Categories: ବାଣିଜ୍ୟ

ବଢୁଛି ବିଟ୍‌କଏନ୍‌ ବ୍ୟବହାର: ୨୦୩୦ ବେଳକୁ ୧କୋଟି ଛୁଇଁବ ମୂଲ୍ୟ

ନୂଆଦିଲ୍ଲୀ,୧୧।୧: ବର୍ତ୍ତମାନ ସମୟରେ ବିଟ୍‌ କଏନର ବ୍ୟବହାର ଓ ଚାହିଦା ମାତ୍ରାଧିକ ବୃଦ୍ଧି ପାଉଛି। ଫଳରେ ଦେଶ ବିଦେଶରେ ପ୍ରଚଳିତ ବିଭିନ୍ନ ମୁଦ୍ରାର ଏକ ବିକଳ୍ପ ହୋଇଛି ଏହି ବିଟ୍‌ କଏନ୍‌। ଭାରତରେ ଟଙ୍କା, ଆମେରିକାରେ ଡଲାର, ବ୍ରିଟେନରେ ପାଉଣ୍ଡ୍‌, ଜାପାନର ୟେନ୍‌ ଆଦି ସେହି ସବୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ପରିଚାଳିତ ସହ ସେହି ମୁଦ୍ରା ଉପରେ କେନ୍ଦ୍ରୀୟ ବ୍ୟାଙ୍କର ନିୟନ୍ତ୍ରଣ ରହିଛି। ବିଟ୍‌ କଏନ୍‌ ହେଉଛି ଏଭଳି ଏକ ମୁଦ୍ରା, ଯାହା ଉପରେ କାହାର ନିୟନ୍ତ୍ରଣ ନାହିଁ। ଫଳରେ ଏହାର ବ୍ୟବହାର ଉପରେ କଟକଣା ନ ରହିବାରୁ ଏହା ବ୍ୟବହାର ବଢ଼ି ଚାଲୁଛି। ଫଳରେ ବିଶ୍ବର ବିଭିନ୍ନ ସ୍ଥାନରେ ଏହାକୁ ଲୋକମାନେ ସାମଗ୍ରୀ ଓ ସେବା ହାସଲ କରିବାରେ ବ୍ୟବହାର କରୁଛନ୍ତି। ବିଟ୍‌ କଏନ ବ୍ୟବହାର ଉପରେ କୌଣସି ଦେଶର ନିୟନ୍ତ୍ରଣ ନାହିଁ କିମ୍ବା ଏହାକୁ ବ୍ୟବହାର କଲେ ଟିକସ ଦେବାକୁ ପଡ଼ୁନାହିଁ। ଏହା ଏକ ପ୍ରକାର କ୍ରିପ୍ଟୋକରେନ୍ସି। ଏହାକୁ ଭର୍ଚୁଆଲ୍‌ ବା ଡିଜିଟାଲ୍‌ ମୁଦ୍ରା ମଧ୍ୟ କୁହାଯାଉଛି। ବର୍ତ୍ତମାନ ସମୟରେ ନଗଦ ଟଙ୍କାର ଏହା ଏକ ବିକଳ୍ପ ଭାବେ ଉଭା ହୋଇଛି। ପ୍ରତି ବିଟ୍‌ କଏନରେ ଏକ ଗୋପନ କୋଡ୍‌ ରହିଛି। ସେହି କୋଡ୍‌ ବିନା ବିଟ୍‌ କଏନ୍‌ ମୂଲ୍ୟହୀନ। ବିଭିନ୍ନ ସ୍ଥାନରେ ବିଟ୍‌ କଏନ କାରବାର ଲାଗି ଏକ୍ସଚେଞ୍ଜ୍‌ ରହିଛି, ଟଙ୍କା, ଡଲାର ଆଦି ମୁଦ୍ରା ବଦଳରେ ଏହାକୁ କିଣା ହେଉଛି। ବିଶ୍ବର ଅନେକ କମ୍ପାନୀ ଓ ବ୍ୟବସାୟୀ ନିଜର ଆର୍ଥିକ କାରବାର ପାଇଁ ବିଟ୍‌ କଏନକୁ ବ୍ୟବହାର କରୁଛନ୍ତି। ସାରା ବିଶ୍ବରେ ୫୦ ଲକ୍ଷରୁ ଅଧିକ ଲୋକ ବିଟ୍‌ କଏନକୁ ବ୍ୟବହାର କରୁଥିବା ଆକଳନ କରାଯାଉଛି। ଏହି କଏନକୁ ଯେଉଁମାନେ ବ୍ୟବହାର କରୁଛନ୍ତି ସେମାନେ ତାହାକୁ ଏକ ଡିଜିଟାଲ୍‌ ୱାଲେଟରେ ରଖୁଛନ୍ତି। ୱିକିଲିକ୍ସ, ପି୨ପି ଫାଉଣ୍ଡେଶନ, ୱାର୍ଡପ୍ରେସ୍‌ ଡଟ୍‌ କମ୍‌ ଏବଂ ବିଟ୍‌କଏନ୍‌୍‌.ଟ୍ରାଭେଲ୍‌ ଭଳି କିଛି ସଂସ୍ଥା ବିଟ୍‌ କଏନକୁ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ବିଟ୍‌ କଏନର ମୂଲ୍ୟ ୪୧ ହଜାର ଡଲାର ବା ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଗତ ଡିସେମ୍ବରରୁ ବିଟ୍‌ କଏନର ମୂଲ୍ୟ ବୃଦ୍ଧି ଜାରି ରହିଛି। କରୋନା ମହାମାରୀ ସମୟରେ ଏହା ପ୍ରାୟ ୨୫%ବୃଦ୍ଧି ଘଟିଥିଲା। ବିଟ୍‌ କଏନ୍‌ ମୂଲ୍ୟ ୪ ଲକ୍ଷ ଡଲାର ପର୍ଯ୍ୟନ୍ତ ଯିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ସେହିଭଳି କିଛି ବିଶେଷଜ୍ଞଙ୍କ କହିବାନୁଯାୟୀ ୨୦୩୦ ସୁଦ୍ଧା ଏହାର ମୂଲ୍ୟ ୧ କୋଟି ଟଙ୍କା ଛୁଇଁପାରେ। ମୋବାଇଲ୍‌ ଆପରେ ପେମେଣ୍ଟ୍‌ ଯେତିକି ସରଳ ବିଟ୍‌ କଏନରେ କାରବାର ସେତିକି ସହଜ। ଯେଉଁମାନଙ୍କ ପାଖରେ ବିଟ୍‌ କଏନ୍‌ ଅଛି ସେମାନେ ତାହାକୁ ଏକ ୱାଲେଟରେ ରଖିଥାନ୍ତି। ସେହି ୱାଲେଟ୍‌ ମାଧ୍ୟମରେ ପେମେଣ୍ଟ୍‌ କରୁଛନ୍ତି। ଏହା ଏକ କମ୍ପ୍ୟୁଟର ଫାଇଲ୍‌ ହୋଇଥିବାରୁ ଅତି ସହଜରେ ସାରା ବିଶ୍ବରେ ପ୍ରଚଳିତ ହେଉଛି।

Share