ଚନ୍ଦା ଦେଶେ ଗଲି ପାନିଆ ବିକି

ବିକଟି ଆମ ଲୋକକଥାରେ ବହୁଳ ଭାବେ ପ୍ରସାରିତ ‘ଅନ୍ଧ ଦେଶେ ଗଲି ଦର୍ପଣ ବିକି’ ପରି ଆଉ ଏକ କଟାକ୍ଷ, ଯାହା ସାମ୍ପ୍ରତିକ ଜନଜୀବନରେ ଉପଭୋକ୍ତାଙ୍କ ରୁଚିକୁ ବହୁ ଭାବେ ପ୍ରଭାବିତ କରୁଥିବା ବିବିଧବର୍ଣ୍ଣା ବିଜ୍ଞାପନ ବିରୋଧରେ ଅଭିପ୍ରେତ। ଆଧୁନିକରୁ ଅତ୍ୟାଧୁନିକ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ମଣିଷ ପାଇଁ ବିଜ୍ଞାପନ ଏବେ ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମରେ ପରିଣତ ହୋଇଯାଇଛି। ବିଜ୍ଞାପନ ଏମିତି ଏକ ମାଧ୍ୟମ, ଯାହା ବଳରେ ତୁନ୍ଦ୍ରା ଅଞ୍ଚଳର ଅଧିବାସୀ ଏସ୍କିମୋ ଜଣକୁ ମଧ୍ୟ ଫ୍ରିଜ୍‌ଟାଏ କିଣିନେବାକୁ ବିବଶ କରିହେବ। ପୁଣି ବିଜ୍ଞାପନ ଏମିତି ଏକ ସାଧନ, ଯାହା ମାଧ୍ୟମରେ ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଦର୍ପଣ ବା ମୁଣ୍ଡରେ ଗୋଟିଏ ବୋଲି କେଶ ନ ଥିବା ଚନ୍ଦା ଲୋକଟିକୁ ମଧ୍ୟ ପାନିଆଟିଏ ବିକି ଦେଇହେବ। ସମ୍ବାଦପତ୍ର, ଟିଭି ବା ରେଡିଓ ଭଳି ଗଣମାଧ୍ୟମଠାରୁ ଆରମ୍ଭ କରି ଫେସ୍‌ବୁକ୍‌, ହ୍ବାଟସ୍‌ଆପ୍‌ ବା ଇନ୍‌ଷ୍ଟାଗ୍ରାମ୍‌ ଭଳି ସାମାଜିକ ଗଣମାଧ୍ୟମ ଜରିଆରେ ସୁଷମ ଭାବେ ଲାଳିତ ହେଉଥିବା ଏହି ବିଜ୍ଞାପନ ବିପଣିର ପରିସର ଏତେ ବିସ୍ତାରିତ ଯେ ବିଜ୍ଞାପନ ବିରୋଧରେ ଯେତେ ଚିତ୍କାର କଲେ ବି ତାହା ପବନରେ ମିଳେଇଯିବ ସିନା, ବିଜ୍ଞାପନ ଭେଳିକିରୁ ଗ୍ରାହକର ରୁଚିକୁ କେବେ ବି ମୁକ୍ତ କରିପାରିବ ନାହିଁ।
ଗତ ଦୁଇବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ସମଗ୍ର ବିଶ୍ୱକୁ ସଂତ୍ରସ୍ତ କରି ରଖିଥିବା କରୋନା ମହାମାରୀର ପ୍ରଭାବ ମଣିଷର ଜୀବନ ଓ ଜୀବିକାକୁ କେତେ ମାତ୍ରାରେ ଦୋହଲାଇ ଦେଇଛି, ତାହା ତ ଆମ ଆଖିଦେଖା କଥା। ଅକାଳରେ ଅପସରି ଯାଇଛି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ। ବଦଳିଯାଇଛି ବଞ୍ଚତ୍ ଯାଇଥିବା ଅବଶିଷ୍ଟ ଲୋକଙ୍କ ଜୀବନର ପରିଭାଷା। କେବଳ ଚାରିଦଉଡ଼ିକଟା ଅମାନିଆଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଅଧିକ ଜୀବନମନସ୍କ ଓ ସ୍ବାସ୍ଥ୍ୟ ସଚେତନ ହୋଇଯାଇଛନ୍ତି। କାଳେ କେତେବେଳେ କରୋନା ସେମାନଙ୍କ ଆଡ଼କୁ ମାଡ଼ି ଆସିବ, ଏ ନେଇ ସଭିଏ ଏକ ବାଧ୍ୟ ସତର୍କତାରେ ଆକ୍ରାନ୍ତ। ଏମନ୍ତ ସମୟରେ ଲୋକଙ୍କ କରୋନା ଭୟ ଓ ତାକୁ ନେଇ ଗଢ଼ି ଉଠୁଥିବା ସତର୍କତାକୁ ପୁଞ୍ଜି କରି ବେପାର କରିବାକୁ ଆଗେଇ ଆସିଛନ୍ତି କିଛି ଲାଭଖୋର ବେପାରୀ। ସେମାନଙ୍କ ଉତ୍ପାଦିତ ବସ୍ତୁଗୁଡ଼ିକ ପ୍ରତି ଉପଭୋକ୍ତାମାନଙ୍କୁ ଆକର୍ଷିତ କରିବା ପାଇଁ ବିଜ୍ଞାପନରେ ଯୋଡ଼ି ହୋଇଯାଇଛି ଏକ ବିଶେଷ ଉପାଦାନ- ଇମ୍ୟୁନିଟିବର୍ଦ୍ଧକ। ଅଟା, ଚାଉଳ, ଡାଲି, ମସଲା ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀଠୁ ଆରମ୍ଭ କରି ଦାନ୍ତଘଷା ପେଷ୍ଟ ଓ ହାତଧୁଆ ସାବୁନଯାଏ ସବୁ ବିଜ୍ଞାପିତ ବସ୍ତୁମାନଙ୍କରେ ଭରି ରହିଛି ‘ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି’। କରୋନା ସଙ୍କଟରେ ଆତଙ୍କିତ ଖାଉଟିମାନଙ୍କୁ ଜୀବନର ମୋହ ଓ ମୃତ୍ୟୁର ଭୟ ଦେଖାଇ ନିଜ ସାମଗ୍ରୀ ପ୍ରତି ଆକର୍ଷିତ କରିିବାର କି ବିଚିତ୍ର ବେପାରୀ ବୁଦ୍ଧି!
ବେପାର ପାଇଁ ବିଜ୍ଞାପନର ଆବଶ୍ୟକତା ଏତେ ଅଧିକ ଯେ, ପ୍ରଥମେ ଯୋଗଗୁରୁ ଭାବେ ପ୍ରସିଦ୍ଧି ହାସଲ କରି ପରେ ବିଶାଳ ବେପାର ସାମ୍ରାଜ୍ୟର ଅଧିପତି ହୋଇଥିବା ଜଣେ ବାବାଜି ନିଜେ ବିଜ୍ଞାପନରେ ଆବିର୍ଭୂତ ହୋଇ ନିଜ ଉତ୍ପାଦିତ ଘିଅ ମହୁ ସହ ବିଭିନ୍ନ କିସମର ଖାଇବା ତେଲ, ଏପରି କି ଦାନ୍ତଘଷା ପେଷ୍ଟ ଭିତରେ ବି ଇମ୍ୟୁନିଟିବର୍ଦ୍ଧକ ଉପାଦାନ ଅଛି ବୋଲି ଦାବି କରନ୍ତି। ହଁ, ନ କରିବେ ବା କାହିଁକି! ଯେତେବେଳେ ଫିଲ୍ମଷ୍ଟାର ଓ କ୍ରିକେଟରମାନେ ବିଭିନ୍ନ ଦ୍ରବ୍ୟର ବିଜ୍ଞାପନରେ ଉଭା ହୋଇ ଗ୍ରାହକମାନଙ୍କ ରୁଚିକୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖନ୍ତି, ସେତେବେଳେ ଉପଭୋକ୍ତାଙ୍କ ଚେତନାରେ ସ୍ବଦେଶୀ ଭାବନା ଜାଗ୍ରତ କରି ସମ୍ପୂର୍ଣ୍ଣ ଦେଶୀୟ ଉପାଦାନରେ ପ୍ରସ୍ତୁତ ନିଜ ଉତ୍ପାଦନ ପ୍ରତି ଗ୍ରାହକଙ୍କୁ ଆକର୍ଷିତ କରିବାରେ ଜଣେ ସନ୍ନ୍ୟାସୀ ବା କାହିଁକି ପଛରେ ପଡ଼ନ୍ତେ? ସୁତରାଂ ବ୍ୟବସାୟିକ ଲକ୍ଷ୍ୟ ନେଇ ଯିଏ ଯା’ ବାଟରେ ଆଗେଇ ଚାଲନ୍ତି।
ବିଜ୍ଞାପନ ବିପଣିରେ ବହୁ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳେ। ଇନ୍ଦ୍ରଜାଲର ଭେଳିକି ଭଳି ମାୟାଦର୍ପଣରେ ପ୍ରଦର୍ଶିତ କିଛି ବିଜ୍ଞାପନର ମାୟା ସହ ପ୍ରକୃତ ବାସ୍ତବତାର ସାମାନ୍ୟ ସମ୍ପର୍କ ନ ଥାଏ। ଅଥଚ ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ମାୟାଦର୍ପଣର ମାୟାଜାଲରେ ଛନ୍ଦି ହୋଇ ଅତ୍ୟନ୍ତ ମୁଗ୍ଧ ଚିତ୍ତରେ ଅବାସ୍ତବକୁ ବାସ୍ତବ ବୋଲି ଗ୍ରହଣ କରିନିଅନ୍ତି ଗ୍ରାହକ। କେଉଁଠି ନିଜ ତ୍ୱଚାର ଶ୍ୟାମଳ ରଙ୍ଗ ପାଇଁ ବାହା ହୋଇପାରୁ ନ ଥିବା ଝିଅ ବିଜ୍ଞାପିତ କ୍ରିମ୍‌ ଲଗାଇ ଐଶ୍ୱର୍ଯ୍ୟା ରାୟଙ୍କ ପରି ସୁନ୍ଦରୀ ହେବାର ଆଶା ରଖନ୍ତି ତ ପୁଣି ଅନ୍ୟ କେଉଁଠି ବିଦ୍ୟା ବଲାନ୍‌ଙ୍କ କେଶ ପରି କେଶର ଅଧିକାରିଣୀ ହେବାକୁ ମନ ବଳାନ୍ତି। କେଉଁଠି ପୋଷକ ଗୁଣ୍ଡ ଖାଇ ନିଜ ଶରୀରରେ ଥିବା କ୍ୟାଲସିୟମ ଅଭାବକୁ ପୂରଣ କରନ୍ତି ବା ମା’ଙ୍କ ସହିତ ଦୌଡ଼ ପ୍ରତିଯୋଗିତାରେ ଶିଶୁଟିଏ ମାଆଙ୍କୁ ଟପି ଆଗକୁ ଚାଲିଯାଆନ୍ତି। ପୁଣି କେଉଁଠି କେଉଁ ସାବୁନରେ ହାତ ଧୋଇଲେ କେବେ ବି ପେଟରୋଗ ହେବ ନାହିଁ ବୋଲି ମନେକରନ୍ତି ତ ଅନ୍ୟ କେଉଁଠି କେଉଁ ପ୍ରକାଶନର ଟେଷ୍ଟପେପର ପଢ଼ିଲେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍‌ କରିବାର ଆଶା ରଖନ୍ତି!
ଏମିତି ବହୁ ବିପଣିର ବହୁବିଧ ବିଜ୍ଞାପନ। ପ୍ରତ୍ୟେକ ବିଜ୍ଞାପନରେ ନିର୍ଭରଶୀଳତାର ପ୍ରତ୍ୟୟ ଓ ପ୍ରତିଶ୍ରୁତି। ଯଦି ବି ପୂର୍ବରୁ କୌଣସି ଉତ୍ପାଦନ କେବେ କାହାକୁ ପ୍ରତାରିତ କରିଥାଏ, ତେବେ ନୂଆ ବିଜ୍ଞାପନରେ ଉତ୍ପାଦିତ ବସ୍ତୁଟି ପୂର୍ବରୁ ‘ନୂତନ’ ବା ‘ଉନ୍ନତ’ ଭଳି ଶବ୍ଦଟିଏ ଯୋଡ଼ିଦେଲେ ସବୁ କାଳିମା ଅଚିରେ ଧୋଇ ହୋଇଯାଏ। ବିଜ୍ଞାପନରେ ସ୍ପଷ୍ଟ ଭାବେ ଜଣାଇ ଦିଆଯାଏ ଯେ, ବସ୍ତୁଟିର ମାନ ଗୁଣ ପୂର୍ବରୁ ଯାହା ଥିଲା, ଏବେ ଆଉ ତାହା ନାହିଁ। ଗବେଷଣାଗାରରେ ବହୁ ପରୀକ୍ଷାନିରୀକ୍ଷା କରାଯାଇ ବସ୍ତୁଟିର ଗୁଣବତ୍ତାରେ ଉନ୍ନତି ଅଣାଯାଇଛି। ଏମିତି ଉନ୍ନତମାନର ବସ୍ତୁ ଅତୀତରେ କେବେ ନ ଥିଲା। ଥରେ ଆପଣେଇ ନିଅନ୍ତୁ ଓ ନିଜେ ପରୀକ୍ଷା କରି ଦେଖନ୍ତୁ। ଗ୍ରାହକଙ୍କ ଚେତନାରେ ଚମକ ସୃଷ୍ଟି କଲା ଭଳି ଏମିତି କେତେ କେତେ କଥା। କେବଳ ଏତିକି ନୁହେଁ, ଗ୍ରାହକ ଈଶ୍ୱରଙ୍କୁ ଧରି ରଖିବା ପାଇଁ ଉତ୍ପାଦନକାରୀ କମ୍ପାନୀମାନଙ୍କ ଦ୍ୱାରା ଘୋଷଣା କରାଯାଏ ବହୁ ଲୋଭନୀୟ ଭେଟି, ଯାହାର ବ୍ୟବସାୟିକ ନାମ ହେଉଛି ‘ଅଫର’। କେଉଁଠି ଦୁଇଶହ ଗ୍ରାମ୍‌ ଟୁଥପେଷ୍ଟ ସାଙ୍ଗକୁ ଗୋଟିଏ ଟୁଥ୍‌ବ୍ରଶ୍‌ ଫ୍ରି ତ ଅନ୍ୟ କେଉଁଠି ଚାରିଶହ ଗ୍ରାମ ବିସ୍କୁଟ୍‌ ସହିତ ପଚାଶ ଗ୍ରାମ ବିସ୍କୁଟ୍‌ ଫ୍ରି। ପୁଣି କେଉଁଠି ପାଞ୍ଚ କିଲୋ ଅଟା ସହ ସେହି କମ୍ପାନୀର କେଜିଏ ଲୁଣ ମାଗଣା ତ ଅନ୍ୟ କେଉଁଠି ଅଶୀଟଙ୍କାର ଫେସ୍‌ କ୍ରିମ୍‌ ସହ ବିନାମୂଲ୍ୟରେ ଦଶଟଙ୍କିଆ ସାବୁନଟାଏ।
ବିଜ୍ଞାପିତ ପ୍ରତ୍ୟେକଟି ଉତ୍ପାଦନ ସବୁବେଳେ ଅପୂର୍ବ, ଅନନ୍ୟ, ସର୍ବୋତ୍ତମ। ପୁଣି ବିଜ୍ଞାପିତ ବସ୍ତୁଟିର ମାନ ସେହି ଜାତୀୟ ଅବିଜ୍ଞାପିତ ବସ୍ତୁର ମାନଠାରୁ ଢେର ଉତ୍କୃଷ୍ଟତର। ଏଭଳି କିଛି ଧାରଣାକୁ ନେଇ ଗ୍ରାହକୀୟ ମାନସିକତା ଯେଉଁଠି ପରିପୁଷ୍ଟ, ସେଇଠି କୋଟି କୋଟି ଗ୍ରାହକଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ବିଜ୍ଞାପନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ କାହିଁକି ବା କୁଣ୍ଠିତ ହୁଅନ୍ତେ ଉତ୍ପାଦନକାରୀ କମ୍ପାନୀମାନେ! ସୁତରାଂ, ସାମଗ୍ରୀର ଉତ୍ପାଦନ ମୂଲ୍ୟଠାରୁ ବଳିପଡ଼େ ଉତ୍ପାଦିତ ସାମଗ୍ରୀର ବିଜ୍ଞାପନ ମୂଲ୍ୟ। କେଇ ହଜାର ଖର୍ଚ୍ଚ କଲେ ବିଜ୍ଞାପନ କାହାଣୀ ଲେଖୁଥିବା ଲେଖକର ଲେଖନୀରୁ ଝରିପଡ଼େ ଜନମନ ରୋଚକ ଶକ୍ତିଶାଳୀ ସ୍କ୍ରିପ୍ଟ। ପୁଣି କେଇ ଲକ୍ଷ ବିନିମୟରେ ଉପଲବ୍ଧ ହୁଅନ୍ତି ବିଜ୍ଞାପନରେ ଅଭିନୟ କରୁଥିବା ନାତିଖ୍ୟାତ କଳାକାରମାନେ। ବିଖ୍ୟାତ ଅଭିନେତାମାନେ ତ ଏଥିରେ ମୁହଁ ଦେଖାଇବା ପାଇଁ ନିଅନ୍ତି କୋଟି କୋଟି ଟଙ୍କା। ବାସ୍‌, ପ୍ରସ୍ତୁତ ହୁଏ ଏକ ଦମ୍‌ଦାର ବିଜ୍ଞାପନ ଫିଲ୍ମ ଓ ପୁଣି କିଛି ଅର୍ଥ ବିନିମୟରେ ପ୍ରଦର୍ଶିତ ହୁଏ ବିଭିନ୍ନ ଟିଭି ଚ୍ୟାନେଲରେ।
ସ୍କ୍ରିପ୍ଟ ଲେଖକ ତାଙ୍କର ମୂଲ୍ୟ ନେଇଯା’ନ୍ତି। ନିଜ ଶ୍ରୀମୁଖରେ ଉତ୍ପାଦିତ ବସ୍ତୁଟିର ଜୟଗାନ କରି କଳାକାର ବିପୁଳ ଅର୍ଥ ଅର୍ଜନ କରିଥା’ନ୍ତି। ଉତ୍ପାଦନକାରୀ ଖାଉଟି ବଜାରରୁ ଫେରିପାଆନ୍ତି ସେ ଖଟାଇଥିବା ଅର୍ଥ, ସୁଧମୂଳ ସହ। ଟିଭି ଚ୍ୟାନେଲର କର୍ତ୍ତୃପକ୍ଷ ବେଶ୍‌ ଆୟ କରନ୍ତି ବିଜ୍ଞାପନ ପ୍ରସାରଣ କରି। ଅର୍ଥର ଏକକରେ ସବୁ କିଛି ଉପଲବ୍ଧ ହୁଏ ସମସ୍ତଙ୍କୁ କେବଳ ଜଣଙ୍କୁ ଛାଡ଼ି, ଯିଏ କେବଳ ରହିଥାଏ ହରାଇବା ପାଇଁ। ସେ ଜଣକ ହେଉଛନ୍ତି ହତଭାଗ୍ୟ ଗ୍ରାହକ ବା ଉପଭୋକ୍ତା, ଯାହାଙ୍କ ହାରିବାକୁ ମୂଳଧନ କରି ଲାଭ କରିଚାଲିଥାନ୍ତି ଅନ୍ୟମାନେ। ସୁନ୍ଦରୀ ଅଭିନେତ୍ରୀମାନେ ନିଜର ଚେହେରା ଦେଖାଇବା ପାଇଁ କୋଟି କୋଟି ଟଙ୍କା ନେଉ ନ ଥିଲେ ଗୋଟିଏ ସୁଗନ୍ଧିତ ତେଲ, ଫେସ୍‌କ୍ରିମ୍‌ ବା ସେମିତି କିଛି ପ୍ରସାଧନ ସାମଗ୍ରୀର ମୂଲ୍ୟ ଅଧାରୁ କମ୍‌ ପଡୁଥାଆନ୍ତା। ହ୍ରିତିକ୍‌ ରୋଶନ ବା ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ କେଇ କୋଟି ଟଙ୍କା ଖର୍ଚ୍ଚ ହେଉ ନ ଥିଲେ ସେମାନେ ପ୍ରଚାର କରୁଥିବା ଶୀତଳ ପାନୀୟ ବା କାନ୍ଥରଙ୍ଗର ମୂଲ୍ୟ ଯଥେଷ୍ଟ କମ୍‌ ହୋଇଥାଆନ୍ତା। ଗ୍ରାହକ ଏ କଥା ଜାଣେ। ଏକଥା ବି ଜାଣେ ଯେ, ତାକୁ କେବଳ ଜଣାଇବା ପାଇଁ, ତା’ ପସନ୍ଦକୁ ପ୍ରଭାବିତ କରିବା ପାଇଁ ବା ଅନ୍ୟ ଅର୍ଥରେ ତାକୁ ଶୋଷଣ କରିବା ପାଇଁ ବିଜ୍ଞାପନ ବାବଦରେ ବିପୁଳ ଖର୍ଚ୍ଚ କରାଯାଉଛି। ଅଥଚ ସେ କିଛି ପ୍ରତିବାଦ କରିପାରେନା। ତା’ ନିଜ ରୁଚି ପାଇଁ ତା’ର ସ୍ବାଧୀନତା ନ ଥାଏ। କଣ୍ଟାଡାଳ ଚୋବାଇବା ଓଟ ପରି ତା’ର ଅବସ୍ଥା।
କଣ୍ଟାଗଛ ଖାଉଥିବା ଓଟଟିର ଜିଭ ଓ ମୁଖଗହ୍ବର ଲହୁଲୁହାଣ ହୁଏ। ବୁନ୍ଦା ବୁନ୍ଦା ତାଜା ରକ୍ତ ଝରି ପଡୁଥାଏ ଓଟର ପାଟିରୁ। ମାତ୍ର ସେଥିକୁ ଖାତିର ନ କରି ପରମ ତୃପ୍ତିରେ କଣ୍ଟା ଚୋବାଇ ଚାଲିଥାଏ ନିର୍ବୋଧ ଓଟ। ସେମିତି ଉପଭୋକ୍ତାର ଦଶା। ସେ ଟିଭି ପରଦା ଉପରେ ରସଭଙ୍ଗକାରୀ ବିଜ୍ଞାପନ ଦେଖେ, ବିରକ୍ତ ହୁଏ। ଅଥଚ ବିଜ୍ଞାପନର ମାୟାଜାଲ ଭିତରେ ଛନ୍ଦି ହୋଇ ସେହି ବାର୍ତ୍ତାକୁ ଦେବବାଣୀ ବୋଲି ବିଶ୍ୱାସ କରିଯାଏ ଏବଂ ପରଦିନ ବଜାରରୁ ବେଶି ପଇସା ଦେଇ ବିଜ୍ଞାପିତ ବସ୍ତୁଟିକୁ କିଣି ଘରକୁ ଆଣେ।
ବ୍ୟକ୍ତିର ବ୍ୟକ୍ତିତ୍ୱ ପରି ବସ୍ତୁର ଗୁଣବତ୍ତା ହିଁ ତାହାର ଅସଲ ପରିଚୟ। ଜଣେ ଶିକ୍ଷକ ବା ଡାକ୍ତର ତାଙ୍କ ପାରଦର୍ଶିତାକୁ ନେଇ କୌଣସି ବିଜ୍ଞାପନର ସାହାଯ୍ୟ ନିଅନ୍ତି ନାହିଁ। କେବଳ ଲୋକମୁଖରେ ହିଁ ତାଙ୍କ ପ୍ରଚାର ବିନା ଉଦ୍ୟମରେ ବି ପ୍ରସାରିତ ହୋଇଥାଏ। ଠିକ୍‌ ସେମିତି ବିନା ବିଜ୍ଞାପନରେ ବି ଉଚ୍ଚମାନର ବସ୍ତୁ କେବଳ ଲୋକମୁଖରେ ହିଁ ତାହାର ବଜାର ସୃଷ୍ଟି କରିପାରେ। ଅଥଚ ଆଧୁନିକ ବୋଲାଉଥିବା ଉପଭୋକ୍ତା ଏ କଥା ବୁଝେନାହିଁ। ବିଜ୍ଞାପନରେ ପ୍ରଭାବିତ ହୁଏ ତା’ର ରୁଚି। ବ୍ରାଣ୍ଡ୍‌ ନାମରେ ପରିଚିତ ହୁଏ ତା’ର ଖାଉଟିପଣର ନମୁନା। ପରିଣାମ ହୁଏ ଅତ୍ୟନ୍ତ ପ୍ରତ୍ୟାଶିତ। ତା’ ଅଜାଣତରେ ଯେ ତାକୁ ବହୁ ଲୋକ ଲୁଟିଚାଲନ୍ତି, ଏହା ସେ ବୁଝେନାହିଁ, ବୁଝିପାରେ ନାହିଁ।

  • ଅଧ୍ୟାପକ ନିରଞ୍ଜନ ପାଢ଼ୀପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର
    ଚକେଇସିହାଣି, ଭୁବନେଶ୍ୱର-୧୦
    ମୋ: ୮୮୯୫୬୨୪୧୦୫

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri