ଅସଲ ଖୁସିର ମୁହୂର୍ତ୍ତ

ପ୍ରକାଶ ତ୍ରିପାଠୀ

 

ଚିତ୍ତେ ପ୍ରସନ୍ନେ ଭୁବନମ୍‌ ପ୍ରସନ୍ନମ୍‌,ଚିତ୍ତେ ବିଷଣ୍ଣେ ଭୁବନମ୍‌ ବିଷଣ୍ଣମ୍‌। ଅର୍ଥାତ୍‌ ଯଦି ଆମ ହୃଦୟ ପ୍ରସନ୍ନ ବା ଖୁସି ଅଛି, ତେବେ ସାରାଦୁନିଆ ଆମକୁ ଖୁସି ଲାଗିବ। ମାତ୍ର ଯଦି ଆମ ହୃଦୟ ବିଷଣ୍ଣ ବା ଦୁଃଖରେ ଅଛି, ସାରା ଦୁନିଆ ବି ଆମପାଇଁ ବିଷଣ୍ଣ ଲାଗିବ। ତେବେ ଆମ ମନ, ଆମ ହୃଦୟ ଖୁସି କେମିତି ରହିବ ? ପୁଳା ପୁଳା ଟଙ୍କା ରୋଜଗାର, ବିଳାସପୂର୍ଣ୍ଣ ଜୀବନଯାପନ ମାଧ୍ୟମରେ ନା ଆମ ଚାରିକଡ଼ରେ ଥିବା ଅଭାବୀ ମଣିଷଙ୍କ ମୁହଁରେ ଚେନାଏ ହସ ଫୁଟାଇବାରେ? ଏହି ପ୍ରସଙ୍ଗରେ ଆଲୋକପାତ କରିବା ପୂର୍ବରୁ ଗୋଟିଏ ସତ୍ୟଘଟଣା ଆଧାରିତ କାହାଣୀଟିଏ ଶୁଣିବା।
ଥରେ ଗୋଟିଏ ଘରୋଇ କ୍ଲିନିକକୁ ଜଣେ ସମ୍ଭ୍ରାନ୍ତ ମହିଳା ଗଲେ। ଉପସ୍ଥିତ ଥିବା ଜଣେ ମନୋଚିକିତ୍ସକଙ୍କୁ କହିଲେ- ସାର୍‌ , ମୋର କେଉଁଥିରେ ଅଭାବ ନ ଥିବା ସତ୍ତ୍ୱେ ମୁଁ ଖୁସିରେ ରହିପାରୁନି। କେମିତି ଖୁସି ପାଇପାରିବି ମୋତେ ସାହାଯ୍ୟ କରନ୍ତୁ। ମନୋଚିକିତ୍ସକ ମହିଳା ଜଣଙ୍କୁ ନିରୀକ୍ଷଣ କଲେ। ତାଙ୍କ ବେଶପୋଷାକ ଓ କଥାବାର୍ତ୍ତାରୁ ସେ ଜଣେ ଧନୀ ପରିବାରର ଭଳି ଲାଗୁଥିଲେ। ମନୋଚିକିତ୍ସକ କ୍ଲିନିକରେ ଝାଡୁପୋଛା କାମ କରୁଥିବା ଜଣେ ବୃଦ୍ଧାଙ୍କୁ ଡାକିଲେ ଓ ସେହି ମହିଳା କେମିତି ଖୁସି ପାଇପାରିବେ ସେ ସମ୍ପର୍କରେ ତାଙ୍କୁ କିଛି ପରାମର୍ଶ ଦେବାକୁ କହିଲେ। ବୃଦ୍ଧା ନିଜର ଝାଡୁକୁ ଯଥାସ୍ଥାନରେ ରଖି ସେହି ସମ୍ଭ୍ରାନ୍ତ ମହିଳାଙ୍କ ପାଖରେ ବସିପଡ଼ିଲେ ଓ ନିଜ ଅଙ୍ଗେନିଭା କଥା କହିବାକୁ ଲାଗିଲେ। ମୁଁ ଏକ ସମ୍ଭ୍ରାନ୍ତ ପରିବାରର ନ ହେଲେ ମଧ୍ୟ ଆମର କେଉଁଥିରେ ଅଭାବ ନ ଥିଲା। ସ୍ବାମୀ ଓ ଗୋଟିଏ ପୁଅକୁ ନେଇ ମୋ ପରିବାର ହସଖୁସିରେ ଆଗକୁ ବଢୁଥିଲା। ହଠାତ୍‌ ଦିନେ ମୋ ସ୍ବାମୀ ମ୍ୟାଲେରିଆରେ ପୀଡ଼ିତ ହେଲେ ଓ ତାଙ୍କର ମୃତ୍ୟୁ ପରେ ମୋ ଜୀବନର ଅର୍ଦ୍ଧେକ ଖୁସି ଚାଲିଗଲା। ସ୍ବାମୀଙ୍କ ମୃତ୍ୟୁର ତିନିମାସ ପରେ ମୋ ପୁଅର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଲା। ଯେଉଁ ଖୁସି ଟିକକ ମୋ ଜୀବନରେ ବଳିଥିଲା ସେତକ ବି ସେହିଦିନ ଚାଲିଗଲା। ଜୀବନ ମୋପାଇଁ ମୂଲ୍ୟହୀନ ଭଳି ଲାଗିଲା। ଜୀବନ ହାରିବା ପାଇଁ ମନେମନେ ଉପାୟ ପାଞ୍ଚୁଥିଲି। ଦିନେ ସାରେ ଟିପି ଟିପି ବର୍ଷାରେ ଘରକୁ ଫେରୁଥିଲି। ପ୍ରବଳ ଥଣ୍ଡା ହେଉଥିଲା। ଗୋଟିଏ ବିରାଡି ଛୁଆଟିଏ ମୋ ପଛେ ପଛେ ଆସୁଥିଲା। ବେଳେବେଳେ ମୋ ଗୋଡରେ ସେ ତା’ ଦେହକୁ ଘଷି ଦେଉଥିଲା। ଚାଲିଲା ବେଳେ କାଳେ ସେ ପାଦ ତଳେ ଚକଟି ହୋଇଯିବ ସେଥିପାଇଁ ମୁଁ ସତର୍କତା ସହ ପାଦ ପକାଉଥାଏ। ଶେଷରେ ତାକୁ ନିଜ ଘରକୁ ଆଣିଲି। ଘରେ ତାକୁ କ୍ଷୀର ପିଇବାକୁ ଦେଲି। କ୍ଷୀରତକ ପିଇଦେଇ ମୋ ମୁହଁକୁ ଚାହିଁଲା। ପାଖରେ ବସି ମୋ ପାଦକୁ ଚାଟିବାକୁ ଲାଗିଲା। ବହୁଦିନ ପରେ ମୁଁ ସେଦିନ ଟିକିଏ ହସିଲି ଓ ମନ ହାଲୁକା ଲାଗିଲା। ମୋତେ ଖୁସିଲାଗିଲା। ମନେ ମନେ ଭାବିଲି ଯଦି ବିରାଡ଼ିଛୁଆକୁ ଏତିକିଟିକେ ସହାୟତା କରି ମୋତେ ଏତେ ଖୁସି ମିଳୁଛି, ତେବେ ଅନ୍ୟମାନଙ୍କୁ ସାହାଯ୍ୟ କଲେ ନିଶ୍ଚିତ ଅଧିକ ଖୁସି ମିଳିପାରିବ। ତା’ ପରଦିନ ଆମ ପଡ଼ିଶାଘରେ ରହୁଥିବା ଜଣେ ଭଦ୍ରବ୍ୟକ୍ତି, ଯେ କି ଅସୁସ୍ଥ ଥିଲେ, ତାଙ୍କ ପାଇଁ ନିଜେ କିଛି ବିସ୍କୁଟ ପ୍ରସ୍ତୁତ କରି ତାଙ୍କ ଘରକୁ ଗଲି। ମୋ ହାତ ତିଆରି ବିସ୍କୁଟ ଖାଇ ସେ ଖୁବ୍‌ ଖୁସି ହେଲେ ଓ ମୋତେ ଆଶୀର୍ବାଦ ଦେଲେ ଯାହାକି ମୋ ଖୁସିକୁ ଦିଗୁଣିତ କଲା । ଏହା ପରେ ମୁଁ ମୋ ଚାରିପାଖରେ ରହୁଥିବା ଲୋକମାନଙ୍କୁ ମୋ ଦକ୍ଷତା ମତେ ସାହାଯ୍ୟ କରିବାକୁ ଆରମ୍ଭ କଲି। ସେମାନଙ୍କ ଖୁସିରେ ମୋ ଖୁସିକୁ ପାଇଗଲି। କ୍ରମେ ମୁଁ ବଞ୍ଚିବାର ଖୋରାକ ପାଇଗଲି ଓ ଅନ୍ୟକୁ ଖୁସିକରାଇବାକୁ ଜୀବନର ବ୍ରତ କରିନେଲି। ବୃଦ୍ଧାଙ୍କ କଥା ଶୁଣି ସମ୍ଭ୍ରାନ୍ତ ମହିଳା କାନ୍ଦିବାକୁ ଲାଗିଲେ। ବୃଦ୍ଧାଙ୍କୁ କହିଲେ, ତାଙ୍କ ପାଖରେ ଯାହାସବୁ ଅଛି ସେସବୁ ସେ କିଣିପାରିଛନ୍ତି। ମାତ୍ର ସେ ଯେଉଁ ଖୁସି ହଜାଇ ଦେଇଛନ୍ତି ତାହା ସେ ଟଙ୍କାରେ କିଣିପାରୁ ନାହାନ୍ତି।
ପାଠକେ, ଏଇଟା ବଡ଼କଥା ନୁହେଁ ଯେ ଆପଣ କେତେ ଖୁସି ଅଛନ୍ତି। ହଁ ଏହା ନିଶ୍ଚିତ ବଡ଼ କଥା ଯେ ଆପଣଙ୍କ ପାଇଁ କେତେଜଣ ଖୁସି ଅଛନ୍ତି। କେତେଜଣଙ୍କ ମନରେ ଖୁସି ଓ ହସ ଭରିପାରିଛନ୍ତି। ମଣିଷ ଜୀବନ ଆଦର୍ଶ, ଅନାଦର୍ଶର ସମାହାର। ଏହାଭିତରେ ରହିଛି ଦୈବୀଗୁଣ ଓ ରହିଛି ଆସୁରିକ ଗୁଣ ବି। ଆସୁରିକ ଗୁଣ କ୍ଷଣିକ ସୁଖ ଦେଇପାରେ, ମାତ୍ର ତାହା ମାନବୀୟ ପତନର କାରଣ ହୋଇଥାଏ। କିନ୍ତୁ ଦୈବୀଗୁଣ ମଣିଷକୁ ଉନ୍ନତ କରିଥାଏ । ଏହା ଚିରନ୍ତନ ଖୁସି ପ୍ରଦାନ କରେ ସ୍ବୟଂକୁ ଓ ଅନ୍ୟକୁ। ଅଭାବୀ ମଣିଷକୁ ସାହାଯ୍ୟ, ଭୋକିଲାଙ୍କ ମୁହଁରେ ମୁଠାଏ ଦାନା, ଅସହାୟଙ୍କୁ ଆହାପଦ ହେଉଛି ମାନବତାର ସଙ୍କେତ, ଯାହାକି ମନରେ ଅଫୁରନ୍ତ ଖୁସି ଭରିଦିଏ। ଉଦାସୀ ମୁହଁରେ ହସ ଟିକେ ଭରିଦେଲେ ହୃଦୟ ଖୁସିରେ ଭରିଯାଏ, ଯାହାକି କୋଟିଏ ଟଙ୍କାରେ ମିଳି ନ ଥାଏ। ପଦିଏ ମିଠାକଥାରେ, ଚେନାଏ ହସରେ ଯେଉଁ ଖୁସି ହାସଲ କରାଯାଇପାରେ, କୋଟି କୋଟି ଟଙ୍କାର ଧନସମ୍ପତ୍ତି ତାହା ଦେଇପାରି ନ ଥାଏ। ଆଜିର ମଣିଷ କିନ୍ତୁ ଖୁସି ଖୋଜୁଛି ଧନ ଦୌଲତରେ, ନାମୀଦାମୀ ସୌଖୀନ ଗାଡିରେ, ବିଳାସମୟ ପ୍ରାସାଦରେ ଓ ଭୋଗ ବିଳାସରେ। କେମିତି ଜଣେ ଖୁସି ହୋଇପାରିବ ଯେତେବେଳେ ତା ପାଖରେ ଥିବା ମଣିଷ ଦୁଃଖ ଦୈନ୍ୟତାରେ ଜୀବନ ଅତିବାହିତ କରୁଥିବ, ଭୋକ ଉପାସରେ ଦିନ କାଟୁଥିବ, ରୋଗ ଯନ୍ତ୍ରଣାରେ ଚିତ୍କାର କରୁଥିବ।
ଖୁସି ଏକ ମାନସିକ ସମ୍ପଦ। ଏହାକୁ ବୁଝୁ ବୁଝୁ ଆତ୍ମକୈନ୍ଦ୍ରିକ ମଣିଷର ଆୟୁଷ ସରିଯାଏ। ନିଜର ଓ ନିଜ ପରିବାରର ସୁଖ ସ୍ବାଚ୍ଛନ୍ଦ୍ୟ ପୂରଣ କରିବାରେ ସେ ମୋହଗ୍ରସ୍ତ ହୁଏ । ବୁଝିପାରେନି ଅନ୍ୟର ସୁଖରେ ଥାଏ ବାସ୍ତବ ସୁଖ। ଅନ୍ୟକୁ ଖୁସିଦେବାରେ ଥାଏ ଅଫୁରନ୍ତ ଖୁସି। ଭୋଗ ନୁହେଁ, ତ୍ୟାଗରେ ଥାଏ ଖୁସି। କାମନା ନୁହେଁ, ନିବୃତିରେ ଥାଏ ଖୁସି। ଏହି କଥାକୁ ବୁଝିପାରିଛନ୍ତି ନାଇଜେରିଆର ଅଚଳାଚଳ ସମ୍ପତ୍ତିର ମାଲିକ ତଥା ପ୍ରଖ୍ୟାତ ଫୋର୍ବସ ପତ୍ରିକାଦ୍ୱାରା ପ୍ରସ୍ତୁତ ବିଶ୍ୱର ସର୍ବାଧିକ ଧନିତାଲିକାରେ ସ୍ଥାନପାଇଥିବା ଫେମି ଓଟେଡୋଲା। ବିଜ୍‌ନେସ ଟାଇକୁନ ଫେମି ଓଟେଡୋଲାଙ୍କୁ ଥରେ ପଚରାଯାଇଥିଲା ଯେ କେଉଁ ସମୟରେ ସେ ନିଜକୁ ଜଣେ ସର୍ବୋତ୍ତମ ସୁଖୀ ମଣିଷ ଭାବେ ଅନୁଭବ କରିଛନ୍ତି । ଏହାର ଉତ୍ତରରେ ଓଟେଡୋଲା କହିଥିଲେ ଯେ ଚାରୋଟି ପର୍ଯ୍ୟାୟରେ ସେ ଖୁସି ଅନୁଭବ କରିଛନ୍ତି। ମାତ୍ର ଶେଷପର୍ଯ୍ୟାୟରେ ପ୍ରକୃତ ଖୁସିର ଅର୍ଥ ସେ ବୁଝିପାରିଥିଲେ। ପ୍ରଥମ ପର୍ଯ୍ୟାୟରେ ସେ ନିଜ ବ୍ୟବସାୟରେ ଅନେକ ଧନ ରୋଜଗାର କଲେ। କିନ୍ତୁ ପର୍ଯ୍ୟାପ୍ତ ଧନ ଆହରଣ ତାଙ୍କୁ ଖୁସି କରିପାରି ନ ଥିଲା। ଦିତୀୟ ପର୍ଯ୍ୟାୟରେ ସେ ସୌଖୀନ ଜୀବନଯାପନ ପାଇଁ ବିଳାସପୂର୍ଣ ଘର, ଦାମୀ ଗାଡ଼ି ଓ ଅନ୍ୟାନ୍ୟ ଭୋଗବିଳାସ ସାମଗ୍ରୀ କିଣିଲେ, ମାତ୍ର ତାହା କ୍ଷଣିକ ଓ ଅଳିକ ଥିଲା। କ୍ରମେ ସେଗୁଡିକର ଆକର୍ଷଣ ହ୍ରାସ ପାଇବା ପରେ ସେ ତାଙ୍କର ବ୍ୟବସାୟ ଦୁନିଆର ସାମ୍ରାଜ୍ୟ ବୃଦ୍ଧିକଲେ। ନାଇଜେରିଆ ସହ ଅନେକ ଆଫ୍ରିକୀୟ ଦେଶରେ ସେ ଖଣିଜ ତୈଳ ଓ ଶକ୍ତି ବ୍ୟବସାୟ ବୃଦ୍ଧି କଲେ। ତାଙ୍କର ବ୍ୟବସାୟ ଦେଢ଼ ବିଲିୟନରେ ପହଞ୍ଚିଲା। ମାତ୍ର ସେଥିରେ ତାଙ୍କୁ ପ୍ରକୃତ ଖୁସି ଉପଲବ୍ଧି ହେଲାନାହିଁ। ଥରେ ତାଙ୍କର ଜଣେ ବନ୍ଧୁ ଦୁଇଶହ ଭିନ୍ନକ୍ଷମ ପିଲାଙ୍କ ପାଇଁ ୨୦୦ ହୁଇଲ୍‌ ଚେୟାର କିଣିଦେବା ପାଇଁ ପ୍ରସ୍ତାବ ଦେଲେ। ଓଟେଡୋଲା ୨୦୦ ହୁଇଲ ଚେୟାର କିଣିଦେଲେ। ବନ୍ଧୁଙ୍କ ସହ ସେ ଯିବେ ଓ ନିଜ ହାତରେ ଭିନ୍ନକ୍ଷମ ପିଲାଙ୍କୁ ଏହି ଚେୟାର ପ୍ରଦାନ କରିବାପାଇଁ ଓଟେଡୋଲାଙ୍କୁ ତାଙ୍କ ବନ୍ଧୁ ଅନୁରୋଧ କଲେ।
ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ନିଜର ବ୍ୟସ୍ତବହୁଳ କାର୍ଯ୍ୟକ୍ରମରୁ ସମୟ ବାହାର କରି ଓଟେଡୋଲା ଠିକ୍‌ ସମୟରେ ସେଠାରେ ପହଞ୍ଚତ୍ଲେ ଓ ନିଜ ହାତରେ ଭିନ୍ନକ୍ଷମ ପିଲାଙ୍କୁ ହୁଇଲ୍‌ ଚେୟାର ଦେଲେ। ହୁଇଲ ଚେୟାର ପାଇବା ପରେ ସବୁପିଲାଙ୍କ ମୁହଁରେ ଖୁସି ଭରିଯାଇଥିଲା। ପିଲାଙ୍କ ମୁହଁରେ ହସ ଓ ସେମାନଙ୍କ ଆତ୍ମତୃପ୍ତିରେ ଓଟେଡୋଲା ଆତ୍ମବିଭୋର ହୋଇଯାଇଥିଲେ। ଯେତେବେଳେ ସେ ପ୍ରସ୍ଥାନ କରିବାକୁ ଉଠିଲେ ସେଇ ସମୟରେ ଜଣେ ଭିନ୍ନକ୍ଷମ ପିଲା ଓଟେଡୋଲାଙ୍କ ଦୁଇଗୋଡ଼ କୁଣ୍ଢାଇ ଧରିଲା। ନିଜ ଗୋଡ଼କୁ ପିଲାଟିଠାରୁ ମୁକୁଳାଇବାକୁ ସେ ଯେତେଚେଷ୍ଟାକଲେ ବି ସକ୍ଷମ ହୋଇ ନ ଥିଲେ। ପିଲାଟି ତାଙ୍କ ମୁହଁକୁ ବଲବଲ ଚାହିଁବା ସହ ଆହୁରି ଅଧିକ ଜୋରରେ ଗୋଡ଼କୁ ଜାବୁଡି ଧରିଥିଲା । ଓଟେଡୋଲା ନଇଁପଡି ପିଲାଟିକୁ ପଚାରିଲେ – ତୁମେ ଆଉ କିଛି ଚାହୁଁଛ କି ? ପିଲାଟି ଯାହା ଉତ୍ତରଦେଲା ତାହା ଶୁଣି ଓଟେଡୋଲା କେବଳ ଖୁସିରେ ଆତ୍ମହରା ହୋଇ ନ ଥିଲେ, ଜୀବନ ଉପରେ ଥିବା ତାଙ୍କର ଧାରଣା ସମ୍ପୂର୍ଣ ବଦଳିଯାଇଥିଲା। ପିଲାଟି ବଡ଼ବଡ଼ ଆଖିରେ ଓଟେଡୋଲାଙ୍କୁ ଚାହିଁ କହିଥିଲା ମୁଁ ତୁମର ମୁହଁକୁ ମନେ ରଖିବାକୁ ଚାହୁଁଛି। ଯେତେବେଳେ ମୁଁ ତୁମକୁ ସ୍ବର୍ଗରେ ଦେଖିବି ସେତେବେଳେ ଯେମିତି ଚିହ୍ନିପାରିବି ଓ ତୁମକୁ ପୁଣି ଥରେ ଧନ୍ୟବାଦ ଦେଇପାରିବି। ଓଟେଡୋଲା ଏହାପରେ ଜୀବନ ଓ ଅସଲ ଖୁସିର ଅର୍ଥ ବୁଝିପାରିଥିଲେ। ଅଚଳାଚଳ ସମ୍ପତ୍ତି, ବିଳାସପୂର୍ଣ ଜୀବନଯାପନ ଯେଉଁ ଖୁସି ଦେଇପାରି ନ ଥିଲା, ମାତ୍ର ୨୦୦ଟି ହୁଇଲ ଚେୟାର ତାଙ୍କୁ ଜୀବନର ଅସଲ ଖୁସି ଦେଇପାରିଲା। ଏହାପରେ ସେ ଅନାଥ ପିଲାଙ୍କ କଲ୍ୟାଣ ପାଇଁ ୧୪ ମିଲିୟନ ଡଲାର ଦାନକରିଥିଲେ। ଅନାଥ ପିଲାଙ୍କ କଲ୍ୟାଣ ପାଇଁ ତାଙ୍କର ଝିଅ ଦ୍ୱାରା ପ୍ରତିଷ୍ଠିତ ଡି ଯେ କୁପି ଫାଉଣ୍ଡେଶନକୁ ଅଯାଚିତ ଅର୍ଥ ପ୍ରଦାନ କରୁଛନ୍ତି ଓଟେଡୋଲା। ସର୍ବେକ୍ଷଣ କୁହେ ବିଶ୍ବର ଅର୍ଦ୍ଧେକ ଧନ ମୋଟ ଜନସଂଖ୍ୟାର ମାତ୍ର ଏକଶତାଂଶ ଲୋକଙ୍କ ପାଖରେ ଗଚ୍ଛିତ ଅଛି। ସେମାନେ ଯଦି ଚାହିଁବେ ସମଗ୍ର ବିଶ୍ୱବାସୀଙ୍କ ମୁହଁରେ ଖୁସି ଦେଖିବାକୁ ବେଶିସମୟ ଲାଗନ୍ତା ନାହିଁ।
ମୋ- ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri