ଏକ ଆତ୍ମ ଧ୍ୱଂସକାରିଣୀ ସଂସ୍କୃତି

ଗୌରାଙ୍ଗ ଚରଣ ପରିଡ଼ା

ମଦ୍ୟପାନ ବିରୋଧରେ ଏମିତି ଏକ ବ୍ୟକ୍ତିଗତ ସଂକଳ୍ପ ଏଇ କିଛିବର୍ଷ ତଳେ ସଂଗୀତ ହୋଇ ବୋଲା ଯାଉଥିଲା। ବିଭିନ୍ନ ଯାତ୍ରା ସୁଆଙ୍ଗରେ ବି ମନୋରଞ୍ଜନର ଏହା ବେଶ୍‌ ଉପାଦାନଟିଏ ଥିଲା। ଏବେ କିନ୍ତୁ ଏପରି ସଂକଳ୍ପ ଆଉ ଦେଖିବାକୁ କିମ୍ବା ଶୁଣିବାକୁ ମିଳୁନି। ଏପରି କି ନୂଆବର୍ଷ ସଂକଳ୍ପରେ ବି ନାହିଁ। ଏପରି କିଛି କିଏ କେଉଁଠି ସଂକଳ୍ପ କରିଥିଲେ ଏବେ ଖୁବ୍‌ ମୁଖର ହୋଇଥିବା ସୋସିଆଲ ମିଡିଆରେ ଏହା ନିଶ୍ଚୟ ଆସିଥାନ୍ତା। ସଂକଳ୍ପ ନ ଆସିବାର କାରଣ ହୁଏତ ଏଇଆ ହୋଇପାରେ, ମଦ୍ୟପାନ ଆମ ଜୀବନ ଶୈଳୀର ବୋଧେ ଏକ ସ୍ବାଭାବିକ ଅଂଶ ହୋଇଗଲାଣି- ଚାଳରେ ଛଣ କିମ୍ବା ଚୁଲି ମୁଣ୍ଡେ ଲୁଣ ଥାଉ ବା ନ ଥାଉ, ଯା’, ଆସ ନାହିଁ।
ମଦମୁକ୍ତ ଓଡ଼ିଶା କିମ୍ବା ଭାରତ କଥା କହିଲା ବେଳେ ବ୍ୟକ୍ତିଗତ ମଦ୍ୟପାନ ବିରୋଧରେ ସେମିତି କିଛି ବଡ଼ ଅଭିଯାନ ହେଉନି। ସରକାର ମଦ ବନ୍ଦ କରିବାକୁ ଖାଲି ଦାବି ଆସୁଛି। ଅବଶ୍ୟ ବ୍ୟକ୍ତି ମଦ ପିଇବା ବନ୍ଦ କରିଦେଲେ ନା ସରକାର ମଦ ବିକିବା ବନ୍ଦ କରିଦେଲେ ସମାଜ ମଦମୁକ୍ତ ହୋଇଯିବ, ଏହାର ଉତ୍ତର ଅନେକ ଦ୍ୱନ୍ଦ୍ୱରେ ଅଛି।
ମଦ ବନ୍ଦ ନେଇ ମହାତ୍ମା ଗାନ୍ଧୀଙ୍କର ସ୍ପଷ୍ଟ ମତଟିଏ ରହିଛି। ଗାନ୍ଧିଜୀ କହନ୍ତି, ନିଶା ନିବାରଣ କେବଳ ଏକ ସାମାଜିକ ପରିବର୍ତ୍ତନ ଏବଂ ରାଜନୈତିକ ନିର୍ବାଣ ପାଇଁ ଦରକାର ନୁହେଁ। ଏହା ବ୍ୟକ୍ତିର ନୈତିକ ଉତ୍ଥାନ ଏବଂ ଆତ୍ମ ଶୁଦ୍ଧୀକରଣ ନିମନ୍ତେ ବେଶି ଦରକାର ହୋଇଥାଏ। ମଦ୍ୟପାନ କଲେ ଶିଳ୍ପୀର କଳା କୌଶଳ ଓ ସୃଜନୀ ଶକ୍ତି କମିଯାଏ। ଖେଳ ପଡ଼ିଆରେ ଖେଳାଳିର ପ୍ରଦର୍ଶନ କମେ। ସରକାରୀ ଅଫିସରେ କାମ କମ୍‌ ହୁଏ। ବ୍ୟକ୍ତିର ସଂସାର, ସମ୍ପତ୍ତି, ସ୍ବାସ୍ଥ୍ୟ, ସାମାଜିକ ପ୍ରତିଷ୍ଠାର ହାନି ହୋଇଥାଏ। ତଥାପି ବ୍ୟକ୍ତି କାହିଁକି ମଦ୍ୟପାନ ପାଇଁ ଆସକ୍ତି ଆଣେ, ଏହା ବଡ଼ ପ୍ରଶ୍ନ।
ମଦ ବିରୋଧୀ ସଂକଳ୍ପ ପ୍ରସଙ୍ଗ ଆସିଲେ ଦୁଇଟି ମତ ଆସେ। ଗୋଟିଏ ମତରେ ଥାଏ, ରାଷ୍ଟ୍ର ମଦ ବନ୍ଦ କରିଦେବା ଦରକାର। ବିକିବା ପାଇଁ ଦୋକାନ ଖୋଲିବାକୁ ଲାଇସେନ୍ସ ନ ଦେବା ଉଚିତ। କାରଣ, ମଦ ବନ୍ଦ କରିବା ରାଷ୍ଟ୍ରର ଏକ ସାମ୍ବିଧାନିକ କର୍ତ୍ତବ୍ୟ। ଭାରତ ସମ୍ବିଧାନର ୪୭ ଧାରାରେ ଉଲ୍ଲେଖ ଅଛି, ସାଧାରଣ ନାଗରିକଙ୍କ ସ୍ବାସ୍ଥ୍ୟ ଏବଂ ବଞ୍ଚିବାର ମାନ ବୃଦ୍ଧି ପାଇଁ ରାଷ୍ଟ୍ର ଯତ୍ନଶୀଳ ହେବ ଏବଂ କେବଳ ଔଷଧ ବ୍ୟବହାରକୁ ଛାଡ଼ି ସବୁ କ୍ଷେତ୍ରରେ ମଦ୍ୟପାନ ବନ୍ଦ କରିବ। ସୁତରାଂ ରାଷ୍ଟ୍ର ତା’ର ସାମ୍ବିଧାନିକ କର୍ତ୍ତବ୍ୟ କରିଦେଲେ, ମଦ ବନ୍ଦର ପ୍ରକ୍ରିୟା ସହଜ ହୋଇଯାଆନ୍ତା ଏବଂ ନୈତିକତାପୂର୍ଣ୍ଣ ତଥା ହିଂସାଶୂନ୍ୟ ସମାଜଟିଏ ଗଠିତ ହୋଇପାରନ୍ତା। ଓଡ଼ିଶାରେ ମଦ ବନ୍ଦ ନେଇ ବହୁ ବର୍ଷ ତଳେ ଏଠି ଆଇନଟିଏ ବି ରହିଛି।
ଏମାନେ ଆଉ ଯୁକ୍ତି ବି ବାଢ଼ନ୍ତି, ଭାରତର ଅନେକ ରାଜ୍ୟରେ ଏବେ ମଦ ନିଷେଧ ହୋଇଛି। ରାଜସ୍ବ ସଂଗ୍ରହ ନେଇ ସେଠି ସେମିତି କିଛି ବୃହତ୍‌ ସଙ୍କଟ ଦେଖାଦେଇନି। ମଦ ବନ୍ଦ ନିଷ୍ପତ୍ତି ତେଣୁ ରାଷ୍ଟ୍ର ତଥା ସରକାରର ଇଚ୍ଛାଶକ୍ତିର କଥା।
ରାଷ୍ଟ୍ରର ମଦ ନୀତି ନିର୍ଦ୍ଧାରକମାନେ କିନ୍ତୁ ସେମାନଙ୍କ ଉତ୍ତରରେ ଭିନ୍ନ ମତ ରଖନ୍ତି। ସେମାନଙ୍କ ସଫେଇ ହେଲା, ବ୍ୟକ୍ତି ମଦ ପିଇବାକୁ ଚାହେଁ। ବେପାରୀ ଟଙ୍କା ଦେଇ ଲାଇସେନ୍ସ ନିଏ। ସରକାର ରାଜସ୍ବ ଅର୍ଥ ବି ପାଆନ୍ତି; ଯେଉଁ ଅର୍ଥରେ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ତିଆରି ହୁଏ; ଶିକ୍ଷା, ସ୍ବାସ୍ଥ୍ୟରେ ଖର୍ଚ୍ଚ ହୁଏ, କର୍ମଚାରୀଙ୍କ ଦରମା, ପେନ୍‌ସନ ମଧ୍ୟ ଦିଆଯାଏ। ବଡ଼ କଥା ବି ହେଲା, ମଦ ବିକ୍ରିକୁ ନିୟନ୍ତ୍ରଣରେ ରଖି ଅନିଚ୍ଛା ସତ୍ତ୍ୱେ ଶୁଦ୍ଧ ମଦ ଯୋଗାଇଦେବା ବି ସରକାରର ଦାୟିତ୍ୱ। ନଚେତ୍‌ ଅପମିଶ୍ରିତ ମଦ୍ୟପାନଜନିତ ଦୁର୍ଘଟଣା ଘଟିପାରେ। ଊଣେଇଶ ନବେ ଦଶକରେ କଟକର ମଦମୃତ୍ୟୁ ଘଟଣା ଦିନେ ଓଡ଼ିଶାରେ ବିରାଟ ଆଲୋଡ଼ନ ସୃଷ୍ଟି କରିଥିଲା। ଏଇ ଯେମିତି ମଦ ନିଷେଧ ହୋଇଥିବା ପ୍ରଦେଶରେ ଚୋରାରେ ମଦ କାରବାର ଚାଲିଛି।
କୌଣସି ପ୍ରସଙ୍ଗ ବିତର୍କକୁ ଆସିଲେ ସପକ୍ଷ ଏବଂ ବିପକ୍ଷରେ ଦିଆଯାଉଥିବା ସମସ୍ତ ଯୁକ୍ତି ଆପାତତଃ ବଳିଷ୍ଠ ଲାଗେ। ସତକଥା ହେଲା, ମଦ ପ୍ରଚଳନରେ ସରକାରୀ ରାଜସ୍ବ ଲାଭ କଥାରେ କିନ୍ତୁ ମଦ୍ୟପାନ ସମ୍ପର୍କିତ କ୍ଷତି କଥା ହିସାବକୁ ଅଣାଯାଏନି। ମଦ ଯୋଗୁ ରୋଗ ଖର୍ଚ୍ଚ, ଦୁର୍ଘଟଣାଜନିତ କ୍ଷତି, ଉଜୁଡ଼ି ଯାଉଥିବା ପରିବାର, ସାମାଜିକ ପ୍ରତିଷ୍ଠା ହାନିର ମୂଲ୍ୟ ପ୍ରକୃତରେ ଆକଳନ କରି ହୁଏନି। ଆକଳନ କରିବା ହିଁ କଷ୍ଟ। ସରକାର ପାଉଥିବା ମାତ୍ର କେତେ ହଜାର କୋଟି ଟଙ୍କାର ରାଜସ୍ବଠାରୁ ଏହା ନିଶ୍ଚୟ ଅଧିକ। ମଦ ପିଇବାକୁ ଟଙ୍କା ଦେଉ ନ ଥିବା ବୃଦ୍ଧା ମା’କୁ ଯେତେବେଳେ ଯୁବକ ପୁଅ ପିଟିପିଟି ମାରିଦିଏ ଏବଂ ମଦ ନିଶାରେ ଚୁର୍‌ ହୋଇ ଯେତେବେଳେ ପୁରୁଷଟିଏ ତା’ ପରିବାର ଉପରେ ଅତ୍ୟାଚାର କରେ, ମଦ ନେଇ ଲାଭ କ୍ଷତିର ଅର୍ଥନୀତି ସେତେବେଳେ ବିଗିଡ଼ି ଯାଏ। ସାମଗ୍ରିକ ବିବେକ ସେତେବେଳେ ହାର ମାନେ। ଏହା ଆବେଗ ନୁହେଁ, ବାସ୍ତବତା।
ମଦ ପିଇବା ଆଉ ଏବେ ପୂର୍ବ ପରି କେବଳ ଉଚ୍ଚ ଧନୀ ଏବଂ ଗରିବଙ୍କ ଭିତରେ ଅଟକି ଯାଇନି। ବିଦେଶୀ ମଦ୍ୟପାନ ଆଉ ସମ୍ଭ୍ରାନ୍ତପଣର ପ୍ରଦର୍ଶନ ବି ନୁହେଁ। ସମାଜର ସବୁ ବର୍ଗର ଲୋକେ ସମ୍ପ୍ରତି ମଦ ପିଉଛନ୍ତି। ମଦ ପ୍ରତି ଆଉ ବେଶି ଘୃଣା ନାହିଁ। ଏକ ସର୍ବେକ୍ଷଣ ଅନୁଯାୟୀ, ଭାରତର ସବୁ ମହିଳା କିନ୍ତୁ ମଦ୍ୟପାନକୁ ନାପସନ୍ଦ କରନ୍ତି। ମଦ ପିଇ ନ ଥିବା ବେଳେ ନିଜ ସ୍ବାମୀଙ୍କ ମୁହଁ ସୁନ୍ଦର ଦେଖାଯାଏ ବୋଲି ଅଧିକାଂଶ ମହିଳା ଲଘୁ ମତ ଦିଅନ୍ତି।
ଅନ୍ୟ କିଛି ଯୁକ୍ତିରେ ଆସେ, ପୁରାଣ ଯୁଗରେ ମଦ୍ୟପାନ ଥିଲା। ଭାରତୀୟ ସଂସ୍କୃତି ମଧ୍ୟ ମଦ୍ୟପାନ କଥା କୁହେ। କିନ୍ତୁ ପୁରାଣରେ ଏକଥା ବି କୁହାଯାଏ, ମଦ୍ୟପାନ ନେଇ ସେତେବେଳ ସମାଜରେ ଅନେକ ବିଲକ୍ଷଣ ମଧ୍ୟ ଥିଲା। ସାମୂହିକ ମଦ୍ୟ (ସୋମରସ) ପାନ କରି ଯଦୁବଂଶ ଧ୍ୱଂସ ହେବାର ଉଦାହରଣ ଏଥିରେ ଦିଆଯାଏ।
ଏହା ନିଃସନ୍ଦେହ, ଭାରତୀୟ ସଂସ୍କୃତି ମହାନ୍‌। କିନ୍ତୁ ‘ମଦ୍ୟପାନ ସଂସ୍କୃତି’କୁ ନେଇ ଗର୍ବ କରିବାର କିଛି ଯଥାର୍ଥତା ନାହିଁ। ଏହା ଏକ ଆତ୍ମ ଧ୍ବଂସକାରିଣୀ ସଂସ୍କୃତି। ଆଜି ଯଦି ମହାଭାରତର ଯକ୍ଷ ଧର୍ମରାଜ ଯୁଧିଷ୍ଠିରଙ୍କୁ ପଚାରନ୍ତେ, କିମାଶ୍ଚର୍ଯ୍ୟମ? ଯୁଧିଷ୍ଠିର ନିଶ୍ଚୟ ଉତ୍ତର ଦିଅନ୍ତେ, ମଦଜନିତ ଦୁଃଖକୁ ଆମେ ପ୍ରତିଦିନ ଦେଖୁ ଥିଲେ ବି ମଦ୍ୟପାନ ପ୍ରତି ମଣିଷର ଆସକ୍ତି ତଥାପି ରହୁଛି, ଏହା ହିଁ ଆଶ୍ଚର୍ଯ୍ୟ।
ସୁତରାଂ ନିଶା ରହିତ ଏକ ଶୁଦ୍ଧ ସମାଜର ଗଠନ ପାଇଁ ଏକ ଦୀର୍ଘକାଳୀନ ଅଭିଯାନର ଏବେ ଆବଶ୍ୟକତା ଅଛି। ଏହା ଏକ ମିଶନ ହେବା ଦରକାର। ଏଥିରେ ଉଭୟ ରାଷ୍ଟ୍ର ଓ ବ୍ୟକ୍ତି ସମପରିମାଣ ସଂକଳ୍ପ ସହ ସାମିଲ ହେବା ଉଚିତ।
ପୁରୀ, ମୋ-୯୮୬୧୪୬୯୩୨୮


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri