Posted inଖେଳ

କ୍ରୋଏସିଆ ବିପକ୍ଷରେ ବ୍ରାଜିଲ ପଲା ଭାରି

ଦୋହା, ୯।୧୨:ଚଳିତ ଫିଫା ବିଶ୍ୱକପ୍‌ରେ ଶୁକ୍ରବାର ୫ ଥର ଚାମ୍ପିୟନ ବ୍ରାଜିଲ ଏବଂ ଗତଥରର ରନରଅପ୍‌ କ୍ରୋଏସିଆ ମଧ୍ୟରେ କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହେବ। ଉଭୟ ଦଳ ଗ୍ରୁପ୍‌ ପର୍ଯ୍ୟାୟ ଏବଂ ରାଉଣ୍ଡ ଅଫ୍‌ ୧୬ରେ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଆଗାମୀ ମ୍ୟାଚ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବା ସମ୍ଭାବନା ରହିଛି। ରେକର୍ଡ ଦୃଷ୍ଟିରୁ କ୍ରୋଏସିଆ ବିପକ୍ଷରେ ବ୍ରାଜିଲ ପଲା ଭାରି ରହିଛି। ଉଭୟ ଦଳ ମଧ୍ୟରେ ଏହା ପୂର୍ବରୁ ମୋଟ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ବ୍ରାଜିଲ ୩ଟିରେ ବିଜୟୀ ହୋଇଥିବାବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି। ଅର୍ଥାତ୍‌ ବିଶ୍ୱକପ୍‌ରେ ବ୍ରାଜିଲ ବିପକ୍ଷରେ କ୍ରୋଏସିଆ କେବେ ବିଜୟ ସ୍ବାଦ ଚାଖିନାହିଁ। ଯଦି ଆଗାମୀ ମ୍ୟାଚରେ କ୍ରୋଏସିଆ ଜିତେ ତେବେ ଇତିହାସ ସୃଷ୍ଟି କରିବ।
ଚଳିତ ବିଶ୍ୱକପ୍‌ର ପ୍ରଦର୍ଶନକୁ ଦେଖିଲେ ମରକ୍କୋ ବିପକ୍ଷରେ ଗୋଲଶୂନ୍ୟ ଡ୍ର’ରୁ ଅଭିଯାନ ଆରମ୍ଭ କରିଥିବା କ୍ରୋଏସିଆ ପରବର୍ତ୍ତୀ ମ୍ୟାଚରେ କାନାଡ଼ାକୁ ୪-୧ ଗୋଲରେ ହରାଇ ଦେଇଥିଲା। ଶେଷ ଲିଗ୍‌ ମ୍ୟାଚରେ ବେଲଜିୟମ ସହିତ ଗୋଲଶୂନ୍ୟ ଡ୍ର ରଖି ଗ୍ରୁପ୍‌ ‘ଏଫ୍‌’ର ଅପରାଜେୟ ଦଳ ଭାବେ ନକ୍‌ଆଉଟରେ ପ୍ରବେଶ କରିଥିଲା। ଏହି ପର୍ଯ୍ୟାୟରେ ଦଳ ଜାପାନଠାରୁ କଡ଼ା ଚ୍ୟାଲେଞ୍ଜ ପାଇଥିଲେ ହେଁ ପେନାଲ୍ଟି ଶୁଟ୍‌ ଆଉଟରେ ୩-୧ ଗୋଲରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟପକ୍ଷରେ ଗ୍ରୁପ୍‌ ‘ଜି’ରେ ବ୍ରାଜିଲ କ୍ରମାଗତ ୨ଟି ମ୍ୟାଚରେ ସର୍ବିୟାକୁ ୨-୦ ଓ ସୁଇଜରଲାଣ୍ଡକୁ ୧-୦ ଗୋଲରେ ହରାଇ ନକ୍‌ଆଉଟରେ ପ୍ରବେଶ ସ୍ପଷ୍ଟ କରିଥିଲା। ଶେଷ ଗ୍ରୁପ୍‌ ମ୍ୟାଚରେ ଯଦିଓ ଦଳ ଅପେକ୍ଷାକୃତ ଦୁର୍ବଳ କାମେରୁନ ନିକଟରୁ ଗୋଟିଏ ଗୋଲରେ ହାରି ଯାଇଥିଲା ତେବେ ରାଉଣ୍ଡ ଅଫ୍‌ ୧୬ରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ହରାଇ ନିଜ ଶକ୍ତିର ପ୍ରମାଣ ଦେଇଥିଲା। କାଗଜପତ୍ର ରେକର୍ଡ ଦୃଷ୍ଟିରୁ ଯଦିଓ ବ୍ରାଜିଲ ଶକ୍ତିଶାଳୀ ରହିଛି ତେବେ କ୍ରୋଏସିଆ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ। ଆଗାମୀ ମ୍ୟାଚରେ ଉଭୟ ଦଳର କେତେଜଣ ଖେଳାଳିଙ୍କ ମଧ୍ୟରେ ହେଡ୍‌ ଟୁ ହେଡ୍‌ ମୁକାବିଲା ହେବା ସମ୍ଭାବନା ରହିଛି।
ନେମାର-ବ୍ରୋଜୋଭିକ୍‌
ବ୍ରାଜିଲ-କ୍ରୋଏସିଆ ମ୍ୟାଚରେ ନେମାର ଏବଂ ମାର୍ସେଲୋ ବ୍ରୋଜୋଭିକ୍‌ଙ୍କ ଉପରେ ନଜର ରହିବ। ବ୍ରାଜିଲର ପ୍ରଥମ ମ୍ୟାଚ ସର୍ବିୟା ବିପକ୍ଷରେ ନେମାର ପାଦରେ ଆଘାତ ପାଇଥିଲେ। ଫଳରେ ଏହାର ପ୍ରଶଂସକଙ୍କ ମନରେ ବିପର୍ଯ୍ୟୟ ଆଶଙ୍କା ରହିଥିଲା। ମାତ୍ର ସୌଭାଗ୍ୟବଶତଃ ନେମାର ସୁସ୍ଥହୋଇ ଦଳକୁ ଫେରିଲେ ଏବଂ ଦକ୍ଷିଣ କୋରିଆ ବିପକ୍ଷ ପ୍ରି-କ୍ୱାର୍ଟର ଫାଇନାଲରେ ଗୋଲ ମଧ୍ୟ ଦେଲେ। ତେବେ ଆଗାମୀ ମ୍ୟାଚରେ ନେମାରଙ୍କୁ କଡ଼ା ଟକ୍କର ଦେବେ କ୍ରୋଏସିଆର ବ୍ରୋଜୋଭିକ୍‌। ପିଢ଼ି ପରେ ପିଢ଼ି କ୍ରୋଏସିଆରେ ଅନେକ ତାରକା ମିଡ୍‌ଫିଲ୍ଡର ସୃଷ୍ଟି ହୋଇ ପାରିଛନ୍ତି। ସେମାନଙ୍କ ମଧ୍ୟରୁ ବ୍ରୋଜୋଭିକ୍‌ ଏବେ ଚର୍ଚ୍ଚାରେ ଅଛନ୍ତି। ଜାପାନ ବିପକ୍ଷ ମ୍ୟାଚରେ ସେ ୧୬.୭ କିଲୋମିଟର କଭର କରିଥିଲେ। ଏ କ୍ଷେତ୍ରରେ ସେ ୨୦୧୮ରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୧୬.୩ କିଲୋମିଟର ରେକର୍ଡକୁ ଭାଙ୍ଗିଥିଲେ। ଯଦି ବ୍ରୋଜୋଭିକ୍‌ ଫେଲ୍‌ ମାରନ୍ତି ତେବେ ବ୍ରାଜିଲର ଆକ୍ରମଣକୁ ରୋକିବା କ୍ରୋଏସିଆ ପକ୍ଷରେ କଷ୍ଟକର ହୋଇପଡ଼ିବ।
ରିଚାର୍ଲିସନ ବନାମ ଜାସ୍‌କୋ ଗାଭାର୍ଡିଅଲ
ବ୍ରାଜିଲିଆନ ନମ୍ବର-୯ରେ ରିଚାର୍ଲିସନ ବର୍ତ୍ତମାନ ସୁଦ୍ଧା ୩ଟି ଗୋଲ କରି ସାରିଛନ୍ତି। ଏଥିରୁ ୨ଟି ଗୋଲ ଅଫ୍‌ ଦି ଟୁର୍ନାମେଣ୍ଟ ଦୌଡ଼ରେ ସାମିଲ ହୋଇସାରିଛି। ଅନ୍ୟପକ୍ଷରେ ୨୦ ବର୍ଷୀୟ ଜାସ୍‌କୋ ଗାଭାର୍ଡିଅଲ ହେଉଛନ୍ତି କ୍ରୋଏସିଆ ରକ୍ଷଣଭାଗର ମେରୁଦଣ୍ଡ। ଏହି ପୋଜିଶନରେ ସେ ଅନେକ ୟୁରୋପିଆନ ଦଳକୁ ସାମ୍ନା କରି ସାରିଛନ୍ତି। ତେଣୁ ତାଙ୍କ ଉପସ୍ଥିତିରେ ରିଚାର୍ଲିସନ ନିଶ୍ଚିତ ପରୀକ୍ଷାର ସମ୍ମୁଖୀନ ହେବେ।
କାସେମିରୋ ବନାମ ଲୁକା ମୋଡ୍ରିକ
ବ୍ରାଜିଲର କାସେମିରୋ ଏବଂ କ୍ରୋଏସିଆର ଲୁକା ମୋଡ୍ରିକ ରିଅଲ ମାଡ୍ରିଡର ପୂର୍ବତନ ଟିମ୍‌ମେଟ୍‌। ସାଥିହୋଇ ଅନେକ ମ୍ୟାଚରେ ବିପକ୍ଷ ଦଳ ସହ ଲଢ଼େଇ କରିଥିବା ଏହି ଦୁଇ ଖେଳାଳି ଆଗାମୀ ମ୍ୟାଚରେ ପରସ୍ପର ବିରୋଧରେ ଲଢ଼ିବେ। କାସେମିରୋ ହେଉଛନ୍ତି ଚଳିତ ଟୁର୍ନାମେଣ୍ଟରେ ବ୍ରାଜିଲର ଅନ୍ୟତମ ତାରକା ଖେଳାଳି। ସୁଇଜରଲାଣ୍ଡ ବିପକ୍ଷରେ ବିଜୟ ସୂଚକ ଗୋଲ ତାଙ୍କ ଦକ୍ଷତାର ପ୍ରମାଣ ଦିଏ। ତାଙ୍କ ଉପସ୍ଥିତିରେ ବ୍ରାଜିଲ ମିଡ୍‌ଫିଲ୍ଡ ବେଶ୍‌ ଶକ୍ତିଶାଳୀ। ଅନ୍ୟପକ୍ଷରେ ୩୭ ବର୍ଷରେ ପଦାର୍ପଣ କରିଥିଲେ ହେଁ ମୋଡ୍ରିକ ଏବେ ମଧ୍ୟ କ୍ରୋଏସିଆ ଦଳର ପ୍ରାଣକେନ୍ଦ୍ର। ବିଶ୍ୱକପ୍‌ରେ ସେ ଅନେକ ରେକର୍ଡର ମଧ୍ୟ ଅଧିକାରୀ। ମିଡ୍‌ଫିଲ୍ଡରେ ତାଙ୍କ ଦକ୍ଷତା ବଳରେ କ୍ରୋଏସିଆ ଆଗକୁ ବଢ଼ିବାରେ ସକ୍ଷମ ହୋଇଛି। ତେଣୁ ଆଗାମୀ ମ୍ୟାଚରେ କାସେମିରୋ ଓ ମୋଡ୍ରିକଙ୍କ ଉପରେ ଉଭୟ ଦଳ ଅନେକ ପରିମାଣରେ ନିର୍ଭର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri