ସଂରକ୍ଷଣର ଗୋଲକଧନ୍ଦା

ସୌଭାଗ୍ୟ ସୁନ୍ଦରରାୟ

ଦୁଇଟି ରାଜ୍ୟର ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଉପରେ ନିକଟରେ ସେଠାକାର ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଏହି ଦୁଇଟି ରାଜ୍ୟ ହେଲା ବିହାର ଓ ପଶ୍ଚିମବଙ୍ଗ। ବିହାର ସରକାର ସଂରକ୍ଷଣ ସୀମା ୬୫%କୁ ବୃଦ୍ଧି କରିଥିବାବେଳେ ପଶ୍ଚିମବଙ୍ଗ ସରକାର ନୂଆ ୭୭ କିସମ ବର୍ଗଙ୍କୁ ଓବିସି ବା ଅନ୍ୟାନ୍ୟ ବର୍ଗ ତାଲିକାଭୁକ୍ତ କରି ସଂରକ୍ଷଣ ସୁବିଧା ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ରହିତାଦେଶ ବିରୋଧରେ ଦୁଇ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ଅଦାଲତ ତତ୍କାଳ ରହିତାଦେଶ ପାଇଁ ମନା କରିଦେଇଛନ୍ତି। ତେଣେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଅନୁସୂଚିତ ଜାତି ବର୍ଗରୁ ସ୍ବଚ୍ଛଳ ବର୍ଗ ନିରୂପଣ କରିବା ନିମନ୍ତେ ଅଦାଲତ ରାଜ୍ୟଗୁଡ଼ିକୁ ସୁଯୋଗ ଦେଇଛନ୍ତି। ଉପରୋକ୍ତ ୩ଟି ମାମଲାକୁ ତର୍ଜମା କଲେ ଜଣାଯାଏ ଯେ, ସଂରକ୍ଷଣ ସୁବିଧା ଲାଭ କରି ସ୍ବଚ୍ଛଳରେ ପରିଣତ ହୋଇଥିବା ବ୍ୟକ୍ତିବିଶେଷଙ୍କ ପରିବାରକୁ ସଂରକ୍ଷଣ ପରିସରରୁ ବାଦ୍‌ ଦିଆଯିବା ନିମନ୍ତେ ଅଦାଲତ ଚାହିଁଛନ୍ତି। ଏହାକୁ ଏବେ ବିଭିନ୍ନ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ କି ନାହିଁ ତାହା ଦେଖିବାର କଥା। ଏଥିସହ ବିହାର ଓ ପଶ୍ଚିମବଙ୍ଗ ସରକାର ମନମୁଖି ଭାବେ ସଂରକ୍ଷଣ ସୁବିଧା ପ୍ରଦାନକୁ ମଧ୍ୟ ଅଦାଲତ ସକାରାତ୍ମକ ଦୃଷ୍ଟିରେ ଦେଖି ନାହାନ୍ତି। ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ଦ୍ୱାରା ୧୦୩ତମ ସଂଶୋଧନ ଅଣାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଆର୍ଥିକ ଅନଗ୍ରସର ଶ୍ରେଣୀକୁ ସଂରକ୍ଷଣ ସୁବିଧା ପ୍ରଦାନ କରାଯାଇ ସେମାନଙ୍କ ନିମନ୍ତେ ସମାନତା ସୃଷ୍ଟି କରିବା। ଏଥିରେ ଆର୍ଥିକ ଅନଗ୍ରସର ଶ୍ରେଣୀ ନିମନ୍ତେ ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା। ଏହି ସଂରକ୍ଷଣ ବିରୋଧରେ ଏକାଧିକ ମାମଲା ସୁପ୍ରିମକୋର୍ଟରେ ଦାଏର ହୋଇଥିଲା। ପରିଶେଷରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ସଂଖ୍ୟାଗରିଷ୍ଠ ରାୟରେ ଏହାର ସାମ୍ବିଧାନିକ ବୈଧତାକୁ କାଏମ ରଖିଛନ୍ତି। ଫଳରେ ପ୍ରଥମ ଥର ପାଇଁ ସଂରକ୍ଷଣ ନୀତି ପରିସରକୁ ଏବେ ଆର୍ଥିକ ଦିଗଟି ଆସିଥିଲା ବୋଲି କୁହାଯାଇପାରେ। ପୂର୍ବରୁ ସଂରକ୍ଷଣରେ ସାମାଜିକ ନ୍ୟାୟ ଓ ସମାନତା ବିଷୟ ଉଠିଥିଲା।
ସୁପ୍ରିମକୋର୍ଟ ରାୟ ଦ୍ୱାରା ସାମାଜିକ- ଆର୍ଥିକ ସଶକ୍ତୀକରଣରେ ସମାନତା ଆସିପାରିବ ବୋଲି ସଂଖ୍ୟାଗରିଷ୍ଠ ବିଚାରପତି ମତ ଦେଇଥିଲେ।
ଆର୍ଥିକ ସମାନତା ପାଇଁ ଅନୁସୂଚିତ ଜାତି (ଏସ୍‌ସି) ଓ ଜନଜାତି (ଏସ୍‌ଟି)ଙ୍କ ପାଇଁ ଆମ ସମ୍ବିଧାନରେ ସଂରକ୍ଷଣ ସୁଯୋଗ ରହିଛି। ଅନୁସୂଚିତ ଜାତି ପାଇଁ ୧୫%, ଅନୁସୂଚିତ ଜନଜାତି ପାଇଁ ୭.୫% ଓ ଅନ୍ୟାନ୍ୟ ପଛୁଆ ସଂପ୍ରଦାୟ ପାଇଁ ୨୭% ସଂରକ୍ଷଣ ସୁବିଧା ରହିଛି। ଦେଖିବାକୁ ଗଲେ ମୂଳ ସମ୍ବିଧାନରେ ଶିକ୍ଷା କ୍ଷେତ୍ର ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ରଖାଯାଇନଥିଲା। ତେବେ ୧୯୫୧ ମସିହାରେ ପ୍ରଥମ କରି ସମ୍ବିଧାନ ସଂଶୋଧନ ଆରମ୍ଭ ହୁଏ ଏବଂ ଏଇଠାରେ ଶିକ୍ଷାକୁ ସଂରକ୍ଷଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିଦିଆଗଲା। ସ୍ବାଧୀନ ଭାରତରେ ସାମାଜିକ ନ୍ୟାୟ ଓ ସମାନତାର ଯାତ୍ରା ଆରମ୍ଭ ହେଲା। ଦୀର୍ଘ ୭୦ ବର୍ଷ ମଧ୍ୟରେ ଏସ୍‌ସି/ଏସ୍‌ଟି ବର୍ଗଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତିରେ ଅଗ୍ରାଧିକାର ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକାଧିକ ଥର ସମ୍ବିଧାନ ସଂଶୋଧନ ହୋଇଛି। ଏହାର ଉଦ୍ଦେଶ୍ୟ ହେଲା ସମାଜର ଅବହେଳିତ ବର୍ଗଙ୍କୁ ସମାନ ସୁଯୋଗ ପ୍ରଦାନ କରି ସମାଜର ମୁଖ୍ୟ ସ୍ରୋତକୁ ଆଣିବା। ଏସ୍‌ସି/ଏସ୍‌ଟି ବର୍ଗ ସଂରକ୍ଷଣ ପରେ ଆରମ୍ଭ ହେଲା ପଛୁଆ ବର୍ଗ ସଂରକ୍ଷଣ ବ୍ୟବସ୍ଥା। ଦଳିତ ଓ ପଛୁଆବର୍ଗଙ୍କୁ ନେଇ ରାଜନୀତି କରିବାର ଅଭିଳାଷ ଆଉ ଏକ ସଂରକ୍ଷଣ ବ୍ୟବସ୍ଥା ପାଇଁ ସୁଯୋଗ ସୃଷ୍ଟି କଲା ୧୯୯୦ ମସିହାରେ। ମଣ୍ଡଳ କମିଶନ ସୁପାରିସ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ଭି.ପି. ସିଂହ। ସାମାଜିକ, ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନିମନ୍ତେ ମୋରାରଜୀ ଦେଶାଇଙ୍କ ସରକାର ୧୯୭୯ ମସିହାରେ ଏକ କମିଶନ ବସାଇଥିଲେ। ବିନ୍ଧେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଶନ ୧୯୮୦ ମସିହାରେ ନିଜ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ପାଇଁ ସୁପାରିସ କରାଯାଇଥିଲା। ୧୯୯୦ ମସିହାରେ ମଣ୍ଡଳ କମିଶନ ରିପୋର୍ଟ କାର୍ଯ୍ୟକାରୀ କରି ଭି.ପି. ସିଂହ ସଂରକ୍ଷଣ ରାଜନୀତିର ଯେଉଁ ନୂଆ କୁହୁକ ପେଡ଼ିଟି ଖୋଲିଲେ ତଦ୍ଦ୍ବାରା ଦେଶରେ ବ୍ୟାପକ ହିଂସାକାଣ୍ଡ ସୃଷ୍ଟି ହେଲା। ସୁପ୍ରିମକୋର୍ଟ ସାମୟିକ ସମୟ ପାଇଁ ସୁପାରିସର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିଥିଲେ ମଧ୍ୟ ପରେ ଏହାକୁ ମଞ୍ଜୁରୀ ଦେଇଥିଲେ। ୧୯୯୨ ମସିହାରୁ ଏହି ନୂଆ ସଂରକ୍ଷଣ କାର୍ଯ୍ୟକାରୀ ହେଲା। ଫଳରେ ସଂରକ୍ଷଣ ରାଜନୀତିର ଚକ୍ରଟି ଘୂର୍ଣ୍ଣାୟମାନ ଅବସ୍ଥାରେ ରହିଲା। ମଣ୍ଡଳ କମିଶନ ପଛୁଆ ବର୍ଗ ଚିହ୍ନଟ ପାଇଁ ମୁଖ୍ୟତଃ ଜାତି ଓ ସଂପ୍ରଦାୟକୁ ଗୁରୁତ୍ୱ ଦେଇଥିଲେ। ଏଥିରେ ଆୟ କମ୍‌ ଗୁରୁତ୍ୱ ପାଇଥିଲା। ପ୍ରଧାନମନ୍ତ୍ରୀ ନରସିଂହ ରାଓ ସାଧାରଣ ଶ୍ରେଣୀର ଆର୍ଥିକ ଅସ୍ବଚ୍ଛଳ ପିଲାଙ୍କ ପାଇଁ ୧୯୯୧ ମସିହାରେ ଆୟଭିତ୍ତିକ ୧୦% ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ତାହାକୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ। ସେହି ସମୟରେ ସୁପ୍ରିମକୋର୍ଟ ନିର୍ଦ୍ଦିଷ୍ଟ ଭାବେ ମଣ୍ଡଳ କମିଶନ ରିପୋର୍ଟ କାର୍ଯ୍ୟକାରିତାର ବୈଧତା ନେଇ ରାୟ ପ୍ରଦାନ କରିନଥିଲେ।
୧୦୩ତମ ସମ୍ବିଧାନ ସଂଶୋଧନ ମାମଲାରେ ୫ ଜଣିଆ ଖଣ୍ଡପୀଠର ବିଚାରପତି ଜେ.ବି. ପର୍ଡିୱାଲ ସମ୍ବିଧାନ ସଂଶୋଧନକୁ ସମର୍ଥନ ଜଣାଇଥିଲେ ମଧ୍ୟ ନିଜ ରାୟରେ ଦର୍ଶାଇଥିଲେ ଯେ, ସଂରକ୍ଷଣ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଜାରି ରହିପାରିବ ନାହିଁ। ଅର୍ଥାତ୍‌ ସଂରକ୍ଷଣର ସୁବିଧା ଅନିର୍ଦ୍ଦିଷ୍ଟ ସମୟ ପାଇଁ ହେବା ଉଚିତ ନୁହେଁ। ବିଚାରପତି ବି.ଏମ୍‌. ତ୍ରିବେଦୀ ମଧ୍ୟ କହିଥିଲେ ଯେ, ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସରକାର ସଂରକ୍ଷଣ ନୀତିର ପୁନର୍ବିଚାର କରିବା ଆବଶ୍ୟକ। ସଂରକ୍ଷଣ ମାନସିକତା ଯୋଗୁ ଇତିମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆରଜେଡି ନେତା ତେଜସ୍ବୀ ଯାଦବ, ଜିତନ ରାମ, ଉପେନ୍ଦ୍ର ଖୁସ୍‌ୱା ପ୍ରମୁଖ ଜାତିଭିତ୍ତିକ ଗଣନା ସହ ବିଭିନ୍ନ ଜାତିର ସଂଖ୍ୟା ଅନୁପାତରେ ସଂରକ୍ଷଣ ବ୍ୟବସ୍ଥା ପାଇଁ ଦାବି ଉଠାଇଲେଣି। ଏକଦା ଦେଶର ସ୍ବଚ୍ଛଳ ବର୍ଗ ଭାବେ ବିବେଚିତ ମରାଠୀ, ପଟେଲ, କାପୁ ଓ ଜାଠ ସଂପ୍ରଦାୟ ସଂରକ୍ଷଣ ଯୋଗୁଁ ବିଭିନ୍ନ କ୍ଷେତ୍ରରେ କୋଣଠେସା ହେଲା ପରେ ଏବେ ଜାତିଭିତ୍ତିକ ସମାନୁପାତିକ ସଂରକ୍ଷଣ ନୀତି ପାଇଁ ଦାବି ଉଠାଇଲେଣି। ଏଥିରୁ ପ୍ରମାଣିତ ହେଉଛି ଯେ, ଦେଶର ସ୍ବଚ୍ଛଳ ବର୍ଗ କ୍ରମଶଃ ଅସ୍ବଚ୍ଛଳ ସ୍ତରକୁ ଆସିଗଲେଣି। ଏକଥା ମଧ୍ୟ ଆକଳନ କରାଗଲାଣି ଯେ, ୧୯୮୦ ମସିହାରେ ଦେଶରେ ଅସ୍ବଚ୍ଛଳ ବର୍ଗ ଜନସଂଖ୍ୟାର ଏକ ଚତୁର୍ଥାଂଶ ଥିବାବେଳେ ଏହା ଏବେ ଦୁଇ ତୃତୀୟାଂଶରେ ପହଞ୍ଚିଲାଣି। ସଂସଦରେ ଆଲୋଚନା ସମୟରେ ୧୦୩ତମ ସମ୍ବିଧାନ ସଂଶୋଧନ ପ୍ରସ୍ତାବକୁ ଦଳିତ ନେତା ହୁକୁମ ଦେବ ଯାଦବ ଓ ରାମ ବିଳାସ ପାଶ୍‌ୱାନ ପ୍ରମୁଖ ସମର୍ଥନ ଜଣାଇଥିବା ଦେଖାଯାଇଥିଲା।
ସଂରକ୍ଷଣ ବ୍ୟବସ୍ଥା ଜାରି ଥିବାରୁ ପ୍ରାଚୀନ ଜାତିପ୍ରଥା ବ୍ୟବସ୍ଥାରୁ ଏବେ ଅନେକ ଉପଜାତି, ସଂପ୍ରଦାୟ ଓ ଗୋଷ୍ଠୀର ଆବିର୍ଭାବ ଘଟିଲାଣି। ରାଜନୈତିକ ଦଳ ଜାତି ଓ ସଂପ୍ରଦାୟ ଭିତ୍ତିରେ ଭୋଟ ଆକୃଷ୍ଟ କରିବା ନିମନ୍ତେ ସଂରକ୍ଷଣକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରି ଚାଲିଛନ୍ତି। ବିଭିନ୍ନ ଦଳ ସଂରକ୍ଷଣ ସୀମା ୫୦%ରୁ ଅଧିକ ପାଇଁ ମଧ୍ୟ କ୍ରମଶଃ ଦାବି କଲେଣି। ଇନ୍ଦର ସହ୍ବାନେ ମାମଲାରେ ସୁପ୍ରିମକୋର୍ଟର ୯ ଜଣିଆ ଖଣ୍ଡପୀଠ ସଂରକ୍ଷଣ ସୀମା ୫୦%ରେ ସୀମିତ ରଖିଥିଲେ ମଧ୍ୟ ବହୁ କ୍ଷେତ୍ରରେ ଏହା ଧାର୍ଯ୍ୟ ସୀମା ଅତିକ୍ରମ କରିଯାଉଛି। ଏହି କାରଣରୁ ଅଦାଲତଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ୁଥିବା ଦେଖାଯାଉଛି। କହିବାକୁ ଗଲେ ସୁପ୍ରିମକୋର୍ଟଙ୍କ ରାୟ ଦ୍ୱାରା ସାମାଜିକ ନ୍ୟାୟ ପରିସର ଅଧିକ ପରିବ୍ୟାପ୍ତ ହୋଇପାରିଛି। ଏହାଦ୍ୱାରା ଅଧିକରୁ ଅଧିକ ବର୍ଗ ସାମାଜିକ ନ୍ୟାୟ ପରିସରକୁ ଆସିପାରିବେ। ଅସ୍ବଚ୍ଛଳ ବର୍ଗର ଏକ ଗୋଷ୍ଠୀ ବା ସଂପ୍ରଦାୟ ଭାବେ ବିବେଚିତ ହୋଇପାରିବେ। ତେବେ କେତେବେଳେ ନା କେତେବେଳେ ସମସ୍ତ ସଂରକ୍ଷଣର ଅନ୍ତ ଘଟାଇବାକୁ ପଡ଼ିବ। ଉଦାରୀକରଣ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ।
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri