
ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ବାହାଡାଗୁଡ଼ା ଗ୍ରାମ ବୁଲାଣି ରାସ୍ତାକଡରୁ ମଙ୍ଗଳବାର ସକାଳେ ପାଟପୁର ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକ ଜଣକ ହେଲେ ବାଙ୍ଗରଡ଼ା ଗ୍ରାମର ସୁରଥ ଚୌଧୁରୀଙ୍କ ପୁଅ ଆଖଣ୍ଡଳ ଚୌଧୁରୀ(୨୬)। ସେ ରାତି ପ୍ରାୟ ୧୦ଟାରେ ଡେଙ୍ଗାଓସ୍ତା ଗ୍ରାମରୁ କାମସାରି ବୁଲେଟ ମୋଟରସାଇକେଲ ନଂ. ଓଡ଼ି୦୭ ଏଜେ -୫୫୮୭) ଯୋଗେ ଗାଁକୁ ଫେରୁଥିଲେ। ରାସ୍ତାର ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତାକଡର ଏକ ଖଜୁରୀ ଗଛକୁ ଧକ୍କା ଦେଇ ପଡ଼ିଯାଇଥିଲେ। ରାତି ପ୍ରାୟ ୨ଟାରେ କିଛି ବ୍ୟକ୍ତି ଫାସିଗୁଡ଼ା ଗ୍ରାମକୁ ଯାଉଥିବା ବେଳେ ସେ ରାସ୍ତାରେ ରକ୍ତାକ୍ତ ହୋଇ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପରେ ତାଙ୍କ ଘରକୁ ଯାଇ ଖବର ଦେଇଥିଲେ। ପାରିପାଶର୍ବିକ ସ୍ଥିତିରୁ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତାଙ୍କ ବାପା ସୁରଥ ପାଟପୁର ଥାନାରେ ଏତଲା ଦେବାପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ପରେ ଅପରାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୋଲିସ ଘଟଣାସ୍ଥଳରୁ ବୁଲେଟ ମୋଟରସାଇକେଲ( ନଂ. ଓଡ଼ି ୦୭ ଏଜେ – ୫୫୮୭)କୁ ଜବତ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।