ପୁରୁଣାଙ୍କୁ ପୁଣି ସୁଯୋଗ

ଭୁବନେଶ୍ୱର, ୪ା୧୦:ରାଜ୍ୟରେ ବେରୋଜଗାରି ବଢ଼ିବାରେ ଲାଗିଛି। ଯୁବଗୋଷ୍ଠୀ ସରକାରୀ ଚାକିରିଟିଏ ପାଇବା ପାଇଁ ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହୁଛନ୍ତି। ସେଣ୍ଟ୍ରାଲ୍‌ ଫର ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମ୍‌ଆଇଇ) ରିପୋର୍ଟ ଅନୁଯାୟୀ, ସାରା ଦେଶରେ ବେକାର ହାର ଗତ ଅଗଷ୍ଟରେ ୮.୩% ଥିବାବେଳେ ଓଡ଼ିଶାରେ ଏହା ୨.୬% ରହିଛି। ସମାନ ସମୟରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଏହି ହାର ମାତ୍ର ୦.୪% ରହିଛି। ସେପ୍ଟେମ୍ବରରେ ଓଡ଼ିଶାର ବେକାରି ହାର ୨.୯%କୁ ବୃଦ୍ଧି ପାଇଥିବାବେଳେ ଛତିଶଗଡ଼ରେ ଏହା ୦.୧% କୁ ଖସିଥିବା ସିଏମ୍‌ଆଇଇ ତଥ୍ୟରୁ ଜଣାପଡ଼ିଛି। ଗତ ବିଧାନସଭା ଅଧିବେଶନରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ଗତ ଏପ୍ରିଲ ୩୦ ସୁଦ୍ଧା ମୋଟ ୮ଲକ୍ଷ ୮୦ହଜାର ୧୭୫ଜଣ ଯୁବବର୍ଗ ଚାକିରି ପାଇବା ପାଇଁ କର୍ମ ନିୟୋଜନ ସଂସ୍ଥାରେ ପଞ୍ଜୀକୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ୫ଲକ୍ଷ ୮୧ହଜାର ୬୭୬ଜଣ ଯୁବକ ଥିବାବେଳେ ୨ଲକ୍ଷ ୯୮ହଜାର ୪୯୯ ଯୁବତୀ ଅଛନ୍ତି। ସରକାରୀ ତଥ୍ୟକୁ ଛାଡ଼ିଦେଲେ ବହୁ ନିଯୁକ୍ତି ଆଶାୟୀ ରହିଥିବା କୁହାଯାଉଛି। ଏଭଳି ସ୍ଥିତିରେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୃଷ୍ଟି ନେଇ ସରକାରଙ୍କ ପଦକ୍ଷେପ ଅସ୍ପଷ୍ଟ ରହିଥିବାବେଳେ ଅବସର ନେଇଥିବା କର୍ମଚାରୀଙ୍କୁ କାର୍ଯ୍ୟରେ ପୁନଃ ଥଇଥାନ ପାଇଁ ସରକାର ନିକଟରେ ନୂଆ ବ୍ୟବସ୍ଥା ସାଙ୍ଗକୁ ପାରିଶ୍ରମିକ ଧାର୍ଯ୍ୟ କରିଛନ୍ତି, ଯାହାକୁ ନେଇ ନିଯୁକ୍ତି ଆଶାୟୀ ଯୁବଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରିଛନ୍ତି, ସେମାନଙ୍କ ମତରେ ସରକାର ଅନେକ ଥର ଖାଲି ଥିବା ପଦବୀରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଆଗେଇ ଆସିଛନ୍ତି। ଏବେ ପୁଣି ସେହି ପୁରୁଣାଙ୍କୁ ସୁଯୋଗ ଦେଉଛନ୍ତି।
ମିଳିଥିବା ତଥ୍ୟ ଅନୁସାରେ, ଜାତୀୟ ହାର ତୁଳନାରେ ଓଡ଼ିଶାରେ ୧୫ରୁ ୨୯ ବର୍ଷ ବର୍ଗଙ୍କ ମଧ୍ୟରେ ବେରୋଜଗାରି ଦ୍ୱିତୀୟ ସର୍ବାଧିକ ଅର୍ଥାତ୍‌ ୩୨.୮% ରହିଛି। ଏଭଳିସ୍ଥିତିରେ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗତ ୨୯ତାରିଖରେ ପତ୍ର ସଂଖ୍ୟା. ୨୪୫୩୩ରେ ପ୍ରକାଶ ପାଇଥିବା ନିର୍ଦ୍ଦେଶନାମା ନିଯୁକ୍ତି ଆଶାୟୀ ଯୁବବର୍ଗଙ୍କ ଠାରୁ ଚାକିରି ଛଡ଼ାଇନେବା ସଦୃଶ ବୋଲି ଅଭିଯୋଗ ହେଉଛି। ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ନିର୍ଦ୍ଦେଶନାମା ଅନୁସାରେ ଏବେ କୌଣସି ପ୍ରଶାସନିକ ବିଭାଗରେ ଖାଲିଥିବା ପଦବୀର ୫୦% ପର୍ଯ୍ୟନ୍ତ ଅବସରପ୍ରାପ୍ତ ଅଧିକାରୀ ବା କର୍ମଚାରୀଙ୍କୁ ସେହି ବିଭାଗ ନିଯୁକ୍ତି ଦେଇପାରିବ। ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ କୌଣସି ଅନୁମତି ନିଆଯିବା ଆବଶ୍ୟକ ନାହିଁ।
ହେଲେ ୫୦%ରୁ ଅଧିକ ନିଯୁକ୍ତି କ୍ଷେତ୍ରରେ ଅର୍ଥ ବିଭାଗର ଅନୁମତି ଜରୁରୀ ବୋଲି ଉଲ୍ଲେଖ କରାଯାଇଛି। ଏପରି କି ସେମାନଙ୍କ ପାଇଁ ୫ଟି ବର୍ଗରେ ନିର୍ଦ୍ଦିଷ୍ଟ ପରିମାଣର ପାରିଶ୍ରମିକ ବା କନ୍‌ସୋଲିଡେଟେଡ୍‌ ରେମୁନେରେଶନ ମଧ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଏତେ ସଂଖ୍ୟାରେ ପଞ୍ଜୀକୃତ ନିଯୁକ୍ତି ଆଶାୟୀ ରହିଥିବାବେଳେ ସରକାର ସେମାନଙ୍କୁ ସୁଯୋଗ ନ ଦେଇ ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଏଭଳି ପ୍ରୋତ୍ସାହନ ଦେବାର ରହସ୍ୟ ସହଜରେ ବୁଝାପଡ଼ୁ ନ ଥିବା କୁହାଯାଉଛି। ଛାତ୍ରୀଛାତ୍ରମାନେ ଅକ୍ଳାନ୍ତ ପରିଶ୍ରମ କରି ପଢ଼ୁଛନ୍ତି, ଏପରି କି ଏଥିପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ପ୍ରତିବର୍ଷ ବହୁ ସରକାରୀ ପଦବୀ ଖାଲି ପଡ଼ୁଥିଲେ ମଧ୍ୟ ନିଯୁକ୍ତି ପାଇଁ ଆଶାୟୀଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଫଳରେ ସେମାନେ ମାନସିକ ଏବଂ ଆର୍ଥିକସ୍ତରରେ ଏକ ପ୍ରକାର ଭାଙ୍ଗି ପଡ଼ୁଛନ୍ତି ବୋଲି କଟକ ଜଗତପୁର ଅଞ୍ଚଳର ରାମଚନ୍ଦ୍ର ବେହେରା ନାମକ ଜଣେ ଯୁବକ ପ୍ରକାଶ କରିଛନ୍ତି। ନିଯୁକ୍ତି ପାଇଁ ଆଶାୟୀମାନେ କରୁଥିବା ଫର୍ମ ପୂରଣରେ କୋଟି କୋଟି ଟଙ୍କା ରାଜସ୍ବ ଆକାରରେ ପାଉଛନ୍ତି। ଯଦି ଖାଲି ପଡ଼ିଥିବା ପଦବୀରୁ ୫୦% ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଦିଆଯିବ, ତେବେ ନିଯୁକ୍ତି ଆଶାୟୀ ଯୁବଗୋଷ୍ଠୀ କ’ଣ ରାସ୍ତା ଏବଂ ରେଳ ଷ୍ଟେଶନରେ ଭିକ୍ଷାବୃତ୍ତି କରିବେ କି ବୋଲି ଚାକିରି ଆଶାୟୀ ରାଜେଶ ପ୍ରଧାନ କହିଛନ୍ତି। ଅପରପକ୍ଷରେ ଅର୍ଥ ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଅବସର ନେଇଥିବା କର୍ମଚାରୀମାନଙ୍କ କାର୍ଯ୍ୟ କ୍ଷେତ୍ରରେ ଅଭିଜ୍ଞତା ରହିଥିବାରୁ ସେମାନଙ୍କୁ ସୁଯୋଗ ମିଳୁଛି। ଏପରିକି ନୂଆ ନିଯୁକ୍ତି ପରିବର୍ତ୍ତେ ଅବସରପ୍ରାପ୍ତ ଅଧିକାରୀଙ୍କ ପୁନଃନିଯୁକ୍ତି ଏକ ନିର୍ଦ୍ଧିଷ୍ଟ ପରିମାଣର ପାରିଶ୍ରମିକରେ କରାଯାଉଛି।
ତେବେ ଅବସରପ୍ରାପ୍ତଙ୍କୁ ପୁନଃ ନିଯୁକ୍ତି ନେଇ ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶକୁ ବିରୋଧୀ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ନିନ୍ଦା କରାଯାଇଛି। ଅନେକ ଲକ୍ଷ ବେକାରୀ ଯୁବତୀଯୁବକ ରାଜ୍ୟରେ ଚାକିରି ପାଇଁ ଚେଷ୍ଟା କରୁଥିବାବେଳେ ସେମାନଙ୍କୁ ସୁଯୋଗ ନ ଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଥଇଥାନ କରିବା ରାଜ୍ୟ ସରକାରଙ୍କ ଏକ ଚାଲ୍‌ ବୋଲି ଭାଜପା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। ସେହିପରି ସରକାରଙ୍କ ଏହି ନିଷ୍ପତ୍ତି ଶିକ୍ଷିତ ଯୁବକଙ୍କ ପ୍ରତି ଏହା ଛୁରାଘାତ ସଦୃଶ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ତେବେ ଏନେଇ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଏସମ୍ପର୍କରେ ପଚରାଯିବାରେ ସେ ତାଙ୍କର ବ୍ୟସ୍ତତା ଦେଖାଇ ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ‘ଓ୍ବିକ୍‌ ଅଫ୍‌ ଓ୍ବେଲ୍‌ସ’ ପାଳିବ ବ୍ରିଟେନ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): ଓଡ଼ିଶାରେ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌-୨୦୨୩ ଅବସରରେ କୋଲକାତାସ୍ଥିତ ବ୍ରିଟିଶ ଡେପୁଟି ହାଇ କମିଶନ ‘ଓ୍ବିକ୍‌ ଅଫ୍‌ ଓ୍ବେଲ୍‌ସ’ ପାଳନ କରିବ। ଏହାଦ୍ୱାରା...

ଗଣଶିକ୍ଷା ବିଭାଗର କଡ଼ା ଆଭିମୁଖ୍ୟ : ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ହେବ

ଭୁବନେଶ୍ୱର,୧ା୭(ବ୍ୟୁରୋ) : ଏଣିକି ଜୁନିୟର ବା ଠିକା ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର କଡାକଡି ଯାଞ୍ଚ କରାଯିବ। କେତେଜଣ ଶିକ୍ଷକ ଜାଲ୍‌ ଶିକ୍ଷାଗତ ପ୍ରମାଣପତ୍ର ଦେଇଥିବା ଅଭିଯୋଗ...

ଶ୍ୱେତଗଙ୍ଗା କୂଳରେ ଶ୍ୱେତ ରାଜା

ପରମ ପାବନ ନୀଳାଚଳ କ୍ଷେତ୍ରରେ ରହିଥିବା ପଞ୍ଚତୀର୍ଥ ପ୍ରତି ସମସ୍ତଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ପଞ୍ଚତୀର୍ଥରେ ବୁଡ଼ ପକାଇଲେ ପୁରୀକୁ କରିଥିବା ତୀର୍ଥଯାତ୍ରା ସଫଳ...

ବାତ୍ୟା ଭୟ ନାହିଁ

ଭୁବନେଶ୍ୱର,୮।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ। ଓଡ଼ିଶା କିମ୍ବା ଆନ୍ଧ୍ର ଉପକୂଳକୁ ଆସିବ ନାହିଁ। ସମୁଦ୍ରରେ ହିଁ ମିଳେଇ ଯିବ। ଦକ୍ଷିଣ ଆଣ୍ଡାମାନ ଓ...

୩୪ ଡିଗ୍ରୀ ଡେଇଁଲା ପାରଦ

ଭୁବନେଶ୍ୱର,୭ା୨(ବ୍ୟୁରୋ):ଚଳିତବର୍ଷ ଫେବୃୟାରୀରୁ ପାରଦ ଉପରମୁହଁା ହେବା ଆରମ୍ଭ କରିଛି। ସର୍ବନିମ୍ନ ତାପମାତ୍ରା ୩୪ ଡିଗ୍ରୀ ଡେଇଁଲାଣି। ଆସନ୍ତା ସପ୍ତାହରେ ଆହୁରି ତତେଇବ। ସ୍ବାଭାବିକଠାରୁ ତାପମାତ୍ରା ଅଧିକ...

କପ୍ତିପଦା ଥାନା ଏଏସ୍‌ଆଇଙ୍କ ନାମରେ ବଳାତ୍କାର ଉଦ୍ୟମ ଅଭିଯୋଗ

ଭୁବନେଶ୍ୱର,୧୭-୯ (ବ୍ୟୁରୋ):ମୟୂରଭଞ୍ଜ ଜିଲା କପ୍ତିପଦା ପୋଲିସ ନ୍ୟାୟ ଦେଉନି। ପୂର୍ବରାଗ ରଖି ବିଭିନ୍ନ ସମୟରେ ହଇରାଣ ହରକତ କରୁଛି। ଥାନାର ଜଣେ ଏଏସ୍‌ଆଇ ମିଛ ମାମଲାରେ...

ମୁଣ୍ଡୁଳିରେ ବନ୍ୟାସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଟୁକୁନି ସାହୁ

କଟକ ଅଫିସ, ୧୫।୮: ଲଘୁଚାପ ପ୍ରଭାବରେ କଟକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ମୁଣ୍ଡୁଳିରେ ପହଞ୍ଚି...

ନମ୍ବର ପ୍ଲେଟରେ ଚୁଇଂଗମ୍‌ ମାରି ବୁଲୁଛନ୍ତି ଅମାନିଆ

ଭୁବନେଶ୍ୱର,୯।୪(ବ୍ୟୁରୋ): ଆଇନ ଯେତେ କଡ଼ାକଡ଼ି କରାଯାଉଛି, ଅମାନିଆ ସେତିକି ନୂଆ ନୀତି ଆପଣାଉଥିବା ଦେଖିବାକୁ ମିଳୁଛି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ହାଇ ସିକ୍ୟୁରିଟି ନମ୍ବର...

Advertisement
Archives

Model This Week