
ବରଗଡ଼,୨୨ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସିଥିବା ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ଡନସନାଙ୍କୁ ପୋଲିସ ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଳ ଷ୍ଟେଶନରୁ ଗିରଫ କରିଛି। ଗିରଫ ପରେ ପୋଲିସ ଘଟଣା ସମ୍ପର୍କରେ ତାଙ୍କଠାରୁ ବହୁ ତଥ୍ୟ ହାସଲ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବୁଧବାର ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏଟ୍ କରିଛି।
ପ୍ରକାଶ ଥାଉକି, ଗତ ୧୨ତାରିଖ ଧନୁଯାତ୍ରା ଦେଖିବାକୁ ଆସିଥିବା ବେଳେ ପୀଡ଼ିତା ନିଖୋଜ ହୋଇଯାଇ ଥିଲେ। ଗତ ୧୪ତାରିଖ ସକାଳୁ ତାଙ୍କୁ ବରଗଡ଼ ସହର ଉପକଣ୍ଠ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେ ବର୍ତ୍ତମାନ ଭୀମସାର୍, ବୁର୍ଲାରେ ଚିକିତ୍ସାଧାନ ଅଛନ୍ତି। ପୀଡ଼ିତାଙ୍କୁ ଅପହରଣ କରି ବଳାତ୍କାର ଏବଂ ହତ୍ୟା ଉଦ୍ୟମ ହୋଇଥିବା ନେଇ ପୀଡ଼ିତାଙ୍କ ମା’ ପୋଲିସରେ ଏତଲା ଦେଇଥିଲେ। ପୋଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ୪ଜଣ ସହଯୋଗୀଙ୍କୁ ଗିରଫ କରିଛି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ମଙ୍ଗଳବାର ବରଗଡ଼ ନାଗରିକ କମିଟି ପକ୍ଷରୁ ୧୨ଘଣ୍ଟିଆ ବରଗଡ଼ ବନ୍ଦ ହୋଇଥିଲା।