Categories: ବାଣିଜ୍ୟ

୪.୨ ଟ୍ରିଲିୟନ ଟଙ୍କା କାରବାର କରିଛି ଅଟୋ କମ୍ପୋନେଣ୍ଟ ସେକ୍ଟର

ନୂଆଦିଲ୍ଲୀ,୨୩।୮: ଭାରତୀୟ ଅଟୋ କମ୍ପୋନେଣ୍ଟ ଇଣ୍ଡଷ୍ଟ୍ରି ୨୦୨୧-୨୨ ରେ ସର୍ବାଧିକ ୪.୨ ଟ୍ରିଲିୟନ ଟଙ୍କା କାରବାର କରିଛି। ଏପରି କି ଗତ ଆର୍ଥିକ ବର୍ଷରେ ରପ୍ତାନି ଏବଂ ପରବର୍ତ୍ତୀ ମାର୍କେଟରେ ଦୃଢ଼ ପ୍ରଦର୍ଶନ ଯୋଗୁ ୨୩% ଅaଭିବୃଦ୍ଧି ପଞ୍ଜୀକରଣ କରିଛି ବୋଲି ସୋମବାର ଶିଳ୍ପ ସଂସ୍ଥା ଅଟୋମୋଟିଭ କମ୍ପୋନେଣ୍ଟ୍‌ ମାନ୍ୟୁଫାକ୍‌ଚର୍ସ ଆସୋସିଏଶନ୍‌ ଅଫ୍‌ ଇଣ୍ଡିଆ (ଏସିଏମ୍‌ଏ) ପକ୍ଷରୁ କୁହାଯାଇଛି। ଏକ ଭର୍ଚୁଆଲ୍‌ ଖବରଦାତା ସମ୍ମିଳନୀରେ ଏସିଏମ୍‌ଏ କହିଛି ଯେ, ୨୦୨୧-୨୨ରେ ଅଟୋ ପାର୍ଟସର ଆମଦାନୀ ୩୩% ବୃଦ୍ଧି ଘଟିଛି, ସେହି ସମୟ ମଧ୍ୟରେ ରପ୍ତାନି ମଧ୍ୟ ୪୩% ବୃଦ୍ଧି ପାଇଛି। ଏପରି କି ୨୦୨୧-୨୨ରେ ଭାରତରେ ଅଟୋ କମ୍ପୋନେଣ୍ଟ ଇଣ୍ଡଷ୍ଟ୍ରି ୧.୪୧ ଟ୍ରିଲିୟନ ଟଙ୍କା ମୂଲ୍ୟର ଉପାଦାନ ରପ୍ତାନି କରିଥିଲା ବେଳେ ସମାନ ବର୍ଷରେ ମଧ୍ୟ ୧.୩୬ ଟ୍ରିଲିୟନ ଟଙ୍କା ମୂଲ୍ୟର ଅଟୋ ପାର୍ଟସ ଆମଦାନୀ ହୋଇଥିଲା ବୋଲି ସୂଚନା ମିଳିଛି। ମୋଟ ଅଟୋ ଉପାଦାନଗୁଡିକର ଆମଦାନୀ ମଧ୍ୟରୁ ପ୍ରାୟ ୩୦% ଚାଇନାରୁ ଆସିଛି ଏବଂ ଏହାକୁ ଏକ ନମ୍ବର ସ୍ଥାନ ଦେଇଛି। ଭାରତ ପାଇଁ ଅଟୋ ପାର୍ଟସର ୨ୟ ବୃହତ୍ତମ ଉତ୍ସ ହେଉଛି ଜର୍ମାନୀ, ଯାହା ପ୍ରାୟ ୧୧% ବୋଲି ଏସିଏମ୍‌ଏ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ୩୨% ରପ୍ତାନିରେ ଉତ୍ତର ଆମେରିକା ୪୬% ଅଭିବୃଦ୍ଧି ହାସଲ କରିଛି। ୟୁରୋପ ୩୧% ଏବଂ ଏସିଆ ୨୫% କରି ଯଥାକ୍ରମେ ୩୯% ଏବଂ ୪୦ % ବୃଦ୍ଧି ପାଇଛନ୍ତି। ଗତ ଆର୍ଥିକ ବର୍ଷରେ ରପ୍ତାନି ହୋଇଥିବା ପ୍ରମୁଖ ସାମଗ୍ରୀଗୁଡ଼ିକ ମଧ୍ୟରେ ଡ୍ରାଇଭ୍‌ ଟ୍ରାନ୍ସମିଶନ୍‌ ଏବଂ ଷ୍ଟିଅରିଂ, ଇଞ୍ଜିନ୍‌ ଉପାଦାନ, ବଡି, ଚେସିସ, ସସ୍‌ପେନସନ ଏବଂ ବ୍ରେକ୍‌ସ ଆଦି ରହିଛି। ୨୦୨୧-୨୨ରେ ଅଟୋ କମ୍ପୋନେଣ୍ଟଗୁଡିକର ପରବର୍ତ୍ତୀ ମାର୍କେଟର କାରବାର ୭୪,୨୦୩ କୋଟି ଟଙ୍କା ଥିଲା, ଯାହା ପୂର୍ବ ବର୍ଷ ତୁଳନାରେ ୧୫% ଅଭିବୃଦ୍ଧି ଘଟିଛି। ୨୦୨୧-୨୨ରେ ପରବର୍ତ୍ତୀ ମାର୍କେଟର କାରବାର ପୂର୍ବ-ମହାମାରୀ ସ୍ତର ଅତିକ୍ରମ କରିଥିଲା, କାରଣ ରାସ୍ତାରେ ଅଧିକ ଯାନବାହନର ଦୀର୍ଘ ସମୟ ବ୍ୟବହାର ଫଳରେ ସେକେଣ୍ଡହାଣ୍ଡର ଚାହିଦା ବୃଦ୍ଧି, ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ଅନଲାଇନ୍‌ ରିଟେଲର ପରି ନୂତନ ବିକ୍ରୟ ଚ୍ୟାନେଲ ଏବଂ ମଲ୍ଟି ବ୍ରାଣ୍ଡ ଆଉଟଲେଟ୍‌ ବୃଦ୍ଧି ପାଇଥିବା ଏସିଏମ୍‌ଏ ମତବ୍ୟକ୍ତ କରିଛି।

Share