
ଲକ୍ଷ୍ନୌ,୧୦।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ପୁଣି ଥରେ ଭାଜପା ଏମ୍ପି ବରୁଣ ଗାନ୍ଧୀଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି। ରବିବାର ଦିନ ବରୁଣ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଅଭିଯୋଗ କରିଛନ୍ତି ଯେ ଲଖିମପୁର ଘଟଣାକୁ ହିନ୍ଦୁ-ଶିଖ ହିଂସା ରୂପ ଦେବାକୁ ପ୍ରୟାସ କରାଯାଉଛି। ଏହା ସ୍ଥାନୀୟ ଅଞ୍ଚଳ ପାଇଁ ବିପଦପୂର୍ଣ୍ଣ ପାଲଟିବାର ଆଶଙ୍କା ରହିଛି। ରାଜନୈତିକ ଫାଇଦା ପାଇଁ ଜାତୀୟ ଏକତାକୁ ବଳି ଦେବା ଉଚିିତ ନୁହେଁ ବୋଲି ସେ କହିଛନ୍ତି।
କୃଷକଙ୍କ ପ୍ରଦର୍ଶନକୁ ନେଇ ବରୁଣ ଗାନ୍ଧୀ ଅନେକ ଥର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜାତୀୟ କାର୍ଯ୍ୟନିର୍ବାହୀ ଘୋଷଣାର ଗୋଟିଏ ଦିନ ପୂର୍ବରୁ ମଧ୍ୟ ସେ ଲଖିମପୁର ଖେରି ଘଟଣାରେ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରିଥିଲେ। ଏହାପୂର୍ବରୁ ସେ ଉତ୍ତରପ୍ରଦେଶର ଆଖୁ ଚାଷୀଙ୍କ ପାଇଁ ସରକାରଙ୍କୁ ନିବେଦନ କରିଥିଲେ। କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ସେ ଅନେକ ଥର ମନ୍ତବ୍ୟ ଦେଇଛନ୍ତି।