
ଲାଞ୍ଜିଗଡ,୧୩।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରୀ ଛାତ୍ର ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଚମତ୍କାର ସଫଳତା ହାସଲ କରିଛନ୍ତି I ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଲାଞ୍ଜିଗଡ଼ ସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀ ମାନଙ୍କର ରେକର୍ଡ ସୃଷ୍ଟିକାରୀ ସଫଳତା ପାରିପାଶର୍ବିକ ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ମଙ୍ଗଳବାର ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶିତ ହେବା ମାତ୍ରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ,ଅଧ୍ୟକ୍ଷ ଓ ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି । ବିଦ୍ୟାଳୟର ଶହେ ପ୍ରତିଶତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ କରିଛନ୍ତି।
ସିବିଏସଇର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟର ସମୁଦାୟ ୨୬ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଛାତ୍ରୀ ଅମରିନ ବାନୁ ୯୬.୨ ଶତକଡା (୪୮୧) ମାର୍କ ରଖି କ୍ଲାସ ଟପ୍ପର ହୋଇଥିବା ବେଳେ ପ୍ରଜ୍ଞା ପ୍ରଭା ଦୋରା ୮୮ ଶତକଡା (୪୪୦) ମାର୍କ ରଖି ଦ୍ୱିତୀୟ ସ୍ଥାନ ଓ ଛାତ୍ର ରାଜେଶ କୁମାର ନାୟକ ୮୬.୮ ଶତକଡା (୪୩୪) ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମଧ୍ୟ ସମସ୍ତ ୨୬ ଜଣ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିପରି ଦଶମ ଶ୍ରେଣୀର ୭୬ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ଛାତ୍ରୀ ପୂନ୍ୟମାହି ବିଡ଼ିକI ୯୭.୨ ଶତକଡା (୪୮୬) ମାର୍କ ରଖି ବିଦ୍ୟାଳୟରେ ଶ୍ରେଷ୍ଠ ସ୍ଥାନ ରଖିଥିବା ବେଳେ ଛାତ୍ର ତନ୍ମୟ କୁମାର ସାହୁ ୯୬.୬ ଶତକଡା (୪୮୩) ମାର୍କ ରଖି ଦ୍ୱିତୀୟ ସ୍ଥାନ ଓ ଛାତ୍ର ଆୟୁସ୍ମାନ ପଧାନ ୯୬.୪ ଶତକଡା (୪୮୨) ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି। ସେହିପରି ସମୁଦାୟ ୧୦୨ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୯୫ ଶତକଡା ଉପରେ ୭ ଜଣ ବିଦ୍ୟାର୍ଥୀ , ୯୦ ଶତକଡା ଉପରେ ୨୮ ଜଣ ବିଦ୍ୟାର୍ଥୀ ଓ ୮୦ ଶତକ ଉପରେ ୪୦ ଜଣ ବିଦ୍ୟାର୍ଥୀ ଓ ୮୦ ଶତକ ଉପରେ ୨୭ ଜଣ ବିଦ୍ୟାର୍ଥୀ ରହିଛନ୍ତି । ଏହି ଛାତ୍ର ଛାତ୍ରୀଙ୍କ କୃତିତ୍ୱରେ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତା ସମେତ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ସେମାନଙ୍କର ଉଜ୍ଜ୍ୱଳମୟ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।