ପଟ୍ଟାଙ୍ଗି,୨୫।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତରେ ପଡୋଶୀ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଉଭୟ ରାଜ୍ୟର ରାଜନୈତିକ ଦଳ ଠାରୁ ଆରମ୍ଭ କରି ପ୍ରଶାସନ କ୍ଷେତ୍ରରେ ତପ୍ତତରତା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଆନ୍ଧ୍ର ରାଜ୍ୟ ପକ୍ଷରୁ ଓଡ଼ିଶାର ଉକ୍ତ ପଞ୍ଚାୟତର ତିନି ଗ୍ରାମ ଯଥା ଫାଟୁସିନେରୀ, ଫଗୁଣସିନେରୀ ଓ ତଳ ଗଞ୍ଜେଇ ପଦର ଗ୍ରାମରେ ସରପଞ୍ଚ ଓ ଓ୍ବାର୍ଡ ସଭ୍ୟ ପାଇଁ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଅନ୍ୟପଟେ ଓଡିଶା ଏହାକୁ କିପରି ପ୍ରତିହତ କରିହେବ ଏହାକୁ ନେଇ କୋଟିଆ ପଞ୍ଚାୟତର ଫାଟୁସିନେରୀ, ଉପରସେମ୍ବି ଏବଂ ନେରିଡିବାଲସା ପ୍ରମୁଖ ତିନି ସୀମାନ୍ତ ଗ୍ରାମରେ ପୋଲିସ ପୋଷ୍ଟ୍ ସ୍ଥାପନ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କିନ୍ତୁ ସୁରକ୍ଷା ବ୍ୟବସ୍ଥା କଡାକଡି ଥିଲେ ମଧ୍ୟ ଆନ୍ଧ୍ର ଏକ ରାଜନୈତିକ ଦଳର ଦୁଇ ନେତା ଅନୁପ୍ରବେଶ କରି ଲୋକଙ୍କୁ ଏକାଠି କରି ଉଭୟ ଓଡିଶା ଏବଂ ଆନ୍ଧ୍ର ସରକାରର ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇ ପ୍ରତିବାଦ କରିଛନ୍ତି । ଏହାସହ ଓଡିଶା ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗା ଯାଇଥିବା ସରକାରୀ ଚିଠି କୁ ନିନ୍ଦା କରିଛନ୍ତି । ଏହିପରି ଦୃଶ୍ୟ ବୁଧବାର କୋଟିଆ ପଞ୍ଚାୟତର ଧୂଳଗପଦର ଗ୍ରାମରେ ଦେଖିବାକୁ ମିଳିଛି ।
ସୂଚନା ମୁତାବକ ଆନ୍ଧ୍ର ରାଜ୍ୟର ସିପିଏମ ଦଳର ଜିଲା କମିଟି ସଦସ୍ୟ ମାରି ଶ୍ରୀନିବାସ ରାଓ ଏବଂ କୋରାଡା ଈଶ୍ୱର ରାଓ ଦୁହେଁ ପ୍ରଥମେ ନେରିଡିବାଲସା ଗ୍ରାମରେ ପହଞ୍ଚିଥିଲେ । ଓଡିଶାର କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଘରର କାନ୍ଥରେ ଲାଗିଥିବା ନୋଟିସକୁ ଦେଖି ସୀମାନ୍ତବାସୀ କଣ ଏତେ ଜଘନ୍ୟ କାର୍ଯ୍ୟ କରିଛନ୍ତି ଯେ ସେମାନଙ୍କ ନାମରେ ଏହିପରି ନୋଟିସ୍ ଲଗାଇବା କେତେ ଦୂର ଠିକ୍ ବୋଲି ପ୍ରଶ୍ନ ଉଠାଇ ଏହାକୁ ନିନ୍ଦା କରିଥିଲେ । ଏହାପରେ ଦୁଇ ରାଜନୈତିକ ସଦସ୍ୟ ଉକ୍ତ ଗ୍ରାମରୁ ବାହାରି ଧୂଳଗପଦର ଗ୍ରାମରେ ପହଞ୍ଚି ଲୋକଙ୍କୁ ଏକାଠି କରି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ସମୟରେ ଉକ୍ତ ଗ୍ରାମବାସୀ ଓଡ଼ିଶାର କାର୍ଯ୍ୟକଳାପକୁ ନେଇ ଆମେ ଭୟଭୀତ ହୋଇ ଦିନ କାଟୁଥିବା ପ୍ରକାଶ କରିଥିଲେ । ଗ୍ରାମବାସୀଙ୍କ ଏହିପରି କଥାକୁ ନେଇ ଆନ୍ଧ୍ରରେ ବର୍ତ୍ତମାନ ରହିଥିବା ସରକାର ଯେତେବେଳେ କୋଟିଆର ତିନି ଗ୍ରାମରେ ନିର୍ବାଚନ କରିବାକୁ ଯାଉଛି କିପରି ସୀମାନ୍ତ ଗ୍ରାମବାସୀଙ୍କୁ ଏକାକୀ କରି ଚୁପଚାପ ରହିଛି ।
ଏହିପରିସ୍ଥଳେ ଚୁପ ନରହି ଉଭୟ ଓଡିଶା ଆନ୍ଧ୍ର ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ମାଧ୍ୟମରେ ବୁଝାମଣା କରି ସୀମାନ୍ତବାସୀଙ୍କ ସମସ୍ୟା ବୁଝିବା ସହ ସମାଧାନ କରି ସେମାନଙ୍କ ପାଖରେ ଛିଡ଼ା ହେବା ଉଚିତ୍ ବୋଲି କହିଥିଲେ । ଅନ୍ୟପକ୍ଷରେ ଦୁଇ ରାଜ୍ୟର ସୀମାନ୍ତ ଗ୍ରାମ ବା ପଞ୍ଚାୟତର ସମସ୍ୟା ଉପରେ କେନ୍ଦ୍ର ସରକାର ମଧ୍ୟ ହସ୍ତକ୍ଷେପ କରିବା ଦରକାର । ଉକ୍ତ ସରକାର ମଧ୍ୟ କାହିଁକି ଚୁପ ରହିଛନ୍ତି ବୋଲି ପ୍ରଶ୍ନ ଉଠାଇ ଏହାକୁ ଆମ ଦଳ ପକ୍ଷରୁ ନିହାତି ଦୃଷ୍ଟି ଆକର୍ଷଣ କରାଯିବ ଏବଂ ସୀମାନ୍ତ ଗ୍ରାମବାସୀ ଙ୍କ ପାଖରେ ଆମ ସବୁବେଳେ ଛିଡା ହୋଇ ରହିବୁ ବୋଲି ଗ୍ରାମବାସୀଙ୍କୁ ବୁଝାଇ ଆଶ୍ୱାସନା ଦେଇ ଫେରିଥିଲେ । ସେପଟେ ଆନ୍ଧ୍ର ର ନିର୍ବାଚନ ବ୍ୟବସ୍ଥାକୁ କିପରି ଭଣ୍ଡୁର କରିହେବ ଏହାକୁ ଦୃଷ୍ଟିରେ ରଖି କୋଟିଆରେ ଦୁଇଦିନ ଯଥା ୦୧ ଏବଂ ୦୨ ତାରିଖରେ ଲୋକ ମହୋତ୍ସବ ପରବ କାର୍ଯ୍ୟକ୍ରମ ପାଳନ ନିମନ୍ତେ ଓଡ଼ିଶା ପକ୍ଷରୁ ନେରିଡିବାଲସା ଗ୍ରାମ ନିକଟରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ଦେଖିବାକୁ ମିଳିଛି ।

