
ଲକ୍ଷ୍ନୌ,୧୫ା୪: ଲଗାତର ୫ ମ୍ୟାଚରେ ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ବିଜୟ ସ୍ବାଦ ଚାଖିଛି। ସୋମବାର ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ ସିଏସ୍କେ ୫ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍ଏସ୍ଜି)କୁ ପରାସ୍ତ କରିଛି। ଲକ୍ଷ୍ନୌ ପକ୍ଷରୁ ଧାର୍ଯ୍ୟ ୧୬୭ ରନର ଟାଗେର୍ଟକୁ ସିଏସ୍କେ ୧୯.୩ ଓଭରରେ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହା ଚେନ୍ନାଇର ଦ୍ୱିତୀୟ ବିଜୟ ହୋଇଥିବା ବେଳେ ଲକ୍ଷ୍ନୌ ଲାଗି ଏହା ତୃତୀୟ ପରାଜୟ।
ପାଇ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୬୬ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରିଷଭ ପନ୍ତ ସର୍ବାଧିକ ୬୩ (୪ ଲେଖାଏ ଚୌକା ଓ ଛକା) ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଚେଲ ମାର୍ଶ ୩୦ (୨ ଲେଖାଏ ଚୌକା ଓ ଛକା), ଆୟୂଷ ବଦୋନୀ ୨୨ ଓ ଅବଦୁଲ ସମଦ ୨୦ ରନ କରିଥିଲେ। ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ ମାଥିଶା ପାଥିରାନା ଦୁଇ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ପଦାର୍ପଣକାରୀ ଶେଖ ରଶିଦ ଓ ରାଚିନ ରବୀନ୍ଦ୍ର ସିଏସ୍କେକୁ ବିସ୍ଫୋରକ ଆରମ୍ଭ ପ୍ରଦାନ କରିଥିଲେ। ଦୁହେଁ ୪.୫ ଓଭରରେ ୫୨ ରନ କରିଥିଲେ। ରଶିଦ ୬ ଚୌକା ସହିତ ୨୭ ଓ ରାଚିନ ୫ ଚୌକା ସହ ୩୭ ରନ କରି ଆଉଟ୍ ହୋଇଥିଲେ। ଦୁହେଁ ଆଉଟ୍ ହେବା ପରେ ଦଳ କ୍ରମାଗତ ବ୍ୟବଧାନରେ ୩ଟି ଉଇକେଟ ହରାଇଥିଲା। ରାହୁଲ ତ୍ରିପାଠୀ (୯), ରବୀନ୍ଦ୍ର ଜାଡେଜା (୭) ଓ ବିଜୟ ଶଙ୍କର (୯) ଫେଲ ମାରିଥିଲେ। ଏହାପରେ ଶିଭମ ଦୁବେ ଓ ମହେନ୍ଦ୍ର ସିଂ ଧୋନୀ ଷଷ୍ଠ ଉଇକେଟରେ ୫୭ ରନ ଯୋଡ଼ି ଦଳକୁ ଜିତାଇଥିଲେ। ଦୁବେ ୩ ଚୌକା ଓ ୨ ଛକା ସହିତ ୪୩ ଓ ଧୋନୀ ୪ ଚୌକା ଓ ୧ ଛକା ସହିତ ୨୬ ରନ କରି ଅପରାଜିତ ରହିଥିଲେ। ଲକ୍ଷ୍ନୌ ପକ୍ଷରୁ ରବି ବିଷ୍ଣୋଇ ଦୁଇଟି ଉଇକେଟ ନେଇଥିବା ବେଳେ ଆଭେଶ ଖାନ ଓ ଏଡେନ ମାରକ୍ରାମ ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ।
ଶିଭମ୍-ଧୋନୀ ଜିତାଇଲେ ମ୍ୟାଚ