ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ନିକଟ ବୃନ୍ଦାବନ ପଲ୍ଲୀ ର ଅନିଲ ନାୟକ(୨୪)। ସେ ଛୋଟ ବେଳରୁ ଚଷାନିମଖଣ୍ଡି ଗ୍ରାମସ୍ଥିତ ତାଙ୍କ ମାମୁ ପବନା ନାୟକଙ୍କ ଘରେ ରହୁଥିଲେ। କୌଣସି କାମରେ ସେ ତାଙ୍କ ବାଇକ୍ (ନଂ. ଓଡି ୦୭ ଏଏଲ -୫୦୮୮) ରେ ଯାଉଥିବା ବେଳେ ନିଜେ ଭାରସାମ୍ୟ ହରାଇ ବାଇକ୍ ସହ ରାସ୍ତା ଉପରେ କଚାଡ଼ି ହୋଇ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବିଡମ୍ବନାର ବିଷୟ ମୃତ୍ୟୁ ପରେ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଦିଗପହଣ୍ଡି ପୋଲିସ କିମ୍ବା ଅନିଲଙ୍କ ପରିବାର ଲୋକଙ୍କୁ ଖବର ଦେଇ ନ ଥିଲେ। ମୃତଦେହ ସନ୍ଧ୍ୟା ଯାଏ ସ୍ବାସ୍ଥ୍ୟକେନ୍ଦ୍ରରେ ପଡ଼ି ରହିଥିଲା। ଖବର ପାଇ ପରିବାର ଲୋକେ ସନ୍ଧ୍ୟାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ଏନେଇ ଅନିଲଙ୍କ ମାଇଁ ପ୍ରଶାନ୍ତି ନାୟକ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଆଇଆଇସି କିଶୋର କୁମାର ସାମଲ ମାମଲା ରୁଜୁ କରିଛନ୍ତି। ପୋଲିସ ଟିମ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଛନ୍ତି। ରବିବାର ସକାଳେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

