ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବଜ୍ରପାତ ଯୋଗୁ ଶୁକ୍ରବାର ବରଗଡ଼ ଜିଲା ବାଲିଯୁରୀ ପଞ୍ଚାୟତ ବାନ୍ଦେନବାହାଲ ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଉକ୍ତ ଗ୍ରାମର ରାଜେନ୍ଦ୍ର ସାଙ୍କ ସ୍ତ୍ରୀ ପଦ୍ମାଳୟା (୫୦) । କ୍ଷେତରେ ସେ ଧାନ ଅମଳ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ଅପରାହ୍ନ ପ୍ରାୟ ୪ଟାରେ ବଜ୍ରପାତ ହୋଇଥିଲା। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବରଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବରଗଡ଼ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହକୁ ଡାକ୍ତରଖାନା ଶବ ସଂରକ୍ଷଣ ଗୃହରେ ରଖାଯାଇଛି।


