ହାଟଡିହୀ/ଛେନାପଦୀ, ୨୩।୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ସୁନ୍ଦରାପାଳସ୍ଥିତ ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଅନିକେତ ବେହେରା (୧୪)ଙ୍କର କୀଟନାଶକ ପିଇ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। ଛାତ୍ରଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ସୂଚନା ଅନୁଯାୟୀ, ଗତ ନଭେମ୍ବର ୮ ତାରିଖ ଦୀପାବଳି ଦିନ ଛାତ୍ର ଜଣକ କୌଣସି କାରଣରୁ ଘରେ ଥିବା କୀଟନାଶକ ପିଇ ଦେଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୀର୍ଘଦିନ ଧରି ଚିକିତ୍ସା ଚାଲିଥିଲେ ମଧ୍ୟ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା।
ମୃତ ଛାତ୍ର ଅଁରା ପଞ୍ଚାୟତର ସରପଞ୍ଚଙ୍କ ପୁଅ। ପୁଅ କେଉଁ କାରଣରୁ କୀଟନାଶକ ପିଇଥିଲା, ସେ ସମ୍ପର୍କରେ ସେ କିଛି ଜାଣିନଥିବା ସରପଞ୍ଚ ବିଶ୍ୱନାଥ ବେହେରା କହିଛନ୍ତି।

