କ୍ରୋଧ ବିଚାର

ୟୁନାଇସ ଡିସୁଜାଙ୍କ ‘କ୍ରୋଧ’ ବିଷୟ ସମ୍ବଳିତ ଏକ କବିତା ପଢ଼େଇବା ଅବସରରେ ଚାଣକ୍ୟଙ୍କର ଏକ ଶ୍ଳୋକ ମନେପଡ଼ିଲା, ଟିକିଏ ଦ୍ବନ୍ଦ୍ବରେ ପଡ଼ିଗଲି ଯେ ଶ୍ଳୋକଟି ଆବୃତ୍ତି କରି ବୁଝେଇବା ଉଚିତ ହେବ କି ନା। ଚାଣକ୍ୟ କହିଛନ୍ତି ‘ପକ୍ଷୀଣାଂ କାକଶ୍ଚାଣ୍ଡାଳଃ ପଶୁନାଂ ଚୈ କୁକ୍କୁରଃ, ମୁନୀନାଂ କୋପୀ ଚାଣ୍ଡାଳଃ ସର୍ବେଷାଂ ଚୈ ନିନ୍ଦୁକଃ।’ ଅର୍ଥାତ, କ୍ରୋଧୀ ସ୍ବଭାବର ହୋଇଥିଲେ ଜଣେ ମୁନିଙ୍କୁ ମଧ୍ୟ ଚାଣ୍ଡାଳ ବୋଲି ବିବେଚନା କରାଯାଏ। କ୍ରୋଧ କ୍ରମଶଃ ବିନାଶ ଆଡ଼କୁ ବାଟ କଢ଼େଇ ନିଏ। ମଣିଷର ଏହା ଏକ ସ୍ବାଭାବିକ ସାଧାରଣ ପ୍ରକୃତି ହୋଇଥିଲେ ମଧ୍ୟ ଏହାକୁ ଦମନ କରାଯିବା ଆବଶ୍ୟକ। ଆମ ନୀତିଶାସ୍ତ୍ରରେ ମଣିଷର ଛଅଟି ବଡ଼ ଶତ୍ରୁ ଭିତରୁ ‘କ୍ରୋଧ’କୁ ଏକ ଶତ୍ରୁ ଭାବରେ ବିଚାର କରାଯାଇଛି।
ମୋଟାମୋଟି ଭାବରେ ‘କ୍ରୋଧ’କୁ ଏକ ନିକୃଷ୍ଟ ତଥା ନକାରାତ୍ମକ ଗୁଣ ଭାବେ ଶାସ୍ତ୍ରକାରମାନେ ଅଭିହିତ କରିଛନ୍ତି ଏବଂ ଏହା ସର୍ବାଦୌ ବର୍ଜ୍ଜନୀୟ। କିନ୍ତୁ ଋ଼ଷି ଦୁର୍ବାସାଙ୍କୁ ‘ମହାକ୍ରୋଧୀ’ ଭାବରେ ଏମିତି ଚିତ୍ରିତ କରାଯାଇଛି ସତେ ଯେମିତି ଏଇ କ୍ରୋଧୀ ସ୍ବଭାବ ଯୋଗୁ ହିଁ ତାଙ୍କ ଋଷିପଣିଆଟି ମହିମାନ୍ବତ ହୋଇପାରିଛି। ଋଷିବରଙ୍କର କ୍ରୋଧକୁ ଉଦାହରଣ ଭାବରେ ନେଇ ଅନେକେ ନିଜର ତଥା ନିଜ ଲୋକଙ୍କର ରାଗିବା ଗୁଣଟିକୁ ଏମିତି ଗର୍ବର ସହିତ ବଖାଣନ୍ତି ଯେମିତି ଏଇଟା ଏକ ଦୁର୍ଲ୍ଲଭ ଈଶ୍ବରୀୟ ଗୁଣ ଏବଂ ଏହା ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱର ଏକ ମହନୀୟ ଗୁଣ ଯାହା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର ଏବଂ ମର୍ଯ୍ୟାଦାବନ୍ତ ହୋଇଥିବାର ପରିଚୟ ପ୍ରଦାନ କରେ। ଏଇ ପ୍ରକାର ଭାବନା ଯୋଗୁ ହିଁ ସେମାନେ ଖୁବ୍‌ ଗର୍ବରେ କହନ୍ତି ‘ମୁଁ ତ ମହା ରାଗି…’ ‘ମୋ ବାପା ତ ଭୀଷଣ ରାଗି…’ ଇତ୍ୟାଦି। ଏଇଟିକୁ ଏକ ଘୃଣ୍ୟ ଗୁଣ ବୋଲି ଭାବୁଥିଲେ ନିଜର ଏ ସ୍ବଭାବ ପାଇଁ ଲଜ୍ଜାବୋଧ ଆସନ୍ତା। କିନ୍ତୁ ଏମିତି କେବେ ବି ଘଟେନି।
ଆମେ ଯାହା କହୁଛୁ, କରୁଛୁ ବା ଭାବୁଛୁ କେବଳ ତାହା ହିଁ ଠିକ୍‌; ଆମ କଥା, କାମ ଓ ବିଚାରର ବିରୋଧୀ ସ୍ଥିତି ଦେଖିଲେ ଆମ ଅହଂକାର ଉପରେ ପ୍ରହାର ହେଲା ପରି ଆମକୁ ଯେତେବେଳେ ଲାଗେ, ସେତେବେଳେ ଆମେ ରାଗରେ ଅନ୍ଧ ହୋଇଯାଉ। ନିଜକୁ ଅନ୍ୟମାନଙ୍କ ଠାରୁ ଉତ୍କୃଷ୍ଟ ବୋଲି ଭାବିବାର ଅହଂକାର ଯୋଗୁ ଆମେ ଅନେକ ସମୟରେ ସେମାନଙ୍କ କାମ ଓ ବିଚାରକୁ ସମ୍ମାନ ଦେବା ତ ଦୂର, ଗ୍ରହଣ କରି ନ ପାରି ରାଗରେ ଜଳିଉଠୁ। ଏବଂ ଅଶୋଭନୀୟ ଚିତ୍କାର ଜରିଆରେ ତାକୁ ପ୍ରକାଶ କରୁ। ଆମ କଥା, କର୍ତ୍ତୃତ୍ୱ ଓ ବିଚାରକୁ ଯିଏ ବି ବିରୋଧ କଲେ ଆମେ ତା’ଠାରୁ ମାନସିକତାରେ ଏତେ ଦୂରେଇଯାଉ ଯେ ସ୍ବାଭାବିକ ତୀବ୍ରତାର ଶବ୍ଦ ଓ ସ୍ବରରେ କହିଲେ ସତେ ଯେମିତି ସେ ଶୁଣିପାରିବନି, ସେଇଥିପାଇଁ ଖୁବ୍‌ ଉଚ୍ଚ ସ୍ବରରେ ଚିତ୍କାର କରି କହୁ।
ମନୋବିଜ୍ଞାନୀମାନେ କିନ୍ତୁ ଏ ପ୍ରକାର ଚିତ୍କାର ଜରିଆରେ ପ୍ରତିକ୍ରିୟା ପ୍ରକାଶ କରିବାକୁ କାଳେ ଯଥାର୍ଥ ବୋଲି ଯୁକ୍ତି କରନ୍ତି। ଏମିତି ଚିତ୍କାର କରିବା ଦ୍ବାରା କାଳେ ଜଣକ ଭିତରେ ଫୁଟୁଥିବା ଉତ୍ତାପ ଓ ବଢ଼ି ଚାଲିଥିବା ଆବେଗିକ ଚାପ ବାହାରକୁ ବାହାରିଯାଏ ଏବଂ ତା’ ଦ୍ବାରା ମନ ଓ ଦେହ ସୁରକ୍ଷିତ ରହିପାରେ। ଅର୍ଥାତ, କ୍ରୋଧଜନିତ ଚିତ୍କାର ହେଉଛି ଏକ ସେଫ୍ଟି ଭାଲ୍‌ଭ ଯାହା ଜରିଆରେ ଭିତରର ଚାପ ଓ ତାପ ବାହାରକୁ ବାହାରି ଆସିଲେ ହିଁ ମନ ଓ ଶରୀର ରୂପକ ପ୍ରେସର କୁକର ସୁରକ୍ଷିତ ରହେ।
ମନୋବିଜ୍ଞାନୀମାନେ ଏ ପ୍ରକାର ଯୁକ୍ତି ଦ୍ବାରା ଜଣକର ଚିତ୍କାର କରିବାର ପ୍ରବୃତ୍ତିକୁ ବୈଧତାର ମୋହର ଲଗାଇଦେଲେ। ଏଥିରେ ଉତ୍ସାହିତ ହୋଇ ଅନେକେ କଥାକଥାକେ ରାଗିବା ଓ ରାଗିଲେ ଚିତ୍କାର କରିବାକୁ ଏକ ଅଶୋଭନୀୟ ଆଚରଣ ବୋଲି ବିଚାର ନ କରି ଏହାକୁ ଯଥାର୍ଥ ବୋଲି ପ୍ରତିପାଦିତ କରିଚାଲିଛନ୍ତି। କ୍ରୋଧକୁ ଦମନ କରିରଖିବା ଆବଶ୍ୟକ ବୋଲି ଯୁଗଯୁଗରୁ ଆମକୁ ଯେଉଁ ନୀତିଶିକ୍ଷା ଦିଆଯାଇ ଆସୁଥିଲା ତାହା ସତେ ଯେମିତି ଭ୍ରାନ୍ତିମୂଳକ ଓ ଅପ୍ରାସଙ୍ଗିକ ବୋଲି ଏମାନେ ଜଣେଇବାକୁ ଚାହାନ୍ତି। ଆହୁରି ଆଶ୍ଚର୍ଯ୍ୟର କଥା ହେଲା ଯେ ଏ ଲୋକମାନଙ୍କର ସମ୍ମାନ, ପଦବୀ, ପ୍ରତିଷ୍ଠା ବା କର୍ତ୍ତୃତ୍ୱକୁ ବେଖାତିର କରି ଅନ୍ୟ କେହି ୟାଙ୍କ ପ୍ରତି ରାଗି ଚିତ୍କାର କଲେ ସେକଥା ଏମାନେ ବରଦାସ୍ତ କରିପାରନ୍ତିନି। ଓଲଟା ସେମାନଙ୍କୁ ଅଭଦ୍ର, ଅସଭ୍ୟଙ୍କ ପରି ବ୍ୟବହାର କରୁଛି କହି ଭର୍ତ୍ସନା କରନ୍ତି। ଯେଉଁ ଗୁଣ ଅନ୍ୟମାନଙ୍କ ପାଖରେ ଦେଖିଲେ ତାଙ୍କୁ ଅସଭ୍ୟ ବୋଲି କହି ଭ୍ରୁକୁଞ୍ଚନ କରନ୍ତି ସେଇ ସମାନ ଗୁଣ ପାଇଁ ନିଜକୁ ମହାନ୍‌ ଓ ସ୍ବତନ୍ତ୍ର ବୋଲି ପ୍ରତିପାଦିତ କରିବାକୁ ଚେଷ୍ଟା କରନ୍ତି।
ଏ ପ୍ରକାର ରାଗିକରି ଚିତ୍କାର କରିବା କାଳେ ନାରୀର ସ୍ବାଧୀନତାର ପରିଚାୟକ ବୋଲି କୁହାଯାଉଛି। ସେଇ ଯୁକ୍ତି ଆଧାରରେ ଇଟାଲୀର ପ୍ରସିଦ୍ଧ ଫ୍ୟାଶନ କମ୍ପାନୀ ‘ଭର୍ସାଚି’ ମହିଳାମାନଙ୍କ ପାଇଁ ପ୍ରସ୍ତୁତ କରୁଥିବା ପ୍ରସାଧନ ସାମଗ୍ରୀଗୁଡ଼ିକରେ ବିକୃତାକାର ‘ମେଡୁସା’ର ମୁହଁର ଚିତ୍ରକୁ ଲୋଗୋ ଭାବରେ ବ୍ୟବହାର କରିଛି। ମେଡୁସା ହେଉଛି ଗ୍ରୀକ୍‌ ପୁରାଣର ସେଇ ଅସୁରୁଣୀ ଯିଏ ଶାପଗ୍ରସ୍ତ ହୋଇ କଦାକାର ପାଲଟିଗଲା ଓ ତା’ ମୁଣ୍ଡର କେଶରାଶି ସାପରେ ରୂପାନ୍ତରିତ ହୋଇଗଲା। ମୁଣ୍ଡରେ ସାପ ଖେଳଉଥିବା ଗୋଟେ ବିକୃତ ମୁହଁ ଦେଖଣାହାରୀ ମନରେ ଭୟ ସୃଷ୍ଟି କରିଥାଏ। କିନ୍ତୁ ଏମିତି ଗୋଟେ ଚିତ୍ର ନାରୀ ସ୍ବାଧୀନତାର ପ୍ରତୀକ କେମିତି ପାଲଟିପାରେ ସେକଥା ବୁଝିହେଲାନି। ଭାବିଲି ହୁଏତ ଏୟା ହୋଇପାରେ ଯେ ମନ ଭିତରେ ସୃଷ୍ଟି ହେଉଥିବା ବିଷକୁ ଚାପି ନ ରଖି ମେଡୁସା ଭଳିଆ ଉଗ୍ର ମୁହଁକରି ଚିତ୍କାର କରି ସାପ ଭଳି ବିଷକୁ ବାହାର କରିବାଟାକୁ ଏମାନେ ସ୍ବାଧୀନତାର ପ୍ରତୀକ ଭାବେ ବିବେଚନା କରୁଛନ୍ତି।
ମୋର ଦ୍ବନ୍ଦ୍ବ ଏୟା ଥିଲା ଯେ ଏ ପ୍ରକାର ସ୍ବାଧୀନତା ଓ ସ୍ବେଚ୍ଛାଚାରିତା ଭିତରେ ପାର୍ଥକ୍ୟର ସୂକ୍ଷ୍ମ ରେଖାଟିଏ କେମିତି ଟଣାଯାଇପାରେ। କ୍ରୋଧରେ ଚିତ୍କାର କରିବାଟା ଯଦି ଯଥାର୍ଥ ତେବେ ଏ ପ୍ରକାର କୌଣସି ଆଚରଣକୁ ଅଶୋଭନୀୟ କହିବା ଉଚିତ ହେବ କି ନା। ଚାଣକ୍ୟଙ୍କ ଫର୍ମୁଲା ଅନୁସାରେ କ୍ରୋଧକୁ ବ୍ୟାଖ୍ୟା କରିବି ନା ମନୋବିଜ୍ଞାନୀଙ୍କ ତତ୍ତ୍ବକୁ ଗୁରୁଜ୍ଞାନ ମଣିବି।
କ୍ରୋଧକୁ ଅବଦମିତ ରଖି ଚିତ୍କାର ନ କରିବା ପାଇଁ କାହାକୁ ଉପଦେଶ ଦେବା ଉଚିତ ହେବ କି ନା। ସମସ୍ତଙ୍କର ନିନ୍ଦା କରୁଥିବା ଲୋକଙ୍କ ସହ ଏ ଚିତ୍କାରିଆମାନଙ୍କୁ ବି ଚାଣ୍ଡାଳ ପର୍ଯ୍ୟାୟଭୁକ୍ତ କରିବା ସମୀଚୀନ କି ନା। ଏତେ ଦ୍ବନ୍ଦ୍ବ ଭିତରେ ମୁଁ ଘାଣ୍ଟି ହେଉଥିଲା ବେଳେ ତାକୁ କବିତା ବୁଝେଇଦେବା ପାଇଁ ଝିଅ ଆସି ବାରମ୍ବାର କହିବାରୁ ମୁଁ ହଠାତ୍‌ ରାଗିଯାଇ ଚିତ୍କାର କରିଉଠିଲି, ‘ଦେଖିପାରୁନୁ ମୁଁ କିଛି ଗୋଟେ ଲେଖିବାକୁ ବସିଛି ବୋଲି?!’ ଟିକିଏ ଶଙ୍କିଯାଇ ମୁହୂର୍ତ୍ତେ ନୀରବ ରହି ଛଳଛଳ ଆଖିରେ ଝିଅ କହିଲା, ‘ ପ୍ଲିଜ ରାଗନି ପାପା।’ ନିଜକୁ ଚାଣ୍ଡାଳ ବିଚାରି ଲଜ୍ଜାରେ ଚୁପ ହୋଇଯାଇ ତାକୁ କୋଳକୁ ଟାଣିଆଣି କହିଲି , ‘ସରି।’

  • ହରେକୃଷ୍ଣ ଦାସ
    ମୋ:୯୮୬୧୩୪୫୬୫୮

Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri