୬୪୧୨ ଜନବସତିକୁ ରାସ୍ତା ନାହିଁ

ଯାଜପୁର ଅଫିସ,୨୧ା୨: ରାଜ୍ୟରେ ଏବେବି ୬,୪୧୨ ଜନବସତିକୁ ରାସ୍ତା ସଂଯୋଗ ହୋଇପାରିନାହିଁ। ଏଥିରେ କୋରାପୁଟ ଜିଲାରେ ସର୍ବାଧିକ ୮୪୮ ଜନବସତି ରହିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ)ର ସ୍ବତନ୍ତ୍ର ତଥ୍ୟଭିତ୍ତିକ ସଫ୍ଟଓ୍ବେର ‘ଅନ୍‌ଲାଇନ୍‌ ମ୍ୟାନେଜମେଣ୍ଟ ମନିଟରିଂ ଆଣ୍ଡ ଆକାଉଣ୍ଟିଂ ସିଷ୍ଟମ(ଓଏମ୍‌ଏମ୍‌ଏଏସ୍‌)’ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ଏଥିପାଇଁ ରାଜ୍ୟ ଗ୍ରାମ୍ୟ ନିର୍ମାଣ ବିଭାଗର ସମସ୍ତ ଅଧୀକ୍ଷଣ ଏବଂ ନିର୍ବାହୀ ଯନ୍ତ୍ରୀଙ୍କୁ ୨୭ା୨ା୨୦୨୩ ସୁଦ୍ଧା ସବିଶେଷ ରିପୋର୍ଟ ଦାଖଲ କରିବାକୁ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ(ପ୍ଲାନ୍‌ ରୋଡ୍‌) ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ହେଲେ ଦେଶ ସ୍ବାଧୀନତାର ଏତେ ବର୍ଷ ପରେ ବି ଏତେସଂଖ୍ୟକ ଜନବସତିକୁ ରାସ୍ତା ହୋଇ ନ ପାରିବା ସରକାରୀ ଯୋଜନାଗୁଡ଼ିକର ବିଫଳତାକୁ ପ୍ରମାଣିତ କରୁଛି। କେତେକ ପ୍ରଭାବଶାଳୀ ନେତାଙ୍କ ଦ୍ୱାରା ଦୁର୍ନୀତିଗ୍ରସ୍ତ ଅଧିକାରୀ/କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଥିବାରୁ ବିକାଶର ପଥ ଏଭଳି ଭାବେ ଉନ୍ମୁକ୍ତ ହୋଇ ପାରୁନାହିଁ। ଏହାର ସୁଯୋଗରେ କୋରାପୁଟ ଜିଲା କୋଟିଆ ଅଞ୍ଚଳର ଆଦିବାସୀଙ୍କ ଅତି ନିକଟତର ହେବାକୁ ଆନ୍ଧ୍ରପ୍ରଦେଶ ସରକାର ଉଦ୍ୟମ କରୁଛନ୍ତି ବୋଲି ମତପ୍ରକାଶ ପାଉଛି।
ଗ୍ରାମାଞ୍ଚଳରେ ବିକାଶଧାରା କିଭଳି ଅପହଞ୍ଚ ତାହା ଓଏମ୍‌ଏମ୍‌ଏଏସ୍‌ ରିପୋର୍ଟ ସ୍ପଷ୍ଟ କରିଦେଉଛି। ଗମନାଗମନର ସୁବିଧା ଥିବା ଅଞ୍ଚଳକୁ ବିକଶିତ ବୋଲି ଧରାଯାଏ। କାରଣ ଗମନାଗମନ ବ୍ୟବସ୍ଥାକୁ ଆଧାର କରି ଅନ୍ୟାନ୍ୟ କ୍ଷେତ୍ରର ବିକାଶ ହୋଇପାରିଥାଏ। କିନ୍ତୁ ଲୋକ ପ୍ରତିନିଧି, ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଇଚ୍ଛାଶକ୍ତି ଅଭାବରୁ କେବଳ ରାସ୍ତା ନୁହେଁ, ଅନେକ ବିକାଶମୂଳକ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରୁନାହିଁ। ଏବେ ଓଏମ୍‌ଏମ୍‌ଏଏସ୍‌ ରିପୋର୍ଟ ପ୍ରକାଶ ପାଇବାରେ ଗ୍ରାମ୍ୟ ନିର୍ମାଣ ବିଭାଗ ତତ୍ପର ହୋଇଉଠିଛି। ରାସ୍ତା ନ ଥିବା ଜନବସତିର ଚିହ୍ନଟ କରି ତାହାକୁ ପୂର୍ବରୁ କୌଣସି ଯୋଜନାରେ ସାମିଲ କରାଯାଇଛି କି ନାହିଁ ତାହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଉକ୍ତ ସ୍ଥାନଗୁଡ଼ିକୁ ବର୍ତ୍ତମାନ ଯିବା ପାଇଁ ଥିବା ବ୍ୟବସ୍ଥା, ମୁଖ୍ୟ ରାସ୍ତାଠାରୁ କେତେ ଦୂରତାଏବଂ ରାସ୍ତା ନିର୍ମାଣ ପାଇଁ ଆନୁମାନିକ ବ୍ୟୟ ଅଟକଳ ଆଦି ତଥ୍ୟ ଦେବାକୁ ନିର୍ଦ୍ଦେଶପତ୍ରରେ ଦର୍ଶାଯାଇଛି।

ଓଏମ୍‌ଏମ୍‌ଏଏସ୍‌ ରିପୋର୍ଟ ଅନୁସାରେ କୋରାପୁଟ ଜିଲା ବ୍ୟତୀତ କଳାହାଣ୍ଡି ଜିଲାରେ ୭୨୩, ବାଲେଶ୍ୱରରେ ୪୦୧, ରାୟଗଡ଼ାରେ ୩୩୦, ସମ୍ବଲପୁରରେ ୩୫୭, ଅନୁଗୋଳରେ ୩୨୫, ବଲାଙ୍ଗୀରରେ ୨୦୨, ବରଗଡ଼ରେ ୨୦୮, ଭଦ୍ରକରେ ୧୩୦, ବୌଦ୍ଧରେ ୭୫, କଟକରେ ୧୨୭, ଦେବଗଡ଼ରେ ୧୫୪, ଢେଙ୍କାନାଳରେ ୩୦୬, ଗଜପତିରେ ୨୧୨, ଗଞ୍ଜାମରେ ୧୬୦, ଜଗତ୍‌ସିଂହପୁରରେ ୧୨୨, ଯାଜପୁରରେ ୨୪, ଝାରସୁଗୁଡାରେ ୮୨, କନ୍ଧମାଳରେ ୨୦୭, କେନ୍ଦ୍ରାପଡ଼ାରେ ୫୭, କେନ୍ଦୁଝରରେ ୭୮, ଖୋର୍ଦ୍ଧାରେ ୧୨୦, ମାଲକାନଗିରିରେ ୧୮୩, ମୟୂରଭଞ୍ଜରେ ୧୮୮, ନବରଙ୍ଗପୁରରେ ୮୫, ନୟାଗଡ଼ରେ ୧୯୮, ପୁରୀରେ ୨୭୯, ସୋନପୁରରେ ୪୫ ଓ ସୁନ୍ଦରଗଡ଼ ଜିଲାରେ ୧୮୬ ଜନବସତିକୁ ଉପଯୁକ୍ତ ଯୋଗାଯୋଗ ବ୍ୟବସ୍ଥା ହୋଇ ପାରିନାହିଁ। ସୂଚନାଯୋଗ୍ୟ ଯେ, ୨୦୧୯ ଜୁନ୍‌ରେ ଅନୁଷ୍ଠିତ ବିଧାନସଭାରେ ଅସଂଯୋଜିତ ଜନବସତିକୁ ୨୦୧୯-୨୦ ସୁଦ୍ଧା ସଂଯୋଗୀକରଣ କରାଯିବାର ଯୋଜନା ରହିଛି ବୋଲି ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ବିଭାଗୀୟ ପ୍ରତିଶ୍ରୁତି ଫସରଫାଟିଛି। ଏଭଳି ସରକାରୀ ଅବହେଳା କାରଣରୁ ରାଜ୍ୟର ସୀମାନ୍ତ ଅଞ୍ଚଳକୁ ପଡ଼ୋଶୀ ରାଜ୍ୟଗୁଡ଼ିକ ପକ୍ଷରୁ କରାୟତ୍ତ କରିବା ଲାଗି ଜୋରଦାର ଉଦ୍ୟମ କରାଯାଉଛି। ଏଥିଯୋଗୁ ଆନ୍ତଃରାଜ୍ୟ ସୀମା ବିବାଦ ମୁଣ୍ଡ ଟେକୁଛି। କୋଟିଆ ଗ୍ରାମପୁଞ୍ଜକୁ ଉଦାହରଣ ଭାବେ ନିଆଯାଇପାରେ। ସେଠାରେ ଆନ୍ଧ୍ରର ମନ୍ତ୍ରୀ, ନେତା ଓ ପ୍ରଶାସନିକ ଅଧିକାରୀ ନିୟମିତ ବ୍ୟବଧାନରେ ପ୍ରବେଶ କରି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଅଧିବାସୀମାନଙ୍କୁ ସଚେତନ କରୁଛନ୍ତି। ଅନ୍ୟପକ୍ଷେ ଏହାକୁ ପ୍ରତିହତ କରିବାକୁ ଓଡ଼ିଶାର ବଳ ପାଉ ନ ଥିବାରୁ ଅଧିକାରୀମାନେ ହାତ ଟେକି ଦେଇଥିବା ନଜିର ରହିଛି। ଅନ୍ୟ ଏକ ଉଦାହରଣ ଯାଜପୁର ଜିଲା ନଗଡ଼ାକୁ ନିଆଯାଇପାରେ। ଏଠାରେ ଉତ୍ତମ ଗମନାଗମନର ସୁବିଧା ନ ଥିବାରୁ ସରକାରୀ ଯୋଜନା ଅପହଞ୍ଚ ହୋଇପଡ଼ିଥିଲା। ଫଳରେ ନଗଡ଼ାର ବହୁ ଶିଶୁ ଅପପୁଷ୍ଟିର ଶିକାର ହୋଇ ପ୍ରାଣ ହରାଇଥିଲେ, ଯାହାକି ସାରା ଦେଶରେ ଚହଳ ପକାଇଥିଲା। ରାସ୍ତା ନ ଥିବା ଜନବସତିରେ ନଗଡ଼ା ଭଳି ସ୍ଥିତି ରହିଥିଲେ ସୁଦ୍ଧା ତାହା ଲୋକଲୋଚନକୁ ଆସିପାରୁନାହିଁ। ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଜିଲାର ଅନେକ ଗ୍ରାମକୁ ଏବେ ସୁଦ୍ଧା ରାସ୍ତା ସଂଯୋଗ ହୋଇପାରିନାହିଁ। ତେଣୁ ଉକ୍ତ ଗ୍ରାମଗୁଡ଼ିକୁ ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?