ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ପ୍ରୟାସ: ଭାରତର ଜି୨୦ ଅଧ୍ୟକ୍ଷତା ଏବଂ ଏକ ନୂତନ ବହୁପକ୍ଷବାଦର ପ୍ରାରମ୍ଭ

ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ

 

 

ଭାରତ ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ୩୬୫ ଦିନ ପୂରିଛି। ‘ବସୁଧୈବ କୁଟୁମ୍ବକମ’- ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ର ଭାବନାକୁ ପ୍ରତିଫଳିତ କରିବା, ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପୁନର୍ଜୀବିତ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ମୁହୂର୍ତ୍ତ ଉପନୀତ ହୋଇଛି।
ଗତ ବର୍ଷ ଯେତେବେଳେ ଆମେ ଏହି ଦାୟିତ୍ୱ ଗ୍ରହଣ କରିଥିଲୁ, ବିଶ୍ୱ ପରିଦୃଶ୍ୟ ବହୁମୁଖୀ ଆହ୍ବାନର ସମ୍ମୁଖୀନ ହୋଇଥିଲା: କୋଭିଡ୍‌ -୧୯ ମହାମାରୀରୁ ପୁନରୁଦ୍ଧାର, ଜଳବାୟୁ ବିପଦ, ଆର୍ଥିକ ଅସ୍ଥିରତା ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଋଣ ସଙ୍କଟ ସହ ହ୍ରାସ ପାଉଥିବା ବହୁପକ୍ଷବାଦ ଚିନ୍ତାର କାରଣ ପାଲଟିଥିଲା। ସଂଘର୍ଷ ଓ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବିକାଶ ପାଇଁ ସହଯୋଗ କ୍ଷତିଗ୍ରସ୍ତ ହୋଇଛି, ପ୍ରଗତିରେ ବାଧା ସୃଷ୍ଟି ହୋଇଛି।
ଜି୨୦ ଅଧ୍ୟକ୍ଷତା ଗ୍ରହଣକରି ଭାରତ ବିଶ୍ୱକୁ ସ୍ଥିତାବସ୍ଥାର ବିକଳ୍ପ ପ୍ରଦାନ କରିବାକୁ ଚାହୁଁଥିଲା, ଯାହା ଜିଡିପି-କେନ୍ଦ୍ରିତ ଆଭିମୁଖ୍ୟରୁ ମାନବ-କେନ୍ଦ୍ରିତ ପ୍ରଗତିକୁ ପରିବର୍ତ୍ତିତ ହୋଇଥିଲା। କେଉଁ ସବୁ କାରଣ ଆମକୁ ବିଭାଜିତ କରୁଛି ତା’ ବଦଳରେ ଆମକୁ କେଉଁ କାରଣ ଏକାଠି କରିଥାଏ ତାହା ବିଶ୍ୱକୁ ମନେପକାଇବାକୁ ଭାରତ ଲକ୍ଷ୍ୟ ରଖିଥିଲା। ଶେଷରେ, ଏକ ବିଶ୍ୱସ୍ତରୀୟ ବିଚାରବିମର୍ଶ ବିକଶିତ ହୋଇଥିଲା – ଅନେକଙ୍କ ଆକାଂକ୍ଷା ପାଇଁ ଅଳ୍ପ କିଛି ଲୋକଙ୍କ ସ୍ବାର୍ଥ ବାଧ୍ୟହୋଇ ବାଟ ଛାଡ଼ିଥିଲା। ଏଥିପାଇଁ ବହୁପକ୍ଷବାଦର ମୌଳିକ ସଂସ୍କାର ଆବଶ୍ୟକ ଥିଲା ଯାହା ଆମେ ପୂର୍ବରୁ ଜାଣିଥିଲୁ।
ସମାବେଶୀ, ଉଚ୍ଚାକାଂକ୍ଷୀ, କାର୍ଯ୍ୟଭିତ୍ତିକ ଏବଂ ନିର୍ଣ୍ଣାୟକ – ଜି୨୦ ଅଧ୍ୟକ୍ଷ ଭାବରେ ଏହି ଚାରିଟି ଶବ୍ଦ ଆମର ଆଭିମୁଖ୍ୟକୁ ବ୍ୟାଖ୍ୟା କରିଥିଲା ଏବଂ ସମସ୍ତ ଜି୨୦ ସଦସ୍ୟଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିବା ନୂଆଦିଲ୍ଲୀ ନେତୃମଣ୍ଡଳୀଙ୍କ ଘୋଷଣାନାମା (ଏନ୍‌ଡିଏଲ୍‌ଡି) ଏହି ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ।
ଅନ୍ତର୍ଭୁକ୍ତୀକରଣ ଆମ ଅଧ୍ୟକ୍ଷତାର କେନ୍ଦ୍ରରେ ରହିଛି। ଆଫ୍ରିକୀୟ ସଂଘ (ଏୟୁ)କୁ ଜି୨୦ର ସ୍ଥାୟୀ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ୫୫ ଆଫ୍ରିକୀୟ ଦେଶ ଏହି ମଞ୍ଚରେ ସାମିଲ ହୋଇଥିଲେ ଏବଂ ବିଶ୍ୱ ଜନସଂଖ୍ୟାର ୮୦% କୁ ସାମିଲ କରିବା ପାଇଁ ଏହି ମଞ୍ଚକୁ ବିସ୍ତାର କରିଥିଲେ। ଏହି ସକ୍ରିୟ ଆଭିମୁଖ୍ୟ ବୈଶ୍ୱିକ ଆହ୍ବାନ ଏବଂ ସୁଯୋଗ ଉପରେ ଅଧିକ ବ୍ୟାପକ ଆଲୋଚନାକୁ ପ୍ରୋତ୍ସାହିତ କରିଛି।
ଦୁଇଟି ସଂସ୍କରଣରେ ଭାରତ ପକ୍ଷରୁ ଆୟୋଜିତ ପ୍ରଥମ ‘ଭଏସ୍‌ ଅଫ୍‌ ଦି ଗ୍ଲୋବାଲ ସାଉଥ ଶିଖର ସମ୍ମିଳନୀ’ ବହୁପକ୍ଷବାଦର ଏକ ନୂତନ ପର୍ଯ୍ୟାୟର ଶୁଭାରମ୍ଭ କରିଛି। ଆନ୍ତର୍ଜାତିକ ଆଲୋଚନାରେ ଗ୍ଲୋବାଲ ସାଉଥ୍‌ର ଚିନ୍ତାକୁ ଭାରତ ମୁଖ୍ୟସ୍ରୋତରେ ସାମିଲ କରିଛି ଏବଂ ଏକ ଯୁଗ ଆରମ୍ଭ କରିଛି ଯେଉଁଠାରେ ବିକାଶଶୀଳ ଦେଶଗୁଡ଼ିକ ବିଶ୍ୱ ପରିଦୃଶ୍ୟକୁ ଆକାର ଦେବାରେ ଉପଯୁକ୍ତ ସ୍ଥାନ ଗ୍ରହଣ କରିବେ।
ଅନ୍ତର୍ଭୁକ୍ତୀକରଣ ମଧ୍ୟ ଜି୨୦ ପ୍ରତି ଭାରତର ଘରୋଇ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିଥିଲା ଏବଂ ଏହାକୁ ଏକ ପିପୁଲ୍ସ ପ୍ରେସିଡେନ୍ସିରେ ପରିଣତ କରିଥିଲା ଯାହା ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ଅନୁରୂପ ହୋଇପାରିଛି। ‘ଜନ ଭାଗୀଦାରି’ କାର୍ଯ୍ୟକ୍ରମ ଜରିଆରେ ଜି୨୦ ପହଞ୍ଚତ୍ଛି ୧୪୦ କୋଟି ନାଗରିକଙ୍କ ନିକଟରେ, ଯେଉଁଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଂଶୀଦାର ଭାବେ ସାମିଲ ହୋଇଛନ୍ତି। ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ରୂପରେ ଭାରତ ସୁନିଶ୍ଚିତ କରିଛି ଯେ ଜି୨୦ର ଉଦ୍ଦେଶ୍ୟ ଅନୁରୂପ ବ୍ୟାପକ ବିକାଶମୂଳକ ଲକ୍ଷ୍ୟ ପ୍ରତି ଆନ୍ତର୍ଜାତିକ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା।
୨୦୩୦ ଏଜେଣ୍ଡାର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରବିନ୍ଦୁରେ ଭାରତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ର ଅଗ୍ରଗତିକୁ ତ୍ୱରାନ୍ବିତ କରିବା ପାଇଁ ଜି୨୦ କାର୍ଯ୍ୟଯୋଜନା ୨୦୨୩ ପ୍ରଦାନ କରିଛି। ସ୍ବାସ୍ଥ୍ୟ, ଶିକ୍ଷା, ଲିଙ୍ଗଗତ ସମାନତା ଏବଂ ପରିବେଶ ସ୍ଥାୟିତ୍ୱ ସମେତ ପରସ୍ପର ସହ ଜଡିତ ପ୍ରସଙ୍ଗଗୁଡିକ ପାଇଁ ଏକ କାର୍ଯ୍ୟକାରିତାଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିଛି।
ଏହି ଅଗ୍ରଗତିର ଏକ ପ୍ରମୁଖ କ୍ଷେତ୍ର ହେଉଛି ସୁଦୃଢ଼ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ)। ଆଧାର, ୟୁପିଆଇ ଓ ଡିଜିଲକର ଭଳି ଡିଜିଟାଲ ଉଦ୍ଭାବନର ବୈପ୍ଳବିକ ପ୍ରଭାବ ପ୍ରତ୍ୟକ୍ଷ ଭାବେ ଦେଖିଥିବା ଭାରତ ଏଠାରେ ନିଜ ସୁପାରିସ କରିବାରେ ନିର୍ଣ୍ଣାୟକ ସାଜିଥିଲା। ଜି୨୦ ଜରିଆରେ ଆମେ ସଫଳତାର ସହ ଡିଜିଟାଲ ପବ୍ଲିକ ଇନ୍‌ଫ୍ରାଷ୍ଟ୍ରକଚର ରିପୋଜିଟୋରିକୁ ସମ୍ପୂର୍ଣ୍ଣ କରିଛୁ, ଯାହାକି ବିଶ୍ୱ ବୈଷୟିକ ସହଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୧୬ଟି ଦେଶର ୫୦ରୁ ଅଧିକ ଡିପିଆଇଙ୍କୁ ନେଇ ଗଠିତ ଏହି ଭଣ୍ଡାର ଗ୍ଲୋବାଲ ସାଉଥ୍‌କୁ ଡିପିଆଇ ନିର୍ମାଣ, ଗ୍ରହଣ ଏବଂ ବିସ୍ତାର କରିବାରେ ସହାୟକ ହେବ।
ଆମର ଏକ ପୃଥିବୀ ପାଇଁ, ଆମେ ଜରୁରୀ, ସ୍ଥାୟୀ ଏବଂ ସମାନ ପରିବର୍ତ୍ତନ ସୃଷ୍ଟି କରିବା ଲାଗି ଉଚ୍ଚାକାଂକ୍ଷୀ ଏବଂ ସମାବେଶୀ ଲକ୍ଷ୍ୟ ପ୍ରଚଳନ କରିଛୁ। ଘୋଷଣାନାମାର ‘ସବୁଜ ବିକାଶ ଚୁକ୍ତି’ ସମ୍ପାଦିତ ହୋଇଛି। ନିଯୁକ୍ତି ଓ ପରିବେଶ ପରସ୍ପରର ଅନୁପୂରକ ହେବା, ଉପଭୋଗ ଜଳବାୟୁ ସଚେତନ ହେବା ଏବଂ ଉତ୍ପାଦନ ପୃଥିବୀ ଅନୁକୂଳ ହେବା ପାଇଁ ଏକ ବିସ୍ତୃତ ରୋଡ୍‌ମ୍ୟାପ ପ୍ରସ୍ତୁତ କରିବା ଜରିଆରେ କ୍ଷୁଧା ମୁକାବିଲା ଓ ପୃଥିବୀର ସୁରକ୍ଷା ମଧ୍ୟରେ ରହିଥିବା ଆହ୍ବାନର ସମାଧାନ କରିବା ନିମନ୍ତେ ଏଥିରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ଜି୨୦ ଘୋଷଣାନାମାରେ ୨୦୩୦ ସୁଦ୍ଧା ବିଶ୍ୱ ଅକ୍ଷୟ ଶକ୍ତି କ୍ଷମତାକୁ ତିନି ଗୁଣା ବୃଦ୍ଧି କରିବାକୁ କୁହାଯାଇଛି। ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ପ୍ରତିଷ୍ଠା ଏବଂ ସବୁଜ ହାଇଡ୍ରୋଜେନ୍‌ ପାଇଁ ମିଳିତ ପ୍ରୟାସ ଏବଂ ଏକ ସ୍ବଚ୍ଛ, ସବୁଜ ବିଶ୍ୱ ଗଠନ ପାଇଁ ଜି୨୦ର ଆକାଂକ୍ଷା ଅନସ୍ବୀକାରଯୋଗ୍ୟ। ଏହା ସର୍ବଦା ଭାରତର ନୀତି ରହିଆସିଛି। ଦୀର୍ଘସ୍ଥାୟୀ ବିକାଶ ପାଇଁ ଜୀବନଶୈଳୀ (ଏଲ୍‌ଆଇଏଫ୍‌ଇ) ମାଧ୍ୟମରେ ବିଶ୍ୱ ଆମର ବହୁ ପୁରୁଣା ସ୍ଥାୟୀ ପରମ୍ପରାରୁ ଉପକୃତ ହୋଇପାରିବ।
ଏହାବ୍ୟତୀତ, ଏହି ଘୋଷଣାନାମା ଜଳବାୟୁ ନ୍ୟାୟ ଏବଂ ସମାନତା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଇ ଦେଇଛି ଏବଂ ଗ୍ଲୋବାଲ ନର୍ଥଠାରୁ ଯଥେଷ୍ଟ ଆର୍ଥିକ ଏବଂ ବୈଷୟିକ ସହାୟତା ପାଇଁ ଅନୁରୋଧ କରିଛି। ପ୍ରଥମ ଥର ପାଇଁ, ବିକାଶ ଅର୍ଥଯୋଗାଣର ପରିମାଣରେ ଆବଶ୍ୟକ ବୃଦ୍ଧି ଲାଗି ସ୍ବୀକୃତି ମିଳିଛି, ଯାହା ବିଲିୟନ ଡଲାରରୁ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି। ଜି୨୦ ସ୍ବୀକାର କରିଛି ଯେ ବିକାଶଶୀଳ ଦେଶଗୁଡ଼ିକ ୨୦୩୦ ସୁଦ୍ଧା ସେମାନଙ୍କର ଜାତୀୟ ସଂକଳ୍ପବଦ୍ଧତା ଅବଦାନ (ଏନ୍‌ଡିସି) ପୂରଣ କରିବା ପାଇଁ ୫.୯ ଟ୍ରିଲିୟନ ଡଲାର ଆବଶ୍ୟକ କରନ୍ତି।
ଆବଶ୍ୟକ ବିପୁଳ ସମ୍ବଳକୁ ଦୃଷ୍ଟିରେ ରଖି ଜି୨୦ ଉନ୍ନତ, ବୃହତ୍‌ ଏବଂ ଅଧିକ ପ୍ରଭାବଶାଳୀ ବହୁପାକ୍ଷିକ ବିକାଶ ବ୍ୟାଙ୍କର ଗଠନ ଉପରେ ଗୁରୁତ୍ୱାରୋପ କରିଥିଲା। ଏହା ସହ ଭାରତ ଜାତିସଂଘ ସଂସ୍କାର, ବିଶେଷକରି ଜାତିସଂଘ ନିରାପତ୍ତା ପରିଷଦ ଭଳି ପ୍ରମୁଖ ଅଙ୍ଗର ପୁନର୍ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି, ଯାହା ଅଧିକ ସମାନ ବୈଶ୍ୱିକ ବ୍ୟବସ୍ଥା ସୁନିଶ୍ଚିତ କରିବ।
ଏହି ଘୋଷଣାନାମାରେ ଲିଙ୍ଗଗତ ସମାନତାକୁ ଗୁରୁତ୍ୱ ଦିଆଯାଇଛି, ଯାହା ଆସନ୍ତା ବର୍ଷ ମହିଳା ସଶକ୍ତୀକରଣ ଉପରେ ଏକ ସମର୍ପିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ସହିତ ସାକାର ରୂପ ନେବ। ଭାରତର ମହିଳା ସଂରକ୍ଷଣ ବିଲ୍‌ ୨୦୨୩, ଦେଶର ସଂସଦ ଏବଂ ରାଜ୍ୟ ବିଧାନସଭାରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ କରିବ ଯାହାକି ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି।
ନୀତି ସମନ୍ବୟ, ବିଶ୍ୱସନୀୟ ବାଣିଜ୍ୟ ଏବଂ ଉଚ୍ଚାକାଂକ୍ଷୀ ଜଳବାୟୁ କାର୍ଯ୍ୟ ଉପରେ ଗୁରୁତ୍ୱ୍‌ଦେଇ ଏହି ପ୍ରମୁଖ ପ୍ରାଥମିକତାଗୁଡ଼ିକରେ ସହଯୋଗର ଏକ ନୂତନ ଭାବନାକୁ ନୂଆଦିଲ୍ଲୀ ଘୋଷଣାନାମାରେ ପ୍ରତିଫଳିତ କରାଯାଇଛି। ଏହା ଗର୍ବର ବିଷୟ ଯେ ଆମ ଅଧ୍ୟକ୍ଷତା କାଳରେ ଜି୨୦ ୮୭ଟି ପରିଣାମ ବିଶିଷ୍ଟ ଏବଂ ୧୧୮ଟି ଗୃହୀତ ଦସ୍ତାବିଜ ହାସଲ କରିଛି, ଯାହା ଅତୀତ ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି।
ଆମର ଜି୨୦ ଅଧ୍ୟକ୍ଷତା ସମୟରେ ଭାରତ ଭୂ-ରାଜନୈତିକ ପ୍ରସଙ୍ଗ ଏବଂ ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶ ଏହାର ପ୍ରଭାବ ଉପରେ ଆଲୋଚନାର ନେତୃତ୍ୱ ନେଇଥିଲା। ଆତଙ୍କବାଦ ଏବଂ ସାଧାରଣ ନାଗରିକଙ୍କ ଅଯଥା ହତ୍ୟା ଗ୍ରହଣୀୟ ନୁହେଁ ଏବଂ ଆମକୁ ଶୂନ୍ୟ ସହନଶୀଳତା ନୀତି ସହିତ ଏହାର ସମାଧାନ କରିବାକୁ ହେବ। ଶତ୍ରୁତାକୁ ଛାଡ଼ି ମାନବିକତାକୁ ଆମେ ଗ୍ରହଣ କରିବା ଉଚିତ ଏବଂ ଏହା ଯୁଦ୍ଧର ଯୁଗ ନୁହେଁ ବୋଲି ଦୋହରାଇବା ଉଚିତ।
ମୁଁ ଆନନ୍ଦିତ ଯେ ଆମ ଅଧ୍ୟକ୍ଷତା କାଳରେ ଭାରତ ଅସାଧାରଣ ସଫଳତା ହାସଲ କରିଛି: ଏହା ବହୁପକ୍ଷବାଦକୁ ପୁନର୍ଜୀବିତ କରିଛି, ଗ୍ଲୋବାଲ ସାଉଥ୍‌ର ସ୍ବରକୁ ବିସ୍ତାରକରି, ବିକାଶକୁ ପ୍ରୋତ୍ସାହିତ କରିଛି ଏବଂ ସବୁଠି ମହିଳା ସଶକ୍ତୀକରଣ ପାଇଁ ଲଢ଼େଇ କରିଛି।
ଯେତେବେଳେ ଆମେ ବ୍ରାଜିଲକୁ ଜି୨୦ ଅଧ୍ୟକ୍ଷତା ହସ୍ତାନ୍ତର କରୁଛୁ, ଆମର ଏହି ବିଶ୍ୱାସ ରହିଛି ଯେ ଜନସାଧାରଣ, ପୃଥିବୀ, ଶାନ୍ତି ଏବଂ ସମୃଦ୍ଧି ପାଇଁ ଆମର ସାମୂହିକ ପଦକ୍ଷେପ ଆଗାମୀ ବର୍ଷଗୁଡ଼ିକରେ ଉତ୍ତମ ପରିଣାମ ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri