ପାଟଣା,୨୩ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିପୋଷିସ୍ଥିତ ଜନତା ହାଇସ୍କୁଲର ପ୍ରଧାନଶିକ୍ଷକ ରତିକାନ୍ତ ସେଠୀଙ୍କ ବଦଳି ହୋଇଥିଲେ ମଧ୍ୟ ସେ ଦୀର୍ଘ ଦୁଇ ମାସ ଧରି ସ୍କୁଲ ଛାଡ଼ି ଯାଉ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସୋମବାର ସ୍ଥାନୀୟ ଲୋକେ ସ୍କୁଲ ଗେଟ୍ରେ ତାଲା ପକାଇ ତାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେବା ଦାବିରେ ଛାତ୍ରୀଛାତ୍ରଙ୍କୁ ସ୍କୁଲ ଭିତରକୁ ଛାଡ଼ି ନ ଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଖବର ପାଇ ପାଟଣା ଗୋଷ୍ଠୀ ଶିକ୍ଷା କେନ୍ଦ୍ରର ଏବିଓ ସଚ୍ଚିଦାନନ୍ଦ ସେଠୀ ଘଟଣାସ୍ଥଳରେ ପହଞ୍ଚି କେନ୍ଦୁଝର ଡିଇଓ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସହ ଫୋନ୍ରେ ଯୋଗାଯୋଗ କରିଥିଲେ। ଡିଇଓ ଉତ୍ତେଜିତ ଗ୍ରାମବାସୀଙ୍କୁ ପ୍ରଧାନଶିକ୍ଷକଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେବା ନେଇ ନିଶ୍ଚିତ ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ହ୍ରାସ ପାଇଥିଲା। ପରେ ସ୍ଥାନୀୟ ଲୋକେ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ଭିତରକୁ ଯିବାକୁ ଅନୁମତି ଦେଇଥିଲେ।

