ନୂଆଦିଲ୍ଲୀ, ୧୦ା୮: ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ ୨୦୧୯-୨୦ ବର୍ଷରେ ଭାଜପା ୨,୫୫୫ କୋଟି ଟଙ୍କା ସଂଗ୍ରହ କରିଛି, ଯାହା କି ମୋଟ ବଣ୍ଡ୍ର ୭୬ ପ୍ରତିଶତ। ନିର୍ବାଚନ କମିଶନର ତଥ୍ୟ ଆଧାରରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୧୯-୨୦ ବର୍ଷରେ ୩,୩୫୫ କୋଟି ଟଙ୍କା ମୂଲ୍ୟର ବଣ୍ଡ୍ ବିକ୍ରି ହୋଇଥିଲା, ଯାହାର ସିଂହ ଭାଗ ଭାଜପାକୁ ଯାଇଛି। ଏହା ପୂର୍ବବର୍ଷ ଭାଜପାକୁ ଇଲେକ୍ଟୋରାଲ ବଣ୍ଡ୍ ଯୋଗେ ୧୪୫୦ କୋଟି ଟଙ୍କା ମିଳିଥିଲା। ତେବେ ବିରୋଧୀ କଂଗ୍ରେସ ପୂର୍ବବର୍ଷ ତୁଳନାରେ ୧୭ ପ୍ରତିଶତ କମ୍ ଅର୍ଥ ସଂଗ୍ରହ କରିଛି। ୨୦୧୮-୧୯ରେ କଂଗ୍ରେସ ୩୮୩ କୋଟି ଟଙ୍କା ପାଇଥିବାବେଳେ ୨୦୧୯ରେ ଦଳକୁ ୩୧୮ କୋଟି ମିଳିଛି, ଯାହା କି ମୋଟ ଇଲେକ୍ଟୋରାଲ ବଣ୍ଡ୍ର ମାତ୍ର ୯ ପ୍ରତିଶତ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ ୧୦୦.୪୬ କୋଟି ଟଙ୍କା ମିଳିଥିବାବେଳେ, ଶରଦ ପାଓ୍ବାରଙ୍କ ଏନ୍ସିପିକୁ ୨୯.୨୫ କୋଟି, ଶିବ ସେନାକୁ ୪୧ କୋଟି, ଡିଏମ୍କେକୁ ୪୫ କୋଟି, ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ୨.୫ କୋଟି ଏବଂ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆମ୍ ଆଦମୀ ପାର୍ଟି ୧୮ କୋଟି ଟଙ୍କା ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ ପାଇଛନ୍ତି।