ବଦଳୁଥିବା ସମୟ

ଯୁଗ ବଦଳୁଛି ଓ ତା’ ସହ ବଦଳୁଛି ଆମ ଚାଲିଚଳନ, ବେଶଭୂଷା, ଖାଦ୍ୟପେୟ, ବୃତ୍ତି ଓ ଆମର ଦୈନନ୍ଦିନ ବ୍ୟବହାରରେ ଆସୁଥିବା ପ୍ରତିଟି ସାମଗ୍ରୀ। ଗତ ତିନି ଦଶନ୍ଧି ଧରି ଏ ସବୁର ପରିବର୍ତ୍ତନ କ୍ଷିପ୍ର ଗତିରେ ଘଟୁଛି। ନବେ ଦଶକରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓଙ୍କ ମନ୍ତ୍ରିମଣ୍ଡଳରେ ଥିବା ଅର୍ଥମନ୍ତ୍ରୀ ଡ. ମନମୋହନ ସିଂ ଦେଶରେ ଉଦାର ଅର୍ଥନୀତିର ଶୁଭାରମ୍ଭ କଲେ। ଏହା ପରେ ଦେଶର ଅର୍ଥନୀତି ଓ ବାଣିଜ୍ୟରେ ଅନେକ ପରିବର୍ତ୍ତନ ଆସିଲା। ବିଦେଶୀ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ନିଜ ଦେଶରେ ବ୍ୟାପାର କରିବା ପାଇଁ ଭାରତ ସୁଯୋଗ ଦେଲା ଓ ଭାରତରେ ବିଦେଶୀ ନିବେଶକୁ ଆମନ୍ତ୍ରିତ କରିବା ସହ ବହୁ ରାଷ୍ଟ୍ରୀୟ କମ୍ପାନୀଗୁଡ଼ିକୁ ଅନେକ ସୁବିଧା ସୁଯୋଗ ପ୍ରଦାନ କଲା। ଉଦାର ଅର୍ଥନୀତିର ସୁଫଳ ଏବେ ଆମ ହାତରେ। ପରିବର୍ତ୍ତିତ ପରିସ୍ଥିତିରେ ଆମେ ଏବେ ଖାପ ଖୁଆଇ ଆଗକୁ ବଢି ଚାଲିଛୁ ।
କୁହାଯାଉଛି, ବଦଳୁଥିବା ସମୟ ସହ ତାଳ ଦେଇ ଯେଉଁମାନେ ଆଗଉଛନ୍ତି ସେମାନେ ସମାଜରେ ପ୍ରତିଷ୍ଠା ପାଇ ପାରୁଛନ୍ତି ଓ ଯେଉଁମାନେ ଏଥିରେ ତାଳ ଦେଇ ଚାଲି ପାରୁନାହାନ୍ତି ସେମାନେ ପଛେଇ ଯାଉଛନ୍ତି। କେବଳ ବ୍ୟକ୍ତି ବିଶେଷ ନୁହନ୍ତି, ଅନେକ ବଡ଼ ବଡ଼ ବ୍ୟବସାୟିକ କମ୍ପାନୀ ଯେମିତିକି କୋଡାକ, ଆଗଫା, ବଜାଜ ସ୍କୁଟର, ଆମ୍ବାସାଡର କାର୍‌,ଏଚ୍‌ଏମ୍‌ଟି ଘଡ଼ି ଭଳି ବଡ଼ ବଡ଼ ଶିଳ୍ପ ସଂସ୍ଥା ସମୟ ସହିତ ଆଗକୁ ବଢ଼ି ନ ପାରି ଦେବାଳିଆ ହୋଇଗଲେ। ଛୋଟ ଉଦାହରଣ ଭାବେ ଫଟୋ ପେପର କଥା ଦେଖାଯାଉ। ନବେ ଦଶକରେ କୋଡାକ୍‌ ଓ ଆଗଫା କମ୍ପାନୀରେ ଲକ୍ଷ ଲକ୍ଷ କର୍ମଚାରୀ ନିୟୋଜିତ ଥିଲେ ଏବଂ ବିଶ୍ୱର ଫଟୋ ପେପରର ଏକ ବୃହତ୍‌ ଅଂଶ ସେମାନେ ବିକ୍ରି କରୁଥିଲେ। କିଛି ବର୍ଷ ମଧ୍ୟରେ ଡିଜିଟାଲ ଫଟୋଗ୍ରାଫି ସେମାନଙ୍କୁ ବଜାରରୁ ଠେଲି ବାହାର କରି ଦେଇଥିଲା। ବର୍ତ୍ତମାନ ଏକ ଧାରଣା ହେଲାଣି ଯେ ଆସନ୍ତା ଦଶ ବର୍ଷ ମଧ୍ୟରେ ବିଶ୍ୱ ସମ୍ପୂର୍ଣ୍ଣ ରୂପେ ବଦଳିଯିବ ଏବଂ ଆଜି ଚାଲୁଥିବା ଶିଳ୍ପଗୁଡିକରୁ ଅନେକ ବନ୍ଦ ହୋଇଯିବ। ଏହାର ପରିଣାମ ମହାକାଳ ଫଳ ପରି ସୁନ୍ଦର ଦେଖାଯାଉଥିଲେ ମଧ୍ୟ ଭିତରଟା ନିଶ୍ଚିତ ସଙ୍କଟମୟ ହେବ ବୋଲି ଅନେକ ସମାଜ ବିଜ୍ଞାନୀ ଭବିଷ୍ୟବାଣୀ କଲେଣି।
ଏହା ନିଶ୍ଚିତ ଯେ ଅଟୋମେଶନ ବା ସ୍ବୟଂଚାଳିତ ବ୍ୟବସ୍ଥା ବୃଦ୍ଧି ଯୋଗୁ ଅନେକ ନିଯୁକ୍ତି ହ୍ରାସ ପାଉଛି। କାରଣ ମେଶିନ ମଣିଷଠାରୁ ଭଲ ଓ ଶୀଘ୍ର କାମ କରୁଛି। ଆଗାମୀ ଦିନରେ ମଣିଷ ଅପେକ୍ଷା ମେଶିନ ଅନେକ କାର୍ଯ୍ୟ ସମ୍ପାଦନ କରିବ। ପାରମ୍ପରିକ ଉଦ୍ୟୋଗଗୁଡ଼ିକୁ ସଫ୍ଟ୍‌ଓ୍ବେର ସର୍ବାଧିକ ପ୍ରଭାବିତ କରିବ। ଏପରିକି ଜ୍ଞାନୀ, ଗୁଣୀ, ବିଶେଷଜ୍ଞମାନଙ୍କୁ ବି କମ୍ପ୍ୟୁଟର ଧରାଶାୟୀ କରିବା ଆରମ୍ଭ କଲାଣି। ଭବିଷ୍ୟତରେ ଶିକ୍ଷାନୁଷ୍ଠାନ, ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ନାମକୁମାତ୍ର ରହିବ ଓ ସେଠାରେ କିଛି ମାତ୍ର କର୍ମଚାରୀଙ୍କ ଦ୍ବାରା କାର୍ଯ୍ୟ ସମ୍ପାଦନ ହେବ। ୨୦୩୦ ସୁଦ୍ଧା ସମଗ୍ର ବିଶ୍ବ ଡିଜିଟାଲକୁ ରୂପାନ୍ତରିତ ହୋଇଯିବ। ସବୁକିଛି ଅନ୍‌ଲାଇନରେ ଚାଲିବ। ପାଠପଢ଼ା, ବୀମା, ରୋଗ ଉପଚାର ସବୁକିଛି ଅନ୍‌ଲାଇନରେ ସମ୍ପାଦନ ହେବ। ବ୍ୟାଙ୍କ ମଧ୍ୟ ସଙ୍କୁଚିତ ହୋଇଯିବ। ଉଦାହରଣ ଭାବେ ଆମେରିକାରେ ଆଇନ ସେବା କଥା ଦେଖାଯାଉ। ଆମେରିକାରେ ନୂଆ ନୂଆ ଓକିଲମାନଙ୍କୁ ଆଉ କାମ ମିଳୁନାହିଁ, କାରଣ ଆଇବିଏମ୍‌ ୱାଟ୍ସନ ପକ୍ଷରୁ ଜନସାଧାରଣଙ୍କୁ ଆଇନ ସହାୟତା ପ୍ରଦାନ କରାଯାଇପାରୁଛି। ଏହା ଦ୍ବାରା କେବଳ ଧୁରୀଣ ଆଇନଜୀବୀ ସେମାନଙ୍କ ପେସାରେ ତିଷ୍ଠି ପାରୁଛନ୍ତି।
ଏବେ କିଛି ଦେଶରେ ସ୍ବୟଂଚାଳିତ କାର୍‌ ଉପଲବ୍ଧ ହେଲାଣି। ଆପଣ ଅନ୍‌ଲାଇନରେ କାର୍‌ ଡାକିବେ ଓ ତାହା ନିମିଷକ ମଧ୍ୟରେ ଘର ଆଗରେ ପହଞ୍ଚି ଆପଣଙ୍କୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇଦେବ। ଯେତିକି କିଲୋମିଟର ଆପଣ ଗସ୍ତ କରିଥିବେ ସେତିକି ଅର୍ଥ ଆପଣ ଅନ୍‌ଲାଇନରେ ପ୍ରଦାନ କରିଦେବେ। ଆପଣଙ୍କୁ କାର୍‌ ପାର୍କିଂ ଭଳି ସମସ୍ୟା ଦେଖିବାକୁ ପଡ଼ିବ ନାହିଁ ।
କାର୍‌ ଉପଯୋଗରେ ଏହା ଅଧିକ ସହଜ ହେବ। ନା ଗାଡ଼ି ଚଲାଇବା ପାଇଁ ଲାଇସେନ୍ସ ଦରକାର ନା କାର୍‌ ପାଇଁ ବୀମା ଅର୍ଥ ପଇଠ। କାର୍‌ କିଣା ବା ଏହାର ରକ୍ଷଣାବେକ୍ଷଣ ଝିନ୍‌ଝଟ୍‌ରୁ ବି ମୁକ୍ତି। ଏହାଦ୍ୱାରା ସହରଗୁଡ଼ିକରେ ଗାଡ଼ିସଂଖ୍ୟା କମିଯିବ ଓ ପ୍ରଦୂଷଣ ବି ସେହି ଅନୁପାତରେ ହ୍ରାସ ପାଇବ। ରାସ୍ତା ଦୁର୍ଘଟଣା କମିବ ଓ ଧନ ଜୀବନ କ୍ଷୟକ୍ଷତି ହ୍ରାସ ହେବ। ବୀମା କମ୍ପାନୀଗୁଡ଼ିକ ଉପରେ ଚାପ କମିବ ଓ କର୍ମଚାରୀ ହ୍ରାସ ହେବେ। ମାତ୍ର ଅନ୍ୟ ପଟରେ ଏହା ନିଯୁକ୍ତି ହ୍ରାସର ପ୍ରମୁଖ କାରଣ ହେବ। ଲକ୍ଷ ଲକ୍ଷ ଲୋକ ଗାଡ଼ିଚାଳକ ଭାବେ ପରିବାର ଭରଣପୋଷଣ ଜୀବିକାକୁ ଭୁଲି ଯିବାକୁ ବାଧ୍ୟ ହେବେ। ଆମେରିକାର ବୃହତ ବ୍ୟାଙ୍କ ଯେପରିକି ଏଚ୍‌ଏସ୍‌ବିସି, ବ୍ୟାଙ୍କ ଅଫ୍‌ ଆମେରିକା ଓ ଗୋଲ୍ଡମ୍ୟାନ ସାକ ଚେତାବନୀ ଦେଇ ଆସୁଛନ୍ତି ଯେ ଆମେରିକାର ଅର୍ଥ ବ୍ୟବସ୍ଥାରେ ଯଦି ସୁଧାର ନ ଆସେ ତେବେ ଦେଶର ସମସ୍ତ ଧନ ହାତଗଣତି କିଛି ପରିବାର ମଧ୍ୟରେ ସୀମିତ ହୋଇ ରହିଯିବ। ଏହା ମଧ୍ୟ ପ୍ରମାଣିତ ହେବାରେ ଲାଗିଛି। ସମସ୍ତ କ୍ଷେତ୍ରର ବ୍ୟବସାୟ କିଛି ପରିବାର ମଧ୍ୟରେ ସୀମିତ ହୋଇଗଲାଣି। ସ୍ବାସ୍ଥ୍ୟ, ଶିକ୍ଷା, ରକ୍ଷା, ବ୍ୟାକିଂ ଭଳି ଗୁରୁତ୍ୱପୂର୍ଣ ସଂସ୍ଥା ଏବେ କିଛି ଘରୋଇ ଉଦ୍ୟୋଗୀଙ୍କ ହାତରେ। କମ୍‌ ବେତନରେ ଚାକିରି କରିବାକୁ ଲୋକେ ବାଧ୍ୟ ହେଉଛନ୍ତି। ଅନେକ ବୃହତ୍‌ ମଲ୍‌ ଏବେ ବନ୍ଦ। ବେରୋଜଗାରରେ ଲୋକେ ହନ୍ତସନ୍ତ ହେଉଛନ୍ତି। ବିଶ୍ବର ଶକ୍ତିଶାଳୀ ଅର୍ଥ ବ୍ୟବସ୍ଥା ଆମେରିକାର ଅବସ୍ଥା ଏପରି ହୋଇଛି। ଆମ ଦେଶ ଭାରତ ଏବେ ଆମେରିକା ପଥରେ ଅଗ୍ରସର। କରୋନା ସମୟରେ କୋଟି କୋଟି ପରିବାର ଦାରିଦ୍ର୍ୟ ଭିତରକୁ ଚାଲି ଯାଇଥିବା ବେଳେ ଓ ଛୋଟ ଛୋଟ ବ୍ୟବସାୟିକ ପ୍ରତିଷ୍ଠାନ ଭୁଶୁଡ଼ି ପଡ଼ିଥିବା ବେଳେ ଅମ୍ବାନୀ ଓ ଆଦାନୀଙ୍କ ଭଳି ପରିବାରମାନେ ବ୍ୟାପକ ଆର୍ଥିକ ଫାଇଦା ହାସଲ କରିଛନ୍ତି ଓ ବିଶ୍ୱର ସର୍ବବୃହତ ଆର୍ଥିକ ସ୍ବଚ୍ଛଳ ଗ୍ରୁପ୍‌ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
ଛୋଟ ଛୋଟ ବ୍ୟବାସାୟୀଙ୍କ ସମ୍ମୁଖରେ ଅନେକ ସମସ୍ୟା । ଅନ୍‌ଲାଇନ ବ୍ୟବସାୟ ଓ ମଲ୍‌ ସଂସ୍କୃତି ପାଇଁ ସେମାନଙ୍କ ବ୍ୟବସାୟ ଆଜି ଠପ୍‌। ଆମେରିକା ଭଳି ଚରମ ପରିସ୍ଥିତି ପହଞ୍ଚି ନ ଥିଲେ ମଧ୍ୟ ସେଭଳି ସ୍ଥିତିରେ ପହଞ୍ଚିବାକୁ ଆମକୁ ବେଶି ସମୟ ଲାଗିବ ନାହିଁ। ଅନ୍‌ଲାଇନରେ ଶସ୍ତାରେ ସାମଗ୍ରୀ ମିଳୁଛି ବୋଲି ଲୋକେ ଖୁସି ହୋଇପାରନ୍ତି, ମାତ୍ର ସେ ଖୁସି ବେଶି ସମୟ ରହିବ ନାହିଁ। ରୋଜଗାର ହ୍ରାସ ଓ ତତ୍‌ସହିତ ମୂଲ୍ୟବୃଦ୍ଧି କ୍ରମଶଃ ସେମାନଙ୍କର କ୍ରୟ ଶକ୍ତିକୁ ହ୍ରାସ କରିବ। ନିମ୍ନ ଓ ନିମ୍ନମଧ୍ୟବିତ୍ତଙ୍କ ସ୍ଥିତି ଅଧିକ ଜଟିଳ ହେବ। ଉଚ୍ଚ ମଧ୍ୟମ ବର୍ଗ ପରିବାରଗୁଡ଼ିକ ନିଜର ଦେଖାଇହେବା ଆଚରଣ ଯୋଗୁ ସମସ୍ୟାରେ ପଡ଼ି ସେମାନଙ୍କ ଧନ ଉପଯୋଗ ହେବା ବଦଳରେ ପ୍ରଦର୍ଶନ ମନୋଭାବରେ ଖର୍ଚ୍ଚ ହେବ। ଯଦି ଆମେ ଆଜିଠାରୁ ସତର୍କ ନ ହେବା ତେବେ ଖୁବ୍‌ ନିକଟରେ ଏହାର ପରିଣାମ ଆମ ସମ୍ମୁଖରେ ପ୍ରତୀୟମାନ ହେବ। କୁଟିରଶିଳ୍ପ, ପାରମ୍ପରିକ କୃଷି ତଥା କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟିକ ସଂସ୍ଥାକୁ ବି ସମାନ ଗୁରୁତ୍ୱ ପ୍ରଦାନ କରିବାକୁ ପଡ଼ିବ। ମଲ୍‌ ସଂସ୍କୃତି ସହ ଛୋଟ ଛୋଟ ବ୍ୟବସାୟିକ ପ୍ରତିଷ୍ଠାନ ଓ ଖୁଚୁରା ବିପଣନକୁ ପ୍ରୋତ୍ସାହନ ଦେବାକୁ ପଡ଼ିବ। ଭାରତ ଭଳି ଏକ ଜନବହୁଳ ଦେଶରେ ମାନବ ସମ୍ବଳର ଠିକ୍‌ ବିନିଯୋଗର ଆବଶ୍ୟକତା ରହିଛି। ପଶ୍ଚିମ ଦେଶଗୁଡ଼ିକରେ କମ୍‌ ଲୋକସଂଖ୍ୟା ହୋଇ ମଧ୍ୟ ଯଦି ସେଠାରେ ଅଟୋମେଶନ ପାଇଁ ବେରୋଜଗାର ଓ କମ୍‌ ବେତନ ପ୍ରମୁଖ ସମସ୍ୟା ଭାବେ ଉଭା ହେଉଛି, ସେପରି ସ୍ଥଳେ ଭାରତର ସ୍ଥିତି କ’ଣ ହେବ ତାହା ସହଜରେ ଅନୁମେୟ।

– ପ୍ରକାଶ ତ୍ରିପାଠୀ
ମୋ:୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?