ବହୁପତ୍ନୀ ପରମ୍ପରାରେ ନାରୀ ନିଷ୍ପେଷିତ କି

ସାରଦା ପ୍ରସାଦ କର

‘ବୀରଭୋଗ୍ୟା ବସୁନ୍ଧରା’ ଉକ୍ତିଟି ଭାରତ ଭୂଖଣ୍ଡର ମୂଳଭାଷା ହେଲେ ମଧ୍ୟ ସାରା ବିଶ୍ୱ ବୀର ପ୍ରସବିନୀମାନଙ୍କୁ ନେଇ ଗର୍ବିତ। ଦେଶ ଦେଶ ମଧ୍ୟରେ ସାର୍ବଭୌମତ୍ୱର ସୁରକ୍ଷା, ଜାତିର ଟେକ ଅକାଟ୍ୟ ରଖିବାରେ ଓ କାଳକ୍ରମେ ପ୍ରତିଦ୍ୱନ୍ଦ୍ୱୀ ଯୋଦ୍ଧାର ମୁଣ୍ଡନତ କରିବା ପ୍ରୟାସରେ ବୀରମାନେ ଜାଗ୍ରତ ପ୍ରହରୀର ଦାୟିତ୍ୱ ନିଭାନ୍ତି। ଚତୁଃବର୍ଣ୍ଣ ସମାଜରେ ପରମ୍ପରାଗତ କ୍ଷତ୍ରିୟମାନେ ଦେଶର ନିରାପତ୍ତା ଦାୟିତ୍ୱ ହାତରେ ରଖିଥାନ୍ତି। ସମରନିପୁଣ ମାନଙ୍କ ନେତାଙ୍କୁ ମୁଖିଆ, ଦଳପତି ବା ରାଜା କୁହାଯାଉଥିବାବେଳେ ସେମାନଙ୍କ ପାଖରେ ଯେମିତି ଗୋଟିଏ ପୁରୁଷକୈନ୍ଦ୍ରିକ ମାନସିକତା ରହୁଥିଲା। ଜଣେ ରାଜାଙ୍କର ଯେତେ ପୁତ୍ର ସନ୍ତାନ ହେବେ ସେମାନେ ସମସ୍ତେ ରାଜପଦବାଚ୍ୟ ଓ ବରିଷ୍ଠ ଯୁବରାଜ ଅଧିଷ୍ଠିତ ହେବେ। ଏହାସହିତ ଯୁବରାଜ ଦେଶର ସୁରକ୍ଷା ଓ ନିରାପତ୍ତା ବୋଝ ମୁଣ୍ଡାଇବେ। ପୁତ୍ର ସନ୍ତାନ ପାଇଁ ଯେହେତୁ ରାଜା ବ୍ୟାକୁଳ, ଯାହାର ଯେତେ ପୁତ୍ର ହେବେ ସେ ସେତେ ପ୍ରତିଷ୍ଠିତ ଏବଂ ଗୌରବର ଅଧିକାରୀ ହେବେ। ମାର୍‌ୱାର୍‌ ବା ମିବାର୍‌ ରାଜବଂଶର ପ୍ରତିଷ୍ଠାତା କାଳଭୋଜଙ୍କର ଉତ୍ତରାଧିକାରୀ ରାଜା ଉଦୟସିଂହଙ୍କର ୨୭ଜଣ ରାଣୀ ଓ ରାୱଲ୍‌ ବପ୍ପାଙ୍କର ୧୪୦ଜଣ ରାଣୀ ଥିଲେ। ଅବଶ୍ୟ ସେ କାଳରେ ରାଜ୍ୟ ଜୟ ସହ ଯୁଦ୍ଧଜୟୀ ରାଜାଙ୍କୁ ବନ୍ଦୀ ରାଜାଙ୍କ କନ୍ୟା ଓ ସେ ରାଜ୍ୟର ସୁନ୍ଦରୀ ଲଳନାମାନଙ୍କୁ ଭେଟି ସମର୍ପଣ କରାଯାଉଥିଲା। କରଦ ରାଜା କି ଜମିଦାରମାନେ ନିୟମିତ ଉପହାର ଭାବେ ଚକ୍ରବର୍ତ୍ତୀ ରାଜାଙ୍କୁ ଉପହାର ସ୍ବରୂପ ଅପରୂପାମାନଙ୍କୁ କୋଳମଣ୍ଡନ କରାଇ ନିଜକୁ ଧନ୍ୟ ମନେ କରୁଥିଲେ। କେତେକ ବିବାହିତ ଜୀବନଯାପନ କରୁଥିଲେ ଆଉ କେତେକ ରଖିତା ହୋଇ ରହୁଥିଲେ। ଛତ୍ରପତି ଶିବାଜୀ ମହାରାଜାଙ୍କର ଅଷ୍ଟରାଣୀ ଉଆସ ମଣ୍ଡନ କରୁଥିବାବେଳେ ତାଙ୍କ ଜୀବନ ଦ୍ୱିତୀୟ ସ୍ତ୍ରୀ ସୋଏରା ବାଇଙ୍କ ବିଷ ପ୍ରୟୋଗ ଫଳରେ ସମାପ୍ତ ହୋଇଥିଲା। ୧୦ ବର୍ଷର ପୁତ୍ର ରାଜାରାମ୍‌ ସିଂହାସନ ଆରୋହଣ କରିବା ନେଇ ଉଠିଥିବା ବିବାଦୀୟ ବିତର୍କଟି ଏବେ ଇତିହାସ ପୃଷ୍ଠାରେ।
ଇତିହାସ ପୃଷ୍ଠାରେ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ବହୁପନତ୍ୀ ବିବାହ ଓ ବହୁ ସନ୍ତାନ ପ୍ରାପ୍ତି ଆଶାରେ ଧର୍ମପନତ୍ୀମାନଙ୍କୁ ନିର୍ଯାତନାର କିଛି କଳଙ୍କିତ ଅଧ୍ୟାୟ ଯୋଡ଼ି ହୋଇଥିବା ଦୃଷ୍ଟିଗୋଚର ହୁଏ। ଇଂଲଣ୍ଡର ଯୁବରାଜ ହେନେରୀ-୮ ତାଙ୍କ ପ୍ରଥମ ପନତ୍ୀ କାଥେରିନ୍‌ ଅପ୍‌ ଆରାଗନ୍‌ଙ୍କ ଔରସରୁ ମାତ୍ର ଗୋଟିଏ କନ୍ୟା ସନ୍ତାନ ପ୍ରାପ୍ତିରେ ଖୁସି ନ ହୋଇ ପରବର୍ତ୍ତୀ ସମୟରେ ୫ଜଣ ରାଣୀ ଗ୍ରହଣ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଚର୍ଚ୍ଚ ଅଫ୍‌ ଇଂଲଣ୍ଡ ଓ କାଥୋଲିକ୍‌ ଚର୍ଚ୍ଚର ବିଭାଜନ ପାଇଁ ଦାୟୀ। ସମସ୍ତଙ୍କଠାରୁ ମିଶାଇ ମାତ୍ର ତିନୋଟି ସନ୍ତାନ ପ୍ରାପ୍ତି ହୋଇଥିଲେ ମଧ୍ୟ ରାଜା ହେନେରୀ-୮ ତାଙ୍କ ରାଣୀଙ୍କ ମଧ୍ୟରୁ ଆନି ବୋଲିନ୍‌ ଓ କାଥେରାଇନ୍‌ ହୋୱାର୍ଡଙ୍କୁ ପରକୀୟା ସନ୍ଦେହରେ ମୁଣ୍ଡ କାଟିଦେଇଥିଲେ। ଦୁଇଜଣ ରାଣୀଙ୍କୁ ଛାଡ଼ପତ୍ର ଦେଇଥିଲେ, ଜଣେ ଅକାଳ ମୃତ୍ୟୁ ଓ ଅନ୍ୟ ଜଣେ ଶେଷ ପର୍ଯ୍ୟନ୍ତ ଜୀବିତ ଥିଲେ। ଜେନି ସିମୁର୍‌ଙ୍କଠାରୁ ଏକମାତ୍ର ପୁତ୍ର ଏଡ୍‌ୱାର୍ଡ-୬ଙ୍କୁ ସେ ବେଶି ଭଲପାଉଥିଲେ। ରାଜ ପରିବାରରେ ଅନ୍ତଃର୍ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଲା। କାରଣ ଥିଲା ଏଡ୍‌ୱାର୍ଡ-୬, ଏଲିଜାବେଥ୍‌ ଓ ପ୍ରଥମ ସ୍ତ୍ରୀଙ୍କ କନ୍ୟା ମେରୀଙ୍କ ମଧ୍ୟରେ ସିଂହାସନ ଆରୋହଣର ପ୍ରତିଯୋଗିତା।
ଆଫ୍ରିକୀୟ ସମାଜରେ ବିଧବା ଗ୍ରହଣ ସହ ତା’ର ସମସ୍ତ ସମ୍ପତ୍ତି ହାସଲ ସୁବିଧା ମିଳୁଥିବାରୁ ବହୁ ପନତ୍ୀ ବିବାହ ସେ ସମାଜରେ ସ୍ବୀକୃତ ହେଉଥିଲା। ଦିଲ୍ଲୀ ସୁଲତାନମାନଙ୍କ ମଧ୍ୟରେ ଆଲ୍ଲାଉଦ୍ଦିନ୍‌ ଖିଲିଜ ୪ଟି, ବାବର୍‌ ୯ଟି, ହୁମାୟୁନ୍‌ ୬ଟି ଓ ଆକବର ୭ଟି ବିବାହ କରିଥିଲେ। ସାଉଥ୍‌ ଆଫ୍ରିକା, ଇଜିପ୍ଟ, ଇରିଟ୍ରିୟା, ମରକ୍କୋ, ମାଲେସିଆ-ଇରାନ ଓ ଲିବିୟାରେ ପ୍ରଥମ ସ୍ତ୍ରୀଙ୍କ ଲିଖିତ ଅନୁମୋଦନ ଅନୁସାରେ ପରବର୍ତ୍ତୀ ସ୍ତ୍ରୀ ଗ୍ରହଣୀୟ। ଇସ୍ରାଏଲ୍‌, ଚେଚେନ୍ୟା ଏବଂ ବର୍ମାରେ ବହୁପନତ୍ୀ ବିବାହ ଆଇନ ଅନୁଯାୟୀ ଅସିଦ୍ଧ ଘୋଷଣା କରାଯାଇଥିଲେ ମଧ୍ୟ ଏଠାରେ ବହୁପନତ୍ୀ ବିବାହ ଅନେକାଂଶରେ ଦେଖାଯାଏ। ମାସେଡୋନ୍‌ର ରାଜା ଫିଲିପ୍‌-୨ଙ୍କ ପୁଅ ଆଲେକ୍‌ଜାଣ୍ଡାର୍‌ ଦି ଗ୍ରେଟ୍‌ ୩୨ ବର୍ଷ ବୟସରେ ରାଜା ପୁରୁଙ୍କ ଦ୍ୱାରା ଯୁଦ୍ଧରେ ପ୍ରାଣ ହରାଇବା ପୂର୍ବରୁ ରୋକ୍ସାନା, ଷ୍ଟାଟେଇରା ଓ ପେରିସାଟିସ୍‌ ନାମରେ ତିନିଜଣଙ୍କୁ ବିବାହ କରିସାରିଥିଲେ।
୧୯୫୫ ହିନ୍ଦୁ ମ୍ୟାରେଜ୍‌ ଆକ୍ଟ ଅନୁସାରେ ବହୁବିବାହ ଆମ ଦେଶରେ ଅସିଦ୍ଧ ଯଦି ଜଣଙ୍କର ସ୍ତ୍ରୀ ଜୀବିତ ଅଛି। ୧୯୫୬ରେ ଏହି ଆଇନ ଗୋଆ ହିନ୍ଦୁଙ୍କୁ ଛାଡ଼ି ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ଭାରତୀୟ ଲ’ କମିଶନ ୟୁନିଫର୍ମ ସିଭିଲ୍‌ କୋଡ୍‌ କଥା କହି ସରକାରଙ୍କୁ ୧୬ ପଏଣ୍ଟ୍‌ ପ୍ରଶ୍ନ ପଚାରିଛନ୍ତି। ଏବେବି ଆମ ଦେଶର ଗୁଜରାଟରେ ଫ୍ରେଣ୍ଡ୍‌ସ ଏଗ୍ରିମେଣ୍ଟ ବା ସହମତି ଯୁକ୍ତିଭିତ୍ତିକ ବିବାହ ପ୍ରଚଳିତ। ଆଇପିସିର ସେକ୍ସନ୍‌ ୪୯୪ ଓ ୪୯୫ ଅନୁଯାୟୀ ଖ୍ରୀଷ୍ଟିଆନ୍‌ମାନଙ୍କ ମଧ୍ୟରେ ବହୁବିବାହ ନିଷିଦ୍ଧ ହୋଇଛି। ୧୮୬୦ର ପର୍ସନାଲ୍‌ ମୁସ୍‌ଲିମ୍‌ ଲ’ ବୋର୍ଡ ଯୁକ୍ତି ଅନୁସାରେ ମୁସ୍‌ଲିମ୍‌ ପରିବାରରେ ଚାରି ବିବାହର ସମ୍ମତିର ପରିସମାପ୍ତି ଘଟିବ ଆଗାମୀ ଦିନରେ ଏକ ଦେଶ ଓ ଏକ ଆଇନ ଆସିବା ଫଳରେ।
ବହୁପତ୍ନୀ ପରମ୍ପରା ସମୁଦାୟ ୨୦୦ଟି ସାର୍ବଭୌମତ୍ୱ ଦେଶଙ୍କ ମଧ୍ୟରୁ ୫୮ଟି ଦେଶରେ ପ୍ରଚଳିତ। ପୋଲିଏଣ୍ଡ୍ରି ବା ବହୁପତି ପରମ୍ପରା ଅଧିକାଂଶ ଦେଶରେ ଅନୈତିକ। ପୋଲିଜିନି ବା ବହୁପତ୍ନୀ ପ୍ରଚଳିତ ଦେଶରେ କିନ୍ତୁ କିଛି ନିୟନ୍ତ୍ରଣ ରହିଛି, ପ୍ରଥମ ସ୍ତ୍ରୀର ଇଚ୍ଛାପତ୍ର ଆବଶ୍ୟକ। କାନାଡାରେ ଏକାଧିକ ପତ୍ନୀ ସହ ଦୈହିକ ସମ୍ପର୍କକୁ କ୍ରିମିନାଲ୍‌ କୋଡ୍‌ ସେକ୍ସନ୍‌ ୨୯୩ ଅନୁସାରେ ବିରୋଧ କରାଯାଇଛି। ସେହିଭଳି ଦୁଇ ବିବାହକୁ ସେକ୍ସନ୍‌ ୨୯୦ ଅନୁସାରେ ବିରୋଧ କରାଯାଇଛି। ବୌଦ୍ଧଧର୍ମ ଯେହେତୁ ବିବାହକୁ ପବିତ୍ର ବା ଧାର୍ମିକ ଦୃଷ୍ଟିରୁ ସେତେଟା ବିଚାର କରେନାହିଁ ସେଥିପାଇଁ ଦେଶ ଦେଶ ମଧ୍ୟରେ ଏହାର ପରମ୍ପରା ଭିନ୍ନ। ଥାଇଲାଣ୍ଡ ୧୯୫୫ ମସିହାରୁ ବହୁବିବାହକୁ ଆଇନସମ୍ମତ ଗ୍ରହଣ କରିଛି। ତେବେ ସେହି ଏକା ବୌଦ୍ଧ ବିଚାରରେ ମ୍ୟାନମାର୍‌ ୨୦୧୫ ମସିହାରୁ ବହୁପତ୍ନୀ ବିବାହକୁ ଅସିଦ୍ଧ ଘୋଷଣା କରିଛି।
ଖ୍ରୀଷ୍ଟଧର୍ମରେ ରୋମାନ୍‌ କାଥୋଲିକ୍‌ ଚର୍ଚ୍ଚ ବହୁବିବାହକୁ ନିନ୍ଦା କରୁଥିବାବେଳେ ଲୁଥେରାନ୍‌ ଚର୍ଚ୍ଚ କିଛି ବହୁବିବାହିତଙ୍କ ସମର୍ଥନରେ ଯୋଡ଼ିହୋଇଛି। ଆଙ୍ଗ୍‌ଲିକାନ୍‌ ସମ୍ପ୍ରଦାୟ କିନ୍ତୁ କ୍ଷେତ୍ର ଓ ପରିସ୍ଥିିତି ଅନୁସାରେ ବହୁବିବାହ ସ୍ବୀକୃତ ହୋଇପାରିବ ବୋଲି ୧୯୮୮ ମସିହାରୁ କହିସାରିଛି। ଆମେରିକାରେ ଚର୍ଚ୍ଚ ଅଫ୍‌ ଜେସସ୍‌ ଖ୍ରୀଷ୍ଟ୍‌ ପରବର୍ତ୍ତୀ ସମୟର ସେଣ୍ଟ୍‌ସ ଚର୍ଚ୍ଚ ୧୮୪୭ ରୁ ୧୮୮୦ ପର୍ଯ୍ୟନ୍ତ ଚାଲିଥିବା ବହୁବିବାହରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ଏବେ ଛୋଟ ଛୋଟ ଗ୍ରୁପ୍‌ ବହୁବିବାହକୁ ଗ୍ରହଣ କରୁଛନ୍ତି। ଆମେରିକାର ୫୦ଯାକ ରାଜ୍ୟରେ ବହୁବିବାହ ବନ୍ଦ ଥିଲେ ମଧ୍ୟ ଆମେରିକୀୟ ସିନେଟ୍‌ ୨୦୨୦ ଫେବୃୟାରୀରୁ ଦଣ୍ଡ ବ୍ୟବସ୍ଥାକୁ ଅନେକାଂଶରେ କୋହଳ କରିଦେଇଛି। ସୁଇଡେନ୍‌, ସୁଇଜରଲାଣ୍ଡ୍‌ ଓ ଅଷ୍ଟ୍ରେଲିଆ ବହୁ ବିବାହକୁ ବିରୋଧ କରିଛନ୍ତି କିନ୍ତୁ ଯଦି ବିବାହ ବିଦେଶରେ ହୋଇଥାଏ ତେବେ ତାହା ତାଙ୍କ ଦେଶରେ ଗ୍ରହଣୀୟ।
ସେନେଗଲ୍‌ର ୪୭ ପ୍ରତିଶତ ଏବଂ ଆରବ ଦେଶଗୁଡ଼ିକରେ ଅଧିକ ହାରରେ ବହୁପତ୍ନୀ ପରମ୍ପରା ଦେଖାଯାଏ। ଇସ୍ରାଏଲ୍‌ର ବିଡୋନ୍‌ ଜନସଂଖ୍ୟାର ୩୦ ପ୍ରତିଶତ ଏହି ବହୁପତ୍ନୀ ପରମ୍ପରା ଆପଣେଇଛନ୍ତି। ନାଇଜେରିଆର ନଗ୍‌ୱା ଇଗ୍‌ବୋ ଉପରେ ହୋଇଥିବା ବିଶେଷ ଅନୁଧ୍ୟାନରୁ ବହୁପତ୍ନୀ ଗ୍ରହଣର ୫ଟି ବିଶେଷ କାରଣ ସାମ୍ନାକୁ ଆସିଛି, ଯାହାର ମୁଖ୍ୟ କାରଣଟି ହେଲା ପୁରୁଷ ପରିବାରରେ ବହୁପୁତ୍ରର ପିତା ହେବାର ମର୍ଯ୍ୟାଦା ଲାଭ। ଏହା ଫଳରେ ପରିବାରର ବୟୋଜ୍ୟେଷ୍ଠ ସ୍ତ୍ରୀ ଶାରୀରିକ (ଫିଜିକାଲ୍‌) ଓ ମାନସିକ (ସାଇକିଆଟ୍ରି) ରୋଗର ଶିକାର ହୋଇଥାଏ।
ପୁରୁଣା ଭୁବନେଶ୍ୱର
ମୋ-୮୨୪୯୮୨୭୧୪୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri