ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ଏହାକୁ ନେଇ ଆସନ୍ତା ୫ ସେପ୍ଟେମ୍ବର ୨୦୨୬ରେ ଶାନ୍ତିପୂର୍ଣ୍ଣ ବିରୋଧ ମାର୍ଚ୍ଚ କରାଯିବ ବୋଲି CJP କହିଛି।
ଦଳର ସୂଚନା ଅନୁସାରେ, ଏହି ମାର୍ଚ୍ଚ ଇଣ୍ଡିଆ ଗେଟ୍ରୁ ଆରମ୍ଭ ହୋଇ ନୂଆଦିଲ୍ଲୀ ପୋଲିସ ମୁଖ୍ୟାଳୟ ଦିଗକୁ ଯିବ। NEET ପରୀକ୍ଷା ସମ୍ପର୍କିତ ଘଟଣାରେ ଜୀବନ ହରାଇଥିବା ଛାତ୍ରୀଛାତ୍ରଙ୍କ ପରିବାର ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ଲୋକଙ୍କ ପରିବାର ଏହି ମାର୍ଚ୍ଚର ନେତୃତ୍ୱ ନେବେ। ଦେଶର ବିଭିନ୍ନ ସ୍ଥାନରୁ ଛାତ୍ର, ଯୁବ ସଂଗଠନ ଓ ଯୁବ ନାଗରିକମାନେ ଏଥିରେ ସାମିଲ ହେବେ ବୋଲି ଦଳ ଆଶା ରଖିଛି।
CJPର ସହ-ସଂଯୋଜକ ସୌରଭ ଦାସ ଏକ୍ସରେ ଦଳର ବୟାନ ପୋଷ୍ଟ କରିଛନ୍ତି। ବୟାନ ଅନୁସାରେ, CJPର ନ୍ୟାଶନାଲ ୱାର୍କିଂ କମିଟି ସରକାର ଏବଂ BJP/NDA ଶାସିତ ରାଜ୍ୟଗୁଡ଼ିକ ପକ୍ଷରୁ ୨୫ ଜୁଲାଇ ୨୦୨୬ରେ ଯୁବପିଢ଼ିଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିର ସମୀକ୍ଷା କରିଥିଲା। CJPର ଅଭିଯୋଗ ହେଉଛି, ପ୍ରତିଶ୍ରୁତି ପୂରଣ କରିବା ବଦଳରେ ଗତ ଏକ ମାସ ଧରି ସରକାର ବିଳମ୍ବ କରୁଛି ଏବଂ ବିଭିନ୍ନ ବୈଷୟିକ ପ୍ରସଙ୍ଗର ଆଳ ନେଉଛି। ଏପରିକି ସୁପ୍ରିମକୋର୍ଟରେ ମଧ୍ୟ ସ୍ପଷ୍ଟ ପ୍ରତିଶ୍ରୁତି ଦେବାରୁ ସରକାର ଦୂରେଇ ରହିଥିବା ଦଳ ଅଭିଯୋଗ କରିଛି। CJP କହିଛି ଯେ, ୧୮ ଅଗଷ୍ଟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଦେଶର ବିଭିନ୍ନ ସ୍ଥାନରେ ରୁଜୁ ହୋଇଥିବା FIRଗୁଡ଼ିକର ତାଲିକା ମାଗିଥିଲେ। ଏହା ଦ୍ୱାରା ସମସ୍ତ FIRକୁ ଏକାଠି ବାତିଲ କରିବା ନେଇ ବିଚାର କରାଯାଇପାରିଥାନ୍ତା। କିନ୍ତୁ ସରକାର ଏନେଇ ସ୍ପଷ୍ଟ ପ୍ରତିଶ୍ରୁତି ଦେଇନଥିବା CJPର ଦାବି। NEET ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଦୀର୍ଘ ସମୟ ଧରି ଆନ୍ଦୋଳନ ଚାଲିଥିଲା। ଏହା ପରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିବା ପରେ CJP ଆନ୍ଦୋଳନ ସମାପ୍ତ କରିବା ଘୋଷଣା କରିଥିଲା। ଆନ୍ଦୋଳନ ଶେଷ କରିବା ସମୟରେ CJPର ପ୍ରମୁଖ ଦାବି ମଧ୍ୟରୁ ଗୋଟିଏ ଥିଲା ଆନ୍ଦୋଳନ ସମୟରେ ରୁଜୁ ହୋଇଥିବା ସମସ୍ତ FIR ପ୍ରତ୍ୟାହାର କରିବା। ଏବେ ଦଳର ଅଭିଯୋଗ ଯେ, ସରକାର ଏପର୍ଯ୍ୟନ୍ତ ସମସ୍ତ ମାମଲା ପ୍ରତ୍ୟାହାର କରିନାହିଁ। ଏହି କାରଣରୁ CJP ୫ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ବିରୋଧ ମାର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛି।

