ସଂରକ୍ଷଣର ଗୋଲକଧନ୍ଦା

ସୌଭାଗ୍ୟ ସୁନ୍ଦରରାୟ

ଦୁଇଟି ରାଜ୍ୟର ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଉପରେ ନିକଟରେ ସେଠାକାର ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଏହି ଦୁଇଟି ରାଜ୍ୟ ହେଲା ବିହାର ଓ ପଶ୍ଚିମବଙ୍ଗ। ବିହାର ସରକାର ସଂରକ୍ଷଣ ସୀମା ୬୫%କୁ ବୃଦ୍ଧି କରିଥିବାବେଳେ ପଶ୍ଚିମବଙ୍ଗ ସରକାର ନୂଆ ୭୭ କିସମ ବର୍ଗଙ୍କୁ ଓବିସି ବା ଅନ୍ୟାନ୍ୟ ବର୍ଗ ତାଲିକାଭୁକ୍ତ କରି ସଂରକ୍ଷଣ ସୁବିଧା ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ରହିତାଦେଶ ବିରୋଧରେ ଦୁଇ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ଅଦାଲତ ତତ୍କାଳ ରହିତାଦେଶ ପାଇଁ ମନା କରିଦେଇଛନ୍ତି। ତେଣେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଅନୁସୂଚିତ ଜାତି ବର୍ଗରୁ ସ୍ବଚ୍ଛଳ ବର୍ଗ ନିରୂପଣ କରିବା ନିମନ୍ତେ ଅଦାଲତ ରାଜ୍ୟଗୁଡ଼ିକୁ ସୁଯୋଗ ଦେଇଛନ୍ତି। ଉପରୋକ୍ତ ୩ଟି ମାମଲାକୁ ତର୍ଜମା କଲେ ଜଣାଯାଏ ଯେ, ସଂରକ୍ଷଣ ସୁବିଧା ଲାଭ କରି ସ୍ବଚ୍ଛଳରେ ପରିଣତ ହୋଇଥିବା ବ୍ୟକ୍ତିବିଶେଷଙ୍କ ପରିବାରକୁ ସଂରକ୍ଷଣ ପରିସରରୁ ବାଦ୍‌ ଦିଆଯିବା ନିମନ୍ତେ ଅଦାଲତ ଚାହିଁଛନ୍ତି। ଏହାକୁ ଏବେ ବିଭିନ୍ନ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ କି ନାହିଁ ତାହା ଦେଖିବାର କଥା। ଏଥିସହ ବିହାର ଓ ପଶ୍ଚିମବଙ୍ଗ ସରକାର ମନମୁଖି ଭାବେ ସଂରକ୍ଷଣ ସୁବିଧା ପ୍ରଦାନକୁ ମଧ୍ୟ ଅଦାଲତ ସକାରାତ୍ମକ ଦୃଷ୍ଟିରେ ଦେଖି ନାହାନ୍ତି। ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ଦ୍ୱାରା ୧୦୩ତମ ସଂଶୋଧନ ଅଣାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଆର୍ଥିକ ଅନଗ୍ରସର ଶ୍ରେଣୀକୁ ସଂରକ୍ଷଣ ସୁବିଧା ପ୍ରଦାନ କରାଯାଇ ସେମାନଙ୍କ ନିମନ୍ତେ ସମାନତା ସୃଷ୍ଟି କରିବା। ଏଥିରେ ଆର୍ଥିକ ଅନଗ୍ରସର ଶ୍ରେଣୀ ନିମନ୍ତେ ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା। ଏହି ସଂରକ୍ଷଣ ବିରୋଧରେ ଏକାଧିକ ମାମଲା ସୁପ୍ରିମକୋର୍ଟରେ ଦାଏର ହୋଇଥିଲା। ପରିଶେଷରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ସଂଖ୍ୟାଗରିଷ୍ଠ ରାୟରେ ଏହାର ସାମ୍ବିଧାନିକ ବୈଧତାକୁ କାଏମ ରଖିଛନ୍ତି। ଫଳରେ ପ୍ରଥମ ଥର ପାଇଁ ସଂରକ୍ଷଣ ନୀତି ପରିସରକୁ ଏବେ ଆର୍ଥିକ ଦିଗଟି ଆସିଥିଲା ବୋଲି କୁହାଯାଇପାରେ। ପୂର୍ବରୁ ସଂରକ୍ଷଣରେ ସାମାଜିକ ନ୍ୟାୟ ଓ ସମାନତା ବିଷୟ ଉଠିଥିଲା।
ସୁପ୍ରିମକୋର୍ଟ ରାୟ ଦ୍ୱାରା ସାମାଜିକ- ଆର୍ଥିକ ସଶକ୍ତୀକରଣରେ ସମାନତା ଆସିପାରିବ ବୋଲି ସଂଖ୍ୟାଗରିଷ୍ଠ ବିଚାରପତି ମତ ଦେଇଥିଲେ।
ଆର୍ଥିକ ସମାନତା ପାଇଁ ଅନୁସୂଚିତ ଜାତି (ଏସ୍‌ସି) ଓ ଜନଜାତି (ଏସ୍‌ଟି)ଙ୍କ ପାଇଁ ଆମ ସମ୍ବିଧାନରେ ସଂରକ୍ଷଣ ସୁଯୋଗ ରହିଛି। ଅନୁସୂଚିତ ଜାତି ପାଇଁ ୧୫%, ଅନୁସୂଚିତ ଜନଜାତି ପାଇଁ ୭.୫% ଓ ଅନ୍ୟାନ୍ୟ ପଛୁଆ ସଂପ୍ରଦାୟ ପାଇଁ ୨୭% ସଂରକ୍ଷଣ ସୁବିଧା ରହିଛି। ଦେଖିବାକୁ ଗଲେ ମୂଳ ସମ୍ବିଧାନରେ ଶିକ୍ଷା କ୍ଷେତ୍ର ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ରଖାଯାଇନଥିଲା। ତେବେ ୧୯୫୧ ମସିହାରେ ପ୍ରଥମ କରି ସମ୍ବିଧାନ ସଂଶୋଧନ ଆରମ୍ଭ ହୁଏ ଏବଂ ଏଇଠାରେ ଶିକ୍ଷାକୁ ସଂରକ୍ଷଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିଦିଆଗଲା। ସ୍ବାଧୀନ ଭାରତରେ ସାମାଜିକ ନ୍ୟାୟ ଓ ସମାନତାର ଯାତ୍ରା ଆରମ୍ଭ ହେଲା। ଦୀର୍ଘ ୭୦ ବର୍ଷ ମଧ୍ୟରେ ଏସ୍‌ସି/ଏସ୍‌ଟି ବର୍ଗଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତିରେ ଅଗ୍ରାଧିକାର ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକାଧିକ ଥର ସମ୍ବିଧାନ ସଂଶୋଧନ ହୋଇଛି। ଏହାର ଉଦ୍ଦେଶ୍ୟ ହେଲା ସମାଜର ଅବହେଳିତ ବର୍ଗଙ୍କୁ ସମାନ ସୁଯୋଗ ପ୍ରଦାନ କରି ସମାଜର ମୁଖ୍ୟ ସ୍ରୋତକୁ ଆଣିବା। ଏସ୍‌ସି/ଏସ୍‌ଟି ବର୍ଗ ସଂରକ୍ଷଣ ପରେ ଆରମ୍ଭ ହେଲା ପଛୁଆ ବର୍ଗ ସଂରକ୍ଷଣ ବ୍ୟବସ୍ଥା। ଦଳିତ ଓ ପଛୁଆବର୍ଗଙ୍କୁ ନେଇ ରାଜନୀତି କରିବାର ଅଭିଳାଷ ଆଉ ଏକ ସଂରକ୍ଷଣ ବ୍ୟବସ୍ଥା ପାଇଁ ସୁଯୋଗ ସୃଷ୍ଟି କଲା ୧୯୯୦ ମସିହାରେ। ମଣ୍ଡଳ କମିଶନ ସୁପାରିସ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ଭି.ପି. ସିଂହ। ସାମାଜିକ, ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନିମନ୍ତେ ମୋରାରଜୀ ଦେଶାଇଙ୍କ ସରକାର ୧୯୭୯ ମସିହାରେ ଏକ କମିଶନ ବସାଇଥିଲେ। ବିନ୍ଧେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଶନ ୧୯୮୦ ମସିହାରେ ନିଜ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ପାଇଁ ସୁପାରିସ କରାଯାଇଥିଲା। ୧୯୯୦ ମସିହାରେ ମଣ୍ଡଳ କମିଶନ ରିପୋର୍ଟ କାର୍ଯ୍ୟକାରୀ କରି ଭି.ପି. ସିଂହ ସଂରକ୍ଷଣ ରାଜନୀତିର ଯେଉଁ ନୂଆ କୁହୁକ ପେଡ଼ିଟି ଖୋଲିଲେ ତଦ୍ଦ୍ବାରା ଦେଶରେ ବ୍ୟାପକ ହିଂସାକାଣ୍ଡ ସୃଷ୍ଟି ହେଲା। ସୁପ୍ରିମକୋର୍ଟ ସାମୟିକ ସମୟ ପାଇଁ ସୁପାରିସର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିଥିଲେ ମଧ୍ୟ ପରେ ଏହାକୁ ମଞ୍ଜୁରୀ ଦେଇଥିଲେ। ୧୯୯୨ ମସିହାରୁ ଏହି ନୂଆ ସଂରକ୍ଷଣ କାର୍ଯ୍ୟକାରୀ ହେଲା। ଫଳରେ ସଂରକ୍ଷଣ ରାଜନୀତିର ଚକ୍ରଟି ଘୂର୍ଣ୍ଣାୟମାନ ଅବସ୍ଥାରେ ରହିଲା। ମଣ୍ଡଳ କମିଶନ ପଛୁଆ ବର୍ଗ ଚିହ୍ନଟ ପାଇଁ ମୁଖ୍ୟତଃ ଜାତି ଓ ସଂପ୍ରଦାୟକୁ ଗୁରୁତ୍ୱ ଦେଇଥିଲେ। ଏଥିରେ ଆୟ କମ୍‌ ଗୁରୁତ୍ୱ ପାଇଥିଲା। ପ୍ରଧାନମନ୍ତ୍ରୀ ନରସିଂହ ରାଓ ସାଧାରଣ ଶ୍ରେଣୀର ଆର୍ଥିକ ଅସ୍ବଚ୍ଛଳ ପିଲାଙ୍କ ପାଇଁ ୧୯୯୧ ମସିହାରେ ଆୟଭିତ୍ତିକ ୧୦% ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ତାହାକୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ। ସେହି ସମୟରେ ସୁପ୍ରିମକୋର୍ଟ ନିର୍ଦ୍ଦିଷ୍ଟ ଭାବେ ମଣ୍ଡଳ କମିଶନ ରିପୋର୍ଟ କାର୍ଯ୍ୟକାରିତାର ବୈଧତା ନେଇ ରାୟ ପ୍ରଦାନ କରିନଥିଲେ।
୧୦୩ତମ ସମ୍ବିଧାନ ସଂଶୋଧନ ମାମଲାରେ ୫ ଜଣିଆ ଖଣ୍ଡପୀଠର ବିଚାରପତି ଜେ.ବି. ପର୍ଡିୱାଲ ସମ୍ବିଧାନ ସଂଶୋଧନକୁ ସମର୍ଥନ ଜଣାଇଥିଲେ ମଧ୍ୟ ନିଜ ରାୟରେ ଦର୍ଶାଇଥିଲେ ଯେ, ସଂରକ୍ଷଣ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଜାରି ରହିପାରିବ ନାହିଁ। ଅର୍ଥାତ୍‌ ସଂରକ୍ଷଣର ସୁବିଧା ଅନିର୍ଦ୍ଦିଷ୍ଟ ସମୟ ପାଇଁ ହେବା ଉଚିତ ନୁହେଁ। ବିଚାରପତି ବି.ଏମ୍‌. ତ୍ରିବେଦୀ ମଧ୍ୟ କହିଥିଲେ ଯେ, ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସରକାର ସଂରକ୍ଷଣ ନୀତିର ପୁନର୍ବିଚାର କରିବା ଆବଶ୍ୟକ। ସଂରକ୍ଷଣ ମାନସିକତା ଯୋଗୁ ଇତିମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆରଜେଡି ନେତା ତେଜସ୍ବୀ ଯାଦବ, ଜିତନ ରାମ, ଉପେନ୍ଦ୍ର ଖୁସ୍‌ୱା ପ୍ରମୁଖ ଜାତିଭିତ୍ତିକ ଗଣନା ସହ ବିଭିନ୍ନ ଜାତିର ସଂଖ୍ୟା ଅନୁପାତରେ ସଂରକ୍ଷଣ ବ୍ୟବସ୍ଥା ପାଇଁ ଦାବି ଉଠାଇଲେଣି। ଏକଦା ଦେଶର ସ୍ବଚ୍ଛଳ ବର୍ଗ ଭାବେ ବିବେଚିତ ମରାଠୀ, ପଟେଲ, କାପୁ ଓ ଜାଠ ସଂପ୍ରଦାୟ ସଂରକ୍ଷଣ ଯୋଗୁଁ ବିଭିନ୍ନ କ୍ଷେତ୍ରରେ କୋଣଠେସା ହେଲା ପରେ ଏବେ ଜାତିଭିତ୍ତିକ ସମାନୁପାତିକ ସଂରକ୍ଷଣ ନୀତି ପାଇଁ ଦାବି ଉଠାଇଲେଣି। ଏଥିରୁ ପ୍ରମାଣିତ ହେଉଛି ଯେ, ଦେଶର ସ୍ବଚ୍ଛଳ ବର୍ଗ କ୍ରମଶଃ ଅସ୍ବଚ୍ଛଳ ସ୍ତରକୁ ଆସିଗଲେଣି। ଏକଥା ମଧ୍ୟ ଆକଳନ କରାଗଲାଣି ଯେ, ୧୯୮୦ ମସିହାରେ ଦେଶରେ ଅସ୍ବଚ୍ଛଳ ବର୍ଗ ଜନସଂଖ୍ୟାର ଏକ ଚତୁର୍ଥାଂଶ ଥିବାବେଳେ ଏହା ଏବେ ଦୁଇ ତୃତୀୟାଂଶରେ ପହଞ୍ଚିଲାଣି। ସଂସଦରେ ଆଲୋଚନା ସମୟରେ ୧୦୩ତମ ସମ୍ବିଧାନ ସଂଶୋଧନ ପ୍ରସ୍ତାବକୁ ଦଳିତ ନେତା ହୁକୁମ ଦେବ ଯାଦବ ଓ ରାମ ବିଳାସ ପାଶ୍‌ୱାନ ପ୍ରମୁଖ ସମର୍ଥନ ଜଣାଇଥିବା ଦେଖାଯାଇଥିଲା।
ସଂରକ୍ଷଣ ବ୍ୟବସ୍ଥା ଜାରି ଥିବାରୁ ପ୍ରାଚୀନ ଜାତିପ୍ରଥା ବ୍ୟବସ୍ଥାରୁ ଏବେ ଅନେକ ଉପଜାତି, ସଂପ୍ରଦାୟ ଓ ଗୋଷ୍ଠୀର ଆବିର୍ଭାବ ଘଟିଲାଣି। ରାଜନୈତିକ ଦଳ ଜାତି ଓ ସଂପ୍ରଦାୟ ଭିତ୍ତିରେ ଭୋଟ ଆକୃଷ୍ଟ କରିବା ନିମନ୍ତେ ସଂରକ୍ଷଣକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରି ଚାଲିଛନ୍ତି। ବିଭିନ୍ନ ଦଳ ସଂରକ୍ଷଣ ସୀମା ୫୦%ରୁ ଅଧିକ ପାଇଁ ମଧ୍ୟ କ୍ରମଶଃ ଦାବି କଲେଣି। ଇନ୍ଦର ସହ୍ବାନେ ମାମଲାରେ ସୁପ୍ରିମକୋର୍ଟର ୯ ଜଣିଆ ଖଣ୍ଡପୀଠ ସଂରକ୍ଷଣ ସୀମା ୫୦%ରେ ସୀମିତ ରଖିଥିଲେ ମଧ୍ୟ ବହୁ କ୍ଷେତ୍ରରେ ଏହା ଧାର୍ଯ୍ୟ ସୀମା ଅତିକ୍ରମ କରିଯାଉଛି। ଏହି କାରଣରୁ ଅଦାଲତଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ୁଥିବା ଦେଖାଯାଉଛି। କହିବାକୁ ଗଲେ ସୁପ୍ରିମକୋର୍ଟଙ୍କ ରାୟ ଦ୍ୱାରା ସାମାଜିକ ନ୍ୟାୟ ପରିସର ଅଧିକ ପରିବ୍ୟାପ୍ତ ହୋଇପାରିଛି। ଏହାଦ୍ୱାରା ଅଧିକରୁ ଅଧିକ ବର୍ଗ ସାମାଜିକ ନ୍ୟାୟ ପରିସରକୁ ଆସିପାରିବେ। ଅସ୍ବଚ୍ଛଳ ବର୍ଗର ଏକ ଗୋଷ୍ଠୀ ବା ସଂପ୍ରଦାୟ ଭାବେ ବିବେଚିତ ହୋଇପାରିବେ। ତେବେ କେତେବେଳେ ନା କେତେବେଳେ ସମସ୍ତ ସଂରକ୍ଷଣର ଅନ୍ତ ଘଟାଇବାକୁ ପଡ଼ିବ। ଉଦାରୀକରଣ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ।
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri