ଲକ୍ଷ୍ୟହୀନ ଯୋଜନା

୧୯୮୦ରୁ ଆମ ଦେଶରେ ଗରିବଙ୍କ ଅର୍ଥନୈତିକ ଉନ୍ନତି ଏବଂ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଶତାଧିକ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ସହାୟତା ଯୋଜନା ହୋଇସାରିଛି। ଯୋଜନା ଆରମ୍ଭରୁ ଏ ପର୍ଯ୍ୟନ୍ତ କରାଯାଇଥିବା ସମସ୍ତ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ହିତାଧିକାରୀଙ୍କ ସଂଖ୍ୟାକୁ ଯଦି ମିଶ୍ରଣ କରାଯାଏ, ତେବେ ତାହା ଦେଶ ଲୋକସଂଖ୍ୟାର ବହୁଗୁଣିତ ହୋଇଯିବ ଏଥିରେ ସାମାନ୍ୟ ସନ୍ଦେହ ନାହିଁ। କିନ୍ତୁ ପୂର୍ବ ପ୍ରଚଳିତ ସମସ୍ତ ଯୋଜନାକୁ ଯଦି ଅନୁଶୀଳନ କରାଯାଏ, ତେବେ ଏହା ନିଶ୍ଚିତ ହେବ ଯେ ସମସ୍ତ ଯୋଜନା କେବଳ ରାଜନୈତିକ ଦଲାଲ, ଦାପ୍ତରିକ ଦୁର୍ନୀତି ଓ ଅସାଧୁ ହିତାଧିକାରୀଙ୍କ କୌଣସି ଯୋଜନା ସଫଳ ହୋଇନାହିଁ। କିନ୍ତୁ ସରକାର ବଦଳିବା ପରେ ସେଇ ଯୋଜନାଗୁଡ଼ିକର ବିଫଳତା କାରଣ ତର୍ଜମା କରାନଯାଇ ନୂଆ ନାମରେ ଅନୁରୂପ ଯୋଜନା ପ୍ରଚଳିତ ହୋଇଛି। ଫଳତଃ ଦୀର୍ଘ ଚାରି ଦଶନ୍ଧି ପରେ ମଧ୍ୟ ଦାରିଦ୍ର୍ୟ କମିବା ପରିବର୍ତ୍ତେ ଏବେବି ଆକଳନ ହୋଇଥିବା ଦେଶର ୧୩୦ ଲୋକଙ୍କ ମଧ୍ୟରୁ ୭୫ କୋଟିରୁ ଅଧିକ (୫୮%) ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଦର୍ଶାଯାଇ ସେମାନଙ୍କୁ ମାଗଣା ମୁଣ୍ଡ ପିଛା ମାସିକ ୫ କିଲୋଗ୍ରାମ ଚାଉଳ ବା ଗହମ ଦିଆଯାଉଛି। ତେଣୁ ରାଜନୈତିକ ଦଳ ଓ ନିର୍ବାଚିତ ସରକାରଙ୍କର ଗରିବଙ୍କ ପ୍ରତି ଥିବା ଦରଦ ଏବଂ ଦେଶକୁ ଦାରିଦ୍ର୍ୟରୁ ମୁକ୍ତି ପାଇଁ ବାଚନିକ ପ୍ରତିବଦ୍ଧତା ପ୍ରଚାର ସର୍ବସ୍ବ ହୋଇଛି । ଏହା ସତ୍ୟ ଯେ, ପାଞ୍ଚ ବର୍ଷରେ ହେଉଥିବା ଗଣତାନ୍ତ୍ରିକ ପଦ୍ଧତିରେ ଲୋକପ୍ରତିିନିଧି ନିର୍ବାଚନରେ ଦେଶ ବା ରାଜ୍ୟର ସିଂହଭାଗ ତଥାକଥିତ ଗରିବମାନେ ହୋଇଥିବାରୁ ଏବଂ ସେମାନଙ୍କର ଭୋଟ ବେଳେ କିଛି ପାଇବାର ମାନସିକତା ରହୁଥିବାରୁ ତା’ର ସୁଯୋଗ ରାଜନୈତିକ ଦଳ ନେଉଛନ୍ତି। ନିର୍ବାଚନ ପରେ ସେଇ ଗରିବମାନଙ୍କ ପାଇଁ ଗରିବମାନଙ୍କ ମାଧ୍ୟମରେ ଓ ଗରିବମାନଙ୍କ ଦ୍ବାହି ଦେଇ ଦେଶର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରୁଛନ୍ତି, ଯଦ୍ଦ୍ବାରା ଦେଶର ବୈଦେଶିକ ଋଣ ପରିମାଣ ବୃଦ୍ଧି ହୋଇ ଚାଲିଛି।
ଆମ ରାଜ୍ୟର ଚିତ୍ର ଆହୁରି ବିକଳ। ଦୀର୍ଘ ଚବିଶ ବର୍ଷ ଗୋଟିଏ ଆଞ୍ଚଳିକ ରାଜନୈତିକ ଦଳ ଶାସନ କ୍ଷମତାରେ ଥିଲେ। ଏହି ଅବଧିରେ ରାଜ୍ୟ ଲୋକସଂଖ୍ୟାର ଦୁଇଗୁଣରୁ ଅଧିକ ଲୋକଙ୍କ ପାଇଁ ବିବିଧ ମାଗଣା ଯୋଜନାରେ ସାମିଲ କରିବା ଯୋଗୁ ଜଣେ ବ୍ୟକ୍ତି ଏକାଧିକ ମାଗଣା ଯୋଜନା ଉପଭୋଗ କରୁଛନ୍ତି। ରାଜ୍ୟର ଦାରିଦ୍ର୍ୟ ଦଶ ଶତାଂଶକୁ ହ୍ରାସ କରିଥିବାର ଡିଣ୍ଡିମ ପିଟୁଥିବା ସରକାର ରାଜ୍ୟ ଲୋକସଂଖ୍ୟାର ଅଶୀ ଶତାଂଶ ଅର୍ଥାତ୍‌ ତିନି କୋଟି ଚାଳିଶ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଦାବି କରି କେନ୍ଦ୍ରରୁ ମାଗଣା ଚାଉଳ ବ୍ୟବସ୍ଥା କରିଥିଲେ, ଯାହାକି ଏବେ ବି ଚାଲୁରହିଛି। ରାଜ୍ୟରେ ସର୍ବାଧିକ ସମୟ ଶାସନ ଦାୟିତ୍ୱରେ ଥିବା ସରକାର ରାଜ୍ୟର ପ୍ରାକୃତିକ ସମ୍ବଳ ଏବଂ କେନ୍ଦ୍ରୀୟ ଅନୁଦାନ ଠିକ ବାଟରେ ଉପଯୋଗ କରିଥିଲେ ରାଜ୍ୟ ଯଥେଷ୍ଟ ଆଗୁଆ ହୋଇଥା’ନ୍ତା। କିନ୍ତୁ କ୍ଷମତା ଲାଭ ପାଇଁ ମାଗଣା ଯୋଜନା ଓ ଅର୍ଥ ଲାଳସାରେ ପ୍ରାକୃତିକ ସମ୍ପଦର ଅପଚୟ ସହ ନିର୍ମାଣ ନାମରେ ନିମ୍ନମାନର କାର୍ଯ୍ୟ ତାଙ୍କର ଧ୍ୟେୟ ହୋଇଗଲା। କିନ୍ତୁ ଶେଷରେ ଅହଂକାରର ଧୃଷ୍ଟତା ତାଙ୍କୁ କ୍ଷମତାଚ୍ୟୁତ କରାଇଲା।
ଏବେ ସୁଭଦ୍ରା ଯୋଜନା ସମ୍ପର୍କରେ ଆଲୋଚନାରେ ଏହା ସ୍ପଷ୍ଟ ହୁଏ ଯେ, ଏଥିରେ ଆନ୍ତରିକତା କମ୍‌ ଓ ବାଧ୍ୟବାଧକତା ଅଧିକ। କାରଣ ଏହି ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ପଚାଶ ହଜାର ଟଙ୍କା ଦେବାର ନିର୍ବାଚନ ପ୍ରତିଶ୍ରୁତି ଥିଲା। ମହାଭାରତ ଯୁଦ୍ଧରେ ଯୁଧିଷ୍ଠିର ଦ୍ରୋଣଙ୍କୁ ତାଙ୍କର ପୁତ୍ର ଅଶ୍ୱତ୍ଥାମାଙ୍କ ମୃତ୍ୟୁ ସମ୍ପର୍କରେ ”ଅଶ୍ୱତ୍ଥାମା ମୃତ୍ୟୁ ସତ୍ୟ, ନରେ ବା କୁଞ୍ଜରେ“ ସୂଚିତ କଲା ପରି ନିର୍ବାଚନ ପରେ ଏହାକୁ ପାଞ୍ଚ ବର୍ଷରେ ଦିଆଯିବାର ବାର୍ତ୍ତା ପ୍ରଚାର ହେଲା। ଏହି ଅର୍ଥ ଏକୋଇଶ ବର୍ଷରୁ ଷାଠିଏ ବର୍ଷ ବୟସ୍କ ପ୍ରତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଓ ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ୧ କୋଟିରୁ ଅଧିକ ବୋଲି ତଥ୍ୟ ପ୍ରକାଶ ପାଇଛି। ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ଦିଆଯାଇଥିଲେ ହିତାଧିକାରୀଙ୍କ ଚୟନ ସମ୍ପୂର୍ଣ୍ଣ ହୋଇନାହିଁ। କିନ୍ତୁ ଏହି ଅର୍ଥ କେଉଁ ଉଦ୍ଦେଶ୍ୟରେ ଦିଆଯାଉଛି ଓ ହିତାଧିକାରୀ କିଭଳି ଉପକୃତ ହେଉଛନ୍ତି, ତା’ର କୌଣସିି ସର୍ତ୍ତ ହିତାଧିକାରୀଙ୍କୁ ଅଜ୍ଞାତ ଥିବା ମନେହୁଏ। ଯଦି ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଏହି ଯୋଜନାର ଲକ୍ଷ୍ୟ ଥାଏ, ତା’ର ନିର୍ଦ୍ଦିଷ୍ଟ ରୂପରେଖ ସାର୍ବଜନୀନ କରିବା ଆବଶ୍ୟକ ଥିଲା। ପୂର୍ବ ସରକାର ମହିଳାମାନଙ୍କର ଯେଉଁ ସ୍ବୟଂ ସହାୟିକା ଗୋଷ୍ଠୀ ଗଠନର ଶ୍ରେୟ ନେଉଥିଲେ ଏବଂ ସେମାନଙ୍କ ଦ୍ବାରା ରାଜନୈତିକ ସଫଳତା ପାଉଥିଲେ, ତାହା ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଯୋଜନା ହୋଇଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତା’ର ପରିକଳ୍ପନା କରିଥିଲେ। ରାଜ୍ୟ ସରକାର ସେମାନଙ୍କୁ ମାଗଣା ମୋବାଇଲ ଫୋନ, ବ୍ୟାଙ୍କଋଣ ଏବଂ ସ୍କୁଟି ଯୋଜନାରେ ଅନ୍ତର୍ଭୁକ୍ତ କରିଥିଲେ। ରାଜ୍ୟର ନୂଆ ସରକାର ଚାହିଁଥିଲେ ତାହାକୁ ଅଧିକ କ୍ରିୟାଶୀଳ କରାଇ ପାରିଥାନ୍ତେ। କିନ୍ତୁ ଏହି ସୁଭଦ୍ରା ଯୋଜନାରେ ଦେଇଥିବା ଅର୍ଥ ଅବିବାହିତା ଝିଅଙ୍କୁ ମଧ୍ୟ ମିଳୁଥିବାରୁ ଏହାର ଉଦ୍ଦେଶ୍ୟ ଓ ବିନିଯୋଗ ନିଶ୍ଚିତ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ସୂଚନାଯୋଗ୍ୟ ଯେ, ୧୯୮୮ରେ ଅନୁରୂପ ଅସହାୟ ସହାୟତା ନାମରେ ଗରିବ ନିରାଶ୍ରୟା ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଯୋଜନା ପ୍ରଚଳିତ ହୋଇଥିଲା। ସେତେବେଳେ ହିତାଧିକାରୀ ଚୟନ କରାଯାଇ ଚୁଡ଼ା ମୁଢ଼ି ବା ଚା ଜଳଖିଆ ଦୋକାନ ପାଇଁ ୭୫୦ ଟଙ୍କା ଲେଖାଏ ଦିଆଯାଇଥିଲା। ତତ୍କାଳୀନ ୭୫୦ ଟଙ୍କା ଏବେକାର ମୂଲ୍ୟସୂଚୀରେ ତିରିଶ ହଜାର ଟଙ୍କାରୁ କମ୍‌ ହୋଇନପାରେ। କିନ୍ତୁ ତାହା ମଧ୍ୟ ବ୍ୟକ୍ତିଗତ ଖର୍ଚ୍ଚରେ ବିନିଯୋଗ ହୋଇଥିଲା। କେବଳ କ୍ଷମତା ଲାଭରେ ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବରେ ଦେଶର ବହୁ ଲକ୍ଷ କୋଟି ଟଙ୍କାକୁ ଏଭଳି ବ୍ୟୟ କରି ଜନପ୍ରିୟ ମାନସିକତା ନିଶ୍ଚିତ ଭବିଷ୍ୟତରେ ସେମାନଙ୍କୁ କଳଙ୍କିତ ଶାସକ ଭାବରେ ଅଭିହିତ କରାଇବ। ଏବେ ସୁଭଦ୍ରା ଯୋଜନାରେ ପ୍ରତିବର୍ଷ ଦଶ ହଜାର କୋଟିରୁ ଅଧିକ ଟଙ୍କା ହିତାଧିକାରୀଙ୍କୁ ଦିଆଯିବ। ଏହା କେବେ ବି ସେମାନଙ୍କୁ ଆର୍ଥିକ ନିର୍ଭରଶୀଳ କରାଇବ ନାହିଁ। ଏଠାରେ ନୋବେଲ ବିଜେତା ଆମେରିକାର ଲେଖକ ଜନ୍‌ ଷ୍ଟେନ୍‌କେଙ୍କ ଭାଷାରେ, ”ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ମାତ୍ରାଧିକ କ୍ଷମତାଲୋଭ ହିଁ ଭ୍ରଷ୍ଟ ବ୍ୟବସ୍ଥାର ଜନକ।“ ଅଧିବକ୍ତା ଅଶ୍ବିନୀ ଉପାଧ୍ୟାୟଙ୍କ ଏକ ଯାଚିକା ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ୨୦୨୨ରେ ମତ ଦେଇଥିଲେ ଯେ, ଲାଞ୍ଚ ଦେବା ନେବା ଯେପରି ଏକ ଅପରାଧ; ଠିକ୍‌ ସେହିପରି ରାଜନୈତିକ ଦଳଙ୍କ ଦ୍ୱାରା ମାଗଣା ବଣ୍ଟନ ବା ପ୍ରତିଶ୍ରୁତି ପୂର୍ବକ ଭୋଟ ହାତେଇବା ଏକ ପ୍ରକାର ଲାଞ୍ଚ ପ୍ରକ୍ରିୟା, ଯାହାକି ଜନପ୍ରତିନିଧି ଆଇନର ବିରୁଦ୍ଧାଚରଣ କରୁଥିବାରୁ ଅପରାଧ ପର୍ଯ୍ୟାୟଭୁକ୍ତ। କିନ୍ତୁ ଏହାର ନିରାକରଣ ପାଇଁ କେନ୍ଦ୍ରକୁ ପରାମର୍ଶ ମାଗିଥିଲେ ବି ତାହା ବୋଧହୁଏ ପରିପାଳନ ହୋଇନାହିଁ। ତେଣୁ ଏହି ପ୍ରକ୍ରିୟାର କେବେ ଶେଷ ହେବ, ତାହା ବିଚାର କରିବା ପାଇଁ ବୁଦ୍ଧିଜୀବୀମାନେ ସ୍ବର ଉତ୍ତୋଳନ କରିବା ଜରୁରୀ ନୁହେଁ କି?
୧୧୩, ଗୁଣ୍ଡିଚା ବିହାର, ପୁରୀ-୨
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri