
ଛତ୍ରପୁର,୩୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅପରପକ୍ଷରେ ଏନ୍ଏସିର ୱାର୍ଡ ନମ୍ବର ୧୨ର କଳ୍ପବାସୀ ନଗରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଓ ସଂଲଗ୍ନ ସାହିକୁ ବଫର ଜୋନ ଘୋଷଣା କରାଯାଇଛି। ଉକ୍ତ ସାହି ସଂଲଗ୍ନ ବିନୋଦ ବିହାର, ରେଡି ସାହି, ଭଣ୍ଡାରୀ ସାହି ସହ ସମେତ କଳ୍ପବାସୀ ନଗରର ବଳକା ସାହିଗୁଡିକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ରାତିରେ ବଫର ଜୋନ ଭାବେ ଘୋଷଣା କରିଛନ୍ତି।
ପ୍ରଶାସନ ପକ୍ଷରୁ ଏହି ସମସ୍ତ ଅଞ୍ଚଳ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି। ଉକ୍ତ ସଂଲଗ୍ନ ସମସ୍ତ ରାସ୍ତାକୁ ସିଲ୍ କରାଯାଇ ଯାତାୟାତ ଓ ଦୋକାନ ବଜାର ଉପରେ କଟକଣା ଲଗାଯାଇଛି। ଏହି ଅଞ୍ଚଳରେ ବାସ କରୁଥିବା ଲୋକ ମାନେ ସତର୍କତା ଅଲମ୍ବନ କରିବାକୁ କୁହାଯାଇଛି। ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆ ଯାଇଛି। ଉକ୍ତ ଅଞ୍ଚଳକୁ ସାନିଟାଇଜ କରିବା ସହ ସ୍ବାସ୍ଥ୍ୟ ପରୀକ୍ଷା, କଣ୍ଟ୍ରାକ୍ଟ ଟ୍ରେସିଂ କରିବାକୁ କୁହାଯାଇଛି। ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗେଇବାକୁ ନିଷ୍ପତ୍ତି ନିଆଯାଇଛି।