ଛେପ ନିୟମକୁ ଫୁ

ମାନସ ରଞ୍ଜନ ବିଶ୍ୱାଳ

ମହାମାରୀ କରୋନା ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ତମାଖୁ ସେବନ ଉପରେ ପ୍ରତିବନ୍ଧକ ଲଗାଇବା ସହ ବିକ୍ରେତା ଏବଂ ସେବନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ସହ ସର୍ବସାଧାରଣ ଜାଗାରେ ଛେପ ପକାଇଲେ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ । ତମାଖୁ କେବଳ ଏ ମହାମାରୀ କରୋନା କାହିଁକି ବରଂ ଅନେକ ଦୁରାରୋଗ୍ୟ ବ୍ୟାଧିର କାରଣ ସାଜିଛି ।
କମଳମତି ଛୋଟ ଛୋଟ ପିଲାମାନେ ମଧ୍ୟ ଆଜି ବିଭିନ୍ନ ପ୍ରକାର ଗୁଟ୍‌ଖା ସେବନ କରୁଥିବାର ସାଧାରଣରେ ଦେଖିବାକୁ ମିଳୁଛି। ଆମ ରାଜ୍ୟର ଏମିତି ଏକ ବଜାରଠାରୁ ଗାଁ, ପଡାଗାଁ, ସାହି, ବସ୍ତି ନାହିଁ ଯେଉଁଠି ଗୁଟ୍‌ଖା ଏବଂ ମାରାତ୍ମକ ମସଲାଯୁକ୍ତ ପାନ ମିଳୁନାହିଁ। ସରକାରଙ୍କ ଉପରୋକ୍ତ ତମାଖୁ ଆଇନକୁ ସତେ ଯେମିତି ତମାଖୁ ବିତରକ ଏବଂ ସେବନକାରୀ ଛେପ ପକାଇ ଥୁ କରି ଦେଇଛନ୍ତି। କିଛିଦିନ ତଳେ ଲକ୍‌ଡାଇନ ଶଟ୍‌ଡାଉନର କଠୋର ନିୟମରେ ଦୋକାନ ବଜାର ବନ୍ଦ ହେଲା ସିନା ଲୁଚାଛପାରେ ଚିହ୍ନା ପରିଚିତ ଦେଖି ନାଗୁଆ ମାସିକିଆ ଖାତାଧାରୀ ଗରାଖମାନଙ୍କ ପାଇଁ ଦୋକାନୀ ଆଗତାଲା ପଛମେଲା ନ୍ୟାୟରେ ତମାଖୁଯୁକ୍ତ ପାନ ଓ ଗୁଟ୍‌ଖା ବିତରଣ କଲେ। ଏତେ କଠୋର ନିୟମ ଚଢାଉ, ଯାଞ୍ଚ, ମାଡ, ଜରିମାନା ସତ୍ତ୍ୱେ ଏ ବେପାର କିନ୍ତୁ ଆଗ ଅପେକ୍ଷା ବନ୍ଦକୁ ଆଳକରି ଡବଲ ଦାମରେ ଘୋ ଘୋରେ ଚାଲିଲା।
ଭାରତ ସରକାରଙ୍କ ନିୟମକୁ ରାଜ୍ୟ ସରକାର ଅନୁପାଳନ କରିବା ପାଇଁ ଆଉପାଦେ ଆଗକୁ ଯାଇ ଜିଲାପାଳଙ୍କଠାରୁ ଅନ୍ୟାନ୍ୟ ଉଚ୍ଚଅଧିକାରୀ ଛେପ ଜଗିବେ ବୋଲି ଘୋଷଣା କରିବା ସହିତ ପୋଲିସ ପ୍ରଶାସନ କୌଣସି ଲୋକ ସର୍ବସାଧାରଣ ଜାଗାରେ ଛେପ ପକାଇଲେ ଜରିମାନା ଆଦାୟ କରିବାକୁ ଜରୁରୀ ଘୋଷଣାନାମା ଜାରି କଲେ। ହେଲେ କାର୍ଯ୍ୟକାରିତା ଏବଂ ଉତ୍ତର -ଦାୟିତ୍ୱବୋଧ ପ୍ରକାଶ ପାଇଲା ନାହିଁ। ୨୦୧୩ ଆରମ୍ଭରେ ତମାଖୁ ବା ନିକୋଟିନଯୁକ୍ତ ଗୁଟ୍‌ଖା/ପାନମସଲାର ଉତ୍ପାଦନ, ଗଚ୍ଛିତକରଣ, ବିତରଣ ଏବଂ ଖାଉଟି ଦୋକାନରେ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଥିଲେ ସରକାର। ଜିଲା ସ୍ତରରେ ସ୍କ୍ବାଡ, ସ୍ବତନ୍ତ୍ର ସେଲ୍‌ ଚଢାଉ ଜୋରଦାର ଜିଲାର ଅବକାରୀ ଅଧିକାରୀ, ଆରକ୍ଷୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନ୍ବୟନର ସ୍ବତନ୍ତ୍ର ଅନୁଶାସନ, ଉତ୍ତରଦାୟିତ୍ୱ ଇତ୍ୟାଦି ଇତ୍ୟାଦି ସେତେବେଳେ ଘୋଷଣା ମଧ୍ୟ କରାଯାଇଥିଲେ। କନ୍ତୁ ଗୁଟ୍‌ଖା ପାନମସଲାର କୃତ୍ରିମ ଅଭାବ ସୃଷ୍ଟି କରି ଦୁଇଟଙ୍କାର ଜିନିଷ ପାଞ୍ଚ ଟଙ୍କା ଓ ପାଞ୍ଚଟଙ୍କାର ଜିନିଷକୁ ଦଶ ଟଙ୍କାରେ ବିକ୍ରି କଲେ କେହି କିଛି ଜାଣିପାରିଲେ ନାହିଁ। ଯୁଆଡେ ଆଖି ବୁଲାଇବ ସିଆଡେ ନୂଆ ରୂପରେ ଗୁଟ୍‌ଖାର ମାଳ ଦୃଶ୍ୟମାନ ହେବ। ପୂରା ଖୁଲମ୍‌ଖୁଲା ବେପାର। ଏ ନିଷେଧାଦେଶ କେବଳ ସରକାର ଫାଇଲ ଭିତରେ ବନ୍ଦ ହୋଇଯାଇଛି ବୋଧେ, କାରଣ ଯେଉଁମାନେ ତମାଖୁଯୁକ୍ତ ଗୁଟ୍‌ଖା ପାନମସଲାରେ ଅଭ୍ୟସ୍ତ ସେମାନେ ତ ଚିରାଚରିତ ଢଙ୍ଗରେ ପୂର୍ବଭଳି ଯେଉଁଠିନାହିଁ ସେଠି ଗୁଟ୍‌ଖା ଜରିଚିରି ମୁହଁକୁ ଉପର କରି ଖାଉଛନ୍ତି ତ ଆଉ କିଏ କିଏ ପାନର ଅଗରୁ ଟିକିଏ ଛିଡ଼ାଇ ଦେଇ ପାଟିରେ ଝୁଲିଆ ବଳଦ ପରି ପାକୁଳି କରୁଛନ୍ତି। ଆଉ କେହି କେହି ଗୁଟ୍‌ଖାକୁ ହାତରେ ଢାଳି ଖାଇବା ପରେ ହାତକୁ ଫୁ କରି ହାତରେ ଲାଗିଥିବା ଚୂନଯୁକ୍ତ ଦ୍ରବ୍ୟକୁ ଉଡାଇବା ଭଳି ସରକାରଙ୍କ ନିୟମକୁ ଫୁ କରି ଦେଉଛନ୍ତି। ବିଗତ ଦିନର ସେହି ନିଷେଧାଦେଶ ପରବର୍ତ୍ତୀ ଅବସ୍ଥାରେ ବେପାର ପାଇଁ ଫ୍ୟାକ୍ଟ୍ରି ବସାଇଥିବା ମାଲିକମାନେ ଅତି ଚତୁରତା ସହ ସରକାରୀ ନିଷେଧାଦେଶକୁ ଚୂନ ଲଗାଇବା ପାଇଁ ଗୁଆ-ଚୂନ-ମଧୁରି, ଅଲଗା ଏବଂ ତମାଖୁ ଅଲଗା କରି ଦୁଟି ପ୍ୟାକେଟରେ ଗୁଟ୍‌ଖା ବଜାରକୁ ଛାଡ଼ିଲେ। ଆଗ ଅପେକ୍ଷା ଏମିତି କରିବା ଦ୍ୱାରା ସମ୍ପୂର୍ଣ୍ଣ ଫ୍ରୀରେ ବ୍ୟାପକ ଭାବରେ ବେପାର ଆସର ଜମିଲା। ଆଗ ଅପେକ୍ଷା ଦାମ୍‌ ବି ବଢିଲା। ସେବନ କରୁଥିବା ଲୋକଟି ସିନା ଶୋଷିତ ହେଲା କିନ୍ତୁ ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ସମ ପରିମାଣର ଲାଭାଂଶ ବୃଦ୍ଧିରେ ମାଲାମାଲ ହୋଇ ଖୁସିରେ ବେପାର କଲେ।
ଜଣେ ବରିଷ୍ଠ ବଜାର ବିଶେଷଜ୍ଞଙ୍କ ମତରେ ୨୦୧୨ ଶେଷ ବେଳକୁ ଓଡିଶାରେ ପ୍ରାୟ ୧୩୦୦ରୁ ୧୪୦୦ କୋଟି ଟଙ୍କାର ତମାଖୁଯୁକ୍ତ ଗୁଟ୍‌ଖା ପାନମସଲା ବଜାର ପ୍ରବେଶ କରିଥିଲା। ଆଉ ଏହି ପରିମାଣର ତମାଖୁ ବେପାରରୁ ସରକାର ପାଖାପାଖି ତିନିଶହ କୋଟି ରାଜସ୍ବ ପାଇଥିବା ଅନୁମାନ କରାଯାଏ। କାରଣ ଗୁଟ୍‌ଖା ପାନମସଲା ପରି ତମାଖୁଯୁକ୍ତ ବେପାରରୁ ସରକାରଙ୍କ ଟିକସ ପରିମାଣ ଟିକେ ଅଧିକା। ହେଲେ ନିଷେଧାଦେଶ ପରେ ଆଇନତଃ ଆଉ ତମାଖୁଯୁକ୍ତ ଗୁଟ୍‌ଖା ସମ୍ପୂର୍ଣ୍ଣ ବନ୍ଦ। ଆଉ ଆଜି ଯେଉଁ ଗୁଟ୍‌ଖା ମିଳୁଛି ତାହା ଗୁଟ୍‌ଖା ନୁହେଁ, ବରଂ ପାନମସଲା। ଏହା ଶହେ ଶହେ ବୁଦ୍ଧିମାନର ଖେଳ। ଗୁଟ୍‌ଖା ଉପରେ ପୂର୍ବରୁ ନିର୍ଦ୍ଧାରିତ ଟିକସ ଥିଲା ୨୫ ଭାଟ ଏବଂ ୬୦ ଏକ୍‌ସାଇଜ ଡ୍ୟୁଟି, ତନଖିଫାଟକ ଶୁଳ୍କ ଏବଂ ବିକ୍ରିକର। ଏବେ ଗୁଟ୍‌ଖାର ନାମକରଣରେ ପରିବର୍ତ୍ତନ ଆସିବା ପରେ ଏକ୍‌ସାଇଜ ଡ୍ୟୁଟି ବାବଦ ୬୦ଭାଗ ଟିକସରୁ ସମ୍ପୂର୍ଣ୍ଣ ମୁକ୍ତି। କାରଣ ଏଥିରେ ନା ଅଛି ତମାଖୁ ନା ଏହା ଗୁଟ୍‌ଖା,ଏବେ ତ ଏହା ସମ୍ପୂର୍ଣ୍ଣ ଆଇନସିଦ୍ଧ ପାନ ମସଲା। ଏହା କୁଆଡେ ଏକ୍‌ସାଇଜର ପରିସରଭୁକ୍ତ ନୁହେଁ। ଏକ ସୁପରିକଳ୍ପିତ ଢଙ୍ଗରେ ମାରିନେଲେ ମହାପାତ୍ରେ ଚାହିଁଥାରେ ଜଳକା ନ୍ୟାୟରେ ସମସ୍ତେ ଚୁପ। ଗୁଟ୍‌ଖା ଏବେ ପାନ ମସଲା ଭାବରେ ବଜାରରେ ଉପଲବ୍‌ଧ। ସାଧାରଣରେ ଯାହା ଏବେ ପ୍ରତ୍ୟେକ ପାନ ଚା ଜଳଖିଆ ଦୋକାନର ସମ୍ମୁଖ ଭାଗରେ ଦୃଶ୍ୟମାନ।
ସରକାର ଏବେ ଅନ୍ୟ ନିଶାଦ୍ରବ୍ୟ ଉପରେ ଯେତିକି ତତ୍ପର ହୋଇଛନ୍ତି ଯଦି ତାହାର ଶତକଡା ୫୦ ଭାଗ ନଜର ଗୁଟ୍‌ଖା ନିଷିଦ୍ଧ ଉପରେ ଦିଅନ୍ତେ ତେବେ ଅନାୟାସରେ ଏହା ବନ୍ଦ ହୋଇପାରନ୍ତା। ଗୁଟ୍‌ଖା ପାନଖିଆଳିମାନେ ମଧ୍ୟ ସଚେତନ ହେବାର ବେଳ ଆସିଛି। କାରଣ ପାଞ୍ଚ ଦଶ ଟଙ୍କାର ପାନ ଗୁଟ୍‌ଖା ପାଇଁ ପଞ୍ଚଶହ ଟଙ୍କା ଜରିମାନା ଦେବାକୁ ପଡିପାରେ। ଏହିସବୁ ମାରାତ୍ମକ ଦ୍ରବ୍ୟ ସେବନ କରି ନିଜର, ନିଜ ପରିବାରର ଭବିଷ୍ୟତ ଅନ୍ଧକାର ଆଡକୁ ନେଉଥିବା ବେଳେ ଅନେକ ଅର୍ଥ ବି ଶ୍ରାଦ୍ଧ ହେଉଛି। ଏହି ବଦ ଅଭ୍ୟାସ ପାଇଁ କରୋନା ସମୟରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇ କାହାର ଜୀବନ ପାଇଁ କାହିଁକି ବିପଦ ସାଜିବା। ଯୁଆଡେ ଯାଉଛେ ସିଆଡେ ସୁନ୍ଦର କାନ୍ଥବାଡକୁ ଛିଟଛେପରେ ବିବର୍ଣ୍ଣ କରିପକାଇଉଛେ । ଏହାକୁ ସେବନ କରି ନିଜେ ତ ରୋଗ କିଣୁଥିଲେ ଏବେ ଆଉ କାହାର ରୋଗର କାରଣ ସାଜିବା । ଗୋଟିଏ କଥା ବୁଝିହେଉନାହିଁ ତମାଖୁଯୁକ୍ତ ଦ୍ରବ୍ୟ ଯଦି ମାନବ ସମାଜର ଏଭଳି କ୍ଷତି ଘଟାଉଛି ତେବେ ସରକାର ‘ମୂଳୁମାରିଲେ ଯିବ ସରି’ ନୀତି କାହିଁକି ଗ୍ରହଣ କରୁନାହାନ୍ତି। ତମାଖୁଯୁକ୍ତ ଦ୍ରବ୍ୟ ପ୍ରସ୍ତୁତକାରୀଙ୍କ ବିରୋଧରେ କଠୋରରୁ ଅତି କଠୋର ଦଣ୍ଡବିଧାନ ସହିତ ଯଦି ଫ୍ୟାକ୍ଟ୍ରି ସିଜ୍‌ କରିବା, ଷ୍ଟକିଷ୍ଟ, ହୋଲସେଲରଠାରୁ ତଳସ୍ତର ବିକ୍ରେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସଚେତନ କରାଇବା ସହ ଅମାନିଆ ହେଲେ ଦଣ୍ଡିତ କରାଯାଇପାରନ୍ତା ତେବେ ନିଶ୍ଚୟ ଏଭଳି ଏକ ସାଇଲେଣ୍ଟ କିଲର ବଜାରରୁ ଦୂରେଇ ଯାଆନ୍ତା। କେବଳ ଏହି ମହାମାରୀ କରୋନା ପାଇଁ ଛେପକୁ ଗୁରୁତ୍ୱ ଦେଇ କରୋନା ବିଜୟ ପରେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ। ଛେପ ରୋକିବାରେ ଜରିମାନା/ଦଣ୍ଡାଦେଶ ସୀମିତ ନ ରହି ବାଉଁଶ ଥିବ ଯେ ବଇଁଶୀ ବାଜିବ ନୀତି ଅବଲମ୍ବନ କରାଯାଉ। ଆଉ ଏହା ଯଦି ସମ୍ଭବ ହୁଏ ତେବେ ଆମେ ସମସ୍ତେ ଗର୍ବରେ କହିପାରିବା ଆମ ରାଜ୍ୟ ଆଜି ଏକ ମାରାତ୍ମକ ସାଇଲେଣ୍ଟ କିଲରକୁ ସମୂଳେ ଧ୍ୱଂସକରି ଏବେ ସର୍ବସାଧାରଣ ସୁନ୍ଦର ଜାଗାଠାରୁ ନିଜ କାନ୍ଥବାଡ ଝରକା କବାଟ ଅଗଣା ପର୍ଯ୍ୟନ୍ତ ଛିଟଛେପ ମୁକ୍ତ ଓଡ଼ିଶାରେ ପରିଣତ ହୋଇଛି।
ଭୁବନପୁର, ଗଡମଧୁପୁର, ଧର୍ମଶାଳା, ଯାଜପୁର, ମୋ:୮୧୪୪୧୧୮୯୦୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri