ନାସ୍ତିକର ପ୍ରାର୍ଥନା

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

ଆରମ୍ଭରୁ ଗପଟିଏ। ଜଣେ ରାଜା ଥରେ ଗୁରୁତର ଅସୁସ୍ଥ ହୋଇପଡ଼ିଲେ। ସେଇ ରାଜ୍ୟର ରାଜବୈଦ୍ୟଙ୍କଠୁ ଆରମ୍ଭ କରି ପଡ଼ୋଶୀ ରାଜ୍ୟର କୁଶଳୀ ବୈଦ୍ୟମାନଙ୍କ ବହୁବିଧ ଚିକିତ୍ସା ସତ୍ତ୍ୱେ ରାଜା ରୋଗମୁକ୍ତ ହେଲେ ନାହିଁ। ମାସ ମାସ ବିତିଗଲା। କ୍ରମେ କ୍ଷୀଣରୁ କ୍ଷୀଣତର ହୋଇ ସେ ବଞ୍ଚତ୍ବାର ଆଶା ହରାଇ ବସିଲେ। ନିରୋଳାରେ ମନ ଭରି କାନ୍ଦିଲେ ରାଜା ଓ ସେମିତି କାନ୍ଦି କାନ୍ଦି ଶୋଇପଡ଼ିଲେ। ନିଦ୍ରାଚ୍ଛନ୍ନ ଅବସ୍ଥାରେ ଏକ ଅଦ୍ଭୁତ ସ୍ବପ୍ନ ଦେଖିଲେ ସେ। କେହି ଜଣେ ଦିବ୍ୟପୁରୁଷ ତାଙ୍କ ଆଗରେ ଆବିର୍ଭୂତ ହୋଇ ବ୍ୟାଧିମୁକ୍ତ ହେବାର ଉପାୟ ବତାଇ ଦେଉଛନ୍ତି। କହୁଛନ୍ତି, ”ଜୀବନରେ କେବେ କିଛି ଈଶ୍ୱରଙ୍କୁ ମାଗି ନ ଥିବା ଲୋକ ଯଦି ତୁମକୁ ରୋଗମୁକ୍ତ କରିବାକୁ ପ୍ରାର୍ଥନା କରେ, ତେବେ ତୁମେ ସୁସ୍ଥ ହୋଇଯିବ।“ ରାଜାଙ୍କ ସ୍ବପ୍ନ ଦର୍ଶନ କଥା ଅବିଳମ୍ବେ ରାଷ୍ଟ୍ର ହୋଇଗଲା ସମଗ୍ର ରାଜ୍ୟରେ। ଗୁରୁତ୍ୱର ସହ ଏ କଥା ପ୍ରଚାରିତ ହେଲା ଯେ, କେବଳ ସେଇମାନଙ୍କ କଥା ଈଶ୍ୱରଙ୍କ କାନରେ ପଡ଼ିବ, ଯେଉଁମାନେ କେବେ ବି କୌଣସି କାମନା ନେଇ ତାଙ୍କ ପାଖରେ ହାତ ପାତିନାହାନ୍ତି। ରାଜାନୁଗତ ବିଶାଳ ପ୍ରଜାକୁଳ ମଧ୍ୟରୁ ଥୋକେ ଅତୀତ ରୋମନ୍ଥନ କରି ଈଶ୍ୱରଙ୍କୁ ସେମାନେ କେବେ କିଛି ମାଗିଛନ୍ତି କି ନାହିଁ ମନେ ପକାଇଚାଲିଲେ। ଆଉ ଥୋକେ ଆରମ୍ଭ କରିଦେଲେ ତତ୍କାଳ ପ୍ରାର୍ଥନା। ମାତ୍ର କହିବା ଲୋଡ଼ାନାହିଁ ଯେ, ତଥାପି ସୁସ୍ଥ ହେଲେନାହିଁ ରୋଗଗ୍ରସ୍ତ ରାଜା। ଏମିତି ସମୟରେ ଜଣେ ବିଜ୍ଞ ପାରିଷଦ ହଠାତ୍‌ କହିଲେ, ”ଧନୀ ହୁଅନ୍ତୁ କି କାଙ୍ଗାଳ, ଏମିତି କ୍ୱଚିତ ଥିବେ, ଯିଏ ଈଶ୍ୱରଙ୍କୁ କେବେ କିଛି ମାଗି ନ ଥିବେ। ସୁତରାଂ, ଈଶ୍ୱରଙ୍କୁ ବିଶ୍ୱାସ କରୁ ନ ଥିବା ନାସ୍ତିକଟିଏ ଲୋଡ଼ା। ସେଭଳି ଲୋକଟିଏ ଯଦି ମିଳିଗଲା ଓ ରାଜାଙ୍କ ପାଇଁ ପ୍ରାର୍ଥନା କରିବାକୁ ରାଜି ହେଲା, ତେବେ ଆମ ରାଜାଙ୍କ ଜୀବନରକ୍ଷା ସମ୍ଭବ ହେବ।“
ଏ ଏକ ବିଚିତ୍ର ବିରୋଧାଭାସ। ଯିଏ ନାସ୍ତିକ, ଈଶ୍ୱରଙ୍କ ଅସ୍ତିତ୍ୱରେ ଯାହାର ବିଶ୍ୱାସ ନାହିଁ, ସେ ବା କାହିଁକି ଆଗେଇ ଆସିବ ଈଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ରାଜାଙ୍କ ଜୀବନ ରକ୍ଷା ପାଇଁ! ଈଶ୍ୱର କିଏ ବୋଲି ଯିଏ ଜାଣେ ନାହିଁ, ଈଶ୍ୱର ପ୍ରାର୍ଥନା ପୂରଣ କରନ୍ତି ବୋଲି ଯିଏ ମାନେନାହିଁ, ସେ କାହିଁକି ରାଜି ହେବ ଏଇ ଅର୍ଥହୀନ ବୃଥା କସରତ ପାଇଁ! ତଥାପି ଖୋଜା ଚାଲିଲା ରାଜ୍ୟସାରା ଓ ଶେଷରେ ଠାବ କରାଗଲା ସେମିତି ଏକ ଲୋକକୁ। ବଡ଼ ଅଦ୍ଭୁତ ସେ ଲୋକ। ଦେବାଳୟ ସହ ସମ୍ପର୍କ ନାହିଁ କି ପୂଜାପାଠ, ପ୍ରାର୍ଥନା, ଆରାଧନା ପାଇଁ ଆଗ୍ରହ ନାହିଁ। ଈଶ୍ୱରଙ୍କ ଶକ୍ତି ଉପରେ ଜମା ବିଶ୍ୱାସ ନାହିଁ। ଏମିତି ଜଣେ ଲୋକ ରାଜାଙ୍କ ପ୍ରାଣରକ୍ଷା ନିମନ୍ତେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ପାଇଁ ଅମାତ୍ୟଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାର ଯଥେଷ୍ଟ କାରଣ ଥିଲା। ମାତ୍ର ସେ ତାହା କଲେ ନାହିଁ। କହିଲେ, ”ଈଶ୍ୱରଙ୍କୁ ଯେତେବେଳେ ମୁଁ ବିଶ୍ୱାସ କରେନାହିଁ, ସେତେବେଳେ କିଛି ମାଗିବାର ପ୍ରଶ୍ନ ଉଠିବ ବା କାହିଁକି! ତେବେ ମୋ ମାଗିବା ଦ୍ୱାରା ଯଦି ରାଜାଙ୍କ ଜୀବନ ବଞ୍ଚତ୍ୟିବ, ତେବେ ଈଶ୍ୱରଙ୍କୁ ଶହେବାର ମାଗିବାକୁ ମୁଁ ପ୍ରସ୍ତୁତ ଅଛି।“ ଆଖି ମୁଦି ତନ୍ମୟ ଚିତ୍ତରେ ଜୀବନର ପ୍ରଥମ ପ୍ରାର୍ଥନା ପେସ୍‌ କଲେ ସେ, ସେଇ ଅଦୃଶ୍ୟ ଶକ୍ତି ନିକଟରେ; ଯାହାଙ୍କ ପ୍ରତି ତାଙ୍କର କେବେବି ବିଶ୍ୱାସ ନ ଥିଲା। ଆଶ୍ଚର୍ଯ୍ୟ! ପରିଣାମ ହେଲା ଅତ୍ୟନ୍ତ ଅପ୍ରତ୍ୟାଶିତ। ରୋଗଶଯ୍ୟାରୁ ଉଠି ବସିଲେ ରାଜା। ସ୍ତବ୍‌ଧ ଚକିତ ହୋଇ ରହିଗଲେ ପରିବାର, ପାରିଷଦବର୍ଗଙ୍କ ସମେତ ତଥାକଥିତ ଆସ୍ତିକଗଣ। ପ୍ରଶ୍ନଟିଏ ମୁଣ୍ଡ ଟେକିଲା। ଈଶ୍ୱର କ’ଣ ସେଇମାନଙ୍କ ଡାକ ଶୁଣନ୍ତି, ଯେଉଁମାନେ ତାଙ୍କୁ କେବେ ବି ଡାକନ୍ତି ନାହିଁ? ଆଉ ଗୋଟିଏ କଥା ବି ସ୍ପଷ୍ଟ ହୋଇଗଲା- ନିଜ ପାଇଁ କିଛି ମାଗିଲେ ଈଶ୍ୱର ହୁଏତ ଶୁଣି ନ ପାରନ୍ତି। ମାତ୍ର ଅନ୍ୟ କାହା ପାଇଁ ମାଗିଲେ ସେ ନ ଶୁଣି ରହିପାରନ୍ତି ନାହିଁ! ପ୍ରକୃତରେ ବଡ଼ ଅବୋଧ୍ୟ, ରହସ୍ୟମୟ ସେଇ ଈଶ୍ୱର।
ବହୁ ବର୍ଷ ପୂର୍ବରୁ କେବେ କେଉଁଠି ପଢ଼ିଥିବା ଏଇ ଗପଟି ଏବେ ସ୍ମରଣକୁ ଆସିବାର ଏକ ବିଶେଷ କାରଣ ରହିଛି। କେଇଦିନ ତଳେ ନୂଆ ବର୍ଷଟିକୁ ଆବାହନ କରିବା ଅବସରରେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଭିତରେ ଜଗନ୍ନାଥ ଦର୍ଶନ ପାଇଁ ଅସ୍ବାଭାବିକ ଭିଡ଼ ପରିଲକ୍ଷିତ ହୋଇଥିଲା। ସେହି ଦର୍ଶନାର୍ଥୀଙ୍କ ଲମ୍ବା ଧାଡ଼ି ଭିତରେ ଜଣେ ବିଶେଷ ବନ୍ଧୁ ଛିଡ଼ା ହୋଇଥିବାର ଖବର ପାଇ ଆଶ୍ଚର୍ଯ୍ୟରେ ସେଦିନ ଏ ଲେଖକର ଆଖି ଖୋସି ହୋଇ ଯାଇଥିଲା। ଆଶ୍ଚର୍ଯ୍ୟ ଯେ, ସେହି ବନ୍ଧୁ ଜଣକ ଥିଲେ ପରମ ନାସ୍ତିକ। ଅନ୍ୟ ବହୁ ନାସ୍ତିକଙ୍କ ପରି ସେ ଈଶ୍ୱରଙ୍କୁ ଅବଜ୍ଞା କରୁ ନ ଥିଲେ କି ଈଶ୍ୱରବିଶ୍ୱାସୀଙ୍କ ବିଶ୍ୱାସକୁ ଆଘାତ ଦେଉ ନ ଥିଲେ। ମାତ୍ର ସେ ବ୍ୟକ୍ତିଗତ ଭାବେ ଈଶ୍ୱରଙ୍କ ଅସ୍ତିତ୍ୱରେ ବିଶ୍ୱାସ କରୁ ନ ଥିଲେ। ତାଙ୍କୁ ଏ ସମ୍ପର୍କରେ ପଚାରି ଯାହା ଉତ୍ତର ମିଳିଲା, ତାହା ଥିଲା ଯେପରି ମାର୍ମିକ, ସେପରି ପ୍ରଣିଧାନଯୋଗ୍ୟ। ପ୍ରଥମେ ଅତ୍ୟନ୍ତ ହାଲୁକା ପରିହାସରେ ବନ୍ଧୁ କୈଫିୟତ ଦେଲେ, ”ପତ୍ନୀ ଓ ପରିବାର ସଦସ୍ୟଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଡ୍ରାଇଭର ହୋଇ ପୁରୀ ଯାଇଥିଲି। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଚଣ୍ଡ ଭିଡ଼ରେ ସେମାନଙ୍କୁ କଲବଲ ହେଉଥିବାର ଲକ୍ଷ୍ୟ କରି ସେମାନଙ୍କ ସହାୟକ ଭୂମିକା ନିର୍ବାହ କରିବାକୁ ଭିଡ଼ ଭିତରେ ପଶିବାକୁ ପଡ଼ିଲା।“ ବନ୍ଧୁ କଥା ଯୋଡ଼ି ମନ୍ତବ୍ୟ ଦେଲେ, ”ଗୋଟିଏ ଅଦୃଶ୍ୟ ଶକ୍ତି ନିକଟରେ ମଣିଷର କି ଅଦ୍ଭୁତ ଆସ୍ଥା!“
ଈଶ୍ୱରଙ୍କ ପ୍ରତି ବନ୍ଧୁଙ୍କ ଏପରି ଅନାସ୍ଥାଭାବକୁ କଟାକ୍ଷ କରି ଏ ଲେଖକ ମନ୍ତବ୍ୟ ଦେଲା, ”ଏତେ କଷ୍ଟ ସହି, ଘଣ୍ଟା ଘଣ୍ଟା ଧାଡ଼ିରେ ରହି ଜଗନ୍ନାଥ ଦର୍ଶନ କରିବାକୁ ଗଲେ। କିଛି ମାଗିଲେ କି ନାହିଁ?“ ବନ୍ଧୁଙ୍କ ଉତ୍ତର ଥିଲା ଚମତ୍କୃତ କଲା ଭଳି। କହିଲେ- କେବଳ ଓଡ଼ିଶାର ନୁହେଁ କି ଭାରତର ନୁହେଁ, ସମଗ୍ର ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀ ନବବର୍ଷ ପ୍ରାରମ୍ଭରେ ଅନ୍ତତଃ ଏଇ ବର୍ଷଟି ପାଇଁ କେତେ କ’ଣ ମାଗି ନ ଥିବେ! ସମସ୍ତଙ୍କ ମାଗୁଣି ଶୁଣି ଶୁଣି କେତେ ବିବ୍ରତ, ବିଳିତ ହୋଇ ନ ଥିବେ ସେ! ମୁଁ ମୋ ନିଜ ପାଇଁ ଆଉ କିଛି ମାଗି ତାଙ୍କୁ ଅଧିକ ଭାରାକ୍ରାନ୍ତ କଲିନାହିଁ। ଗତ କେଇଦିନ ଧରି ଟିଭିରୁ କରୋନାର ପୁନଶ୍ଚ କାୟା ବିସ୍ତାର କଥା ଶୁଣିବାକୁ ମିଳୁଛି। ପୁଣି କରୋନା, ପୁଣି ମୃତ୍ୟୁ ଭୟ; ପୁଣି ଲକ୍‌ଡାଉନ୍‌ରେ ବିପର୍ଯ୍ୟସ୍ତ ଜୀବନ। ସୁତରାଂ, ସମସ୍ତଙ୍କ ତରଫରୁ ପ୍ରାର୍ଥନା କଲି, ”ହେ ଜଗନ୍ନାଥ! ଗତ ଦୁଇବର୍ଷ କରୋନା ଏ ମଣିଷଜାତିକୁ ଢେର କଲବଲ କଲାଣି। ତୁମ ପ୍ରତି ସମର୍ପିତ ଏଇ ବିଶାଳ ଭିଡ଼କୁ ଏଇ ମହାମାରୀ କବଳରୁ ରକ୍ଷା କର ପ୍ରଭୁ! କରୋନାର ଚତୁର୍ଥ ଲହରକୁ ପ୍ରତିହତ କରି ତୁମ ଅଲୌକିକ ଶକ୍ତିର ପରିଚୟ ଦିଅ ଜଗନ୍ନାଥ।“
ନବବର୍ଷର ପ୍ରଥମ ଦିବସରେ ସଭିଏଁ ନିଜ ନିଜ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିବା ବେଳେ ସମସ୍ତ ମଣିଷଙ୍କ ମଙ୍ଗଳ ମନାସିଥିବା ନାସ୍ତିକ ବନ୍ଧୁଙ୍କ ମୁହଁ ଅନ୍ୟ ବହୁ ଈଶ୍ୱରବିଶ୍ୱାସୀ ଆସ୍ତିକମାନଙ୍କ ମୁହଁଠାରୁ ବେଶ୍‌ ଉଜ୍ଜ୍ୱଳ ଦିଶୁଥିଲା। ଆମ ଜଗନ୍ନାଥଙ୍କ ଅନୁଭବ କିଛି ଭିନ୍ନ ହୋଇ ନ ଥିବ ବୋଲି ବିଶ୍ୱାସ!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?