ପ୍ଲାଷ୍ଟିକ୍‌ ଖାଉଛି ଭାଲୁ

ଇ-କମର୍ସ କମ୍ପାନୀ ଆମାଜନ ପକ୍ଷରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ଯେତିକି ସୃଷ୍ଟି କରାଯାଇଛି, ତାହା ପୃଥିବୀକୁ ୮୦୦ ଥର ବୁଲିପାରିବ ବୋଲି ଏନଭାଇରନମେଣ୍ଟ ଗ୍ରୁପ ‘ଓସେନା’ ପକ୍ଷରୁ କୁହାଯାଇଛି। ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। କେବଳ ଯେ ଆମାଜନ ଏହି ସମୟରେ ଏକାକୀ ୧୮ ପ୍ରତିଶତ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ବ୍ୟବହାର କରିଛି ତାହା ନୁହେଁ, ତତ୍‌ସହିତ ପୃଥିବୀବ୍ୟାପୀ ଛୋଟ ବଡ଼ ସବୁ ବ୍ୟବସାୟ ଆହୁରି ଅଧିକ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାର କରିଚାଲିଛନ୍ତି। ଏଭଳି ସ୍ଥିତିରେ ହିମାଳୟରେ ଘଟୁଥିବା ପ୍ଲାଷ୍ଟିକ୍‌ ଜନିତ ବର୍ଜ୍ୟକୁ ଦେଖାଯିବା ଦରକାର। ପ୍ଲାଷ୍ଟିକ୍‌ ବର୍ଜ୍ୟ ଜନିତ ପ୍ରଦୂଷଣ ଯୋଗୁ ହିମାଳୟର ଦୁର୍ଲ୍ଲଭ ଓଷଧୀୟ ଗଛ ଓ ବହୁ ଜୀବ ବିଲୁପ୍ତିପ୍ରାୟ। ଏମାନଙ୍କ ମଧ୍ୟରେ କଶ୍ମୀରର ବିରଳ ବୃହତ୍‌ ସ୍ତନ୍ୟପାୟୀ ଧୂସର ଭାଲୁ ଅନ୍ୟତମ। ବାସସ୍ଥାନ ଓ ଖାଦ୍ୟାଭାବ ସହ ପର୍ଯ୍ୟଟନଜନିତ ପ୍ରଦୂଷଣ ଯୋଗୁ ସେମାନଙ୍କ ଜୀବନ ବିପଦରେ। ଆକଳନରୁ ଜଣାପଡ଼ିଛି ଯେ, ହିମାଳୟ ଅଞ୍ଚଳରେ ମୋଟ ୫୦୦ରୁ ୭୫୦ ଧୂସର ଭାଲୁ ରହିଛନ୍ତି। ଇଣ୍ଟର ନ୍ୟାଶନାଲ ୟୁନିୟନ୍‌ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର(ଆଇୟୁସିଏନ୍‌) ରେଡ୍‌ ଲିଷ୍ଟରେ ଉକ୍ତ ଧୂସର ଭାଲୁକୁୁ ସବୁଠୁ ବିପଦରେ ଥିବା ପ୍ରାଣୀ ଭାବେ ସ୍ଥାନିତ କରାଯାଇଛି। ନିକଟରେ ଜମ୍ମୁ-କଶ୍ମୀର ବନ୍ୟଜନ୍ତୁ ସୁରକ୍ଷା ବିଭାଗ ଓ ଓ୍ବାଇଲ୍ଡଲାଇଫ୍‌ ଏସ୍‌ଓଏସ୍‌ ନାମକ ବେସରକାରୀ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡ଼ିଛି, ଏମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବାରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ମୁଖ୍ୟ ଭୂମିକା ନେଉଛି। । ଧୂସର ଭାଲୁ ପ୍ଲାଷ୍ଟିକ ବର୍ଜ୍ୟ ଓ ପିଙ୍ଗି ଦିଆଯାଉଥିବା ଖାଦ୍ୟ ଖାଉଛନ୍ତି । ଜଣାପଡ଼ିଛି ଯେ,ଏହି ଭାଲୁ ବର୍ଜ୍ୟଗଦାଗୁଡ଼ିକରୁ ୭୫% ଖାଦ୍ୟ ସଂଗ୍ରହ କରୁଛନ୍ତି। ଗବେଷକମାନେ ସେମାନଙ୍କ ମଳ ପରୀକ୍ଷା କରିବା ପରେ ସେଥିରେ ପ୍ଲାଷ୍ଟିକ୍‌ କ୍ୟାରିବ୍ୟାଗ, ମିଲ୍କ ପାଉଡର ଏବଂ ଚକୋଲେଟ ଖୋଳ ପାଇଛନ୍ତି। ଏପରି କି କିଛି ସାମ୍ପୁଲ୍‌ରେ କାଚ ଅବଶେଷାଂଶ ମିଳିଛି। ରିପୋର୍ଟରେ କୁହାଯାଇଛି ଯେ ଏହି ବର୍ଜ୍ୟ ସହ ବଳକା ବିରିଆନି ଖାଇବା ଦ୍ୱାରା ଭାଲୁ ବିଭିନ୍ନ ରୋଗରେ ପଡ଼ୁଛନ୍ତି ଓ ସେମାନଙ୍କ ଆୟୁଷ କମିଯାଉଛି। ଏପରି କି ଏହାର ପ୍ରଭାବ ମା’ଭାଲୁଠାରୁ ସେମାନଙ୍କ ଛୁଆକୁ ଯାଉଛି। ଉକ୍ତ ଗବେଷଣାରେ ଜଡ଼ିତ ବରିଷ୍ଠ ଜୀବ ବିଜ୍ଞାନୀ ସ୍ବାମୀନାଥନ ଏସ୍‌ କହିଛନ୍ତି ଯେ, ସେମାନେ କଅଁଳିଆ ଗଛପତ୍ର, କୀଟ ଏବଂ ଛୋଟ ମେରୁଦଣ୍ଡୀ ପ୍ରାଣୀଙ୍କୁ ଖାଇବା ବଦଳରେ ବର୍ଜ୍ୟରୁ ଉଚ୍ଚ କ୍ୟାଲୋରିଯୁକ୍ତ ଖାଦ୍ୟ ପ୍ରତି ଅତ୍ୟଧିକ ଆକୃଷ୍ଟ ହୋଇଛନ୍ତି।
ବିଗତ ଦୁଇ ଦଶନ୍ଧି ହେଲା ହିମାଳୟ ଅଞ୍ଚଳରେ ବର୍ଜ୍ୟଜନିତ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ସବୁଠୁ ବେଶି ଭାଗ ହେଉଛି ପ୍ଲାଷ୍ଟିକ୍‌ ବର୍ଜ୍ୟ। ଏକ ଆକଳନରୁ ଜଣାପଡ଼ିଛି ଯେ, ହିମାଳୟ ଅଞ୍ଚଳର ୧୦ଟି ରାଜ୍ୟର ପର୍ଯ୍ୟଟନ ଯୋଗୁ ପ୍ରତିବର୍ଷ ୮ମିଲିୟନ ଟନ୍‌ ବର୍ଜ୍ୟ ସୃଷ୍ଟି ହେଉଛି। ୨୦୧୮ରେ ନୀତି ଆୟୋଗ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ସେହିବର୍ଷରେ ହିମାଳୟ ଅଞ୍ଚଳକୁ ୧୦୦ ମିଲିୟନ ପର୍ଯ୍ୟଟକ ଯାଉଥିଲାବେଳେ ୨୦୨୫ ସୁଦ୍ଧା ଏହି ସଂଖ୍ୟା ୨୪୦ ମିଲିୟନକୁ ଛୁଇଁବ। ସେଥିପାଇଁ ଗ୍ରୀନ୍‌ ସେସ୍‌ ଲାଗୁ କରିବାକୁ ପ୍ରସ୍ତାବ ରଖିଥିଲା। ଭାରତରେ ପ୍ରତିଦିନ ୨୫,୦୦୦ ଟନ୍‌ରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଛି। କୁହାଯାଉଛି ୪୦ ପ୍ରତିିଶତ ସଂଗ୍ରହ ହୋଇ ନ ପାରି ପାଣି ଓ ସ୍ଥଳ ଭାଗରେ ପଡ଼ିରହୁଛି। କିନ୍ତୁ ବାସ୍ତବରେ ହୁଏତ ଯଥେଷ୍ଟ ପ୍ରତିଶତ ଅଧିକ ବର୍ଜ୍ୟ ଏହିଭଳି ପଡ଼ିରହୁଛି। ଧୂସର ଭାଲୁଙ୍କ ପରି ଏହାକୁ ପକ୍ଷୀଠାରୁ ଆରମ୍ଭକରି ଗୋରୁ ଖାଇ ରୋଗରେ ପଡ଼ୁଛନ୍ତି ଓ ଏହାଯୋଗୁ ସେମାନଙ୍କର ମୃତ୍ୟୁ ହେଉଛି। କେବଳ ସ୍ଥଳଭାଗ ନୁହେଁ, ଜଳଭାଗରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଜଳଜୀବଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ବିଶ୍ୱରେ ସମୁଦ୍ରରେ ମିଶୁଥିବା ସମସ୍ତ ବର୍ଜ୍ୟର ୮୦ ଭାଗ ହେଉଛି ପ୍ଲାଷ୍ଟିକ୍‌। ଜାତିସଂଘ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଅତି କମ୍‌ରେ ୮୦୦ ପ୍ରଜାତିର ଜଳଚର ଜୀବ ପ୍ଲାଷ୍ଟିକ ବର୍ଜ୍ୟ ଦ୍ୱାରା ପ୍ରଭାବିତ ହେଉଛନ୍ତି। ଅଗଷ୍ଟ ୨୦୨୧ରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ଉପରେ ଅଣାଯାଇଥିବା ଆଇନକୁ ୨୦୨୨ରେ ଲାଗୁ କରିଥିଲେ। ଏଥିରୁ ବୁଝାପଡ଼ୁଛି ଯେ, ଆଇନ କରିଦେବା ସହଜ, କିନ୍ତୁ ସରକାରଙ୍କର ଆନ୍ତରିକତା ଅଭାବ ଥିବାରୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ସାମଗ୍ରୀର କାରଖାନାଗୁଡ଼ିକୁ ବନ୍ଦ କରାଯାଉ ନାହିଁ। ପ୍ଲାଷ୍ଟିକ ବିକଳ୍ପ ବ୍ୟବହାର ପାଇଁ କନା ହେଉ କି କାଗଜ କିମ୍ବା ଝୋଟ ନିର୍ମିତ ଜିନିଷ ପ୍ରସ୍ତୁତ କରିବା ସମୟସାପେକ୍ଷ। ଅନ୍ୟପକ୍ଷରେ ବିକଳ୍ପ ଭାବେ ମାଟିରେ ମିଶିପାରୁଥିବା ବିଘଟନଯୋଗ୍ୟ ପ୍ଲାଷ୍ଟିକ୍‌ ଗ୍ରହଣ କରାଯାଇପାରିବ ନାହିଁ, କାରଣ ଏହାର ବିଘଟନ ପ୍ରକ୍ରିୟାରେ ଅଧିକ ମିଥେନ ଗ୍ୟାସ୍‌ ନିର୍ଗମନ ହୋଇଥାଏ। ଏହାସହ ପ୍ଲାଷ୍ଟିକ୍‌ କ୍ଷେତ୍ରରେ ନିଯୁକ୍ତ ପାଖାପାଖି ୫ ଲକ୍ଷ ଲୋକ ଚାକିରି ହରାଇବା ପରେ ସେମାନଙ୍କ ପାଇଁ ବିକଳ୍ପ ରୋଜଗାର ସୃଷ୍ଟି କରିବା ଦରକାର। ଏଣୁ କେବଳ ସରକାରୀ ଆଇନ ନୁହେଁ, ବରଂ ଲୋକେ ପ୍ଲାଷ୍ଟିକ ବର୍ଜ୍ୟର କ୍ଷତିକାରକ ପ୍ରଭାବକୁ ଅନୁଭବ କରିବା ସହ ସଚେତନ ହୋଇପାରିଲେ ସଙ୍କଟରେ ଥିବା ଧୂସର ଭାଲୁ ଭଳି ବହୁ ପ୍ରଜାତିର ଜୀବଜନ୍ତୁଙ୍କ ଜୀବନ ରକ୍ଷା କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri