ଦିଗପହଣ୍ଡି,୨୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୨ ନମ୍ବର ୱାର୍ଡ ଅନ୍ତର୍ଗତ ଚିକିଟି ରୋଡ଼ ବାସିନ୍ଦା ତଥା ବିଶିଷ୍ଟ ଶିକ୍ଷାବିତ୍ ଲକ୍ଷ୍ମଣ ପଟ୍ଟନାୟକ (୮୧)ଙ୍କ ପରଲୋକ ହୋଇଯାଇଛି । ସେ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିବା ପରେ ଦିଗପହଣ୍ଡି ଠାରେ ଥିବା ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲର ପରିଚାଳନା ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରି ଆସୁଥିଲେ । ଜଣେ ବିଶିଷ୍ଟ ଶିକ୍ଷାବିତ ଭାବେ ସେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ମଧ୍ୟ ଜଡିତ ଥିଲେ।
ବୟାସାଧିକ୍ୟ କାରଣରୁ ଅସୁସ୍ଥ ଥିବା ଲକ୍ଷ୍ମଣଙ୍କ ପରଲୋକ ଖବରପାଇ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ଗୁପ୍ତେଶ୍ୱର ଶୈବପୀଠ ସମ୍ମୁଖରେ ଥିବା ହାଟତୋଟା ଶ୍ମଶାନକୁ ନିଆଯାଇ ଅନ୍ତିମସଂସ୍କାର କରାଯାଇଥିଲା। ବଡପୁଅ ଆଇନଜୀବି ରଞ୍ଜନ କୁମାର ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

