ଲେଖକ ଓ ସମ୍ବେଦନଶୀଳତା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

 

ନିକଟରେ ପ୍ରକାଶ ପାଇଥିବା ନିରଞ୍ଜନ ସାହୁଙ୍କ ଆତ୍ମଜୀବନୀ ‘କଥା ଅନେଶ୍ୱତ’ରେ ବର୍ଣ୍ଣିତ ଏକ ସମ୍ବେଦନଶୀଳ ଘଟଣାରୁ ପ୍ରବନ୍ଧଟି ଆରମ୍ଭ କରୁଛି। ଲେଖକ ଥାଆନ୍ତି ତହସିଲଦାର। ଦିନେ ସେ ଅଫିସରେ ପଶୁ ପଶୁ ଦେଖିଲେ ଜଣେ ବୁଢ଼ାଲୋକ ଚଦର ଘୋଡ଼ିହୋଇ ଅଫିସର ଗୋଟିଏ କୋଣରେ ବସିଛି। ଲେଖକ ଲୋକଟିର ପରିଚୟ ଜିଜ୍ଞାସା କରନ୍ତେ ବିଭାଗୀୟ ଅଧିକାରୀ କହିଲେ, ସିଏ ହେଉଛି ଅଫିସର ରାତି ଜଗୁଆଳି ପଣ୍ଡୁର ବାପା। ପୁଅ ପାଖକୁ କୌଣସି କାମରେ ଆସିଛି। ପଣ୍ଡୁ ଯାଇଛି ଚା ଆଣିବା ପାଇଁ। ସେ ତାକୁ ଅପେକ୍ଷା କରିଛି। ଲେଖକ ସଙ୍ଗେ ସଙ୍ଗେ ବୁଢ଼ା ଲୋକଟିକୁ ତାଙ୍କ କକ୍ଷକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଲେ। ଲୋକଟିର ବୟସ ଷାଠିଏରୁ ପଞ୍ଚଷଠି ଭିତରେ। ଲେଖକ ତାକୁ ମଉସା ସମ୍ବୋଧନ କରି ନିଜ ବାମ ପାର୍ଶ୍ୱରେ ଖାଲିଥିବା ଚଉକିରେ ବସିବା ପାଇଁ କହିଲେ। ମାତ୍ର ସେ ସେଠି ବସିବା ପାଇଁ ସଙ୍କୋଚ ପ୍ରକାଶ କଲା। ବୋଧହୁଏ ସେ ଭାବିଲା ଲେଖକ ତାକୁ ଥଟ୍ଟା କରୁଛନ୍ତି। ଲେଖକ ତାକୁ ସେଠି ବସିବାକୁ ବାଧ୍ୟ କରନ୍ତେ ଶେଷରେ ବଡ଼ କଷ୍ଟରେ ଚଉକିର ଧାରରେ ଜାକିହୋଇ ବସିଲା। ସେ ଆଶ୍ୱସ୍ତି ଅନୁଭବ କଲା। ତା’ ଆଖିରୁ ବହି ଚାଲିଲା ଧାର ଧାର ଲୁହ। ଲେଖକ କାନ୍ଦିବାର କାରଣ ପଚାରନ୍ତେ, ବୁଢ଼ାଟି କହିଲା, ମୁଁ ବୁଝିପାରୁନାହିଁ, ଏହା ସତ ନା ମିଛ। ମୋ ପୁଅ ଆପଣଙ୍କ ଅଫିସରେ ପିଅନ। ମୁଁ ଏଠି ବସିବା ପାଇଁ ଯୋଗ୍ୟ ନୁହେଁ। ମୋତେ ଏଠାରୁ ଯିବା ପାଇଁ ଆପଣ ଆଦେଶ ଦିଅନ୍ତୁ। ଏତିକି କହି ସେ ଉଠିପଡ଼ିଲା। ଲେଖକଙ୍କୁ ଆନ୍ଦୋଳିତ କଲା ଦୁଇଟି ପ୍ରଶ୍ନ। ପ୍ରଥମଟି ତହସିଲଦାରଙ୍କ ପାଖରେ ବସିବା ପାଇଁ ଲୋକଟି ସଙ୍କୋଚ ପ୍ରକାଶ କଲା କାହିଁକି ଓ ଦ୍ୱିତୀୟଟି ହେଉଛି ତା’ ଆଖିରୁ ଲୁହ ବହିଲା କାହିଁକି ? କୌଣସି ଉଚ୍ଚ ପଦାଧିକାରୀ ଜଣେ ନିମ୍ନପଦସ୍ଥ କର୍ମଚାରୀର ବାପାକୁ ଏଭଳି ବ୍ୟବହାର କେବେ ଦେଖାନ୍ତି ନାହିଁ। ଏଣୁ ତହସିଲଦାର ତାଙ୍କ ନିକଟରେ ବସିବା ପାଇଁ କହିବାରୁ ସେ ସଙ୍କୋଚ ପ୍ରକାଶ କଲା। ମାତ୍ର ସେ ଯେତେବେଳେ ତହସିଲଦାରଙ୍କ କଥାରେ ଆନ୍ତରିକତା ଥିବାର ଅନୁଭବ କଲା ସେ ଭାବବିହ୍ବଳ ହୋଇ କାନ୍ଦି ପକାଇଲା, କାରଣ ଏହା ଥିଲା ତା’ ପାଇଁ ଅପ୍ରତ୍ୟାଶିତ। ଲେଖକ ଜଣେ ସମ୍ବେଦନଶୀଳ ମଣିଷ। ଏଣୁ ସେ ଲେଖିଛନ୍ତି, ‘ଆମେ ଆମ ଜାଣତରେ କିମ୍ବା ଚଲାବାଟରେ ଏମିତି ଗୋଟିଏ ପୃଥିବୀ ଗଢ଼ି ଦେଇଛେ, ଯେଉଁଠି ଗୋଟିଏ ଅଫିସର ଲୋକମାନେ ଭାବନ୍ତି ପିଅନଟିଏର ସାମାଜିକ ସ୍ଥିତି ଅଫିସ ଭିତରେ ଯାହା, ତା’ର ଭାଇ, ଭଉଣୀ, ବାପା ବା ପୁଅ ସମସ୍ତେ ସେଇ ନଜରରେ ଦେଖାହେବେ। କିରାଣିଟିଏ ଯାହା ତା’ର ନିଜସ୍ବ ଲୋକମାନଙ୍କ ମାନ ବି ଠିକ୍‌ ସେୟା। ଠିକ୍‌ ଏହାଛଡ଼ା ଆମେ ଭାବୁ ଅଫିସର ହାକିମ ଯାହା ତାଙ୍କର ବାପା, ଭାଇ ବି ସେହି ସମ୍ମାନର ହକ୍‌ଦାର। କେବେଠାରୁ ଏହି ଧାରଣା ଚାଲିଆସିଛି ତା’ର ହିସାବ ନାହିଁ। କଲେକ୍ଟରଙ୍କ ଭାଇ କହିଦେଲେ ବି ତାଙ୍କ ତଳ ଅଧିକାରୀ ଠିଆ ହୋଇପଡ଼ନ୍ତି ଅଥଚ ପିଅନର ବାପା କହିଦେଲେ ସେମାନଙ୍କ ଭିତରେ ଟିକିଏ ସମ୍ମାନ ଦେବାକୁ ଇଚ୍ଛା ବା ଆଗ୍ରହ ସୃଷ୍ଟି ହୁଏ ନାହିଁ।
ସେଦିନ ଏହି ଲେଖକ- ତହସିଲଦାରଙ୍କଠାରେ ଯେଉଁ ମାନବୀୟ ବ୍ୟବହାର ଲକ୍ଷ୍ୟ କରିଥିଲା, ତାହା ଥିଲା ସମ୍ବେଦନା। ତାଙ୍କର ଏହି ସମ୍ବେଦନଶୀଳତାରୁ ସୃଷ୍ଟି ହୋଇଛି ‘କଥା ଅନେଶ୍ୱତ ’ା ଏହି ସମ୍ବେଦନଶୀଳତା ନ ଥିଲେ ଲେଖକ ଯେତେବଡ଼ ଉଚ୍ଚ ପଦାଧିକାରୀ ହୋଇଥିଲେ ମଧ୍ୟ ବା ଯେତେ ଜ୍ଞାନର ଅଧିକାରୀ ହୋଇଥିଲେ ମଧ୍ୟ ତାହା କଲମରୁ ସୃଷ୍ଟି ହୋଇଥିବା ସାହିତ୍ୟ କୌଣସି ଆବେଦନ ସୃଷ୍ଟି କରିପାରେ ନାହିଁ। ସମ୍ବେଦନଶୀଳତା ଏକ ମଣିଷୋଚିତ ଗୁଣ। ସାଧାରଣ ମଣିଷଠାରୁ ଲେଖକଟିଏ ବେଶି ସମ୍ବେଦନଶୀଳ। ଏହି ସମ୍ବେଦନଶୀଳତା ନ ଥିଲେ କାଳୋତ୍ତୀର୍ଣ୍ଣ ସାହିତ୍ୟ ସୃଷ୍ଟି ହୋଇପାରେ ନାହିଁ। ମହାକାବ୍ୟ ରାମାୟଣର ସୃଷ୍ଟି ହୋଇଥିଲା ଏହି ସମ୍ବେଦନଶୀଳତା ମଧ୍ୟରୁ। କାମାସକ୍ତ କ୍ରୌଞ୍ଚଯୁଗଳଙ୍କ ମଧ୍ୟରୁ ଗୋଟିଏ କ୍ରୌଞ୍ଚକୁ ନିଷାଦ ଶରାଘାତ କରନ୍ତେ ଦୃଶ୍ୟଟି ଦେଖୁଥିବା ଋଷି ବାଲ୍ମୀକିଙ୍କ ହୃଦୟରେ ଯେଉଁ ବେଦନା ସୃଷ୍ଟି ହେଲା ସେଠୁ ଜନ୍ମ ନେଲା ରାମାୟଣର ପ୍ରଥମ ଶ୍ଳୋକ-‘ମାନିଷାଦ ପ୍ରତିଷ୍ଠାଂତ୍ୱମଗମଃ ଶାଶ୍ୱତିଃ ସମାଃ/ଯତ୍‌ କ୍ରୋଞ୍ଚମିଥୁନାଦେକମବଧୀ କାମମୋହିତମ୍‌।’ ଋଷି ବେଦନାଜର୍ଜରିତ ହୃଦୟରେ ଅଭିଶାପ ଦେଲେ ‘ରେ ନିଷାଦ !
ତୁ କାମାସକ୍ତ ଥିବା କ୍ରୋଞ୍ଚ ଯୁଗଳରୁ ଗୋଟିଏ କ୍ରୋଞ୍ଚକୁ ହତ୍ୟା କରିଥିବାରୁ ତୁ ଅନନ୍ତ କାଳ ପର୍ଯ୍ୟନ୍ତ ଶାନ୍ତିଲାଭ କରିପାରିବୁ ନାହିଁ।’ ପରବର୍ତ୍ତୀ ସମୟରେ ଏହି ରାମାୟଣ ହେଲା କାଳଜୟୀ ସାହିତ୍ୟ। ସେହିଭଳି ଜଣେ ସମ୍ବେଦନଶୀଳ ବ୍ୟକ୍ତି ଥିଲେ କାହ୍ନୁଚରଣ ମହାନ୍ତି। ବିଶିଷ୍ଟ ଲେଖକ ବୈଷ୍ଣବ ଚରଣ ମହାନ୍ତିଙ୍କଠାରୁ ଶୁଣିଥିବା ତାଙ୍କ ଜୀବନର ଏକ ଘଟଣା। ଶୀତରାତିରେ କଲେଜ ଛାତ୍ର ଥିବା ବୈଷ୍ଣବବାବୁ ସାଇକେଲରେ ନିଜ ବସାକୁ ଫେରୁଥାନ୍ତି। କଟକର ରାଜା ବଗିଚାରେ ଅନ୍ଧାର ରାତିରେ ରାସ୍ତା କଡ଼ରେ ବସିଥାନ୍ତି ଜଣେ ବୃଦ୍ଧ। ସେ କମଳଟିଏ ଘୋଡ଼େଇ ହୋଇଥାନ୍ତି ଓ ହାତରେ ଗୋଟିଏ ଲଣ୍ଠନ ଧରିଥାନ୍ତି। ବୈଷ୍ଣବବାବୁ ଆଗେଇ ଯାଆନ୍ତେ ସେ ପାଟିକରି କହିଲେ କିଏ ? ଦେଖିକରି ଯାଅ, ପଡ଼ିଯିବ। ଆଗରେ ମ୍ୟାନହୋଲ ଅଛି। ବୈଷ୍ଣବବାବୁ ଅଟକିଗଲେ। ଶୀତରାତିରେ ବୁଢ଼ା ବୟସରେ ରାସ୍ତା କଡ଼ରେ ବସିଥିବାର କାରଣ ବୈଷ୍ଣବବାବୁ ପଚାରନ୍ତେ ସେ କହିଲେ, ଆଗରେ ଥିବା ମ୍ୟାନହୋଲର ଢାଙ୍କୁଣି ଉଠିଯାଇଛି। କିଛି ସମୟ ପୂର୍ବରୁ ଜଣେ ରିକ୍ସାବାଲା ତାହା ଦେଖି ନ ପାରି ସେଠାରେ ପଡ଼ି ଖଣ୍ଡିଆଖାବରା ହୋଇଗଲା। ରିକ୍ସା ଟାଣି ସେ କୁଟୁମ୍ବ ପୋଷେ। ଏବେ ବିଚରା ଚଳିବ କେମିତି ? ଆଉ କେହି ସେଠି ନ ପଡୁ , ସେଥିପାଇଁ ମୁଁ ଏଠି ଜଗିବସିଛି। ବୈଷ୍ଣବବାବୁ ତାଙ୍କ ପରିଚୟ ଜାଣିବାକୁ ଚାହାନ୍ତେ ସେ କହିଲେ, ମୁଁ କାହ୍ନୁ ମହାନ୍ତି। ନିକଟରେ ମୋର ଘର। ହା ଅନ୍ନ, ଶାସ୍ତି, ବାଲିରାଜା, ପଳାତକ ଭଳି ବହୁ କାଳଜୟୀ ଉପନ୍ୟାସର ସ୍ରଷ୍ଟା କାହ୍ନୁଚରଣ ମହାନ୍ତିଙ୍କ ସମ୍ବେଦନଶୀଳତା ଉପଲବ୍ଧି କରି ବୈଷ୍ଣବବାବୁ ବିସ୍ମିତ ହୋଇଥିଲେ ଓ ତା’ ପରଦିନ ପୌର କାର୍ଯ୍ୟାଳୟକୁ ଯାଇ ସେହି ମ୍ୟାନହୋଲ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଏହି ମାନବୀୟ ସମ୍ବେଦନା ନ ଥିଲେ ସଫଳ ସାହିତ୍ୟର ସୃଷ୍ଟି ସମ୍ଭବ ନୁହେଁ। କାହ୍ନୁ ଚରଣଙ୍କ ପ୍ରତ୍ୟେକ ଉପନ୍ୟାସରେ ଏହା ପ୍ରତିଫଳିତ। ଅନୁରୂପ ଭାବେ କବୟିତ୍ରୀ ଗାବ୍ରିଏଲ ମିଷ୍ଟ୍ରାଲ ଦିନେ ସୂର୍ଯ୍ୟାସ୍ତ ସମୟରେ ଗହମ ଖେତ ବାଟେ ଘରକୁ ଫେରୁଥିଲେ। ଜଣେ ଗର୍ଭବତୀ ନାରୀ ଶ୍ରମିକକୁ କେତେକ ପୁରୁଷ ରୂଢ଼ ମନ୍ତବ୍ୟ ଦେଇ ଉପହାସ କରୁଥିବାର ଦୃଶ୍ୟ ତାଙ୍କୁ ଏତେ ଆଘାତ ଦେଲା ଯେ ସେ ରାତିସାରା ଶୋଇପାରି ନଥିଲେ। ସେ ଅନୁଭବ କରିଥିଲେ ମାତୃତ୍ୱର ଅସହାୟତା ଓ ସେହି ରାତିରେ ଲେଖିଥିଲେ ମାତୃତ୍ୱର ଗରିମା ଉପରେ ତାଙ୍କର ପ୍ରଥମ କବିତା, ପରେ ସେ ଯେତେ କବିତା ଲେଖିଥିଲେ ସବୁଥିରେ ମୂଳ ବିଷୟବସ୍ତୁ ଥିଲା ମା’ ଓ ଶିଶୁ। ପରବର୍ତ୍ତୀ ସମୟରେ ସେ ତାଙ୍କର ସାହିତ୍ୟ କୃତି ପାଇଁ ନୋବେଲ ପୁରସ୍କାର ପାଇଲେ।
ଆଧୁନିକ ଯୁଗରେ ଲେଖକମାନଙ୍କ ସଂଖ୍ୟା ଅତି ମାତ୍ରାରେ ବଢ଼ିଛି। ମାତ୍ର ଏହା ଅବଶ୍ୟ ସ୍ବୀକାର୍ଯ୍ୟ ଯେ ସେମାନଙ୍କ ସାହିତ୍ୟ ଜଳଯାତ୍ରା ରୋମାଞ୍ଚକର ହେଲେ ମଧ୍ୟ ଯାତ୍ରା ମଝିରେ ଅନେକ ଲେଖକଙ୍କ ଜାହାଜ ଧ୍ୱଂସପ୍ରାପ୍ତ ହେଉଛି। କିଛି ଲେଖକ ନିଜସ୍ବ ପ୍ରତିଭା ନ ଥିଲେ ମଧ୍ୟ ପ୍ରତିଷ୍ଠା ଓ ପୁରସ୍କାର ଆଶାୟୀ ହୋଇ ଲେଖନୀ ଚାଳନା କରୁଛନ୍ତି ଓ ଅନ୍ୟର ଲେଖାକୁ ବିନା ସୂଚନାରେ ନକଲ କରୁଛନ୍ତି। ପୁନଶ୍ଚ ନିଜସ୍ବ ଅନୁଭୂତି ନ ଥାଇ ଓ ମାନବୀୟ ସମ୍ବେଦନା ନ ଥାଇ ଲେଖନୀ ଚାଳନା କରୁଛନ୍ତି। ଏହିଭଳି ଲେଖା ଆବେଦନ ସୃଷ୍ଟି କରିପାରୁନାହିଁ। ଏଭଳି ଲେଖକଙ୍କୁ ସାହିତ୍ୟ ମହାଭାରତର ଲେଖକ ସଞ୍ଜୟ ପୌଣ୍ଡ୍ରକ ଆଖ୍ୟା ଦେଇଛନ୍ତି।
ପୌଣ୍ଡ୍ରକ ଥିଲେ ଜରାସନ୍ଧଙ୍କ ମିତ୍ର। ତାଙ୍କ ପିତାଙ୍କ ନାମ ଥିଲା ବସୁଦେବ। ତେଣୁ ସେ ନିଜକୁ ବାସୁଦେବ ବୋଲି କହୁଥିଲେ। ମାତ୍ର ସେ ନିଜକୁ ବାସୁଦେବ ବୋଲି ପରିଚୟ ଦେବା ବେଳକୁ ଶ୍ରୀକୃଷ୍ଣ ବାସୁଦେବ ଭାବରେ ପ୍ରସିଦ୍ଧି ଅର୍ଜନ କରିସାରିଥିଲେ। ଥରେ ନାରଦ ପୌଣ୍ଡ୍ରକଙ୍କ ଆଗରେ ଶ୍ରୀକୃଷ୍ଣ-ବାସୁଦେବଙ୍କ ଖ୍ୟାତି ବର୍ଣ୍ଣନା କରନ୍ତେ ସେ ଉତ୍‌କ୍ଷିପ୍ତ ହୋଇ କହିଲେ, ସେ ହେଉଛନ୍ତି ଅସଲି ବାସୁଦେବ ଓ ଶ୍ରୀକୃଷ୍ଣ ହେଉଛନ୍ତି ନକଲି। ପୁନଶ୍ଚ ସେ ନିଜ ଦେହରେ ଶ୍ରୀକୃଷ୍ଣଙ୍କ ବର୍ଣ୍ଣ ପରି ନୀଳରଙ୍ଗ ବୋଳି ହେଲେ ଓ ହାତରେ ଶଙ୍ଖ ଚକ୍ର ଧରି ନିଜକୁ ପ୍ରକୃତ ବାସୁଦେବ ବୋଲି ପ୍ରଚାର କଲେ। ଲେଖକଙ୍କ ଏହି ପ୍ରକାର ଉଦ୍ୟମ ଅବଶ୍ୟ ନିନ୍ଦନୀୟ। ଏଣୁ ନିଜସ୍ବ ଅନୁଭୂତି ଓ ମାନବୀୟ ସମ୍ବେଦନା ନ ଥାଇ ଲେଖନୀ ଚାଳନା କରିବା ସାହିତି୍ୟକ ଭାବରେ ନିଜକୁ ପ୍ରତିଷ୍ଠିତ କରିବାର ଅପଚେଷ୍ଟା ବୋଲି କୁହାଯାଇପାରେ।
ଟିଟିଲାଗଡ଼, ମୋ-୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

ଭୋଗୁଥିବା ସ୍ବପ୍ନ

ମଣିଷ ସ୍ବପ୍ନ ତ ଦେଖେ କିନ୍ତୁ ସବୁ ସ୍ବପ୍ନ ସତ ହୁଏନା। ଅନେକ ସ୍ବପ୍ନ ଅଧୁରା ରହେ। ଆଉ କିଛି ସ୍ବପ୍ନ ପୂରଣ ହୁଏ ସତ। ସ୍ବପ୍ନ…

ମନମୁଖି ଛଟେଇ

କିଛିଦିନ ତଳେ ସକାଳେ ଓରାକଲ କମ୍ପାନୀ କୌଣସି ପୂର୍ବ ଆଲୋଚନା ନ କରି ବା ସୂଚନା ବା ଚେତାବନୀ ନ ଦେଇ ସ୍ବୟଂଚାଳିତ ଇ-ମେଲ୍‌ରେ ଏକା ଥରକେ…

ନିର୍ଦ୍ଦେଶରେ ଦ୍ୱନ୍ଦ୍ୱ

ଯଦି ଆପଣ ଭାବୁଛନ୍ତି ଯେ ଦିଲ୍ଲୀରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦ୍ୱନ୍ଦ୍ୱାତ୍ମକ ଥିଲା ତାହା ନୁହେଁ, ଏବେ ତାମିଲନାଡୁରେ ସମାନ ପ୍ରକାର କାହାଣୀ ଦେଖିବାକୁ ମିଳିିଛି;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri