ଟାଣିଆଣି ସମ୍ମାନ

ଗତ ସପ୍ତାହର ଶେଷଦିନକୁ ଦେଶବ୍ୟାପୀ ଏକ ପର୍ବ ଭାବେ ପାଳନ କରାଯିବାର ପ୍ରଚେଷ୍ଟା ହୋଇଥିଲା। ସ୍ବାଧୀନତା ସଂଗ୍ରାମୀ, ଜାତୀୟ କଂଗ୍ରେସର ସଭାପତି ଏବଂ ଇଣ୍ଡିଆନ୍‌ ନ୍ୟାଶନାଲ୍‌ ଆର୍ମି (ଭାରତୀୟ ସେନାନୀ ବା ଆଜାଦ ହିନ୍ଦ୍‌ ଫୌଜ)ର ଜନ୍ମଦାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜନ୍ମଦିବସ ପାଳନ କରାଯାଇଛି। ଏହି ଅବସରରେ ଅନେକ ନାଟକ ଏବଂ କୌତୂହଳପୂର୍ଣ୍ଣ ଘଟଣା ଦେଖିବାର ସୁଯୋଗ ମିଳିଲା। କଲିକତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର କ୍ରୋଧର ଦୃଷ୍ଟାନ୍ତ ଦେଖିଲାବେଳକୁ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା ମାସ୍କରେ ଅନେକ ଲୋକଙ୍କୁ ଭେଟିବା ଓ ଉଦ୍‌ବୋଧନ ଦେବାର ଉଦାହରଣ ଦେଖିବାକୁ ମିଳିଲା। ସେହିଭଳି ଇନ୍ଦୋର ଭାଜପା ସାଂସଦ ଶଙ୍କର ଲାଲଓ୍ବାନି ଏକ ସଭାରେ ନେତାଜୀ ଚନ୍ଦ୍ରଶେଖର ଆଜାଦ କହି ସେହି ତ୍ରୁଟିକୁ ସଂଶୋଧନ କରିବାକୁ ଯାଇ କହିଲେ ନେତାଜୀ ଚନ୍ଦ୍ରଶେଖର ବୋଷ। ଏ ଘଟଣା ମଧ୍ୟ ଆମେ ଶୁଣିଲୁ। ଭାତହାଣ୍ଡିରୁ ଗୋଟିଏ ଦାନା ଚିପିବା ଭଳି ଦୃଷ୍ଟିକୁ ଆସିଥିବା ଏହିସବୁ ଘଟଣା ପ୍ରମାଣ କରୁଛି ଯେ, ସୁଭାଷ ବୋଷଙ୍କ ଉପରେ ପଡ଼ିଥିବା ନଜର ପଛରେ ତାଙ୍କ ପ୍ରତି ଶ୍ରଦ୍ଧା କିମ୍ବା ସମ୍ମାନ ପରିବର୍ତ୍ତେ ସମସ୍ତେ ରାଜନୈତିକ ଭାଗବଣ୍ଟୁରାକୁ ଅନିଶା କରି ରହିଛନ୍ତି। ହୁଏତ ଆସନ୍ତା ପଶ୍ଚିମବଙ୍ଗ ନିର୍ବାଚନ ଏତେ ନିକଟରେ ହେବାକୁ ନ ଥିଲେ, କେନ୍ଦ୍ର ସରକାରଙ୍କ ଦ୍ୱାରା ରେଳଗାଡ଼ି ନାମ ପରିବର୍ତ୍ତନଠାରୁ ଦେଶବ୍ୟାପୀ ସୁଭାଷ ବୋଷ ପରାକ୍ରମ ଦିବସ କରାଯାଇ ନ ଥାନ୍ତା। ଭାଜପାର ଅନ୍ୟଜଣେ ସାଂସଦ ସାକ୍ଷୀ ମହାରାଜ ବିବୃତି ଦେଇଛନ୍ତି ଯେ, ନେତାଜୀଙ୍କ ମୃତ୍ୟୁ ପାଇଁ କଂଗ୍ରେସ ଦଳ ଦାୟୀ। ତାଙ୍କର ଏହି ମନ୍ତବ୍ୟ ସହିତ କୌଣସି ଚିନ୍ତାଶୀଳ ଭାରତୀୟ ଦ୍ୱିମତ ହୋଇପାରିବ ନାହିଁ। ସାକ୍ଷୀ ମହାରାଜ ଆହୁରି ମଧ୍ୟ କହିଛନ୍ତି ଯେ, ସୁଭାଷ ବୋଷଙ୍କ ଲୋକପ୍ରିୟତାକୁ ଉଭୟ ଗାନ୍ଧୀ ଓ ନେହେରୁ ସହିପାରୁ ନ ଥିଲେ। ସାକ୍ଷୀଙ୍କର ଏ କଥା ମଧ୍ୟ ସତ୍ୟ। ତେବେ ଦୀର୍ଘ ଆଠ ବର୍ଷ ହେବାକୁ ଯାଉଥିବା ସାକ୍ଷୀ ମହାରାଜଙ୍କ ଦଳର ସରକାର କାହିଁକି ସତ୍ୟ ଉନ୍ମୋଚନ କରିନାହାନ୍ତି ତାହା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। ଆଜି ଯେଉଁ ଆଡ଼ମ୍ବରରେ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କରେ ଦେଶବ୍ୟାପୀ କାର୍ଯ୍ୟକ୍ରମ କରାଯାଉଛି, ତାହା ମଧ୍ୟ ସନ୍ଦେହ ଘେରକୁ ଟାଣିହୋଇ ଯାଉଛି। ମନେହେଉଛି ଯେପରି ଆମର ପୂର୍ବପୁରୁଷଙ୍କୁ ମଧ୍ୟ ଆଜି ଆମେମାନେ ନିଜର ସୁବିଧା ପାଇଁ ବ୍ୟବହାର କରିବାକୁ ପଛାଉ ନାହୁଁ।
ପ୍ରଧାନମନ୍ତ୍ରୀ ମୋଦିଙ୍କ କଲିକତା କାର୍ଯ୍ୟକ୍ରମରେ ମମତା ବାନାର୍ଜୀଙ୍କ କ୍ରୋଧ ପ୍ରକାଶ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିବ। ସେହି କ୍ରୋଧ ବାସ୍ତବ ଥିଲା କି ନାହିଁ ଜାଣିବା ଅସମ୍ଭବ। ଅପରପଟେ ସେ କ୍ରୋଧ ଯୋଗୁ ଯଦି ବଙ୍ଗାଳୀ ଜାତିର ସ୍ବାଭିମାନକୁ ଜାଗ୍ରତ କରିବାର ଉଦ୍ଦେଶ୍ୟ ଥାଏ, ତେବେ ନିକଟରେ ହେବାକୁ ଥିବା ନିର୍ବାଚନରେ କେତେଦୂର ପ୍ରଭାବ ପକାଇବ ତାହା ଦେଖିବାକୁ ଅଛି। ଏହା ସତ୍ୟ ଯେ, ବଙ୍ଗାଳୀମାନଙ୍କ ଧାର୍ମିକ ବିଶ୍ୱାସ ଓଡ଼ିଆଙ୍କ ସହିତ ଅନେକ ସାମଞ୍ଜସ୍ୟ ରହିଛି। ଜଗନ୍ନାଥ ପ୍ରେମ ଏବଂ ମା’ଦୁର୍ଗାଙ୍କ ପୂଜା ଏଇ ଦୁଇ ଜାତିର ଶୀର୍ଷ ସ୍ଥାନରେ ଅନେକ ଶତାବ୍ଦୀ ଧରି ରହିଆସିଛି। ଯେମିତି ଓଡ଼ିଶାର ପ୍ରାୟ ସବୁ ଗ୍ରାମରେ ଗ୍ରାମଦେବୀ ମନ୍ଦିର ସହିତ ଜଗନ୍ନାଥ ଏବଂ ଶିବମନ୍ଦିର ଥିବା ଦେଖିବାକୁ ମିଳିଥାଏ, ପଶ୍ଚିମବଙ୍ଗର ଗ୍ରାମାଞ୍ଚଳରେ ମଧ୍ୟ ଅନୁରୂପ ପ୍ରକାରର ମନ୍ଦିର ଓ ଠାକୁରାଣୀ ଠାକୁୁର ଦେଖିବାକୁ ମିଳନ୍ତି। ଆମ ଜାଣିବାରେ ଓଡ଼ିଶାର କୌଣସି ଗ୍ରାମରେ ପ୍ରାଚୀନ ରାମମନ୍ଦିର ଦେଖିବାକୁ ମିଳେନାହିଁ। ସେହିଭଳି ପଶ୍ଚିମବଙ୍ଗରେ ମଧ୍ୟ ରାମଙ୍କର ପ୍ରଭାବ ନାହିଁ। ସେଠାରେ ଭାଜପା କର୍ମୀଙ୍କ ଦ୍ୱାରା ଦିଆଯାଇଥିବା ‘ଜୟ ଶ୍ରୀରାମ’ ଧ୍ୱନି ଯୋଗୁ ମମତା କ୍ଷୁବ୍ଧ ହୋଇଛନ୍ତି ବୋଲି ଯାହା ଶୁଣିବାକୁ ମିଳୁଛି ତାହା ମଧ୍ୟ ସତ୍ୟ ହୋଇପାରେ। ଧର୍ମବିଶ୍ୱାସର ସାମଞ୍ଜସ୍ୟ ଥିବାବେଳେ ଓଡ଼ିଆ ଭାଷା ଓ ଜାତିର ବଙ୍ଗଳା ସହିତ କ୍ୱଚିତ୍‌ ସାମଞ୍ଜସ୍ୟ ଦେଖିବାକୁ ମିଳେ। ଆମର ସାହିତ୍ୟରେ ଆସିଥିବା ସବୁଜ ଯୁଗର ମୁଖ୍ୟ ଉଦ୍ଦେଶ୍ୟ ଯେଉଁମାନେ ଜାଣିଛନ୍ତି ସେମାନେ ବୁଝିପାରିବେ ଯେ, ଓଡ଼ିଆ ଜାତି କେବେହେଲେ କାହାରି ଗୋଲାମ ହୋଇପାରି ନାହିଁ। ବ୍ରିଟିଶ୍‌ ଇଷ୍ଟଇଣ୍ଡିଆ କମ୍ପାନୀ କଲିକତାରେ ଡେରା ପକାଇଥିବା ବେଳେ ଓଡ଼ିଶାରେ ରାଜାରାଜୁଡାଙ୍କ ସହିତ ବ୍ୟବସାୟ କରିଥିଲା। କିନ୍ତୁ ବ୍ରିଟିଶ୍‌ ଶାସନ ବେଳେ ଓଡ଼ିଶା ଏକପ୍ରକାର ତା’ର ନିଜସ୍ବ ରାଜାରାଜୁଡାଙ୍କ ଶାସନରେ ରହିଲା, ସିଧାସଳଖ ଗୋରା ଶାସନକୁ ଯାଇ ନ ଥିଲା। କେବଳ ଉପକୂଳବର୍ତ୍ତୀ କିଛି ଅଞ୍ଚଳକୁ ଛାଡ଼ିଦେଲେ ଓଡ଼ିଶାର ସବୁ ରାଜା ନିଜ ହାତରେ ରାଜସ୍ବ ଆଦାୟ ଏବଂ ପୋଲିସ ପ୍ରଶାସନକୁ ରଖିଥିଲେ। ଗୋରା ଶାସକଙ୍କ ପୂର୍ବରୁ ମୋଗଲ ରାଜାମାନେ ମଧ୍ୟ ଓଡ଼ିଶା (କଳିଙ୍ଗ) ମାଟିକୁ ସିଧାସଳଖ ଅକ୍ତିଆର କରିପାରି ନ ଥିଲେ। ହୁଏତ ସେଥିପାଇଁ ଓଡ଼ିଶାରେ ବହୁମାତ୍ରାରେ ଖ୍ରୀଷ୍ଟିଆନ କିମ୍ବା ମୁସଲମାନ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧି ପାଇପାରି ନାହିଁ।
ଏଭଳି ପ୍ରଚ୍ଛଦପଟରେ ଦେଖିବାକୁ ଗଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଅନେକ ଓଡ଼ିଆ ଭାବିଛନ୍ତି ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶାର ଗୌରବ। ବାସ୍ତବ ଚିତ୍ର ଦେଖିଲେ ଏ ଚିନ୍ତାଧାରା ତ୍ରୁଟିପୂର୍ଣ୍ଣ ବୋଲି ମନେହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ସୁଭାଷ ଚନ୍ଦ୍ର ବୋଷ ତାଙ୍କର କୌଣସି ଭାଷଣରେ, ଲେଖାରେ କିମ୍ବା ବିବୃତିରେ କେବେହେଲେ, ଥରେ ମଧ୍ୟ ସ୍ବୀକାର କରିନାହାନ୍ତି ଯେ ତାଙ୍କର ଜନ୍ମ ଓଡ଼ିଶା ମାଟିରେ ହୋଇଛି। ଏଠାରେ ଗୋଟିଏ ଉଦାହରଣ ଦିଆଯାଇପାରେ। ଜଣେ ଗର୍ଭବତୀ ମହିଳା ଟ୍ରେନ୍‌ ଯୋଗେ ଚେନ୍ନାଇରୁ କଲିକତା ଯାଉଛନ୍ତି। ବ୍ରହ୍ମପୁର ପାଖାପାଖି ତାଙ୍କର ପ୍ରସବ ବେଦନା ଆରମ୍ଭ ହେଲା ଏବଂ କଟକରୁ ବାଲେଶ୍ୱର ମଧ୍ୟରେ ପିଲାଟି ଜନ୍ମନେଲା। ପରବର୍ତ୍ତୀ ସମୟରେ ସେହି ପିଲା ଅନେକ ନାମ ଅର୍ଜନ କଲା କିନ୍ତୁ କେବେହେଲେ କହିଲା ନାହିଁ ତା’ର ଜନ୍ମ କେଉଁଠି। ନିଜ ଜନ୍ମସ୍ଥାନକୁ ଏବଂ ସେହି ସ୍ଥାନର ଭାଷାକୁ ଯିଏ ନିଜର ବୋଲି ଭାବେନାହିଁ ସେହି ବ୍ୟକ୍ତି ସେଠାକାର ଜାତିର ଗୌରବ ହେବା ଉଚିତ ନୁହେଁ। ସେ ଦୃଷ୍ଟିକୋଣରୁ ଭାବିଲେ କଟକ ବସ୍‌ଷ୍ଟାଣ୍ଡ୍‌କୁ ସୁଭାଷ ବୋଷଙ୍କ ନାମରେ ନାମିତ କରିବା ହେଉ କିମ୍ବା ଓଡ଼ିଶାର ଜଣେ ପୂର୍ବତନ ବଙ୍ଗାଳୀ ମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱର ରସୁଲଗଡ଼ ଛକଠାରୁ ବାଣୀବିହାର ମଧ୍ୟରେ ଅନେକ ପ୍ରମୋଦ ଉଦ୍ୟାନ ନିର୍ମାଣ କରିବା ଏବଂ ସେଗୁଡ଼ିକୁ ବିଭିନ୍ନ ବଙ୍ଗାଳୀ, ମରାଠି ଏବଂ ଅନ୍ୟ ରାଜ୍ୟର ଲୋକଙ୍କ ନାମରେ ନାମିତ କରିବା ମୋ ମତରେ ଓଡ଼ିଶା ଜାତିକୁ ଅସମ୍ମାନିତ କରିବା ହେଉଛି। ମନ ଦୁଃଖ ହେଉଛି ଯେ, ସତରେ କ’ଣ ଏହି ମାଟିରୁ କୌଣସି ଗୋଟିଏ ଯୋଗ୍ୟ ସନ୍ତାନ ଜନ୍ମ ନେଇନାହିଁ, ଯେଉଁଥିପାଇଁ ଓଡ଼ିଆ ଜାତି ସବୁବେଳେ ବାହାର ଲୋକଙ୍କୁ ଉପରେ ପଡ଼ି ଟାଣିଆଣି ସମ୍ମାନ ଦେଉଛି ? ଏହିଭଳି ନିଷ୍ପତ୍ତି ନିଆଯିବା ଫଳରେ ଆମର ଆସନ୍ତା ପିଢ଼ିର ଅସ୍ମିତାକୁ ଆମେ ନିଜେ ଧ୍ୱଂସ କରିଦେଉଛେ।

-ତଥାଗତ ସତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?