ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍ରୁ ଡେଇଁ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ଯୁବକ ହେଉଛନ୍ତି ବାବୁଲି ତରାଇଙ୍କ ପୁଅ ଅଜୟ ତରାଇ (୨୭)।
ମିଳିଥିବା ସୂଚନା ଅନୁଯାୟୀ, ଅଜୟ ଅଖା ବ୍ୟବସାୟ କରୁଥିଲେ। ଗତ କିଛିଦିନ ଧରି ସେ ପାରିବାରିକ କାରଣରୁ ମାନସିକ ଦୁଶ୍ଚିନ୍ତାରେ ଥିବା କୁହାଯାଉଛି। ଶୁକ୍ରବାର ସନ୍ଧ୍ୟାରେ ସେ ଏକ ପଲସର ବାଇକ ଯୋଗେ କାଏମା କେଲୁଅ ନଦୀ ବ୍ରିଜ ଉପରକୁ ଆସିଥିଲେ।
ବ୍ରିଜ ଉପରେ ବାଇକ ଓ ଚପଲ ରଖିବା ପରେ ଅଜୟ ନଦୀକୁ ଡେଇଁ ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି। ସେ ସମୟରେ ବ୍ରିଜ ଉପରେ ଉପସ୍ଥିତ କିଛି ସ୍ଥାନୀୟ ଲୋକ ଘଟଣାଟି ଦେଖି ତୁରନ୍ତ ଅଜୟଙ୍କ ପରିବାରକୁ ଖବର ଦେଇଥିଲେ। ଧର୍ମଶାଳା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ପକ୍ଷରୁ କେଲୁଅ ନଦୀରେ ଅଜୟଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଖବର ଲେଖା ହେବା ସୁଦ୍ଧା ଅଜୟଙ୍କ କୌଣସି ସନ୍ଧାନ ମିଳି ନ ଥିବା ଜଣାପଡ଼ିଛି। ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି।

