Posted inଜାତୀୟ

ଜହ୍ନ ରାଇଜର ରହସ୍ୟ ଫିଟାଇବ ଚନ୍ଦ୍ରୟାନ-୩

ବେଙ୍ଗାଲୁରୁ/ନୂଆଦିଲ୍ଲୀ, ୧୪ା୭(ପ୍ରସ୍ତୁତି: ଜ୍ୟୋତିର୍ମୟୀ ସେଠୀ/ଦୁର୍ଯ୍ୟୋଧନ ମିଶ୍ର): ମଣିଷ ବସବାସ କରୁଥିବା ପୃଥିବୀ ବାହାର ଦୁନିଆ ସମ୍ପର୍କରେ ଜାଣିବା ପାଇଁ ସମସ୍ତଙ୍କ ଉତ୍ସୁକତା ରହିଛି। କେଉଁଠି ଜୀବସତ୍ତା ତ ଆଉ କେଉଁଠି ଜଳ ଓ ମଣିଷକୁ ବଞ୍ଚାଇବା ଭଳି ଅମ୍ଳଜାନ ରହିଛି, ତାହା ଏବେ ମଧ୍ୟ ବିଶ୍ୱବାସୀଙ୍କ ପାଇଁ ଏକ ଗୂଢ଼ ରହସ୍ୟ। ପୃଥିବୀବାସୀଙ୍କ ପାଇଁ ଜହ୍ନ ଏକ ଅଜଣା ଆକର୍ଷଣ। ଚନ୍ଦ୍ର ଆମର ନିକଟତମ ପ୍ରାକୃତିକ ଉପଗ୍ରହ ହୋଇଥିବାରୁ ଏହା ସମ୍ପର୍କରେ ଅଧିକ ତଥ୍ୟ ହାସଲ ନିମନ୍ତେ ଜିଜ୍ଞାସା ବଢ଼ିବା ସ୍ବାଭାବିକ। ଏବେ ବି ଜହ୍ନ ରାଇଜର ଠେକୁଆ ଗପ ଶୁଣି ଅଝଟ ଶିଶୁର ଆଖିରେ ନିଦ ଆସିଯାଏ। ବିଜ୍ଞାନର ଅଗ୍ରଗତି ମଣିଷକୁ ଜହ୍ନରେ ପାଦ ଥାପିବା ପାଇଁ ପ୍ରେରିତ କରିଆସିଛି। ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ପକ୍ଷରୁ ଚାଲିଥିବା ମୁନ୍‌ ମିଶନ୍‌ ଚନ୍ଦ୍ରୟାନ-୩ର ଅବଗଣନା ଆରମ୍ଭ ହୋଇଛି। ଚନ୍ଦ୍ରର ଅନ୍ଧାରି ଦୁନିଆ ଉପରୁ ପରଦା ହଟାଇ ସ୍ପେସ୍‌ ରିସର୍ଚ୍ଚ କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ନୂଆ ଖୋରାକ ଯୋଗାଇବା ନେଇ ଏହା ବିପୁଳ ସମ୍ଭାବନା ବହନ କରେ।

ଅଦ୍ୟାବଧି ରୁଷିଆ, ଆମେରିକା, ଜାପାନ, ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି, ଚାଇନା, ଲକ୍ସେମବର୍ଗ, ଇସ୍ରାଏଲ୍‌, ଇଟାଲୀ, ଦକ୍ଷିଣ କୋରିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପକ୍ଷରୁ ପୃଥକ୍‌ ‘ମୁନ୍‌ ମିଶନ୍‌’ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅମଳରେ ୩୮୬ କୋଟି ଟଙ୍କା ଖର୍ଚ୍ଚରେ ଭାରତ ନିଜର ପ୍ରଥମ ଚନ୍ଦ୍ରାଭିଯାନ ଆରମ୍ଭ କରିଥିଲା ୨୦୦୮ ଅକ୍ଟୋବର ୨୨ରେ। ଚନ୍ଦ୍ରରେ ଜୀବସତ୍ତା ଓ ଜଳର ସନ୍ଧାନ ନେଇ ଭାରତକୁ ଏହି ମିଶନରୁ ପ୍ରଥମ ଥର ପାଇଁ ସୂଚନା ମିଳିଥିଲା। ଚନ୍ଦ୍ରୟାନ-୧ର ଅଧୁରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରାୟ ୧୧ ବର୍ଷ ପରେ ୨୦୧୯ ଜୁଲାଇ ୨୨ ଅପରାହ୍ନ ୪ଟା ୪୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରୟାନ-୨ ଲଞ୍ଚ କରାଯାଇଥିଲା। ୯୭୮ କୋଟି ଟଙ୍କା ଖର୍ଚ୍ଚରେ କରାଯାଇଥିବା ଭାରତର ଦ୍ୱିତୀୟ ‘ଚନ୍ଦ୍ର ମିଶନ’ର ସଫଳତା ଉପରେ ବିଶ୍ୱବାସୀଙ୍କ ନଜର ରହିଥିଲା। ସେହିବର୍ଷ ସେପ୍ଟେମ୍ବର ୬ ମଧ୍ୟରାତ୍ରିରେ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାକୁ ଯାଉଥିବାବେଳେ ଇସ୍ରୋ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ ବିକ୍ରମର ସୂକ୍ଷ୍ମ ଚନ୍ଦ୍ରାବତରଣ (ସଫ୍ଟ ମୁନ୍‌ ଲ୍ୟାଣ୍ଡିଂ) ବିଫଳ ହୋଇଥିଲା। ଦ୍ୱିତୀୟ ମିଶନ ବିଫଳତାର ପ୍ରାୟ ୪ ବର୍ଷ ପରେ ତୃତୀୟ ବିଧିବଦ୍ଧ ପଦକ୍ଷେପ ସ୍ବରୂପ ଦେଶ ଚନ୍ଦ୍ରୟାନ-୩ ଆରମ୍ଭ କରିଛି। ୨୦୨୩ ଜୁଲାଇ ୧୪ (ଶୁକ୍ରବାର) ଅପରାହ୍ନ ୨ଟା ୩୫ରେ ସତୀଶ ଧଓ୍ବନ ସ୍ପେସ୍‌ ସେଣ୍ଟରରୁ ଏସ୍‌ଭିଏମ୍‌-୩ ରକେଟ୍‌ ଜରିଆରେ ଉତ୍‌କ୍ଷେପଣ କରାଯିବ। ଏହି ମିଶନ କେବଳ ଚନ୍ଦ୍ର ନୁହେଁ, ଅନ୍ୟ ଗ୍ରହଗୁଡ଼ିକରେ ମଧ୍ୟ ଜୀବସତ୍ତା ସନ୍ଧାନରେ ସହାୟକ ହେବା ଆଶା କରାଯାଉଛି।

ଓଡ଼ିଶାର ଅବଦାନ
ଚନ୍ଦ୍ରୟାନ-୩ର ଲାଣ୍ଡର, ରୋଭର ଏବଂ ସ୍ପେସ୍‌କ୍ରାଫ୍‌ଟରେ ବ୍ୟବହୃତ ୨୩ ପ୍ରକାର ସରଞ୍ଜାମ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍‌ ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି)ରେ ୧୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ମିଶନରେ ବ୍ୟବହାର ହୋଇଥିବା ଇଣ୍ଟରନାଲ ନେଭିଗେଶନ୍‌ ସିଷ୍ଟମ, ଟେମ୍ପରେଚର ସେନ୍ସର, ପ୍ରିଜର୍ଭ ଓ୍ବାଲ ଭଳି ୭୫,୦୦୦ ଉପକରଣ ମଧ୍ୟ ସିଟିଟିସିରେ ନିର୍ମାଣ କରାଯାଇଥିବା ଏହାର ଜେନେରାଲ ମ୍ୟାନେଜର ଏଲ୍‌. ରାଜଶେଖର କହିଛନ୍ତି। ଇସ୍ରୋ ସହିତ ମିଳିତ ଭାବେ ପାଖାପାଖି ୨ ବର୍ଷ ହେବ ସିଟିଟିସିର ୧୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାମ କରୁଛନ୍ତି।

ଏଲ୍‌ଭିଏମ୍‌-୩
ଚନ୍ଦ୍ରୟାନ-୩ ଉତ୍‌କ୍ଷେପଣର ମାଧ୍ୟମ ହେବାକୁଥିବା ଏଲ୍‌ଭିଏମ୍‌-୩ (ଦି ଲଞ୍ଚ ଭେହିକଲ ମାର୍କ-୩)ର ଲମ୍ବ ୪୩.୫ ମିଟର। ଏହି ରକେଟ୍‌କୁ ‘ଫ୍ୟାଟ୍‌ ବୟ’ କୁହାଯାଏ। ଏଲ୍‌ଭିଏମ୍‌-୩ ରକେଟ୍‌ ପ୍ରପଲଶନ, ଲ୍ୟାଣ୍ଡର ଏବଂ ରୋଭର ମୋଡ୍ୟୁଲ୍‌କୁ ନେଇ ଗଠିତ। ସଲିଡ୍‌ ଇନ୍ଧନ ଜରିଆରେ ରକେଟ୍‌ ପ୍ରଥମ ଉଡାଣ ଭରିବ। ଏହା ଶେଷ ହୋଇଗଲେ ଲିକ୍ୟୁଡ୍‌ ଫୁଏଲ୍‌ ଜରିଆରେ ଏଲ୍‌ଭିଏମ୍‌ ଆଉ କିଛି ଦୂର ଯିବ। ଶେଷ ପର୍ଯ୍ୟାୟରେ କ୍ରିଓଜେନିକ୍‌ ଇଞ୍ଜିନ୍‌ ତରଳ ହାଇଡ୍ରୋଜେନ୍‌ ଓ ଅକ୍ସିଜେନ ଦ୍ୱାରା ରକେଟ୍‌ ଚନ୍ଦ୍ରୟାନ-୩କୁ ଚନ୍ଦ୍ର ପୃଷ୍ଠରେ ପହଞ୍ଚାଇବ। ଉତ୍‌କ୍ଷେପଣର ପ୍ରଥମ ୧୬ ମିନିଟ୍‌ରେ ରକେଟ୍‌ ୧୭୯ କି.ମି. ଉଚ୍ଚତାକୁ ଉଠିବ। ୫ରୁ୬ ଥର ପାଖାପାଖି ୧୭୦ କି.ମି. ପର୍ଯ୍ୟନ୍ତ ପୃଥିବୀ ଚାରିପଟେ ଘୂରିବା ପରେ ୩୬,୫୦୦ କି.ମି. ବେଗରେ ଚନ୍ଦ୍ର କକ୍ଷପଥ ଅଭିମୁଖେ ଏଲ୍‌ଭିଏମ୍‌-୩ ଅଗ୍ରସର ହେବ। ଲିଫ୍ଟ ରକେଟ୍‌କୁ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ପକ୍ଷରୁ ନିର୍ମାଣ କରାଯାଇଛି। ଏହି ରକେଟର ମୂଳ ଉଦ୍ଦେଶ୍ୟ ଜିଓଷ୍ଟେଶନାରି ଅର୍ବିଟ୍‌ରେ ଯୋଗାଯୋଗ ସାଟେଲାଇଟ୍‌ଗୁଡ଼ିକୁ ଲଞ୍ଚ କରିବା। ଭବିଷ୍ୟତରେ ଏଲ୍‌ଭିଏମ୍‌-୩ ରକେଟ୍‌ ଲୋକଙ୍କୁ ନେଇ ଉଡ଼ାଣ ଭରିବାର ଯୋଜନା ରହିଛି। ୨୦୧୪ ଡିସେମ୍ବର ୧୮ରେ ଏଲ୍‌ଭିଏମ୍‌ର ସଫଳ ପରୀକ୍ଷଣ କରାଯାଇଥିଲା। ଏହାର ନିର୍ମାଣରେ ମୋଟ ୨,୯୬୨.୭୮ କୋଟି ଟଙ୍କା ବ୍ୟୟ କରାଯାଇଥିଲା।

ମିଶନର ବିଶେଷତ୍ୱ

ଚନ୍ଦ୍ରୟାନ-୩ର ଉତ୍‌କ୍ଷେପଣ ଲାଗି ଇସ୍ରୋ ବୈଜ୍ଞାନିକଙ୍କ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇସାରିଛି। ଅଭିଯାନର ସଫଳତା ପାଇଁ ଚନ୍ଦ୍ରୟାନ-୩ର ରିସର୍ଚ୍ଚ ଟିମ୍‌, ନ୍ୟାଶନାଲ ଆଟ୍‌ମୋସ୍ପିଅରିକ୍‌ ରିସର୍ଚ୍ଚ ଲାବୋରେଟରି (ଏନ୍‌ଏଆର୍‌ଏଲ୍‌) ନିର୍ଦ୍ଦେଶକ ଅମିତ କୁମାର ପାତ୍ର, ଚନ୍ଦ୍ରୟାନ-୩ର ପ୍ରୋଜେକ୍ଟ ଡିରେକ୍ଟର ଭୀରମୁଥୁ ଭେଲ୍‌ ଏବଂ ଇସ୍ରୋର ସାଇଣ୍ଟିଫିକ୍‌ ସେକ୍ରେଟାରି ଆନ୍ଧ୍ରପ୍ରଦେଶର ତିରୁପତି ଭେଙ୍କଟଚାଲାପଥି ମନ୍ଦିର ଦର୍ଶନ କରିଛନ୍ତି। ଚନ୍ଦ୍ରପୃଷ୍ଠର ସୂର୍ଯ୍ୟଉଦୟ ସମୟକୁ ଲକ୍ଷ୍ୟ କରି ଚନ୍ଦ୍ରୟାନ-୩ର ଉତ୍‌କ୍ଷେପଣ ସମୟ ନିର୍ଦ୍ଧାରଣ କରାଯାଇଛି। ୬୧୫ କୋଟି ଟଙ୍କାରେ ନିର୍ମିତ ମୁନ୍‌ ମିଶନ ଚନ୍ଦ୍ରୟାନ-୩ ଲଞ୍ଚ ସଫଳ ହେଲେ ଏୟାରକ୍ରାଫ୍ଟ ଅଗଷ୍ଟ ୨୩ରେ ଚନ୍ଦ୍ରରେ ଅବତରଣ କରିବ ବୋଲି ଇସ୍ରୋ ନିର୍ଦ୍ଦେଶକ ଏସ୍‌. ସୋମନାଥ କହିଛନ୍ତି। ତେବେ ୩.୮୪ ଲକ୍ଷ କି.ମି. ଦୂର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ପାଇଁ ବୈଜ୍ଞାନିକଙ୍କ ଆଶା ରହିଛି। କାରଣ ଉତ୍ତର ମେରୁ ଅପେକ୍ଷା ଦକ୍ଷିଣ ମେରୁରେ ଅପେକ୍ଷାକୃତ ଅଧିକ ସ୍ଥାନ ରହିଛି। ଉକ୍ତ ସ୍ଥାନରେ ତାପମାତ୍ରା କମ୍‌ ରହିବା ସହ ସୂର୍ଯ୍ୟଙ୍କ ତେରଛା କିରଣ ପଡ଼େ। ଦକ୍ଷିଣ ମେରୁର ପରିବେଶ ଚନ୍ଦ୍ରୟାନ-୩ ପାଇଁ ଅନୁକୂଳ ବୋଲି କୁହାଯାଉଛି। ଉତ୍‌କ୍ଷେପଣବେଳେ ଏହାକୁ ସାଧାରଣ ଲୋକେ ଦେଖିପାରିବାର ସୁବିଧା ରହିଛି। ଇସ୍ରୋ ହେଡ୍‌ କ୍ୱାର୍ଟର୍ସ ଗ୍ୟାଲେରିରେ ସାଧାରଣ ଲୋକଙ୍କୁ ପ୍ରବେଶ ଅନୁମତି ଦିଆଯାଇଥିବାବେଳେ ଇସ୍ରୋ ଓ୍ବେବ୍‌ ସାଇଟ୍‌ ଏବଂ ୟୁଟ୍ୟୁବ୍‌ ଜରିଆରେ ଘରେ ବସି ଉତ୍‌କ୍ଷେପଣ ବେଳର ଦୃଶ୍ୟ ଦେଖିପାରିବେ। ସତୀଶ ଧଓ୍ବନ ସ୍ପେସ୍‌ ସେଣ୍ଟରରେ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଚନ୍ଦ୍ରୟାନ-୩ ଉତ୍‌କ୍ଷେପଣ ଦେଖାଇବା ଲାଗି ଲଦାଖ ସାଇନ୍ସ ଫାଉଣ୍ଡେଶନ୍‌ (ଏଲ୍‌ଏସ୍‌ଏଫ୍‌) ବେଙ୍ଗାଲୁରୁର ୧୩୦ ଜଣ ଲୋକଙ୍କୁ ନେବାର ବ୍ୟବସ୍ଥା କରିଛି। ଏମାନଙ୍କୁ ସଂସ୍ଥା ପକ୍ଷରୁ ସ୍ବତନ୍ତ୍ର ପରିଚୟପତ୍ର ପ୍ରଦାନ କରାଯାଇଛି। ପାଖାପାଖି ୫୦୦ ଜଣ ଏ ନେଇ ଆବେଦନ କରିଥିବାବେଳେ ୨୦୦ ଜଣଙ୍କୁ ଚୟନ କରାଯାଇଥିବା ଏଲ୍‌ଏସ୍‌ଏଫ୍‌ ପ୍ରତିଷ୍ଠାତା ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?