ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ ବାଣିଜ୍ୟ ପେଣ୍ଠସ୍ଥଳୀ ହୋଇଥିବା ବେଳେ ପ୍ରତିଦିନ ବସ୍ଷ୍ଟାଣ୍ଡକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ବ୍ୟବସାୟ ପାଇଁ ଆସିଥାନ୍ତି । ଏଠାରେ ୪ଟି ପ୍ରମୁଖ ବ୍ୟାଙ୍କ, ଏଟିଏମ୍ ଏବଂ ଛାତ୍ରୀଛାତ୍ରଙ୍କ ତାଲିମ ନିମନ୍ତେ କମ୍ପ୍ୟୁଟର ସେଣ୍ଟର ରହିଛି।
ସାମାନ୍ୟ ବର୍ଷା ହେଲେ ୧୭ ନମ୍ବର ରାଜ୍ୟ ରାଜପଥ ଅଧୀନ ଏହି ମୁଖ୍ୟରାସ୍ତାରେ କୁତ୍ରିମ ବନ୍ୟା ସୃଷ୍ଟି ହେବା ସହ ନାଳ ନର୍ଦ୍ଦମାର ଦୂଷିତ ପାଣି ରାସ୍ତା ଉପରେ ଲହଡ଼ି ମାରୁଛି। ବର୍ଷା ଜଳ ଓ ନାଳ ନର୍ଦ୍ଦମାର ଦୂଷିତ ପାଣି ଡ୍ରେନ ଯୋଗେ ନିଷ୍କାସନ ନ ହେବାରୁ ବସ୍ଷ୍ଟାଣ୍ଡର ଉଭୟ ପାଶର୍ବରେ ୩ ଫୁଟ ପର୍ଯ୍ୟନ୍ତ ପାଣି ଜମି ରହୁଛି। ଫଳରେ ସ୍ଥାନୀୟ ଜନସାଧାରଣ, ବ୍ୟାଙ୍କସେବା ନିମନ୍ତେ ଦୂରଦୂରାନ୍ତର ଆସୁଥିବା ଗ୍ରାହକ ଏବଂ କମ୍ପ୍ୟୁଟର ଶିକ୍ଷା ନିମନ୍ତେ ଆସୁଥିବା ଛାତ୍ରୀଛାତ୍ର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏଥିସହ ରାସ୍ତାରେ ଦୀର୍ଘ ଦିନଧରି ପାଣି ଜମି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ଦ୍ବାରା ସ୍ଥାନୀୟ ବାସିନ୍ଦା ନିଜକୁ ଅସ୍ବାସ୍ଥ୍ୟକର ମନେ କରୁଛନ୍ତି। ଏପରିକି କୂଅ, ନଳକୂପର ଜଳ ଦୂଷିତ ହୋଇ ବ୍ୟବହାର ଯୋଗ୍ୟ ହୋଇପାରୁ ନ ଥିବା ଜଣାପଡ଼ିଛି। ବସ୍ଷ୍ଟାଣ୍ଡର ଉତ୍ତର ଓ ଦକ୍ଷିଣ ସାହିରେ ଘରକରି ରହୁଥିବା ବାସିନ୍ଦା ଓ ଦୋକାନ କରି ବ୍ୟବସାୟ କରୁଥିବା ଲୋକେ ଗତ ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି।
ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ ବର୍ଷାଜଳ ଓ ରାସ୍ତାକଡ ନର୍ଦ୍ଦମା ପାଣି ଘର ଓ ଦୋକାନମାନଙ୍କରେ ପଶୁଛି। ଶୁକ୍ରବାରଠାରୁ ଶନିବାର ଯାଏ ପ୍ରବଳ ବର୍ଷା ହେବାରୁ ଦୋକାନ ଓ ଘରଗୁଡ଼ିକ ସମ୍ମୁଖରେ ପ୍ରାୟ ୩ ଫୁଟ ଉଚ୍ଚରେ ବର୍ଷାଜଳ ଓ ନର୍ଦ୍ଦମା ପାଣି ଲହଡ଼ି ମାରୁଛି।
ତୁରନ୍ତ ଜଳର ନିଷ୍କାସନ ପାଇଁ ବାସିନ୍ଦା ପରେଶ ଚନ୍ଦ୍ର ମୁଖାର୍ଜୀ, ଇ. ସିମାଦ୍ରୀ,ବ୍ୟବସାୟୀ ପ୍ରଭାକର ସାହୁ, ୟୁ.ଗୌରାଙ୍ଗ, ଏମ.ପଞ୍ଚାନନ, ଏ. ବଦ୍ରି ପାତ୍ର, ଦୀପ୍ତିକାନ୍ତ ମହାଙ୍କୁଡ଼, ସନ୍ତୋଷ ଗୌଡ଼ ପ୍ରମୁଖ ଦାବି କରିଛନ୍ତି। ଗତ ମେ ୭ ତାରିଖରେ ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ସାହୁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ମନୋଜ ମହାରଣା, ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାଉନସିଲର ଦୀପକ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ପ୍ରଭାବିତ ବାସିନ୍ଦାଙ୍କ ସହ ସବିଶେଷ ଆଲୋଚନା କରିବା ସହ ସ୍ଥିତିର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ କୌଣସି ସ୍ଥାୟୀ ସମାଧାନ ନ ହେବାରୁ ଗତ ଜୁନ ୯ ତାରିଖରେ ୧୦ନମ୍ବର ୱାର୍ଡ କାଉନସିଲର ଦୀପକ ମିଶ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ବାସିନ୍ଦା ରାସ୍ତାରୋକୋ କରିଥିଲେ।
ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଜଳ ନିଷ୍କାସନ ପରେ ସ୍ଥାୟୀ ପଦକ୍ଷେପ ସ୍ବରୂପ ବିଶେଷଜ୍ଞ ଟିମ୍ଙ୍କ ଜରିଆରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇ ସମସ୍ୟାର ସ୍ଥାୟୀ ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ଏବଂ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସେଠାକାର ସ୍ଥିତିକୁ ନିରୀକ୍ଷଣ କରି ଜଳ କିପରି ନିଷ୍କାସିତ ହୋଇପାରିବ ସେ ନେଇ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରି ଫେରିଥିଲେ। ପ୍ରଶାସନିକ ଅଧିକାରୀ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ ନ କରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

