କେନ୍ଦ୍ରାପଡା,୨୭ା୭(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଲଘୁଚାପ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବ ଅନୁମାନଯେ ଆସନ୍ତା ସୋମବାର କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ରଘୁରାମ ଆର ଆୟାର ଜିଲାର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ସହ ଅଙ୍ଗନୱାଡି କେନ୍ଦ୍ର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାର୍ଥୀମାନେ ସୁରକ୍ଷିତ ରହିବା ପାଇଁ ଜିଲାପାଳ ଆୟାର ପରାମର୍ଶ ଦେଇଛନ୍ତି। ସେହିପରି ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରିଆସିବାକୁ ନିର୍ଦ୍ଦେଶ ଦେବା ସହିତ ଆସନ୍ତା ଦୁଇଦିନ ସମୁଦ୍ର ମଧ୍ୟକୁ ପ୍ରବେଶ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି।
ସେହିପରି ଜଗତ୍ସିଂହପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ସୋମବାର ଜଗତ୍ସିଂହପୁର ଜିଲାର ସମସ୍ତ ସରକାରୀ, ବେସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଜିଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି। ଜିଲାରେ ଲଗାଣ ବର୍ଷା ଯୋଗୁ ଛାତ୍ରୀଛାତ୍ର ଓ ଶିଶୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା ଜିଲାପାଳ ଜେ. ସୋନାଲ ସୂଚନା ଦେଇଛନ୍ତି।

