ଭଙ୍ଗ ହେଉଛି ଭାଇଚାରା

ଢେଙ୍କାନାଳ ଅଫିସ, ୧୦।୯: ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସମୃଦ୍ଧ ଢେଙ୍କାନାଳ ସହର ରାଜନୀତିର ଜଟିଳ ଗଣିତରେ ଛନ୍ଦି ହୋଇପଡ଼ିଛି। ରାଜନୈତିକ ବିବାଦ ପାଇଁ ପୌର ନିର୍ବାଚନ ପରଠାରୁ ଅଶାନ୍ତ ହୋଇଉଠିଛି ସହରୀ ପରିବେଶ। ବିଜେଡି-ଭାଜପା ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ ଏହାର ସିଧାସଳଖ ପ୍ରଭାବ ପଡୁଛି ସାମାଜିକ ଜୀବନ ଉପରେ। ଏଥିରୁ ସାଂସ୍କୃତିକ ସଦ୍‌ଭାବନା ବାଦ୍‌ ପଡୁ ନ ଥିବାବେଳେ ଭଙ୍ଗ ହେଉଛି ଭାଇଚାରା। ଦୁଇ ପ୍ରମୁଖ ରାଜନୈତିକ ଦଳ ଦଳୀୟ ସ୍ବାର୍ଥ ପାଇଁ ବାରମ୍ବାର ମୁହଁାମୁହିଁ ହେବା ଏବଂ ଏହା ଦ୍ୱାରା ବିକାଶ ପ୍ରଭାବିତ ହେବା ସହରରେ ଆଲୋଚନାର ବିଷୟ ପାଲଟିଛି, ଯାହାକୁ ନାପସନ୍ଦ କରିଛନ୍ତି ସାଧାରଣଜନତା, ବୁଦ୍ଧିଜୀବୀ ଏବଂ ସାମାଜିକ ସଙ୍ଗଠନ। ସାମୂହିକ ବିକାଶ ହେଉ କି ପରମ୍ପରାର ପର୍ବ ଲକ୍ଷ୍ମୀପୂଜା ଲୋକଙ୍କ ଭାବାବେଗ ସହିତ ଜଡ଼ିତ ପ୍ରସଙ୍ଗରେ ଅତ୍ୟଧିକ ରାଜନୀତି ଠିକ୍‌ ନୁହେଁ ବୋଲି ସେମାନେ କହିଛନ୍ତି।
ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଆସିଛି ଢେଙ୍କାନାଳ। ବିଶେଷ କରି ପୌରାଞ୍ଚଳ ରାଜନୀତିରେ ବିଜୟ-ପରାଜୟକୁ ପଛରେ ପକାଇ ସମସ୍ତ ରାଜନୈତିକ ଦଳ ଏକାଠି ହୋଇ କାର୍ଯ୍ୟ କରୁଥିବା ପୂର୍ବରୁ ନଜିର ରହିଛି। ତେବେ ଗତ ମାର୍ଚ୍ଚରେ ଅନୁଷ୍ଠିତ ପୌର ନିର୍ବାଚନ ପରେ ରାଜନୈତିକ ଦ୍ୱନ୍ଦ୍ୱ ଏତେ ତୀବ୍ର ହୋଇଛି ଯେ, ଏଥିରେ ଗୁରୁତ୍ୱର ଭାବେ ପ୍ରଭାବିତ ହେଉଛି ଉଭୟ ଉନ୍ନୟନ କାର୍ଯ୍ୟ ଏବଂ ସାମାଜିକ ସଦ୍‌ଭାବନା। ଏହି ବିବାଦରେ କାରଣରୁ ସାଧାରଣ ଲୋକଙ୍କୁ ପୌର କାର୍ଯ୍ୟାଳୟରୁ ନ୍ୟାୟ ମିଳୁନାହିଁ, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି।
ଚଳିତ ବର୍ଷ ପୌରାଧ୍ୟକ୍ଷ ପଦବୀରେ ପ୍ରଥମ ଥର ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶାସକ ବିଜେଡିର ସମସ୍ତ ରଣକୌଶଳକୁ ମାତ୍‌ ଦେଇ ଭାଜପା ହାତେଇଥିଲା ପୌରାଧ୍ୟକ୍ଷ ପଦବୀ। ତେବେ ମୋଟ୍‌ ୨୩ ଓ୍ବାର୍ଡ ମଧ୍ୟରୁ ୧୪ଟିରେ ବିଜେଡି କାଉନ୍‌ସିଲର ବିଜୟୀ ହୋଇଥିଲେ। ଅବଶିଷ୍ଟ ୯ ଓ୍ବାର୍ଡ ଯାଇଥିଲା ଭାଜପା ଖାତାକୁ। ଏହାପରଠାରୁ ସଂଖ୍ୟାଗରିଷ୍ଠ କାଉନ୍‌ସିଲର ଥିବା ବିଜେଡି ଏବଂ ପୌରାଧ୍ୟକ୍ଷ ପଦବୀ ଜିତିଥିବା ଭାଜପା ମଧ୍ୟରେ ଆରମ୍ଭ ହୋଇଛି କନ୍ଦଳ। ଏପରି ବାଦବିବାଦ କାରଣରୁ କୌଣସି ଗୋଟିଏ ବୈଠକ ମଧ୍ୟ ଠିକ୍‌ ଭାବେ ହୋଇପାରୁନାହିଁ। ଜୁଲାଇ ୩୦ରେ ଭେଣ୍ଡିଂ ଜୋନ୍‌ ଆବଣ୍ଟନକୁ ନେଇ ପୌର ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ଦୁଇ ରାଜନୈତିକ ଦଳର ସମର୍ଥକ ହାତାହାତି ହେବା ହେଉ କି ଅଗଷ୍ଟ ୩୧ ସ୍ବାୟତ୍ତ ଶାସନ ଦିବସରେ ଫଳକ ରାଜନୀତିକୁ ନେଇ ସାନ୍ଧ୍ୟ ଉତ୍ସବ ବାତିଲ ସବୁଥିରେ ରାଜନୈତିକ କ୍ଷମତା କନ୍ଦଳ ରହିଥିବା ସ୍ପଷ୍ଟ ହୋଇଛି। ପୌର ପରିଷଦର ୭୧ବର୍ଷ ଇତିହାସରେ ପ୍ରଥମ ଥର ସାନ୍ଧ୍ୟ ଉତ୍ସବ ବାତିଲ ହେବା ଯେତିକି ଚର୍ଚ୍ଚିତ ହୋଇଥିଲା, ତା’ଠାରୁ ବେଶି ଆଲୋଚନାର ବିଷୟ ପାଲଟିଥିଲା ଜଣେ କାଉନ୍‌ସିଲରଙ୍କ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ପୌର କର୍ମଚାରୀ କଲମ ଛାଡ଼ି ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବା। ତେବେ ଏହି ବିବାଦର ସବୁସୀମା ଟପିଯାଇଥିଲା ଗଣପର୍ବ ଲକ୍ଷ୍ମୀପୂଜାର ନୂତନ ସଭାପତି ପଦବୀ ଚୟନ ବୈଠକରେ। ପରମ୍ପରା ଅନୁଯାୟୀ ସୁନିଆ ପରଦିନ ଅର୍ଥାତ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ସୂର୍ଯ୍ୟମଣ୍ଡପରେ ଆୟୋଜିତ ବୈଠକରେ ଦୁଇ ପୂଜା ପ୍ରତିଷ୍ଠାନର ସଭାପତି ତଥା ରାଜନୈତିକ ଦଳ ସହ ସଂଶ୍ଳିଷ୍ଟ ଦୁଇଜଣ ବ୍ୟକ୍ତିଙ୍କ ନାମ ସଭାପତି ଭାବେ ଚୟନ କରିବା ଲାଗି ପ୍ରସ୍ତାବ ଆଗତ ହୋଇଥିଲା। ନିୟମ ଅନୁଯାୟୀ କେବଳ ପୂଜା ପ୍ରତିଷ୍ଠାନଗୁଡ଼ିକର ସଭାପତି ଏବଂ ସମ୍ପାଦକମାନେ ଉପସ୍ଥିତ ରହି ମିଳିତ ବଜାର ପୂଜା କମିଟି ସଭାପତିଙ୍କୁ ଚୟନ କରିବେ। ତେବେ ଏଥିରେ ଉଭୟ ଦଳର ସମର୍ଥକ ପ୍ରବେଶ କରିବାରୁ ବିବାଦ ତେଜିଥିଲା। ପରସ୍ପର ମଧ୍ୟରେ ଆକ୍ଷେପ-ପ୍ରତିଆକ୍ଷେପରୁ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ଶେଷରେ ସ୍ଥିତି ଏମିତି ହୋଇଥିଲା ଯେ ସଭାପତି ଚୟନ ବିନା ବୈଠକ ବାତିଲ କରିବାକୁ ପଡ଼ିଥିଲା। ଲକ୍ଷ୍ମୀପୂଜା ଇତିହାସରେ ଏଭଳି ଘଟଣା ପ୍ରଥମ ଥର ହୋଇଥିବା ବେଳେ ଆଗାମୀ ଦିନରେ ଭାଜପା-ବିଜେଡି କଳି ପାଇଁ ସହରବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଗଳିକନ୍ଦିରେ ଚର୍ଚ୍ଚା ହେଉଛି।

 

ଲକ୍ଷ୍ମୀପୂଜା ରାଜନୀତିର ପ୍ଲାଟ୍‌ଫର୍ମ ନୁହେଁ
ଲକ୍ଷ୍ମୀପୂଜା ଉତ୍ସବ କୌଣସି ରାଜନୀତିର ପ୍ଲାଟଫର୍ମ ନୁହେଁ। ଏହା ସହିତ ସହରବାସୀଙ୍କ ଭାବାବେଗ ଜଡ଼ିତ। ସଂକୀର୍ଣ୍ଣ ସ୍ବାର୍ଥ ପାଇଁ ଏଭଳି ବିବାଦ କରିବା ଠିକ୍‌ ନୁହେଁ। ରାଜନୈତିକ ଦଳର ନେତୃବୃନ୍ଦ ଏଥିପ୍ରତି ଯଥେଷ୍ଟ ସଚେତନ ହେବା ଉଚିତ।

-ନବୀନଚନ୍ଦ୍ର ନାରାୟଣ ଦାସ, ଜବାହର ଚୌକ ପୂଜା କମିଟି ସଭାପତି
ସବୁକ୍ଷେତ୍ରରେ ରାଜନୀତି ଭାଇଚାରାକୁ ନଷ୍ଟ କରୁଛି
ଜନପ୍ରତିନିଧିମାନେ ବିକାଶରେ ଧ୍ୟାନ ଦେବା ଉଚିତ। ହେଲେ ସବୁକ୍ଷେତ୍ରରେ ରାଜନୀତୀକରଣ ଭାଇଚାରାକୁ ନଷ୍ଟ କରୁଛି। ବିଜେଡି-ଭାଜପା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ପ୍ରତିହତ ନ ହେଲେ ଆଗାମୀ ଦିନରେ ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି।

-ସୁରେନ୍ଦ୍ର କୁମାର ମିଶ୍ର, ପୂର୍ବତନ ନଗରପାଳ
ଅତ୍ୟଧିକ ରାଜନୀତୀକରଣ ଠିକ୍‌ ନୁହେଁ
ଢେଙ୍କାନାଳର ଲକ୍ଷ୍ମୀପୂଜା ଭାଇଚାରା ପର୍ବ। ଏଠାରେ ଜଣେ ସାଧାରଣ ବୁଦ୍ଧିଜୀବୀ ମଧ୍ୟ ସଭାପତି ଭାବେ ଚୟନ ହୋଇଥିବାର ନଜିର ରହିଛି। କିନ୍ତୁ ଚଳିତ ଥର ନୂତନ ସଭାପତି ଚୟନ ବେଳେ ଯେଉଁ ଘଟଣା ଘଟିଲା, ତାହା ନିନ୍ଦନୀୟ। ପ୍ରତିକାର୍ଯ୍ୟରେ
ଅତ୍ୟଧିକ ରାଜନୀତିକରଣ ଠିକ୍‌ ନୁହେଁ।
-ପ୍ରଦ୍ୟୁମ୍ନ ରଥ, ଶିକ୍ଷାବିତ୍‌
ବିବାଦ ଯୋଗୁ ପରମ୍ପରା ଭଙ୍ଗ ହୋଇଛି
ସହର ଉନ୍ନତି ପାଇଁ ଜନପ୍ରତିନିଧିଙ୍କୁ ଚୟନ କରାଯାଇଛି। କିନ୍ତୁ ରାଜନୀତିକୁ ନେଇ ହେଉଥିବା ବିବାଦ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବାଧକ ନ ସାଜୁ। ବୈଠକରେ ଦୁଇ ଦଳର ସମର୍ଥକଙ୍କ ବିବାଦ ଯୋଗୁ ପରମ୍ପରା ଭଙ୍ଗ ହୋଇଛି, ଯାହା ଦୁଃଖ ଓ ପରିତାପର ବିଷୟ ା
-ବିଶ୍ୱନାଥ ବେହେରା, ମିଳିତ ବଜାର ପୂଜା କମିଟି ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବର୍ଷା, ଶର୍ମିଷ୍ଠାଙ୍କୁ ସ୍ବାଗତ ପାଇଁ ବିଜେଡିର ପ୍ରସ୍ତୁତି

ବଡ଼ଚଣା/ଛତିଆ,୨୫ା୪(ଦିଲୀପ କୁମାର ମହାନ୍ତି/ ସୌମ୍ୟ ରଞ୍ଜନ ସାହୁ)ଆସନ୍ତା ୨୬ ତାରିଖ ଶୁକ୍ରବାର ବଡ଼ଚଣା ବିଜେଡି ବିଧାୟକ ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀ ଓ ଯାଜପୁର ସାଂସଦ ପ୍ରାର୍ଥତ୍ନୀ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri