Posted inUncategorized

ତିକ୍ତତାରୁ ହତ୍ୟା: ରାଜଧାନୀରେ ରକ୍ତର ହୋରି

ରାଜଧାନୀ ଭୁବନେଶ୍ୱରରେ କିଛିମାସ ମଧ୍ୟରେ ଏକାଧିକ ହତ୍ୟାକାଣ୍ଡ ଘଟିଛି। ରକ୍ତର ହୋରି ଖେଳିଛନ୍ତି ଅପରାଧୀ। ତେବେ ସୋମବାର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗୀ ଅଞ୍ଚଳରେ ଜଣେ ମହିଳାଙ୍କ ହତ୍ୟା ଘଟଣା ଅତ୍ୟନ୍ତ ବୀଭତ୍ସ ଓ ହୃଦୟବିଦାରକ ଥିଲା। ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ ରିଙ୍କିଙ୍କୁ ହତ୍ୟା କରିବାକୁ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ସତେ ଯେମିତି ରକ୍ତମୁଖା ହୋଇଯାଇଥିଲେ। ପ୍ରିୟଙ୍କାଙ୍କ ତଣ୍ଟି ଓ ଶରୀରକୁ ଛୁରିରେ କାଟି ମାରିବା ପରେ ନିଜ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘର ଭିତର ଚାରିଆଡେ ରକ୍ତର ଛିଟା ପଡିଥିବାବେଳେ ଚଟାଣ ସାରା ରକ୍ତର ସୁଅ ଛୁଟୁଥିଲା।
କମିଶନରେଟ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ବିଶେଷକରି ସମ୍ପର୍କରୁ ହତ୍ୟାକାଣ୍ଡର ଖିଅ ଖୋଜୁଛି। ପ୍ରିୟଙ୍କାଙ୍କ ସହ ଜଗନ୍ନାଥଙ୍କର ପୂର୍ବରୁ ଚିହ୍ନା ପରିଚିତ ଥିବା ପୂରା ଘଟଣାରୁ ଜଣାପଡୁଛି। ସମ୍ପର୍କରେ ତିକ୍ତତା ପରେ ଜଗନ୍ନାଥ ପ୍ରତିଶୋଧ ନିଆଁରେ ଜଳୁଥିଲେ। ହତ୍ୟା କରି ନିଜେ ଆତ୍ମହତ୍ୟା କରିବାକୁ ବହୁ ପୂର୍ବରୁ ଚରମ ନିଷ୍ପତ୍ତି ନେଇଥିବା ଜବତ ଚିଠି ଓ ଅନ୍ୟ ସୂତ୍ରରୁ ପୋଲିିସ ଜାଣିବାକୁ ପାଇଛି। ତେବେ ସେମାନଙ୍କ ମଧ୍ୟରେ କେଉଁ ସମ୍ପର୍କ ଥିଲା, ବିବାହ ପରେ ପ୍ରିୟଙ୍କା ଦୂରେଇ ଦେଇଥିଲେ କି, ଏସବୁ ପରିବାର ଲୋକେ ଜାଣି ଥିଲେ କି ନା ନାହିଁ, ପୂର୍ବାହ୍ନ ଜଗନ୍ନାଥ ତାଙ୍କ ଘରକୁ ଆସିଥିଲେ କି, ହତ୍ୟା ପଛରେ ଆଉ କ’ଣ କାରଣ ଥାଇପାରେ ତାହାକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି।

ମାରିବି, ମରିବି
ହତ୍ୟାକାଣ୍ଡ ଘଟିଥିବା ଘରୁ ପୋଲିସ ଏକ ଚିଠି ଜବତ କରିଛି। ଉକ୍ତ ଚିଠିଟି ଅଭିଯୁକ୍ତ ଜଗନ୍ନାଥ ଲେଖିଥିବା ଜଣାପଡୁଛି ବୋଲି ପୋଲିସ କହିଛି। ପୂର୍ବ ସମ୍ପର୍କର ତିକ୍ତତା ଯୋଗୁ ସେ ପ୍ରିୟଙ୍କା ଓ ତାଙ୍କ ପୁଅକୁ ମାରିବା ପରେ ନିଜେ ଆତ୍ମହତ୍ୟା କରିବେ ବୋଲି ସେଥିରେ ଉଲ୍ଲେଖ ରହିଛି। କୌଣସି କାରଣରୁ ପ୍ରତିହିଂସା ପରାୟଣ ହୋଇ ଅଭିଯୁକ୍ତ ହତ୍ୟା କରିଥିବା ଏହି ଚିଠିରୁ ଜଣାପଡୁଛି।
ହତ୍ୟାକାରୀଙ୍କୁ ଫାଶୀ ଦିଆଯାଉ
ମୋ ଝିଅ ଜ୍ୱାଇଁଙ୍କର ପାରିବାରିକ ସମ୍ପର୍କ ବହୁତ ଭଲ ଚାଲିଥିଲା। ସେ ଜ୍ୱାଇଁ ନୁହେଁ, ମୋ ବଡ଼ ପୁଅ ଭଳି। ତେବେ ହତ୍ୟାକାରୀ ମୋ ଝିଅକୁ କାହିଁକି ମାରିଲା, ତା’ର ମୋ ଝିଅ ସହ କିଭଳି ପରିଚୟ ହେଲା ମୁଁ କିଛି ଜାଣି ନାହିଁ। ଏମିତିକି ମୁଁ ତାଙ୍କୁ ମଧ୍ୟ ଜାଣିନାହିଁ। ମୋ ଝିଅର ଏକ ଛୋଟ ପୁଅ ଥିବାବେଳେ ସେ ଏବେ ମା’ ଛେଉଣ୍ଡ ହୋଇଗଲା। ଏଭଳି ଅପରାଧୀଙ୍କୁ ଫାଶୀ ଦିଆଯାଉ ବୋଲି ପ୍ରିୟଙ୍କାଙ୍କ ମା’ କାନ୍ଦି କାନ୍ଦି କହିଛନ୍ତି।
ଗ୍ରସେରୀ କିଣି ଫେରିବା ପରେ ହତ୍ୟା
ହତ୍ୟାର କିଛି ସମୟ ପୂର୍ବରୁ ମହିଳା ଜଣକ ମୋ ଦୋକାନ ପାଖରେ ଥିବା ଏକ ଗ୍ରସେରୀ ଦୋକାନକୁ ଆସିଥିଲେ। ଜିନିଷ କିଣି ସାରିବା ପରେ ଘର ଭିତରକୁ ପଳାଇଥିଲେ। ପରେ ଜଣେ ଯୁବକ ତାଙ୍କ ଘରକୁ ଯାଇଥିଲେ। ଏହାର କିଛି ସମୟ ପରେ ତାଙ୍କୁ ହତ୍ୟା କରାଯାଇଥିବା ଜାଣିଲୁ ବୋଲି ଘର ସମ୍ମୁଖରେ ଥିବା ଜଣେ ଦୋକାନୀ କହିଛନ୍ତି।

 

ପ୍ରିୟଙ୍କା ହତ୍ୟାକାଣ୍ଡକୁ ମିଶାଇ ରାଜଧାନୀରେ ୫ ମାସରେ ୮ଜଣଙ୍କୁ ହତ୍ୟା ହୋଇଛି। ଫେବୃୟାରୀ ୪ରେ ଜଣେ ମହିଳାଙ୍କ ମୁଣ୍ଡ କାଟି ଅନ୍ଧାରୁଆ ଅଞ୍ଚଳରେ ଫିଙ୍ଗି ଦିଆଯାଇଥିଲା। ସେହିଦିନ ଚନ୍ଦ୍ରଶେଖରପୁର ବିର୍ସାମୁଣ୍ଡା ବସ୍ତିରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ପିଟି ମାରିଦେଇଥିଲେ। ସେହିପରି ମାର୍ଚ୍ଚ ୩ରେ ନୟାପଲ୍ଲୀରେ ରାସ୍ତା ଉପରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭିତରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବାବେଳେ ମେ ୧୦ରେ ଧଉଳି ଥାନା ଅଞ୍ଚଳରେ ଜଣେ କାଠମିସ୍ତ୍ରୀଙ୍କୁ ବେକ କାଟି ଫିଙ୍ଗି ଦିଆଯାଇଥିଲା। ଜୁନ୍‌ ୬ରେ ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ପଥରେ ଛେଚି ହତ୍ୟା, ୮ ତାରିଖରେ ଲକ୍ଷ୍ମୀସାଗର ଥାନାଞ୍ଚଳରେ ଜଣେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା ଓ ୧୨ରେ ଆଉଜଣେ ଶ୍ରମିକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା।

 

ସ୍ବାମୀଙ୍କୁ ଖୁସିରେ ବାଟେଇ ଦେଇଥିଲେ
ସକାଳ ପ୍ରାୟ ସାଢ଼େ ୯ଟାରେ ରାକେଶ ଅଫିସ ବାହାରିଥିଲେ। ଘର ସମ୍ମୁଖ ଗେଟ ବାହାରେ ସେ ବାଇକ ଉପରେ ବସିଥିବାବେଳେ ସ୍ତ୍ରୀ ପ୍ରିୟଙ୍କା କୁନି ପୁଅକୁ ଧରି କିଛି ସମୟ ସ୍ବାମୀଙ୍କ ସହ ହସିହସି କଥା ହେଉଥିଲେ। କୁନି ପୁଅ ଗେଲ କରିବା ପରେ ରାକେଶ ଅଫିସ ଯିବାକୁ ଗାଡି ଷ୍ଟାର୍ଟ କରିଥିଲେ। ପ୍ରିୟଙ୍କା ସ୍ବାମୀଙ୍କୁ ହସିହସି ବାଟେଇ ଦେଇ ଘର ଭିତରକୁ ଯାଇଥିଲେ। ହେଲେ ହଠାତ୍‌ ସାଢେ ୧୨ଟା ବେଳକୁ ପିସିଆର ଭ୍ୟାନ୍‌ ଓ ଆମ୍ବୁଲାନ୍ସ ଦେଖିବା ସହ ମହିଳାଙ୍କୁ ହତ୍ୟା କରାଯାଇଥିବା ଜାଣି ମୁଁ ହତବାକ ହୋଇଗଲି। କିଛି ସମୟ ପରେ ଘରୁ ଷ୍ଟ୍ରେଚରରେ ଜଣେ ଅଜଣା ଆହତ ଯୁବକଙ୍କୁ ବାହାରକୁ ଅଣାଗଲା। – ଅରୁଣ କୁମାର ମହାପାତ୍ର, ପଡ଼ୋଶୀ

 

ଅଫିସ୍‌ରେ ଥିବାବେଳେ ହଠାତ୍‌ କଲ୍‌ ଆସିଲା
ରାକେଶ ୟୁରେକା ଓ୍ବାଟର ପ୍ୟୁରିଫାୟର କମ୍ପାନୀରେ କାମ କରିବାବେଳରୁ ଆମେ ଏକାଠି ଚଳୁଥିଲୁ। ରାକେଶ ରହୁଥିବା ୪ଟି ଘର ଛାଡି ମୋ ଘର। ଆଜି ଅଫିସ ଆସିବାବେଳେ ଆମେ ଦୁହେଁ ଖୁସିଗପ କରିଥିଲୁ। ଅଫିସ୍‌ରେ କାମ ସମୟରେ ହଠାତ ରାକେଶ୍‌ ଏକ ଫୋନ୍‌ କଲ୍‌ ପାଇ ବ୍ୟସ୍ତ ହୋଇ ବାହାରିଯାଇଥିଲେ। କିଛି ସମୟ ପରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରାଯାଇଥିବା ଶୁଣି ବିଶ୍ୱାସ କରିପାରିଲିନି। ଅଭିଯୁକ୍ତକୁ କଠୋର ଶାସ୍ତି ମିଳିବା ଦରକାର। – ବିକ୍ରମ, ରାଜେଶଙ୍କ ଅଫିସ ସହକର୍ମୀ

 

ଘର ଭିତର ଦୃଶ୍ୟ ଭୟଙ୍କର ଥିଲା
ମାର୍କେଟିଂ କରିବାକୁ ଯିବା ସମୟରେ ଗହଳି ଦେଖି ଅଟକି ଯାଇଥିଲି। ଘର ଭିତରୁ ପାଟିତୁଣ୍ଡ ସହ କବାଟ ପିଟିବାର ଶବ୍ଦ ଶୁଣାଗଲା। କ’ଣ ହୋଇଛି ଭାବି ସେଠାକୁ ଯାଇ ଦେଖିବାବେଳକୁ ଘର ମାଲିକ କବାଟକୁ ଭାଙ୍ଗୁଥିବା ଦେଖିବାକୁ ମିଳିଥିଲା। କବାଟ ଭାଙ୍ଗିବା ପରେ ଘର ଭିତରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ଶରୀର ପଡିଥିବାବେଳେ ପାଖରେ ଜଣେ ଯୁବକ ମଧ୍ୟ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିଲେ। ଘର ଭିତରର ଏହି ଭୟଙ୍କର ଦୃଶ୍ୟ ଦେଖି ମୋ ଦେହ ଥରିଉଠିଥିଲା। କେମିତି ଜଣେ ଲୋକର ହାତ ଗଲା ଏମିତି ହତ୍ୟା କରିବାକୁ!
– ଲିଙ୍ଗରାଜ ବେହେରା, ସ୍ଥାନୀୟ ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ବର୍ଷା କଲେ କୋହଲି-ଗିଲ୍‌: ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଦେଲେ ୭ ବଡ଼ ରେକର୍ଡ

ତିରୁଭାନନ୍ତପୁରମ,୨୮।୯: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ପ୍ରଥମ ୨୦ ଓଭର ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ର ଓପନିଂ ଯୋଡ଼ି ୧୩୫ ରନ୍‌ର ଭାଗିଦାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?