
ଧର୍ମଶାଳା,୮ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ତାଲୁଆ ବାଲିକୁଦା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଶ୍ୱଶୁର ଘର ଆଗରେ ଜ୍ବାଇଁ ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ମିଳିଥିବା ସୂଚନା ଅନୁସାରେ ଏହି ଥାନା ଅନ୍ତର୍ଗତ ବାହାଦୁରନଗର ଗାଁର କେଶବ ଚନ୍ଦ୍ର ତ୍ରିପାଠୀ ପାଖାପାଖି ଚାରି ବର୍ଷ ହେବ ତାଲୁଆ ବାଲିକୁଦା ଗାଁରେ ବିବାହ କରିଥିଲେ। ପରେ ତାଙ୍କର ମଧ୍ୟ ଏକ ପୁଅ ହୋଇ ଥିଲା। ବିବାହର କିଛି ବର୍ଷ ପରଠାରୁ ପାରିବାରିକ କଳହ ଲାଗି ଏ ଘଟଣା ମଧ୍ୟ ଥାନାରେ ପହଞ୍ଚିଥିଲା। କିନ୍ତୁ ୬ ମାସ ହେବ କଳହ ବଢିବା ଯୋଗୁ ଝିଅର ପରିବାର ଲୋକେ ଆସି ତାଙ୍କ ଝିଅକୁ ଘରକୁ ନେଇ ଯାଇଥିଲେ। ଗତ ୬ ତାରିଖ ଦିନ ପୁଅ ଦେହ ଖରାପ ହୋଇଥିବା ଫୋନ ଯୋଗେ ଖବର ପାଇ କେଶବ ଯାଇଁ ଶ୍ୱଶୁର ଘରେ ପହଂଚି ଯାଇଥିଲେ। ପୁଅ କଥା ପଚାରିବାରୁ ୬ ମାସ ହେଲା କୁଆଡେ ଯାଇଥିଲ କହିବା ସହ ସେଠାରେ ତାଙ୍କ ହାତ ଗୋଡ଼ ବନ୍ଧି ନିସ୍ତୁକ ମାଡ଼ ମାରି ଥିବା କେଶବ କହିଛନ୍ତି। ଦୀର୍ଘ ସମୟପରେ ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି କେଶବଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କ ପାଖେ ଜିମା ଦେଇଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ କେଶବ ଏହି ଘଟଣାକୁ ନେଇ ବେଶ୍ ଦୁଶ୍ଚିନ୍ତାରେ ଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଏହି ଘଟଣାକୁ ନେଇ ଝିଅ ଘର ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ। ଅପରପକ୍ଷରେ କେଶବ ଚନ୍ଦ୍ର ତ୍ରିପାଠୀ ମଦ ପିଇ ତାଙ୍କ ଶ୍ୱଶୁର ଘର ନିକଟରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବା ବେଳେ ତାଙ୍କୁ ବାନ୍ଧି ରଖିଥିବା ଖବର ପାଇ ପୋଲିସ ସେଠାରେ ପହଞ୍ଚି ଥିଲା। ଏ ଘଟଣାକୁ ନେଇ ଏଯାବତ ପୋଲିସ ପାଖେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବାଲିଚନ୍ଦ୍ରପୁର ପୋଲିସ ପକ୍ଷରୁ ସୂଚନା ମିଳିଛି।