![](https://www.dharitri.com/wp-content/uploads/2022/10/6-35.jpg)
ଓ୍ବାଶିଂଟନ,୨୯ା୧୦: ଆମେରିକା ହାଉସ୍ ସ୍ପିକର ନାନ୍ସି ପେଲୋସିଙ୍କ ସ୍ବାମୀ ପଲ୍ ପେଲୋସି(୮୨)ଙ୍କୁ ଶୁକ୍ରବାର ସକାଳେ ହିଂସାତ୍ମକ ଆକ୍ରମଣ ହୋଇଛି। ଆକ୍ରମଣକାରୀ ଜଣକ ଦମ୍ପତିଙ୍କ ସାନ୍ ଫ୍ରାନ୍ସିସ୍କୋ ବାସଭବନରେ ପ୍ରବେଶ କରି ଆକ୍ରମଣ କରିଥିଲେ। ଆକ୍ରମଣର କାରଣ ଜଣାପଡ଼ି ନାହିଁ। ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରି ତାଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ତଦନ୍ତ ଚଳାଇଛି। ପଲ୍ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଆକ୍ରମଣ ସମୟରେ ବାଚସ୍ପତି ନାନ୍ସି ଉକ୍ତ ବାସଭବନରେ ଉପସ୍ଥିତ ନ ଥିଲେ। ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ଓ ସିନେଟ ନିୟନ୍ତ୍ରଣ ଲାଗି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଆଉ ମାତ୍ର ୨ ସପ୍ତାହ ଥିବାବେଳେ ଏଭଳି ଆକ୍ରମଣ ହୋଇଛି। ପଲ୍ ପେଲୋସିଙ୍କର ସାନ୍ ଫ୍ରାନ୍ସିସ୍କୋରେ ରିଅଲ ଇଷ୍ଟେଟ୍ ଏବଂ ଉଦ୍ୟୋଗ ପୁଞ୍ଜି ଫାର୍ମ ରହିଛି। ମଦ ନିଶାରେ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇବା ଅଭିଯୋଗରେ ଗତ ମେ’ରେ ସେ ଦୋଷୀସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୫ ଦିନ ଜେଲଦଣ୍ଡ ହୋଇଥିଲା।