ସିବିଆଇ ଚୋର

ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ)କୁ ଦେଶର ସବୁଠୁ ବୃହତ୍‌ ନିର୍ଭରଯୋଗ୍ୟ ଓ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଭାବେ ବିଚାର କରାଯାଇଥାଏ। ସେଥିପାଇଁ ଦେଶର କୌଣସି ପ୍ରାନ୍ତରେ କିଛି ଅସ୍ବାଭାବିକ ସ୍ଥିତି ଉପୁଜିଲେ ତାହାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦିଆଯାଉ ବୋଲି ଦାବି ହୁଏ। କେନ୍ଦ୍ରୀୟ ସଂସ୍ଥା ହୋଇଥିବାରୁ ସାଧାରଣ ଲୋକ ଭାବନ୍ତି ଯେ, ସିବିଆଇ କୌଣସି ଭାବେ ପକ୍ଷପାତିତା କରିବ ନାହିଁ। ସତ୍ୟ ଉନ୍ମୋଚନ କରିବାକୁ ହେଲେ ଏହି ସଂସ୍ଥା ଉପରେ ବିଶ୍ୱାସ କରାଯାଉଥିଲା। ହେଲେ ନିକଟ ଅତୀତକୁ ଦେଖିଲେ ସିବିଆଇର କାର୍ଯ୍ୟକଳାପ ଉପରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ପୂର୍ବରୁ ଏହାକୁ ଯେତେ ପରିମାଣରେ ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ କଂଗ୍ରେସ ସରକାର ବ୍ୟବହାର କରିପାରି ନ ଥିଲା, ଏବକାର ମୋଦି ସରକାର ସମୟରେ ଏହା ଏକ ରାଜନୈତିକ ଅସ୍ତ୍ରରେ ପରିଣତ ହେଲାଣି। ସେଥିପାଇଁ ଆନ୍ଧ୍ରପ୍ରଦେଶଠାରୁ ଆରମ୍ଭ କରି ଅନେକ ରାଜ୍ୟରେ ସିବିଆଇର ତଦନ୍ତ ବା ପ୍ରବେଶକୁ ଅଣଭାଜପା ରାଜ୍ୟ ସରକାରଗୁଡ଼ିକ ଅନୁମତି ଲୋଡ଼ାଯିବା ଦରକାର ବୋଲି ନିର୍ଦ୍ଦେଶ ଜାରି କଲେଣି। ଏହାର ଅର୍ଥ ହେଲା ଯେ, ଏହି କେନ୍ଦ୍ରୀୟ ତଦନ୍ତ ସଂସ୍ଥାର କାଟ୍‌ତି ହ୍ରାସ ପାଇବାକୁ ଆରମ୍ଭ କଲାଣି। ଏବେ ପିଠା ଉପରେ କାଜୁବାଦାମ ଭଳି ଅନ୍ୟ ଏକ ଘଟଣା ଲୋକଲୋଚନକୁ ଆସିଛି, ଯାହା ସିବିଆଇର ସତୀତ୍ୱ ଭାବମୂର୍ତ୍ତିକୁ ସମ୍ପୂର୍ଣ୍ଣ ଧୂଳିସାତ୍‌ କରିଦେଇଛି। ପୂର୍ବରୁ ରାଜ୍ୟ ପୋଲିସ ଉପରୁ ବିଶ୍ୱାସ ହରାଇଥିବା ଜନସାଧାରଣ ଅଧିକାଂଶ ସମୟରେ ସିବିଆଇ ତଦନ୍ତ ଦାବି କରିଥିଲେ। ଗତ ସପ୍ତାହରେ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏହି ପୁରୁଣା ଚିନ୍ତାଧାରାକୁ ବଦଳାଇବାକୁ ବାଧ୍ୟ କରିଛି।
କାହାଣୀଟି ବୁଝିବା ସହଜ। ଏଠି ସୁନାର ଲୋଭ କାଳ ହୋଇଛି। ଘଟଣାକ୍ରମ ଦେଖିଲେ ୨୦୧୨ରେ ଚେନ୍ନାଇରେ ଥିବା ସୁରାନା କର୍ପୋରେଶନରେ ସିବିଆଇ ଚଢ଼ାଉ କରି ୪୦୦ରୁ ଊର୍ଦ୍ଧ୍ୱ କିଲୋ ସୁନା ଇଟା ଓ ଅଳଙ୍କାର ଜବତ କରିଥିଲା। ସେସବୁକୁ ସୁନାଗଢ଼ା କମ୍ପାନୀ ସୁରାନାର ଷ୍ଟ୍ରଙ୍ଗରୁମ୍‌ରେ ସିବିଆଇ ତାଲା ଓ ସିଲ୍‌ ଲଗାଯାଇ ରଖାଯାଇଥିଲା। କିନ୍ତୁ ସେଥିରୁ ୧୦୩ କିଲୋରୁ ଊର୍ଦ୍ଧ୍ୱ ସୁନା ଉଭାନ୍‌ ହୋଇଯାଇଥିଲା। ଘଟଣାଟି ମାଡ୍ରାସ ହାଇକୋର୍ଟ ନଜରକୁ ସେତିକିବେଳେ ଆସିଲା, ଯେତେବେଳେ ସୁରାନା କମ୍ପାନୀ ଋଣ ପରିଶୋଧ ପାଇଁ ଏସ୍‌ବିଆଇ ସହ ଚୁକ୍ତି କଲା। ଏହା ପରେ ସିବିଆଇ ଦ୍ୱାରା ଜବତ ସୁନା ଦେଇ ସୁରାନା ଋଣମୁକ୍ତ ହେବା ପାଇଁ ହୋଇଥିବା ଚୁକ୍ତିକୁ କାର୍ଯ୍ୟକାରୀ କରିବାକୁ ବିଚାରାଳୟ ଅନୁମତି ଲୋଡ଼ାଗଲା। ସେହି ଅନୁମତି ହାସଲ ପରେ ଯେତେବେଳେ ସିବିଆଇ ଦ୍ୱାରା ଜବତ ହୋଇଥିବା ସୁନା କଢ଼ାଗଲା, ସେଥିରେ ଏକ ବିରାଟ ପାର୍ଥକ୍ୟ ଦୃଷ୍ଟିକୁ ଆସିଲା। ୧୦୩ କିଲୋରୁ ଊର୍ଦ୍ଧ୍ୱ ସୁନା ଉଭାନ୍‌ ହୋଇଯିବା ବିଷୟରେ ମାଡ୍ରାସ ହାଇକୋର୍ଟ ଜାଣିବା ପରେ ଏହି ଚୋରିର ତଦନ୍ତ ଦାୟିତ୍ୱ ତାମିଲନାଡୁର ସିବି-ସିଆଇଡିକୁ ନ୍ୟସ୍ତ କଲେ। ଏହି ନିର୍ଦ୍ଦେଶରେ ବ୍ୟସ୍ତ ହୋଇ ସିବିଆଇ ତରଫରୁ ନ୍ୟାୟାଳୟରେ କୁହାଗଲା ଯେ, ଏକ କେନ୍ଦ୍ରୀୟ ସଂସ୍ଥା ହୋଇଥିବାରୁ ଏହାର ସୁନାମ ଅତ୍ୟନ୍ତ ଉଚ୍ଚସ୍ତରରେ ଅଛି। ସେଥିପାଇଁ ସ୍ଥାନୀୟ ପୋଲିସ ଯଦି ତଦନ୍ତ କରେ, ତେବେ ତାହା ସିବିଆଇର ସମ୍ମାନହାନି କରାଇବ। ଏହି ଯୁକ୍ତିର ଉତ୍ତରରେ ହାଇକୋର୍ଟ କହିଲେ ଯେ, ସୁନା ଭଳି ପଦାର୍ଥକୁ ଗଞ୍ଜେଇ ସହିତ ତୁଳନା କରାଯାଇ ନ ପାରେ। ସମୟ ବିତିଗଲେ ଗଞ୍ଜେଇର ଶକ୍ତି ହ୍ରାସ ପାଇପାରେ, କିନ୍ତୁ ସୁନାର ଓଜନ ଏହି ବିରାଟକାୟ ପରିମାଣରେ ହ୍ରାସ ପାଇପାରିବ ନାହିଁ। ଯେହେତୁ ସିବିଆଇ ହେପାଜତରେ ଥିବା ସୁନାର ସନ୍ଦେହଜନକ ପରିମାଣ ହ୍ରାସ ପାଇଛି, ସେଥିପାଇଁ ତଦନ୍ତ ଏକ ଭିନ୍ନ ସଂସ୍ଥା ଦ୍ୱାରା କରାଯିବା ଉଚିତ ହେବ ବୋଲି ମାଡ୍ରାସ ହାଇକୋର୍ଟ ମତ ଦେଇଛନ୍ତି। ସେଥିରେ ସିବିଆଇର ସମ୍ମାନହାନିର ପ୍ରଶ୍ନ ଉଠୁନାହିଁ ବୋଲି ଏଭଳି ନିର୍ଦ୍ଦେଶରୁ ବୁଝାପଡୁଛି।
ଏହା ଜଣାଶୁଣା ଯେ କେନ୍ଦ୍ରର ସିବିଆଇ, ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଭଳି ସଂସ୍ଥାଠାରୁ ଆରମ୍ଭ କରି ରାଜ୍ୟଗୁଡ଼ିକରେ ଥିବା ଭିଜିଲାନ୍ସ, ଅବକାରୀ କିମ୍ବା ପୋଲିସ ଦ୍ୱାରା ଚଢ଼ାଉ କରାଯାଇ ଯେଉଁସବୁ ସାମଗ୍ରୀ, ଟଙ୍କା, କାଗଜପତ୍ର ଜବତ କରାଯାଏ; ତା’ର ପରିମାଣ ଜାଣିବା ଜନସାଧାରଣଙ୍କ ପାଇଁ ସମ୍ଭବପର ହୁଏ ନାହିଁ। ଗଣମାଧ୍ୟମରେ ଯାହା କିଛି ପ୍ରକାଶ ପାଏ, ତାହା କେବଳ ତଦନ୍ତକାରୀ କିମ୍ବା ଚଢ଼ାଉ କରିଥିବା ସଂସ୍ଥା ଯାହା ଘୋଷଣା କରେ ତାହା ହିଁ ଥାଏ। ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ସୁରାନା ସୁନା ଘଟଣାରେ କେତୋଟି କଥା ସ୍ପଷ୍ଟ ଜଣାପଡୁଛି। ସୁରାନା ଏକ ବିଧିବଦ୍ଧ କମ୍ପାନୀ ଓ ତା’ର କର୍ମକର୍ତ୍ତା ସ୍ପଷ୍ଟଭାବେ ହିସାବ ରଖିଥିଲେ ତାଙ୍କ ପାଖରେ କେତେ ସୁନା ଅଛି। ସେହି ପରିମାଣ କମିଯିବାରୁ ନାଟକ ଆରମ୍ଭ ହୋଇଛି। ଏଥିରୁ ବୁଝାପଡୁଛି ଯେ, ଡକାୟତ କିମ୍ବା ଚୋରମାନଙ୍କଠାରୁ ଧରାପଡ଼ିଥିବା ସୁନାଗହଣାଠାରୁ ଆରମ୍ଭ କରି ଗଞ୍ଜେଇ ପର୍ଯ୍ୟନ୍ତ ସବୁକିଛି ସମ୍ପୃକ୍ତ ସରକାରୀ ଅଫିସରଙ୍କ ଦ୍ୱାରା ହଡ଼ପ ହେବାର ଆଶଙ୍କା ଥାଏ। ଏହାବ୍ୟତୀତ ସିବିଆଇକୁ ଯେଉଁମାନେ ସତୀ ସାବିତ୍ରୀର ଆଖ୍ୟା ଦେଇଆସୁଥିଲେ, ସେମାନେ ଆଜି ତାହାର ଅସଲ ରୂପ ବୁଝିପାରୁଥିବେ। ପୂର୍ବରୁ ସୁପ୍ରିମ୍‌କୋର୍ଟ ସିବିଆଇ ସମ୍ପର୍କିତ ରାୟ ଦେଇ କହିଥିଲେ ଯେ, ଏହି ସଂସ୍ଥା ପଞ୍ଜୁରି ଭିତରେ ଶୁଆ। ମାଡ୍ରାସ ହାଇକୋର୍ଟଙ୍କ ସୁନା ହଡ଼ପ ମାମଲାରେ ନିର୍ଦ୍ଦେଶ ପ୍ରମାଣ କରୁଛି ଯେ କେବଳ ଶୁଆ ନୁହେଁ, ସିବିଆଇ ଚୋର ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri