ଘୋଷଣାନାମାର ବାସ୍ତବ ସ୍ଥିତି

ନିକଟ ଅତୀତରେ ଆମ ରାଜ୍ୟର ୫୪ଟି ଗ୍ରାମପଞ୍ଚାୟତକୁ ତମାଖୁମୁକ୍ତ କରାଯାଇଥିବାରୁ ଦେଶରେ ପ୍ରଥମ ଭାବେ ”ତମାଖୁମୁକ୍ତ ଯୁବ ଅଭିଯାନ“ ଦ୍ୱାରା ପୁରସ୍କୃତ ହୋଇଥିବା ଏବଂ ରାଜ୍ୟର ଆଉ ୧୧୪ ଗ୍ରାମପଞ୍ଚାୟତ ମଧ୍ୟ ଶୀଘ୍ର ତମାଖୁମୁକ୍ତ ହେବ ବୋଲି ଖବର ପ୍ରକାଶ ପାଇଛି। ତମାଖୁ କହିଲେ ବିଡ଼ି, ପିକା, ସିଗାରେଟ୍‌, ଖଇନି, ଧୂଆଁପତ୍ର, ଗୁଣ୍ଡି, ଗୁଟ୍‌ଖା, ଜାରରେ ଉପଲବ୍ଧ ଅନେକ ପ୍ରକାର ଜର୍ଦ୍ଦା, ଗୁଡ଼ାଖୁ ଓ ନାସକୁ ବୁଝାଇଥାଏ। ଅତୀତରେ ରାଜ୍ୟ ସରକାର ତମାଖୁ ଉପରେ ନିଷେଧାଦେଶ ଜାରି କରିଥିଲେ, କିନ୍ତୁ ଏହା କେବଳ ତମାଖୁର ଦରବୃଦ୍ଧିରେ ସହାୟକ ହେଲା। ସାମ୍ପ୍ରତିକ ଚଳଣି ଓ ଉଚ୍ଛୃଙ୍ଖଳ ଯୁବ ସମାଜ ଦ୍ବାରା ଆମ ରାଜ୍ୟରେ ଏହି ସବୁର ବ୍ୟବହାର ହେଉନଥିବା କୌଣସି ପଞ୍ଚାୟତ ବା ରାଜସ୍ବ ଗ୍ରାମ ପରିବର୍ତ୍ତେ କୌଣସି ଗୋଟିଏ ପଡ଼ାଗ୍ରାମ ବି ରହିଥିବା ଆଦୌ ବିଶ୍ବସନୀୟ ନୁହେଁ। ତେଣୁ ଏଇ ଘୋଷଣାନାମାର ସତ୍ୟତା ବାସ୍ତବ ପରିବର୍ତ୍ତେ କେବଳ ତଥ୍ୟ ପ୍ରସ୍ତୁତକାରୀଙ୍କ ଉର୍ବର ମସ୍ତିଷ୍କର ଦକ୍ଷତା ଯୋଗୁ ସମ୍ଭବ ହୋଇ ପାରିଥିବା ବିଶ୍ୱାସକୁ ହିଁ ଦୃଢ଼ କରୁଛି। ଏହି ଖବର ପଢ଼ିବା ପରେ ଅତୀତରେ ଏପରି ଅନେକ ମିଥ୍ୟା ଏବଂ ଅତିରଞ୍ଜିତ ଘୋଷଣା ସ୍ବତଃ ମନକୁ ଆସିଥାଏ।
ଗୋଟିଏ ଦୁଃଖଦ ମାନସିକତାରେ ଆତ୍ମହତ୍ୟା କରିଥିବା ଆଇଏଏସ୍‌ ଅଧିକାରୀ ସ୍ବର୍ଗତ ଜଗଦାନନ୍ଦ ପଣ୍ଡାଙ୍କ ନିଜସ୍ବ ଅନୁଭୂତି ସମ୍ପର୍କରେ ଗୋଟିଏ ଆଲେଖ୍ୟ ପ୍ରଣିଧାନଯୋଗ୍ୟ। ସେ ଲେଖିଥିଲେ, ୧୯୯୧-୯୨ରେ ଗଞ୍ଜାମର ଜିଲାପାଳ ଥିଲେ। ସେତେବେଳେ ସମଗ୍ର ଦେଶରେ ସର୍ବଶିକ୍ଷା ଅଭିଯାନ ଚାଲୁଥାଏ। ପ୍ରତ୍ୟେକ ଗ୍ରାମରେ ଥିବା ନିରକ୍ଷରମାନେ ସାରେ ଅକ୍ଷର ଶିକ୍ଷା ଲାଭ କରି ଅନ୍ତତଃ ନିଜ ନାମ ଦସ୍ତଖତ କରିବା ସେହି ଯୋଜନାର ମୂଳଲକ୍ଷ୍ୟ ଥିଲା। କିଛି ବେସରକାରୀ ସଙ୍ଗଠନ ଏହାକୁ କାର୍ଯ୍ୟକାରୀ କରିବାକୁ ଚୁକ୍ତିବଦ୍ଧ ହୋଇ ପ୍ରତ୍ୟେକ ରାଜସ୍ବ ଗ୍ରାମରେ ସ୍ବେଚ୍ଛାସେବୀ ନିଯୁକ୍ତ କରିଥିଲେ। ସିଲଟ, ଖଡ଼ି, ବହି, ଖାତା ପରି ଶିକ୍ଷା ଉପକରଣ ଏବଂ ଲଣ୍ଠନ, ବସିବା ପାଇଁ ପଟି ଓ କିରୋସିନ ବାବଦରେ ଅର୍ଥ ସହ ସ୍ବେଚ୍ଛାସେବୀଙ୍କୁ ପାରିଶ୍ରମିକ ଦିଆଯାଉଥିଲା। ସଚେତନତା ପାଇଁ ପାଲା, ଦାସକାଠିଆ, ଘୋଡ଼ାନାଚ, ପ୍ରାଚୀରପତ୍ର ଆଦିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା। ଏହାର ତଦାରଖ ଓ ତ୍ୱରାନ୍ବିତ ଦାୟିତ୍ୱ କିଛି ଶିକ୍ଷକ ଓ ତଥାକଥିତ ସମାଜସେବୀଙ୍କୁ ଦିଆଯାଇଥିଲା। କିଛି ଦିନ ପରେ ଜିଲାପାଳ ସ୍ବର୍ଗତ ପଣ୍ଡାଙ୍କୁ ସେହି ବ୍ୟକ୍ତିମାନେ ଗୋଟିଏ ଗ୍ରାମର ସମସ୍ତେ ସାକ୍ଷର ହୋଇଯାଇଥିବାରୁ ଗ୍ରାମରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମଟିକୁ ସମ୍ପୂର୍ଣ୍ଣ ସାକ୍ଷର ଘୋଷଣା ପାଇଁ ଅନୁରୋଧ କରିଥିଲେ। ନିର୍ଦ୍ଧାରିତ ସମୟରେ ସେ ସଭାରେ ପହଞ୍ଚତ୍ଲେ। ସଭା ସରିଲା ପରେ ଦୁଇଟି ଲଫାପା ଗ୍ରାମବାସୀଙ୍କୁ ଦେଇ ଗ୍ରାମରେ ନଳକୂପ ବସାଇବା ପାଇଁ ତାଙ୍କ ପାଖକୁ ଦରଖାସ୍ତ ଦେବାକୁ କହି ସଦର ମହକୁମାକୁ ଫେରିଲେ। ଆଶ୍ଚର୍ଯ୍ୟ ଏହା ଥିଲା ଯେ, ଯେଉଁ ଦରଖାସ୍ତ ଦୁଇଟି ଏକ ସପ୍ତାହ ମଧ୍ୟରେ ଜିଲାପାଳଙ୍କ ପାଖରେ ପହଞ୍ଚତ୍ଥିଲା, ସେଥିରେ ଅର୍ଦ୍ଧାଧିକ ଗ୍ରାମବାସୀଙ୍କ ଟିପଚିହ୍ନ ହିଁ ରହିଥିଲା। ଏହି ତଥ୍ୟ ପ୍ରକାଶ ପାଇବା ପରେ ଗଞ୍ଜାମ ଜିଲାରେ ସେଇ କରିତ୍‌କର୍ମା ଶିକ୍ଷକ ଓ ସମାଜସେବୀଙ୍କ ନାମରେ ଏପରି ବ୍ୟଙ୍ଗ ପ୍ରଚାର ହେଲା ଯେ, ସେମାନେ ଅନେକ ଦିନ ଆତ୍ମଗୋପନ କରିଥିଲେ। ଏହି ଅବସ୍ଥା କେବଳ ଗଞ୍ଜାମ ଜିଲାରେ ସୀମିତ ନଥିଲା, ବରଂ ସାରା ରାଜ୍ୟର ଅବସ୍ଥା ଏହାହିଁ ଥିଲା।
୨୦୧୬ ନଭେମ୍ବର ୮ ରେ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ ଅଚଳ ହେଲା। ନଗଦ ମୁଦ୍ରା ବିନିମୟରୁ ଲୋକଙ୍କୁ ନିବୃତ୍ତ କରିବାକୁ ୩୦ା୧୨ା୨୦୧୬ ତାରିଖରେ ଭିମ ଆପ୍‌ ପ୍ରଚଳିତ ହୋଇଥିଲା। ସରକାର ସେଇ ଆପ୍‌ ମାଧ୍ୟମରେ ସମସ୍ତ ଆର୍ଥିକ କାରବାର କରିବାକୁ ଲୋକଙ୍କୁ ନିବେଦନ କଲେ। ଉଦ୍ଦେଶ୍ୟ ଥିଲା, କଳାଧନ ଉପରେ ଅଙ୍କୁଶ ଲଗାଇବା। ସେତେବେଳେ ପୁରୀ ଜିଲା ସତ୍ୟବାଦୀ ବ୍ଲକର ଗୋଟିଏ ଗାଁରେ ଥିବା ଏକମାତ୍ର ଦୋକାନରେ ଭିମ ଆପ୍‌ର ଫଳକ ରଖାଯାଇ ଗ୍ରାମକୁ ରାଜ୍ୟର ପ୍ରଥମ ନଗଦ ଅର୍ଥ କାରବାରବିହୀନ ଗ୍ରାମ ଭାବେ ଘୋଷଣା କରାଯାଇଥିଲା। କିନ୍ତୁ ଘୋଷଣା ପରଦିନ ପୂର୍ବପରି ନଗଦ ଅର୍ଥ କାରବାର ଚାଲିଲା। ଏବେ ଅବଶ୍ୟ ବହୁତ ଲୋକ ବିବିଧ କାରଣରୁ ଭିମ ବା ପେଟିୟମ ମାଧ୍ୟମରେ ଅର୍ଥ କାରବାର କରୁଛନ୍ତି। କିନ୍ତୁ ବାସ୍ତବରେ ଏଯାବତ୍‌ କୌଣସି ଗ୍ରାମ ସମ୍ପୂର୍ଣ୍ଣ ନଗଦ ଅର୍ଥ କାରବାରବିହୀନ ଗ୍ରାମ ହୋଇନାହିଁ।
କେହି ସ୍ବୀକାର କରୁ ବା ନ କରୁ, ଆମ ଦେଶରେ ଏପର୍ଯ୍ୟନ୍ତ ହୋଇଥିବା ଦୁର୍ନୀତି ମଧ୍ୟରେ ସ୍ବଚ୍ଛ ଭାରତ ଯୋଜନାରେ ଗ୍ରାମାଞ୍ଚଳରେ ପାଇଖାନା ନିର୍ମାଣ ହେଉଛି ସ୍ବାଧୀନତା ପରର ସର୍ବବୃହତ୍‌ ଓ ସର୍ବାଧିକ ଆର୍ଥିକ ଦୁର୍ନୀତି, ଯାହା କି ଯୋଜନାରେ ସମ୍ପୃକ୍ତ ସମସ୍ତ ଅନୁଭବୀ ନିଶ୍ଚିତ ସ୍ବୀକାର କରିବେ। ଏଥିରେ ପ୍ରତ୍ୟେକ ହିତାଧିକାରୀଙ୍କ ସହ ପ୍ରଶାସନିକ ଅଧିକାରୀଙ୍କର ସାମୂହିକ ସମ୍ପୃକ୍ତି ଯୋଗୁ ଏହି ମହାଦୁର୍ନୀତିକୁ ବହୁଜନ ସମ୍ମିଳିତ ଦୁର୍ନୀତିର ସୁଷମ ବଣ୍ଟନ କହିଲେ ଅତ୍ୟୁକ୍ତି ହୋଇନପାରେ। କିଛି ବ୍ୟକ୍ତି ପୁରୁଣା ପାଇଖାନାରେ ରଙ୍ଗ ଲଗାଇ ସେଥିରେ ”ସ୍ବଚ୍ଛ ଭାରତ ଯୋଜନାରେ ନିର୍ମିତ“ ସହ ହିତାଧିକାରୀଙ୍କ ନାମ ଲେଖିଦେଲେ। ତା’ର ଫଟୋ ଏବଂ ଆନୁଷଙ୍ଗିକ କାଗଜ ଦାଖଲ କରି ଆର୍ଥିକ ଫାଇଦା ନେଲେ। କିଛି ବ୍ୟକ୍ତି ପାଇଖାନା ତିଆରି ନ କରି କେବଳ କମ୍ପ୍ୟୁଟର ଦ୍ବାରା ପାଇଖାନା ଓ ସୂଚନାର ଫଟୋ ବାହାର କରି ଆବଶ୍ୟକ କାଗଜ ଆଦିକୁ ଦଲାଲମାନଙ୍କୁ ଦେବା ପରେ ବ୍ୟାଙ୍କ ଖାତାକୁ ଟଙ୍କା ଆସିଗଲା। ଏହା ସତ୍ୟ ଯେ, ସରକାରୀ ନିର୍ଦ୍ଧାରିତ ବାର ହଜାରରୁ ଦଲାଲି ଓ ପ୍ରଶାସନିକ କମିଶନି ପରେ ଦଶହଜାର ଟଙ୍କାରେ ସରକାରୀ ନିୟମ ଓ ନିରୂପିତ ମାନର ପାଇଖାନା ନିର୍ମାଣ କେବେବି ସମ୍ଭବ ନଥିଲା। ଏହାବ୍ୟତୀତ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ଦ୍ଦିଷ୍ଟ ସଂଖ୍ୟକ ପାଇଖାନା ନିର୍ମାଣର ସରକାରୀ ଚାପ ମଧ୍ୟ ଏହି ମହାଦୁର୍ନୀତିର ଅନ୍ୟତମ କାରଣ। ଏହି ଯୋଜନାରେ ଅନେକ ଗ୍ରାମକୁ ”ବାହ୍ୟ ମଳ ମୂତ୍ର ତ୍ୟାଗ ଗ୍ରାମ“ ବୋଲି ଗ୍ରାମର ଦୁଇ ମୁଣ୍ଡରେ ସିମେଣ୍ଟ କଂକ୍ରିଟ ସୂଚନା ଫଳକ ନିର୍ମାଣ କରାଯାଇଥିବାବେଳେ ସକାଳ ଓ ସଞ୍ଜରେ ସେଇ ଗ୍ରାମବାସୀଙ୍କ ଶୌଚ କର୍ମ ଏବେବି ପୂର୍ବପରି ବାହାରେ ଚାଲୁରହିଛି। ପୁରୀ ଜିଲାର ଗୋଟିଏ ବ୍ଲକରେ ନିର୍ମିତ ପାଇଖାନାରୁ ୩୦ ଶତାଂଶ ମାତ୍ର ବିଦ୍ୟମାନ ଥିବାବେଳେ ତାହା ପୁରୁଣା ପାଇଖାନା ବୋଲି ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। ସାରା ରାଜ୍ୟରେ ସେହି ଚିତ୍ର ମଧ୍ୟ ସମାନ। ଅବଶ୍ୟ ଅଳ୍ପ ସଂଖ୍ୟକ ବ୍ୟକ୍ତି ସରକାରୀ ଅର୍ଥ ସହ ନିଜସ୍ବ ଅର୍ଥ ବ୍ୟୟରେ ନିଜର ପାଇଖାନା କରିଛନ୍ତି। କିନ୍ତୁ ବାହ୍ୟ ମଳ ମୂତ୍ର ତ୍ୟାଗ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ବିଫଳ ହୋଇଛି। ପ୍ଲାଷ୍ଟିକ ବର୍ଜନ ପାଇଁ ବହୁଳ ଆହ୍ବାନ ଓ ସଚେତନତା ମଧ୍ୟ ବାସ୍ତବ ରୂପ ନେଇପାରିନାହିଁ।
ଏବେ କିଛି ଗ୍ରାମରେ ”ବାଲ୍ୟ ବିବାହମୁକ୍ତ ଗ୍ରାମ“ ଫଳକ ଦେଖାଯାଉଛି। ଏହା ଏକ ନିରର୍ଥକ ଘୋଷଣା। ଆଗେ ସ୍ବଳ୍ପ ସଞ୍ଚୟ ପାଇଁ ସରକାରୀ ପ୍ରୋତ୍ସାହନ ଥିବାରୁ କିଛି ଗ୍ରାମକୁ ”ସ୍ବଳ୍ପ ସଞ୍ଚୟ ଗ୍ରାମ“ ଘୋଷଣା କରାଯାଉଥିଲା। କିନ୍ତୁ ପ୍ରୋତ୍ସାହନ ଅର୍ଥ ନ ଥିବାରୁ ଏବେ କୌଣସି ଗ୍ରାମକୁ ସଞ୍ଚୟ ଗ୍ରାମ ଘୋଷଣା କରାଯାଉନାହିଁ। ଦୀର୍ଘ ଦିନରୁ ଆଧ୍ୟାତ୍ମିକ କ୍ଷେତ୍ର ପୁରୀର ଅନ୍ତତଃ ବଡ଼ଦାଣ୍ଡ ଅଞ୍ଚଳକୁ ଆମିଷମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିବାକୁ ଅନେକ ସଙ୍ଗଠନ ଦାବି କରିଥିଲେ ବି ତାହା ସମ୍ଭବ ହୋଇନାହିଁ। ରାଜ୍ୟ ପ୍ରଗତିର ଘୋଷଣା କେବଳ ପ୍ରଚାରରେ ସୀମିତ ନ କରି ଯେଉଁଦିନ ସରକାର ବାସ୍ତବ ସ୍ଥିତି ଥାଇ ”ଦାରିଦ୍ର୍ୟ ସୀମାରେଖା ଊଦ୍ଧର୍‌ବ ଗ୍ରାମ“, ”ଦାଦନ ଶ୍ରମିକବିହୀନ ଗ୍ରାମ“ ବା ”ବ୍ୟକ୍ତିଗତ ସରକାରୀ ସହାୟତା ବିବର୍ଜିତ ଗ୍ରାମ“ ଭାବେ ପ୍ରତ୍ୟେକ ପଞ୍ଚାୟତର ଅନ୍ତତଃ ଲେଖାଏଁ ଗ୍ରାମକୁ ଘୋଷଣା କରିପାରିବେ, ସେଦିନ ଓଡ଼ିଶା ଜନସାଧାରଣଙ୍କ ମନରେ ସକାରାତ୍ମକ ଭାବ ସୃଷ୍ଟି ହେବ ଓ ଅନ୍ୟମାନଙ୍କ ପାଇଁ ତାହା ଅନୁକରଣୀୟ ହେବ। ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ରାଜ୍ୟର ଭାଗ୍ୟ ଆକାଶରେ ପ୍ରଗତି ସୂର୍ଯ୍ୟର ଅରୁଣୋଦୟ ସମସ୍ତେ ଅନୁଭବ କରିବେ।

  • ହରିଶଙ୍କର ମିଶ୍ର
    ୧୧୩, ଗୁଣ୍ଡିଚା ବିହାର, ପୁରୀ
    ମୋ: ୭୯୭୮୭୮୫୪୭୮

Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri