ସିବିଆଇ ଚୋର

ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ)କୁ ଦେଶର ସବୁଠୁ ବୃହତ୍‌ ନିର୍ଭରଯୋଗ୍ୟ ଓ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଭାବେ ବିଚାର କରାଯାଇଥାଏ। ସେଥିପାଇଁ ଦେଶର କୌଣସି ପ୍ରାନ୍ତରେ କିଛି ଅସ୍ବାଭାବିକ ସ୍ଥିତି ଉପୁଜିଲେ ତାହାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦିଆଯାଉ ବୋଲି ଦାବି ହୁଏ। କେନ୍ଦ୍ରୀୟ ସଂସ୍ଥା ହୋଇଥିବାରୁ ସାଧାରଣ ଲୋକ ଭାବନ୍ତି ଯେ, ସିବିଆଇ କୌଣସି ଭାବେ ପକ୍ଷପାତିତା କରିବ ନାହିଁ। ସତ୍ୟ ଉନ୍ମୋଚନ କରିବାକୁ ହେଲେ ଏହି ସଂସ୍ଥା ଉପରେ ବିଶ୍ୱାସ କରାଯାଉଥିଲା। ହେଲେ ନିକଟ ଅତୀତକୁ ଦେଖିଲେ ସିବିଆଇର କାର୍ଯ୍ୟକଳାପ ଉପରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ପୂର୍ବରୁ ଏହାକୁ ଯେତେ ପରିମାଣରେ ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ କଂଗ୍ରେସ ସରକାର ବ୍ୟବହାର କରିପାରି ନ ଥିଲା, ଏବକାର ମୋଦି ସରକାର ସମୟରେ ଏହା ଏକ ରାଜନୈତିକ ଅସ୍ତ୍ରରେ ପରିଣତ ହେଲାଣି। ସେଥିପାଇଁ ଆନ୍ଧ୍ରପ୍ରଦେଶଠାରୁ ଆରମ୍ଭ କରି ଅନେକ ରାଜ୍ୟରେ ସିବିଆଇର ତଦନ୍ତ ବା ପ୍ରବେଶକୁ ଅଣଭାଜପା ରାଜ୍ୟ ସରକାରଗୁଡ଼ିକ ଅନୁମତି ଲୋଡ଼ାଯିବା ଦରକାର ବୋଲି ନିର୍ଦ୍ଦେଶ ଜାରି କଲେଣି। ଏହାର ଅର୍ଥ ହେଲା ଯେ, ଏହି କେନ୍ଦ୍ରୀୟ ତଦନ୍ତ ସଂସ୍ଥାର କାଟ୍‌ତି ହ୍ରାସ ପାଇବାକୁ ଆରମ୍ଭ କଲାଣି। ଏବେ ପିଠା ଉପରେ କାଜୁବାଦାମ ଭଳି ଅନ୍ୟ ଏକ ଘଟଣା ଲୋକଲୋଚନକୁ ଆସିଛି, ଯାହା ସିବିଆଇର ସତୀତ୍ୱ ଭାବମୂର୍ତ୍ତିକୁ ସମ୍ପୂର୍ଣ୍ଣ ଧୂଳିସାତ୍‌ କରିଦେଇଛି। ପୂର୍ବରୁ ରାଜ୍ୟ ପୋଲିସ ଉପରୁ ବିଶ୍ୱାସ ହରାଇଥିବା ଜନସାଧାରଣ ଅଧିକାଂଶ ସମୟରେ ସିବିଆଇ ତଦନ୍ତ ଦାବି କରିଥିଲେ। ଗତ ସପ୍ତାହରେ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏହି ପୁରୁଣା ଚିନ୍ତାଧାରାକୁ ବଦଳାଇବାକୁ ବାଧ୍ୟ କରିଛି।
କାହାଣୀଟି ବୁଝିବା ସହଜ। ଏଠି ସୁନାର ଲୋଭ କାଳ ହୋଇଛି। ଘଟଣାକ୍ରମ ଦେଖିଲେ ୨୦୧୨ରେ ଚେନ୍ନାଇରେ ଥିବା ସୁରାନା କର୍ପୋରେଶନରେ ସିବିଆଇ ଚଢ଼ାଉ କରି ୪୦୦ରୁ ଊର୍ଦ୍ଧ୍ୱ କିଲୋ ସୁନା ଇଟା ଓ ଅଳଙ୍କାର ଜବତ କରିଥିଲା। ସେସବୁକୁ ସୁନାଗଢ଼ା କମ୍ପାନୀ ସୁରାନାର ଷ୍ଟ୍ରଙ୍ଗରୁମ୍‌ରେ ସିବିଆଇ ତାଲା ଓ ସିଲ୍‌ ଲଗାଯାଇ ରଖାଯାଇଥିଲା। କିନ୍ତୁ ସେଥିରୁ ୧୦୩ କିଲୋରୁ ଊର୍ଦ୍ଧ୍ୱ ସୁନା ଉଭାନ୍‌ ହୋଇଯାଇଥିଲା। ଘଟଣାଟି ମାଡ୍ରାସ ହାଇକୋର୍ଟ ନଜରକୁ ସେତିକିବେଳେ ଆସିଲା, ଯେତେବେଳେ ସୁରାନା କମ୍ପାନୀ ଋଣ ପରିଶୋଧ ପାଇଁ ଏସ୍‌ବିଆଇ ସହ ଚୁକ୍ତି କଲା। ଏହା ପରେ ସିବିଆଇ ଦ୍ୱାରା ଜବତ ସୁନା ଦେଇ ସୁରାନା ଋଣମୁକ୍ତ ହେବା ପାଇଁ ହୋଇଥିବା ଚୁକ୍ତିକୁ କାର୍ଯ୍ୟକାରୀ କରିବାକୁ ବିଚାରାଳୟ ଅନୁମତି ଲୋଡ଼ାଗଲା। ସେହି ଅନୁମତି ହାସଲ ପରେ ଯେତେବେଳେ ସିବିଆଇ ଦ୍ୱାରା ଜବତ ହୋଇଥିବା ସୁନା କଢ଼ାଗଲା, ସେଥିରେ ଏକ ବିରାଟ ପାର୍ଥକ୍ୟ ଦୃଷ୍ଟିକୁ ଆସିଲା। ୧୦୩ କିଲୋରୁ ଊର୍ଦ୍ଧ୍ୱ ସୁନା ଉଭାନ୍‌ ହୋଇଯିବା ବିଷୟରେ ମାଡ୍ରାସ ହାଇକୋର୍ଟ ଜାଣିବା ପରେ ଏହି ଚୋରିର ତଦନ୍ତ ଦାୟିତ୍ୱ ତାମିଲନାଡୁର ସିବି-ସିଆଇଡିକୁ ନ୍ୟସ୍ତ କଲେ। ଏହି ନିର୍ଦ୍ଦେଶରେ ବ୍ୟସ୍ତ ହୋଇ ସିବିଆଇ ତରଫରୁ ନ୍ୟାୟାଳୟରେ କୁହାଗଲା ଯେ, ଏକ କେନ୍ଦ୍ରୀୟ ସଂସ୍ଥା ହୋଇଥିବାରୁ ଏହାର ସୁନାମ ଅତ୍ୟନ୍ତ ଉଚ୍ଚସ୍ତରରେ ଅଛି। ସେଥିପାଇଁ ସ୍ଥାନୀୟ ପୋଲିସ ଯଦି ତଦନ୍ତ କରେ, ତେବେ ତାହା ସିବିଆଇର ସମ୍ମାନହାନି କରାଇବ। ଏହି ଯୁକ୍ତିର ଉତ୍ତରରେ ହାଇକୋର୍ଟ କହିଲେ ଯେ, ସୁନା ଭଳି ପଦାର୍ଥକୁ ଗଞ୍ଜେଇ ସହିତ ତୁଳନା କରାଯାଇ ନ ପାରେ। ସମୟ ବିତିଗଲେ ଗଞ୍ଜେଇର ଶକ୍ତି ହ୍ରାସ ପାଇପାରେ, କିନ୍ତୁ ସୁନାର ଓଜନ ଏହି ବିରାଟକାୟ ପରିମାଣରେ ହ୍ରାସ ପାଇପାରିବ ନାହିଁ। ଯେହେତୁ ସିବିଆଇ ହେପାଜତରେ ଥିବା ସୁନାର ସନ୍ଦେହଜନକ ପରିମାଣ ହ୍ରାସ ପାଇଛି, ସେଥିପାଇଁ ତଦନ୍ତ ଏକ ଭିନ୍ନ ସଂସ୍ଥା ଦ୍ୱାରା କରାଯିବା ଉଚିତ ହେବ ବୋଲି ମାଡ୍ରାସ ହାଇକୋର୍ଟ ମତ ଦେଇଛନ୍ତି। ସେଥିରେ ସିବିଆଇର ସମ୍ମାନହାନିର ପ୍ରଶ୍ନ ଉଠୁନାହିଁ ବୋଲି ଏଭଳି ନିର୍ଦ୍ଦେଶରୁ ବୁଝାପଡୁଛି।
ଏହା ଜଣାଶୁଣା ଯେ କେନ୍ଦ୍ରର ସିବିଆଇ, ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଭଳି ସଂସ୍ଥାଠାରୁ ଆରମ୍ଭ କରି ରାଜ୍ୟଗୁଡ଼ିକରେ ଥିବା ଭିଜିଲାନ୍ସ, ଅବକାରୀ କିମ୍ବା ପୋଲିସ ଦ୍ୱାରା ଚଢ଼ାଉ କରାଯାଇ ଯେଉଁସବୁ ସାମଗ୍ରୀ, ଟଙ୍କା, କାଗଜପତ୍ର ଜବତ କରାଯାଏ; ତା’ର ପରିମାଣ ଜାଣିବା ଜନସାଧାରଣଙ୍କ ପାଇଁ ସମ୍ଭବପର ହୁଏ ନାହିଁ। ଗଣମାଧ୍ୟମରେ ଯାହା କିଛି ପ୍ରକାଶ ପାଏ, ତାହା କେବଳ ତଦନ୍ତକାରୀ କିମ୍ବା ଚଢ଼ାଉ କରିଥିବା ସଂସ୍ଥା ଯାହା ଘୋଷଣା କରେ ତାହା ହିଁ ଥାଏ। ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ସୁରାନା ସୁନା ଘଟଣାରେ କେତୋଟି କଥା ସ୍ପଷ୍ଟ ଜଣାପଡୁଛି। ସୁରାନା ଏକ ବିଧିବଦ୍ଧ କମ୍ପାନୀ ଓ ତା’ର କର୍ମକର୍ତ୍ତା ସ୍ପଷ୍ଟଭାବେ ହିସାବ ରଖିଥିଲେ ତାଙ୍କ ପାଖରେ କେତେ ସୁନା ଅଛି। ସେହି ପରିମାଣ କମିଯିବାରୁ ନାଟକ ଆରମ୍ଭ ହୋଇଛି। ଏଥିରୁ ବୁଝାପଡୁଛି ଯେ, ଡକାୟତ କିମ୍ବା ଚୋରମାନଙ୍କଠାରୁ ଧରାପଡ଼ିଥିବା ସୁନାଗହଣାଠାରୁ ଆରମ୍ଭ କରି ଗଞ୍ଜେଇ ପର୍ଯ୍ୟନ୍ତ ସବୁକିଛି ସମ୍ପୃକ୍ତ ସରକାରୀ ଅଫିସରଙ୍କ ଦ୍ୱାରା ହଡ଼ପ ହେବାର ଆଶଙ୍କା ଥାଏ। ଏହାବ୍ୟତୀତ ସିବିଆଇକୁ ଯେଉଁମାନେ ସତୀ ସାବିତ୍ରୀର ଆଖ୍ୟା ଦେଇଆସୁଥିଲେ, ସେମାନେ ଆଜି ତାହାର ଅସଲ ରୂପ ବୁଝିପାରୁଥିବେ। ପୂର୍ବରୁ ସୁପ୍ରିମ୍‌କୋର୍ଟ ସିବିଆଇ ସମ୍ପର୍କିତ ରାୟ ଦେଇ କହିଥିଲେ ଯେ, ଏହି ସଂସ୍ଥା ପଞ୍ଜୁରି ଭିତରେ ଶୁଆ। ମାଡ୍ରାସ ହାଇକୋର୍ଟଙ୍କ ସୁନା ହଡ଼ପ ମାମଲାରେ ନିର୍ଦ୍ଦେଶ ପ୍ରମାଣ କରୁଛି ଯେ କେବଳ ଶୁଆ ନୁହେଁ, ସିବିଆଇ ଚୋର ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri