
ନୂଆଦିଲ୍ଲୀ,୯।୫: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ପାକିସ୍ତାନକୁ ୨.୩ ବିଲିୟନ ଡଲାରର ନୂଆ ଋଣ ପ୍ରଦାନ ପ୍ରସ୍ତାବକୁ ବିରୋଧ କରିଛି। ଭାରତ କହିଛି ଯେ, ଏହି ଅର୍ଥ ରାଷ୍ଟ୍ରୀୟ ପୃଷ୍ଠପୋଷଣରେ ସୀମାପାର ଆତଙ୍କବାଦକୁ ଅର୍ଥଯୋଗାଣ କରିବା ପାଇଁ ଅପବ୍ୟବହାର ହୋଇପାରେ। ଏହି କାରଣରୁ ଭାରତ ଆଇଏମଏଫର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାକିସ୍ତାନକୁ ଋଣ ଅନୁମୋଦନ ପାଇଁ ହୋଇଥିବା ଭୋଟିଂରୁ ନିଜକୁ ଦୂରେଇ ରଖିଛି।
ଭାରତର ଅର୍ଥ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, ଭାରତ ପାକିସ୍ତାନର ପୂର୍ବତନ ଆଇଏମଏଫ କାର୍ଯ୍ୟକ୍ରମର ଦୂର୍ବଳ ରେକର୍ଡ ଏବଂ ଋଣ ଅର୍ଥର ରାଷ୍ଟ୍ରୀୟ ପୃଷ୍ଠପୋଷଣରେ ସୀମାପାର ଆତଙ୍କବାଦ ପାଇଁ ଅପବ୍ୟବହାର ହେବାର ସମ୍ଭାବନା ଉପରେ ଗୁରୁତର ଚିନ୍ତା ପ୍ରକାଶ କରିଛି।
ଭାରତ ଆହୁରି ମଧ୍ୟ ଉଲ୍ଲେଖ କରିଛି ଯେ, ସୀମାପାର ଆତଙ୍କବାଦର ପୃଷ୍ଠପୋଷଣକୁ ପୁରସ୍କୃତ କରାଯିବା ବିଶ୍ୱ ସମୁଦାୟ ପାଇଁ ଏକ ବିପଜ୍ଜନକ ବାର୍ତ୍ତା ପ୍ରେରଣ କରେ, ଭାରତର ଏହି ଚିନ୍ତା ଅନେକ ସଦସ୍ୟ ଦେଶ ମଧ୍ୟରେ ସମର୍ଥନ ପାଇଥିଲେ ମଧ୍ୟ, ଆଇଏମଏଫର ପ୍ରତିକ୍ରିୟା ପ୍ରକ୍ରିୟାଗତ ଏବଂ ବୈଷୟିକ ଔପଚାରିକତା ଦ୍ୱାରା ସୀମିତ ରହିଛି।
ଏହି ବିରୋଧ ଏପରି ସମୟରେ ହୋଇଛି ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ତୀବ୍ର ହୋଇଛି। ଏପ୍ରିଲ ୨୨ରେ କଶ୍ମୀରର ପହଲଗାମରେ ହୋଇଥିବା ଏକ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିଲେ, ଯାହାକୁ ଭାରତ ପାକିସ୍ତାନ ପୃଷ୍ଠପୋଷିତ ବୋଲି ଅଭିଯୋଗ କରିଛି। ଏହାର ପ୍ରତିକ୍ରିୟାରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ମିସାଇଲ ଆକ୍ରମଣ କରିଥିଲା, ଯାହାକୁ ‘ଅପରେଶନ ସିନ୍ଦୂର’ ନାମ ଦିଆଯାଇଛି।
ଆଇଏମଏଫ ତଥ୍ୟ ଅନୁଯାୟୀ, ପାକିସ୍ତାନ ୧୯୫୮ ମସିହାରୁ ୨୦୨୪ ମସିହା ମଧ୍ୟରେ ୨୫ଟି ଋଣ ବ୍ୟବସ୍ଥାରେ ପ୍ରବେଶ କରିଛି, ଯାହାର ମୋଟ ସମ୍ମତ ରାଶି ୪୪.୫୭ ବିଲିୟନ ଡଲାର। ଏହା ମଧ୍ୟରେ ପାକିସ୍ତାନ ବର୍ତ୍ତମାନ ଆଇଏମଏଫକୁ ୮.୩ ବିଲିୟନ ଡଲାର ଋଣୀ ରହିଛି। ଭାରତ ଏହି ବୈଠକରେ ପାକିସ୍ତାନର ଏହି ଦୀର୍ଘକାଳୀନ ଋଣ ର୍ନିଭରତାକୁ ଅତ୍ୟଧିକ ବଡ଼ ଋଣୀ ବୋଲି ବର୍ଣ୍ଣନା କରିଛି, ଯାହା ଆଇଏମଏଫ ପାଇଁ ବିପର୍ଯ୍ୟୟରୁ ରକ୍ଷା କରିବା କଷ୍ଟକର ହୋଇପଡ଼ିଛି।
ଏହି ପରିପ୍ରେକ୍ଷୀରେ ଭାରତର ଏକ୍ସିକ୍ୟୁଟିଭ ଡାଇରେକ୍ଟର ପରମେଶ୍ୱରନ ଆୟାର ଆଇଏମଏଫ ବୋର୍ଡ ବୈଠକରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ଭାରତ ଆନ୍ତର୍ଜାତୀୟ ଆର୍ଥିକ ସଂସ୍ଥାଗୁଡ଼ିକୁ ଋଣ ନିଷ୍ପତ୍ତିରେ ନୈତିକ ମୂଲ୍ୟବୋଧକୁ ଅଧିକ ଗୁରୁତ୍ୱ ଦେବାକୁ ଆହ୍ବାନ ଜଣାଇଛି।