ସମ୍ବଲପୁର,୪ା୮(ପ୍ରମୋଦ ବହିଦାର):ସମ୍ବଲପୁରରେ ଏକ ପ୍ରତିଷ୍ଠିତ ଉଚ୍ଚଶିକ୍ଷାନୁଷ୍ଠାନର ଛାତ୍ରୀନିବାସରେ ବରିଷ୍ଠ ଛାତ୍ରୀମାନେ ବୈଠକ ନାମରେ କନିଷ୍ଠଙ୍କୁ ଡାକି ରାତିଅଧିଆ ମାନସିକ ନିର୍ଯାତନାଜନିତ ରାଗିଂ କରୁଥିବା ଅଭିଯୋଗ ହୋଇଛି। ସେମାନେ କନିଷ୍ଠ ଛାତ୍ରୀମାନଙ୍କୁ ଦୀର୍ଘ ଏକଘଣ୍ଟା ଧରି ନିରବଛିନ୍ନଭାବେ ଛିଡା କରାଇ ସେମାନଙ୍କ ମୋବାଇଲ ଫୋନଗୁଡ଼ିକୁ ମଧ୍ୟ ଜବତ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ବିଶ୍ୱବିଦ୍ୟାଳୟର ଏକ ଛାତ୍ରୀନିବାସରେ ଶନିବାର ବିଳମ୍ବିତ ରାତିରେ ଘଟିଛି। ଏହାପୂର୍ବରୁ ଏହି ଛାତ୍ରୀନିବାସର ଛାତ୍ରୀମାନଙ୍କୁ ନେଇ ଖୋଲାଯାଇଥିବା ହ୍ବାଟ୍ସଆପ୍ ଗ୍ରୁପ୍ରେ ଶନିବାର ବୈଠକରେ ଯୋଗଦେବାକୁ କେତେଜଣ ବରିଷ୍ଠ ଛାତ୍ରୀ କନିଷ୍ଠ ଛାତ୍ରୀମାନଙ୍କୁ ଧମକ୍ ଦେଇ ଡାକିଥିବା ମ୍ୟାସେଜ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ଶନିବାର ସନ୍ଧ୍ୟା ୬ଟା ୫୧ରେ ଉକ୍ତ ଛାତ୍ରୀନିବାସର ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀ ଧମକପୂର୍ଣ୍ଣ ମ୍ୟାସେଜ କରି କନିଷ୍ଠ ଛାତ୍ରୀମାନଙ୍କୁ ଡାକିଥିବା ଦେଖିବାକୁ ମିଳିଛି। ଉକ୍ତ ମ୍ୟାସେଜ୍ରେ ଛାତ୍ରୀ ଜଣକ ରାତି ୧୦ଟା ୧୫ରେ ସମସ୍ତ କନିଷ୍ଠ ଓ ବରିଷ୍ଠ ଛାତ୍ରୀଙ୍କୁ ନେଇ ଛାତ୍ରୀନିବାସର ଷ୍ଟଡିରୁମ୍ରେ ଏକ ବୈଠକ ହେବାକୁ ସ୍ଥିର ହୋଇଛି। ଏଥିରେ ସମସ୍ତେ ଉପସ୍ଥିତ ରହିବାକୁ ଧମକ୍ ଦେଇ ବାଧ୍ୟ କରାଯାଇଛି। ଅନ୍ୟଥା ସମସ୍ତ ଏହାର ଅବମାନନା କରିଥିବା ଛାତ୍ରୀଙ୍କୁ ତାଙ୍କ କୋଠରୀରୁ ଘୋଷାଡି ଆଣାଯିବ। ତେଣୁ ଯେକୌଣସି ସମସ୍ୟା ସତ୍ତ୍ୱେ କନିଷ୍ଠ ଛାତ୍ରୀମାନଙ୍କୁ ଉପସ୍ଥିତ ରହିବାକୁ ଧମକ ଦିଆଯାଇଛି। ଭୟାତୁର ହୋଇ ସମସ୍ତ କନିଷ୍ଠ ଛାତ୍ରୀ ଷ୍ଟଡିରୁମ୍ରେ ପହଞ୍ଚତ୍ବା ପରେ ସମସ୍ତଙ୍କ ମୋବାଇଲ ଫୋନ୍କୁ ଗୋଟିଏ ସ୍ଥାନରେ ଜମା ଦେବାକୁ କୁହାଯିବାରୁ ସେହି ଅନୁସାରେ ସେମାନେ ମୋବାଇଲଗୁଡ଼ିକୁ ବରିଷ୍ଠ ଛାତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଜମା ଦେଇଥିଲେ। ଏହାପରେ କେତେକ କନିଷ୍ଠ ଛାତ୍ରୀଙ୍କୁ କେତେଜଣ ବରିଷ୍ଠ ଛାତ୍ରୀ ବିଭିନ୍ନ ଆଶାଳୀନ ମନ୍ତବ୍ୟ ଦେଇ ଦୀର୍ଘ ସମୟ ଧରି ଛିଡ଼ା କରାଇ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି କେତେକ କନିଷ୍ଠ ଛାତ୍ରୀ। ଏହାକୁ ନେଇ ସେମାନେ କତ୍ତୃପକ୍ଷଙ୍କ ଉପସ୍ଥିତିରେ ଛାତ୍ରୀନିବାସ ୱାଡେନ୍ଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ଅପରପକ୍ଷରେ କୌଣସି ଛାତ୍ରୀନିବାସରେ ଏଭଳି କୌଣସି ବୈଠକ ବା ଘଟଣା ହୋଇନାହଁି ବୋଲି କହିଛନ୍ତି ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ। ତେବେ ସମ୍ବଲପୁରର ଏହି ଶିକ୍ଷାନୁଷ୍ଠାନର ଛାତ୍ରୀ ନିବାସରେ ଏଭଳି ରାଗିଂ ଘଟଣା ନୂଆ ନୂହେଁ। ପୂର୍ବରୁ ମଧ୍ୟ ବରିଷ୍ଠ ଛାତ୍ରୀମାନେ କନିଷ୍ଠଙ୍କୁ ଏଭଳି ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଆସିଛି। ତେବେ ଭୟରେ ଛାତ୍ରୀମାନେ ଏଭଳି ଘଟଣା ବିରୋଧରେ ସିଧାସଳକ ମୁହଁ ଖୋଲୁ ନ ଥିବା ଜଣାପଡିଛି। ହେଲେ ଏହାର ନିରପେକ୍ଷ ତଦନ୍ତ ହେଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି।


