନାତୁଣୀକୁ କିଭଳି ବଡ଼ କରିବେ, କେମିତି ପାଠ ପଢ଼େଇବେ ସେ ନେଇ ଚିନ୍ତା କରି କରି ପିଲାଙ୍କୁ ଧରି ବାହୁନି କାନ୍ଦୁଛନ୍ତି। ପ୍ରଭାତିଙ୍କ ବଡ଼ ପୁଅ କରୋନାରେ ରୋଜଗାର ହରାଇଛନ୍ତି। ତେଣୁ ସେ ବି ଭାବିପାରୁ ନାହାନ୍ତି ପିଲାଙ୍କ ଲାଳନପାଳନ କେମିତି କରିବେ। ଏମିତିରେ ଘଟଣା ସମ୍ପର୍କରେ ଜାଣିବା ପରେ ଅତିରିକ୍ତ ଜିଲାପାଳ ପ୍ରଦୀପ ସାହୁ ତାଙ୍କ ଘରକୁ ଗସ୍ତ କରି ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୩୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଯୋଜନା ମୁତାବକ ସହଯୋଗ ଯୋଗାଇ ଦିଆଯିବ ବୋଲି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ମହାବଳୀ ରୁଦ୍ରନାରାୟଣ ସାହୁ କହିଛନ୍ତି।

ବାପା ମା’ ଛେଉଣ୍ଡ ହେଲେ ୩ ଭାଇଭଉଣୀ:ମୋ ଗୁହାରି ଟିକେ ଶୁଣ, ମୋ ନାତି ନାତୁଣୀଙ୍କ ପାଇଁ ଦୟାକର ବୋଲି ନିବେଦନ କରୁଛନ୍ତି ଭଦ୍ରକ ଜିଲା ତିହିଡ଼ି ନନ୍ଦପୁର ଗ୍ରାମର ଏକ ବୃଦ୍ଧ ଦମ୍ପତି। କାରଣ ମହାମାରୀ ଉଜାଡ଼ି ଦେଇଛି ତାଙ୍କ ସୁଖଦୁଃଖର ସଂସାରକୁ। ଅଦୃଶ୍ୟ ଭୂତାଣୁ ଛଡାଇ ନେଇଛି ତାଙ୍କଠୁ ତାଙ୍କର ଏକମାତ୍ର ପୁଅ ମନୋଜକୁ। ଏହାର ଠିକ ଗୋଟିଏ ବର୍ଷ ପୂର୍ବେ କରୋନାର ପ୍ରଥମ ଲହରବେଳେ କେଉଁ ଅଜଣା ରୋଗରେ ବୋହୂ ବି ଆରପାରିକୁ ଚାଲିଯାଇଥିଲା। ଫଳରେ ତିନି ନାତି ନାତୁଣୀ ହୋଇ ଯାଇଛନ୍ତି ଅନାଥ। ନା ଦେହରେ ଅଛି ବଳ ନା ଅଛି ରୋଜଗାର। ଏମିତିରେ ଅନାଥ ତିନି ନାତି ନାତୁଣୀ (ଗୋଟିଏ ନାତି ଓ ଦୁଇ ନାତୁଣୀ) ଙ୍କୁ କିଭଳି ଲାଳନପାଳନ କରିବେ ଭାବିପାରୁ ନାହାନ୍ତି ସେମାନେ। ଆଉ ସରକାରଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ଆକୁଳ ନିବେଦନ କରୁଛନ୍ତି। ବୃଦ୍ଧ ଶୁକଦେବଙ୍କ ଏକ ମାତ୍ର ରୋଜଗାରିଆ ପୁଅ ମନୋଜ ଅଟୋ ଚଳାଇ ପରିବାର ଭରଣପୋଷଣ କରୁଥିଲେ। ଯେନତେନ ପ୍ରକାରେ ସଂସାର ଚାଲିଥିଲା। ହେଲେ କିଛିଦିନ ପୂର୍ବେ ସେ କରୋନାରେ ଆକ୍ରାନ୍ତ ହୋଇ ଭଦ୍ରକ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ। ସ୍ଥିତି ଗମ୍ଭୀର ହୋଇଯିବାରୁ ଚିକିତ୍ସାଧୀନ ଅବସ୍ଥାରେ ଚଳିତ ଜୁନ୍‌ ମାସ ୩ ତାରିଖରେ ମନୋଜଙ୍କ ମୃତ୍ୟୁ ହୋଇଗଲା। ତାଙ୍କ ମରଶରୀର ଗାଁ ଭିଟାମାଟିକୁ ବି ଆସିପାରିଲାନି। ଜିଲା ପ୍ରଶାସନ ପକ୍ଷରୁ ଶେଷକୃତ୍ୟ ସମ୍ପନ୍ନ କରାଇ ଦିଆଗଲା। ପୂର୍ବରୁ ବୋହୂ କନକଲତା ମୃତ୍ୟୁବରଣ କରିଥିବା ବେଳେ ଏବେ ପୁଅକୁ ହରାଇ ବୃଦ୍ଧ ଦମ୍ପତିଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି। ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମବାସୀ ସନ୍ତୋଷ ମହାରଣା, ଜୟଶ୍ରୀ ପୁହାଣ ପ୍ରମୁଖ ଏହି ପରିବାର ପାଇଁ ସାହାଯ୍ୟ ଭିକ୍ଷା କରିଛନ୍ତି। ଅନ୍ୟପକ୍ଷେ ମନୋଜଙ୍କ କରୋନାରେ ମୃତ୍ୟୁ ହେବା ପରେ ଏକ ସ୍ବତନ୍ତ୍ର ଟିମ ମନୋଜଙ୍କ ଘରକୁ ଯାଇ ସବିଶେଷ ତଥ୍ୟ ଜିଲା ପ୍ରଶାସନକୁ ପ୍ରଦାନ କରିଛି। ଅନାଥ ହୋଇଥିବା ପିଲାଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ କହିଛନ୍ତି।

କରୋନା ଛଡ଼ାଇ ନେଲା ମା’କୁ, ଦୂରେଇ ଦେଲା ବାପାଙ୍କୁ : ଝୁମ୍ପୁରା ବ୍ଲକ ଅର୍ଶଳା ଗ୍ରାମର ୧୪ ବର୍ଷ ବୟସର ପୁଷ୍ପଲତା ପ୍ରଧାନ ା ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି ା ବାପା ଓ ମା’ଙ୍କ ଏକମାତ୍ର ଝିଅ। ଖୁବ୍‌ ଗେହ୍ଲାରେ ବଢ଼ିଥିଲେ। ବାପା ଅମିତ ବଚନ ପ୍ରଧାନ ଜଣେ ଘରୋଇ କମ୍ପାନୀରେ ଚାକିରି କରୁଥିଲେ ା ବେଶ୍‌ ଖୁସିରେ ଚାଲିଥିଲା ତାଙ୍କ ପରିବାର ା ତେବେ ହଠାତ ମା’ ଝରଣା ପ୍ରଧାନଙ୍କ ଦେହ ଅସୁସ୍ଥ ହେଲା। ମେ ୨୭ ତାରିଖରେ ଜଣାପଡ଼ିଲା ସେ କୋଭିଡ୍‌ ପଜିଟିଭ। କେନ୍ଦୁଝର ଆଣି ରାଙ୍କିସ୍ଥିତ କୋଭିଡ୍‌ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଗଲା। ପୁଷ୍ପଲତା କହନ୍ତି, ”ମା’କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ବାପା ଯାଇଥିଲେ। ଆମେ ଅପେକ୍ଷାରେ ଥିଲୁ ବାପା ଆସିଲେ ମା’ ବିଷୟରେ ପଚାରି ବୁଝିବୁ, ସେ କେମିତି ଅଛି। ହେଲେ ସମୟ ଗଡି ଚାଲିଲା ସିନା ବାପା ଫେରିଲେନି। କେଉଁଆଡେ ଚାଲିଗଲେ ଆଜିଯାଏ ଠିକଣା ମିଳିପାରିଲା ନାହିଁ। ଘରେ ମୁଁ ସେତେବେଳେ ଏକୁଟିଆ ଥିଲି ା ଖୁବ୍‌ ନିଃସହାୟ ହୋଇଯାଇଥିଲି। ଏହି ସମୟରେ ପଡ଼ୋଶୀ ମୋ’ ଦେଖାରଖା କରୁଥିଲେ। ବାପାଙ୍କ ନିଖୋଜ ହେବା ନେଇ ଗାଁ ଲୋକେ ଥାନାରେ ଏତଲା ଦେଇଥିଲେ ା ଏଭଳିସ୍ଥିତିରେ ହଠାତ୍‌ ମେ ୩୧ରେ ମା’ଙ୍କ ଦେହାନ୍ତ ହୋଇଗଲା ା ଦୁଃଖର ପାହାଡ଼ ଯେମିତି ମୋ ଉପରେ ଲଦି ହୋଇଗଲା। ଦୂର ଦୂର ପର୍ଯ୍ୟନ୍ତ ଆଖି ପହଁରେଇ ଆଣିଲେ ବି କେହି ମୋର ନିଜର ନ ଥିଲେ। ଏକୁଟିଆ କେମିତି ବଞ୍ଚତ୍ବି ଭାବିଲେ ସବୁକିଛି ଅନ୍ଧାର ଲାଗୁଛି। ମୋର କେହି ସମ୍ପର୍କୀୟ ବି ନାହାନ୍ତି। ଯିଏ କି ମତେ ସାହାରା ଦେଇପାରିବେ। ଖାଲି ଆଶା ଟିକେ ରଖିଛି କାଳେ ବାପା ଫେରି ଆସିବେ।“ ଏବେ ପୁଷ୍ପଲତା ପଡ଼ୋଶୀ ତ୍ରିଲୋଚନ ନାୟକଙ୍କ ପାଖରେ ରହୁଛନ୍ତି। ତାଙ୍କ ଦେଖାରଖା ଓ ପାଠପଢ଼ା ଖର୍ଚ୍ଚ ପାଇଁ ସରକାରୀ ସହାୟତା ଲାଗି ସ୍ଥାନୀୟ ନିବାସୀ ତରୁଣ ନାୟକ ନିବେଦନ କରିଛନ୍ତି ା

କୋଭିଡ୍‌ରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ଯୋଜନା ଆଶୀର୍ବାଦ ଯୋଜନା- ରାଜ୍ୟ ସରକାରଙ୍କର ଏହି ଯୋଜନା ଅନୁସାରେ ଉଭୟ ମା’ ବାପା ହରାଇଥିବା ପିଲାଙ୍କୁ ଭରଣପୋଷଣ, ଶିକ୍ଷା ଓ ସ୍ବାସ୍ଥ୍ୟ ବାବଦକୁ ମାସିକ ୨୫୦୦ ଟଙ୍କା ପିଲାଙ୍କ ଦାୟିତ୍ୱ ନେଉଥିବା ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ମୁଖ୍ୟ ଉପାର୍ଜନକାରୀ ବାପା କିମ୍ବା ମା’ଙ୍କୁ ହରାଇଥିଲେ ମାସକୁ ୧୫୦୦ ଟଙ୍କା ବଞ୍ଚତ୍ଥିବା ମା’ କିମ୍ବା ବାପାଙ୍କ ଖାତାରେ ଜମା କରାଯିବ। ୨୦୨୦ ଏପ୍ରିଲ ୧ ଠାରୁ କୋଭିଡ୍‌ରେ ଅନାଥ ହୋଇଥିବା ଶିଶୁଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଏହି ଆର୍ଥିକ ସାହାଯ୍ୟ ମିଳିବ। ତେବେ କେହି ସେହି ପିଲାଙ୍କୁ ପୋଷ୍ୟଭାବେ ଗ୍ରହଣ କଲେ ଆଉ ସହାୟତା ଦିଆଯିବ ନାହିଁ। ଏଥିରୁ ଯେମିତି କୌଣସି ଅନାଥ ପିଲା ବଞ୍ଚିତ ନ ହୁଅନ୍ତି ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନା ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ପିଲାମାନେ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ। ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ। ମା’ବାପାଙ୍କ ମୃତ୍ୟୁ ପୂର୍ବରୁ ପିଲା ଯେଉଁସ୍କୁଲରେ ପଢୁଥିଲେ ସେଠାରେ ପଢ଼ା ଜାରି ରଖିପାରିବେ। ଦାୟିତ୍ୱ ନେଉଥିବା ଆତ୍ମୀୟସ୍ବଜନ ଯଦି ଅନ୍ୟ ସ୍ଥାନରେ ରହୁଥାନ୍ତି ତେବେ ସେଠାରେ ପଢ଼ିବାର ବ୍ୟବସ୍ଥା କରାଯିବ। ଆବଶ୍ୟକ ପଡ଼ିଲେ ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ବା ସେହି ମାନର ବିଦ୍ୟାଳୟରେ ପିଲାଙ୍କ ପଢ଼ିବା ପାଇଁ ସାହାଯ୍ୟ କରାଯିବ। ଆତ୍ମୀୟସ୍ବଜନ ଅନ୍ୟ ସ୍କୁଲରେ ପଢ଼ାଇବାକୁ ଚାହିଁଲେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜିଲାପାଳ ସହଯୋଗ କରିବେ। ଉଚ୍ଚଶିକ୍ଷା ପାଇଁ ପିଲାଙ୍କୁ ରାଜ୍ୟ ସରକାରଙ୍କ ଗ୍ରୀନ୍‌ ପାସେଜ୍‌ ଯୋଜନାରେ ସହଯୋଗ ଯୋଗାଇ ଦିଆଯିବ। ଯୋଗ୍ୟତା ଥିଲେ ଆତ୍ମୀୟଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କା ଘର ଯୋଜନା ମଞ୍ଜୁର କରାଯିବ। ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ପିଲାର ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ସହ ନିୟମିତ ଯୋଗାଯୋଗରେ ରହି ନଜର ରଖିବେ। ବିଜୁ ଶିଶୁ ସୁରକ୍ଷା ଯୋଜନା ଓ ଜୁଭେନାଇଲ ଜଷ୍ଟିସ୍‌ ଫଣ୍ଡରୁ ଆବଶ୍ୟକ ସ୍ଥଳେ ପିଲାଙ୍କୁ ସହାୟତା ମିଳିପାରିବ।
ପିଲା ଯଦି ଆତ୍ମୀୟଙ୍କ ପାଖରେ ନ ରହି କୌଣସି ଶିଶୁ ସୁରକ୍ଷା ଅନୁଷ୍ଠାନରେ ରୁହନ୍ତି, ତେବେ ପିଲାଙ୍କ ବ୍ୟାଙ୍କ ଖାତାରେ ମାସିକ ୧୦୦୦ଟଙ୍କା ୧୮ ବର୍ଷ ପର୍ଯ୍ୟନ୍ତ ଜମା ହେବ। ପିଲାର ମାଗଣା ଯତ୍ନ ଓ ଅନ୍ୟ ଦାୟିତ୍ୱ ଅନୁଷ୍ଠାନ ବହନ କରିବ। ବାପାଙ୍କ ମୃତ୍ୟୁ ପରେ ଯଦି ମା’ ମଧୁବାବୁ ପେନ୍‌ସନ୍‌ ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ତାଙ୍କ ପାଇଁ ବିଧବା ଭତ୍ତା ମଞ୍ଜୁର କରାଯିବ।
ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ୍‌, ଚାଇଲ୍ଡ ଲାଇନ୍‌ ତଥା ପଞ୍ଚାୟତସ୍ତରୀୟ କମିଟି, ବ୍ଲକ କମିଟି ଫ୍ରଣ୍ଟଲାଇନ୍‌ ଓ୍ବାର୍କର ସିଭିଲ ସୋସାଇଟି ଜରିଆରେ ଏହି ପିଲାଙ୍କୁ ଚିହ୍ନଟ ସହ ତାଲିକା ପ୍ରସ୍ତୁତ କରାଯିବ। ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ପିଲା ବା ଦାୟିତ୍ୱ ନେଉଥିବା ଆତ୍ମୀୟ ମୃତ୍ୟୁ ପ୍ରମାଣ ପତ୍ର ସହ ଡିସିପିୟୁଙ୍କୁ ଆବେଦନ କରିପାରିବେ।

-ଶିବାନୀ ମହାନ୍ତି
ତଥ୍ୟ: ପ୍ରଦୀପ ଦାସ, ଅମିତ୍‌ କୁମାର ସାମଲ, ଭାଗ୍ୟଶ୍ରୀ ମିଶ୍ର, ବିଭୁ ପ୍ରସାଦ ବେହେରା, ନରେଶ ଚନ୍ଦ୍ର ପଟ୍ଟନାୟକ, ଯଜ୍ଞେଶ୍ୱର ମହାନ୍ତି

 

 


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri