ୟୁନିଲିଭର ଶାମ୍ପୁରେ କ୍ୟାନ୍‌ସର ଭୟ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୨୭ା୧୦ : କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ଲୋକେ ବ୍ୟବହାର କରୁଥିବା ସାମଗ୍ରୀଗୁଡ଼ିକୁ ନେଇ ସଚେତନ ହୋଇଥିବାବେଳେ ସେସବୁର ଉପକାର ଓ ଅପକାର ସମ୍ପର୍କିତ ସୂଚନା ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ଗ୍ରାହକମାନଙ୍କୁ ସହଜରେ ଠକି ହେବନାହିଁ ବୋଲି ମଧ୍ୟ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ସଚେତନ ହେଲେଣି। ଏହି କ୍ରମରେ ପୂର୍ବରୁ ‘୧୦୦% କୀଟାଣୁନାଶକ’ ବୋଲି ଟ୍ୟାଗ୍‌ଲାଇନ ରଖୁଥିବା ସାନିଟାଇଜରଗୁଡ଼ିକର ନିର୍ମାତା ଏଥିରେ ପରିବର୍ତ୍ତନ ଆଣି ‘୯୯.୯୯% କୀଟାଣୁନାଶକ’ ଉଲ୍ଲେଖ କରୁଛନ୍ତି। ପୂର୍ବ ଓ ବର୍ତ୍ତମାନର ଟ୍ୟାଗ୍‌ଲାଇନରେ ମାତ୍ର ୦.୧% ଫରକ୍‌ ରହିଥିଲେ ବି ଏହି ପରିବର୍ତ୍ତନ ତାତ୍ପର୍ଯ୍ୟପୂର୍ଣ୍ଣ।

ବିଶେଷକରି କେତେକ ବ୍ରାଣ୍ଡ୍‌ର ଶାମ୍ପୁ ଓ ଅନ୍ୟ ପ୍ରସାଧନ ସାମଗ୍ରୀରେ ହାନିକାରକ ରାସାୟନିକ ପଦାର୍ଥ ବେଞ୍ଜିନ ଥିବାନେଇ ଜଣାପଡ଼ିବା ପରେ ସେଗୁଡ଼ିକୁ ରିଟେଲ ମାର୍କେଟରୁ ପ୍ରତ୍ୟାହାର ପାଇଁ ୟୁନିଲିଭର ନିଷ୍ପତ୍ତି ନେବା ପରେ ଏଭଳି ସାମାନ୍ୟ ତାରତମ୍ୟ ମଧ୍ୟ ଗ୍ରାହକଙ୍କୁ ସଚେତନତାର ଖୋରାକ ଯୋଗାଇଥାଏ।

ସାଧାରଣତଃ ବଡ଼ କମ୍ପାନୀର ଉତ୍ପାଦକୁ ଉଚ୍ଚମାନର ବିବେଚନା କରାଯାଏ। ବଡ଼ ଷ୍ଟାର ତଥା ସେଲିବ୍ରିଟିଙ୍କ ଦ୍ୱାରା ଏହାର ବହୁଳ ପ୍ରଚାର କରାଯାଇଥାଏ। ତେଣୁ ବହୁସଂଖ୍ୟାକ ଲୋକ ବିଶ୍ୱାସର ସହ ସେହି ଉତ୍ପାଦଗୁଡ଼ିକୁ କିଣିଥାନ୍ତି। ଏଥିଯୋଗୁ କେବଳ ସେହି ପ୍ରଡକ୍ଟର ବହୁଳ ବିକ୍ରି ହୋଇ ନ ଥାଏ, ଲୋକଙ୍କ ଦ୍ୱାରା ତାହା ଏକ ବ୍ରାଣ୍ଡ୍‌ ରୂପେ ଆଦୃତି ଲାଭ କରିଥାଏ। ହେଲେ ଏହି ବ୍ରାଣ୍ଡ୍‌ ତଥା ବଡ଼ କମ୍ପାନୀଗୁଡ଼ିକ ଗ୍ରାହକଙ୍କ ସ୍ବାସ୍ଥ୍ୟକୁ ଅଣଦେଖା କରି ମାରାତ୍ମକ କ୍ୟାନ୍‌ସର ତତ୍ତ୍ୱ ଥିବାଭଳି ଉତ୍ପାଦକୁ ପ୍ରସାଧନ ସାମଗ୍ରୀରେ ମିଶାଇ ବଜାରରେ ବିକ୍ରି କରୁଥିବା ଖବର ସାମ୍‌ନାକୁ ଆସିଛି। ଲୋକେ ଦୈନନ୍ଦିନ ଜୀବନରେ ବ୍ୟକ୍ତିଗତ ଯତ୍ନ (ପର୍ସନାଲ କେୟାର) ପାଇଁ ବ୍ୟବହାର କରୁଥିବା ବଡ଼ ବ୍ରାଣ୍ଡ୍‌ର ଉତ୍ପାଦରେ କ୍ୟାନ୍‌ସର କାରକ ଥିବା ବହୁରାଷ୍ଟ୍ରୀୟ ଫାଷ୍ଟ୍‌ ମୁଭିଂ କଞ୍ଜ୍ୟୁମର ଗୁଡ୍‌ସ (ଏଫ୍‌ଏମ୍‌ସିଜି) କମ୍ପାନୀ ୟୁନିଲିଭର କହିଛି। ଫଳରେ ଏହି ପ୍ରଡକ୍ଟଗୁଡ଼ିକର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିପଜ୍ଜନକ ଉତ୍ପାଦ ତାଲିକାରେ ଡୋଭ, ଟ୍ରେସିମି, ନେକ୍ସସ୍‌, ସୁଆଭେ, ଟିଗି (ରୋକାଓଲିକ୍‌ ଏବଂ ବେଡ୍‌ ହେଡ୍‌) ସମେତ ୧୯ ଲୋକପ୍ରିୟ ଏରୋସଲ ଡ୍ରାଏ ଶାମ୍ପୁ ରହିଛି। ଏଥିରେ କ୍ୟାନ୍‌ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ବେଞ୍ଜିନ ରହିଥିବା କମ୍ପାନୀ ଜାଣିବାକୁ ପାଇଛି। ଏହି ଉତ୍ପାଦଗୁଡ଼ିକୁ ଆମେରିକା ଓ କାନାଡା ବଜାରରୁ ତୁରନ୍ତ ଫେରାଇନେବା ପାଇଁ ୟୁନିଲିଭର ନୋଟିସ ଜାରି କରିଛି। ଅକ୍ଟୋବର ୧୮ରେ କମ୍ପାନୀ ଏ ସମ୍ପର୍କିତ ଘୋଷଣା କରିଥିବାବେଳେ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫ୍‌ଡିଏ) ଗତ ୨୧ ତାରିଖରେ ଏହି ସତର୍କ ସୂଚନା ପ୍ରକାଶ କରିଥିଲା। ୨୦୨୧ ଅକ୍ଟୋବର ପୂର୍ବରୁ ପ୍ରସ୍ତୁତ ହୋଇଥିବା ଉତ୍ପାଦଗୁଡ଼ିକୁ ରିଟେଲରଙ୍କଠାରୁ ଫେରାଇନେବାକୁ ନୋଟିସରେ ଦର୍ଶାଯାଇଛି। ଏଫ୍‌ଡିଏ ପକ୍ଷରୁ ଏହାର ଓ୍ବେବ୍‌ସାଇଟ୍‌ରେ ପ୍ରକାଶିତ ୟୁନିଲିଭରର ନୋଟିସରେ କୁହାଯାଇଛି, ବେଞ୍ଜିନ ମଣିଷ ଶରୀରରେ କ୍ୟାନ୍‌ସର ସୃଷ୍ଟିର ଅନ୍ୟତମ ପ୍ରମୁଖ କାରଣ। ଆଘ୍ରାଣ ଦ୍ୱାରା, ପାଟି କିମ୍ବା ଚର୍ମ ମଧ୍ୟ ଦେଇ ଆମେ ବେଞ୍ଜିନ ସଂସ୍ପର୍ଶରେ ଆସିଥାଉ। ଏହା ରକ୍ତ କର୍କଟ(ଲ୍ୟୁକେମିଆ), ରକ୍ତଜନିତ ମାରାତ୍ମକ ବ୍ୟାଧିର କାରଣ ହୋଇଥାଏ। ବିଭିନ୍ନ ମାଧ୍ୟମ ଦେଇ ବେଞ୍ଜିନ ମଣିଷ ଶରୀରକୁ ଯାଇଥାଏ ବୋଲି ଏଫ୍‌ଡିଏ ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି। ତେବେ ବେଞ୍ଜିନର ମାତ୍ରା ଅଧିକ ହେଲେ ତାହା ମଣିଷକୁ ମୃତ୍ୟୁମୁଖକୁ ଠେଲିଦେବାର ଯଥେଷ୍ଟ ଆଶଙ୍କା ରହିଥାଏ।
ପକ୍ଷରୁ ଏଭଳି ଉତ୍ପାଦକୁ ରିଟେଲର ବା ଖୁଚୁରା ବ୍ୟବସାୟୀଙ୍କ ନିକଟରୁ ପ୍ରତ୍ୟାହାର ଲାଗି ନୋଟିସ ଜାରି ପରେ ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ଏଠାରେ ପ୍ରଶ୍ନ ଉଠୁଛି, ଏବେ ରିଟେଲରଙ୍କ ନିକଟରେ ଉପଲବ୍ଧ ପ୍ରଡକ୍ଟ ସିନା ଫେରାଇ ନିଆଯିବ କିନ୍ତୁ ଯେଉଁମାନେ ଦୀର୍ଘଦିନ ହେଲା ଏହାର ବ୍ୟବହାର କରିଆସୁଛନ୍ତି ଏବଂ ଏବେ ବି ଯେଉଁ ଉତ୍ପାଦ ଲୋକଙ୍କ ପାଖରେ ରହିଛି ସେଗୁଡ଼ିକର ସମ୍ଭାବ୍ୟ ବିପଦ ଦୂର ପାଇଁ ସମାଧାନ କ’ଣ? ଏଥିଯୋଗୁ ଲୋକେ ସମ୍ମୁଖୀନ ହୋଇଥିବା କିମ୍ବା ହେବାକୁ ଥିବା ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ କିଏ ଦାୟୀ ହେବେ? ଏ ବାବଦରେ କମ୍ପାନୀଗୁଡ଼ିକ ପକ୍ଷରୁ କ’ଣ ପଦକ୍ଷେପ ନିଆଯିବ ତାହା ମଧ୍ୟ ପ୍ରଶ୍ନଘେରରେ। ଏହାବାଦ୍‌ ଉକ୍ତ ଉତ୍ପାଦଗୁଡ଼ିକ ବଜାରକୁ ଛଡ଼ାଯିବା ପୂର୍ବରୁ ତାହାର ଯାଞ୍ଚ ହୋଇଥିଲା କି ନାହିଁ ଏବଂ ବ୍ୟବହାରକାରୀଙ୍କ ସ୍ବାସ୍ଥ୍ୟ ଉପରେ ତାହାର ନକାରାତ୍ମକ ପ୍ରଭାବ ପଡ଼ିଲେ ଏଥିପାଇଁ କିଏ ଉତ୍ତରଦାୟୀ ହେବେ? କେବଳ ଉତ୍ପାଦଗୁଡ଼ିକୁ ବଜାରରୁ ଫେରାଇନେବା ଯଥେଷ୍ଟ ନୁହେଁ। ଲୋକଙ୍କ ହିତ ଦୃଷ୍ଟିରୁ ଏହାର ତଦନ୍ତ ମଧ୍ୟ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଏଭଳି ପ୍ରଥମ ନୁହେଁ

କୌଣସି ପର୍ସନାଲ କେୟାର ପ୍ରଡକ୍ଟରେ ହାନିକାରକ ତତ୍ତ୍ୱ ରହିବା ପ୍ରଥମ ଘଟଣା ନୁହେଁ। ଗତ ଡିସେମ୍ବରରେ ପ୍ରୋକ୍ଟର ଆଣ୍ଡ୍‌ ଗାମ୍ବଲ୍‌ କୋ (ପି ଆଣ୍ଡ୍‌ ଜି) କମ୍ପାନୀ ଏହାର ପ୍ୟାଣ୍ଟିନ୍‌ ଏବଂ ହର୍ବାଲ ଏସେନ୍ସ ଡ୍ରାଏ ଶାମ୍ପୁକୁ ବଜାରରୁ ଫେରାଇ ନେଇଥିଲା। ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁସାରେ, ଗତ ଦେଢ଼ବର୍ଷ ମଧ୍ୟରେ ବହୁସଂଖ୍ୟାରେ ଏରୋସଲ ସନ୍‌ସ୍କ୍ରିନ୍‌ ଯଥା ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନର ନ୍ୟୁଟୋଜିନା, ଏଜ୍‌ଓ୍ବେଲ୍‌ ପର୍ସନାଲ କେୟାର କୋ’ର ବାନାନା ବୋଟ୍‌ , ବିୟର୍ସଡୋର୍ଫ ଏଜି’ର କପରଟୋନ, ପି ଆଣ୍ଡ୍‌ ଜି ପ୍ରସ୍ତୁତ ସିକ୍ରେଟ୍‌ ଆଣ୍ଡ୍‌ ଓଲ୍ଡ ସ୍ପାଇସ୍‌ ଡିଓଡୋରାଣ୍ଟ୍‌ ଏବଂ ୟୁନିଲିଭରର ସୁଆଭେକୁ ବଜାରରୁ ଫେରାଇ ନିଆଯାଇଛି। କନେକ୍ଟିକଟ୍‌ ସ୍ଥିତ ନ୍ୟୁ ହେଭେନରେ ଥିବା ଆନାଲିଟିକାଲ ଲାବ୍‌ ଭାଲିସିଓରରେ ଏପରି ଉତ୍ପାଦକୁ ନେଇ ପରୀକ୍ଷା କରାଯାଇଥିଲା। ଏଥିରେ କର୍କଟ ରୋଗ ସୃଷ୍ଟିକାରୀ ଘାତକ ରାସାୟନିକ ପଦାର୍ଥ ବେଞ୍ଜିନ ଥିବା ଜଣାପଡ଼ିବା ପରେ ବିୟୁଟି ପ୍ରଡକ୍ଟ ଫେରାଇନେବା ଆରମ୍ଭ ହୋଇଥିଲା। ବିଭିନ୍ନ ସ୍ପ୍ରେ ତଥା ଡ୍ରାଏ ଶାମ୍ପୁରେ ସାଧାରଣତଃ ପ୍ରୋପେନ, ବ୍ୟୁଟେନ ରହିଥାଏ। ଅଶୋଧିତ ତୈଳକୁ ରିଫାଇନ କରାଯାଇ ଏହି ପେଟ୍ରୋଲିୟମ ଶୋଧିତ ପ୍ରସାଧନ ସାମଗ୍ରୀର ଉତ୍ପାଦ ପ୍ରସ୍ତୁତ କରାଯାଇଥାଏ।

ଭାରତୀୟ ଉତ୍ପାଦରେ କାର୍ସିନୋଜେନିକ୍‌ ନାହିଁ: ହିନ୍ଦୁସ୍ଥାନ ୟୁନିଲିଭର

ଡୋଭ୍‌, ଟ୍ରେସିମି ସମେତ ୧୯ ଲୋକପ୍ରିୟ ଶାମ୍ପୁ ଏବଂ ଅନ୍ୟ ପର୍ସନାଲ କେୟାର ପ୍ରଡକ୍ଟରେ କ୍ୟାନ୍‌ସର ସୃଷ୍ଟିକାରୀ ତତ୍ତ୍ୱ (କାର୍ସିନୋଜେନିକ୍‌) ଥିବା ନେଇ ଏଫ୍‌ଏମ୍‌ସିଜି କମ୍ପାନୀ ୟୁନିଲିଭର କହିବା ପରେ ଭାରତରେ ବିକ୍ରି ହେଉଥିବା ଉତ୍ପାଦଗୁଡ଼ିକ ମଧ୍ୟ ସନ୍ଦେହ ଭିତରକୁ ଆସିଯାଇଛି। ତେବେ ଏଭଳି ପ୍ରଡକ୍ଟ ଭାରତରେ ପ୍ରସ୍ତୁତ କିମ୍ବା ବିକ୍ରି ହେଉନାହିଁ ବୋଲି ହିନ୍ଦୁସ୍ଥାନ ୟୁନିଲିଭର (ଏଚ୍‌ୟୁଏଲ୍‌) ପକ୍ଷରୁ ସଫେଇ ଦିଆଯାଇଛି। କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି, ଭାରତରେ ଏଚ୍‌ୟୁଏଲ୍‌ ଡ୍ରାଏ ଶାମ୍ପୁ (କେଶକୁ ଓଦା ନ କରି ସଫା ପାଇଁ ବ୍ୟବହୃତ ହେଉଥିବା ପାଉଡର ବା ସ୍ପ୍ରେ) ଉତ୍ପାଦନ କିମ୍ବା ବିକ୍ରି କରାଯାଉନାହିଁ। ଏଭଳି ଉତ୍ପାଦରେ ବେଞ୍ଜିନ ମାତ୍ରା ଅଧିକ ଥିବା ଯାଞ୍ଚରୁ ଜଣାପଡ଼ିବା ପରେ କେବଳ କାନାଡା ଏବଂ ଆମେରିକା ବଜାରରୁ ପ୍ରଡକ୍ଟଗୁଡ଼ିକୁ ଫେରାଇଆଣିବା ପାଇଁ ମୂଳ କମ୍ପାନୀ ୟୁନିଲିଭର ନୋଟିସ ଜାରି କରିଛି। ଏହିସବୁ ଉତ୍ପାଦରେ ଥିବା ବେଞ୍ଜିନର ମାତ୍ରା ସ୍ବାସ୍ଥ୍ୟ ପାଇଁ ସେତେମାତ୍ରାରେ ହାନିକାରକ ନୁହେଁ ବୋଲି ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏଚ୍‌ୟୁଏଲ୍‌ ମୁଖପାତ୍ର ଜଣକ କହିଛନ୍ତି।

ଦୁଇ ଦିନରେ ୫% ଖସିଲା ଏଚ୍‌ୟୁଏଲ୍‌ ଶେୟାର ମୂଲ୍ୟ

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ମଙ୍ଗଳବାର ଇଣ୍ଟ୍ରାଡେ କାରବାରରେ ହିନ୍ଦୁସ୍ତାନ ୟୁନିଲିଭର (ଏଚ୍‌ୟୁଏଲ୍‌) ଶେୟାର ମୂଲ୍ୟ ୨% ଖସି ୨,୫୩୦.୯୦ ଟଙ୍କାରେ ପହଞ୍ଚିଥିଲା। ଦୁଇ ଦିନରେ ଏହି ଶେୟାର ମୂଲ୍ୟ ୫%ରୁ ଅଧିକ ହ୍ରାସ ପାଇଛି। ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥତ୍କ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକରେ କମ୍ପାନୀ ୨୨.୨% ନେଟ୍‌ ଲାଭ କରିଥିଲା। ଗତ ଆର୍ଥିକ ବର୍ଷର ସମାନ ତ୍ରୟମାସରେ କମ୍ପାନୀର ଏବିଟା ମାର୍ଜିନ ୨୫.୦% ଥିବାବେଳେ ଏବେ ଏହା ୨୩.୩%କୁ ହ୍ରାସ ପାଇ କମ୍ପାନୀର ଆୟ ୧୮୦ ବେସିସ୍‌ ପଏଣ୍ଟସ୍‌ରେ ସୀମିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?