କନ୍ୟା ଦାନ ମହାପୁଣ୍ୟ

ଏକମାତ୍ର ଝିଅର ବାହାଘର ସ୍ଥିର ହୋଇଯାଇଥାଏ। ତାହା ପୁଣି ଅକ୍ଷୟ ତୃତୀୟା ଦିନ। ବୟୋଜ୍ୟେଷ୍ଠ ଲୋକମାନେ କହିଲେ, ‘ଅକ୍ଷୟ ତୃତୀୟାରେ ଝିଅ ବାହାଘର ଭାଗ୍ୟରେ ଥିଲେ ହୁଏ। ଶହେ କେଜି ସୁବର୍ଣ୍ଣ ଦାନ କଲେ ଯେତିକି ପୁଣ୍ୟ ଅର୍ଜନ ହେବ ନାହିଁ ଏଭଳି ପବିତ୍ର ଦିବସରେ କନ୍ୟା ଦାନ କଲେ ତାହାଠାରୁ ଅଧିକ ପୁଣ୍ୟ ପ୍ରାପ୍ତ ହୁଏ। ‘କନ୍ୟା ଦାନ ମହାପୁଣ୍ୟ’। ଏହି କଥାଗୁଡ଼ିକ ମୋ ଶରୀରରେ କଣ୍ଟା ଫୋଡ଼ିଲା ଭଳି ମନେ ହେଉଥିଲା। ଝିଅ ବାହାଘର ସ୍ଥିର ହୋଇଗଲା ପରେ ଝିଅକୁ ଦୂରରେ ଦେବା ଯେତିକି ମୋତେ ଭାରାକ୍ରାନ୍ତ କରୁଥିଲା ସେହି ସମୟରେ ଏହି କଥାଗୁଡ଼ିକ କାନରେ ପଡ଼ିବା କ୍ଷଣି ଶହେ ଗୁଣ ବଢ଼ିଗଲା ମାନସିକ ଯନ୍ତ୍ରଣା। ଅନେକ ଗୁଡ଼ାଏ ପ୍ରଶ୍ନ ମନରେ ଉଙ୍କି ମାରିଲା ପ୍ରଚଳିତ ସମାଜ ବ୍ୟବସ୍ଥାକୁ ନେଇ। ସତରେ ଝିଅ କ’ଣ ମା’ବାପା ପାଇଁ ବଡ଼ ବୋଝ? ବାଇଶ ପଚିଶ ବର୍ଷ ଧରି ସ୍ନେହ ମମତା ଅଜାଡ଼ି ଦେଇଥିବା ଝିଅଟିକୁ କ’ଣ ଦାନ ଦିଆଯାଇ ପାରେ?
ସମାଜ ଓ ସଭ୍ୟତା ବଦଳୁଛି। କିନ୍ତୁ ନାରୀ ଓ ପୁରୁଷ ମଧ୍ୟରେ ବୈଷମ୍ୟର ପ୍ରାଚୀର ସମ୍ପୂର୍ଣ୍ଣ ଧ୍ୱଂସ ପାଉନାହିଁ। ଏବେ ବି ପୁରୁଷର ପ୍ରାଧାନ୍ୟ ପରିବାର ଭିତରେ ବଳବତ୍ତର ରହିଛି। ହୁଏତ ସ୍ଥଳ ବିଶେଷରେ ନାରୀମାନଙ୍କର ଗୁୁରୁତ୍ୱ ବଢ଼ିଲାଣି। ହେଲେ ଅଧିକାଂଶ ପରିବାରରେ ଝିଅଟିଏ ହେଉ ଅଥବା ବୋହୂ ସମାନ ଅଧିକାର ପାଆନ୍ତି ନାହିଁ, ଯେମିତି ପୁଅଟି ପାଇଥାଏ।
ଆଧୁନିକତାର ସ୍ପର୍ଶରେ ଆମେ ରୋମାଞ୍ଚିତ। କିନ୍ତୁ ଝିଅଟି ଆଧୁନିକା ହେଲେ ଆମେ ତାକୁ ଉଚ୍ଛୃଙ୍ଖଳ ଆଖ୍ୟା ଦେଉ। ସେ ସଂସ୍କାର ପାଇ ନାହିଁ ବୋଲି ଅପବାଦ ଦେଉ। ତାର ଚାଲିଚଳଣ, ବେଶ ପୋଷାକ, କଥା ଭାଷା ସବୁଥିରେ ଟିକା ଟିପ୍ପଣୀ ଦିଆଯାଏ। ପୁଅଟିଏ ଜନ୍ମ ହେଲେ ଆନନ୍ଦର ଲହରି ଖେଳିଯାଏ। ସ୍ଥାନ ବିଶେଷରେ ମାଆ ଓ ଶିଶୁ ପୁତ୍ରକୁ ସ୍ବାଗତ କରାଯାଏ। ମିଠେଇ ବଣ୍ଟା ହୁଏ, ଶଙ୍ଖ ଧ୍ୱନି ହୁଏ। ଆଉ କନ୍ୟା ସନ୍ତାନଟିଏ ଜନ୍ମ ହେଲେ ଅଧିକାଂଶ ପରିବାରରେ କ’ଣ ହୁଏ, କେମିତି ପ୍ରତିକ୍ରିୟା ପ୍ରକାଶ କରନ୍ତି ପରିବାରର ସଦସ୍ୟାସଦସ୍ୟମାନେ ତାହା ବର୍ଣ୍ଣନା କରିବା ଆବଶ୍ୟକ ନାହିଁ। ଯତ୍ନ ନେବା କ୍ଷେତ୍ରରେ ମଧ୍ୟ ସେହି ପାତରଅନ୍ତର ଲାଗି ରହେ। ପାଠପଢ଼ା ସମୟରେ ଅନେକ କହନ୍ତି ‘ଝିଅ ପିଲାଟା ବେଶି ପାଠ ପଢ଼ି କରିବ କ’ଣ। ଯାହା ହେଲେ ବି ପର ଘରକୁ ଯିବାକୁ ପଡ଼ିବ।’
ସଂସ୍କାର ନାମରେ କଟକଣା। କଥା କହିବା, ହସିବା ସବୁଥିରେ ମାପଚୁପ୍‌। ଏମିତି କରିବା ମନା, ସେମିତି କରିବା ଉଚିତ – ଉପଦେଶ ପରେ ଉପଦେଶ। ସାମାନ୍ୟ ପାଦ ଖସିଗଲେ ମା’ବାପାଙ୍କ କୁଆଡ଼େ ନଁା ପଡ଼ିବ। ମୁଣ୍ଡ ଟେକି ଚାଲିବା ମୁସ୍କିଲ ହୋଇଯିବ। ଶେଷ କଥାଟି ହେଲା ସେ ଝିଅ ପିଲା। ଦୁହିତା ଦୁଇ କୁଳକୁ ହିତା, ନ ହେଲେ ପିତା। ଅନେକ ସାମାଜିକ ବନ୍ଧନ, ପରମ୍ପରାର ଶିକୁଳି ସେମାନଙ୍କ ସ୍ବାଭାବିକ ଜୀବନ ଧାରାକୁ ବଦଳାଇ ଦିଏ। ପିଞ୍ଜରା ଭିତରେ ଶାରୀଟିଏ ପରି ସେ କେତେବେଳେ ଝିଅରୁ ନାରୀ ବନିଯାଏ ନିଜେ ମଧ୍ୟ ଜାଣିପାରେ ନାହିଁ। ବୟସ ଅଠର ଟପିଲେ ଅଠର କଥା ଚାଲେ। ଆରମ୍ଭ ହୋଇଯାଏ ଝିଅ ଦେଖା ପର୍ବ। ଅଜଣା ଅଶୁଣା ଲୋକଙ୍କ ସମ୍ମୁଖରେ ସାକ୍ଷାତକାର ଦେବାକୁ ବସିବାକୁ ପଡ଼େ। ଅନେକ ସରଳ ପ୍ରଶ୍ନ। ସାକ୍ଷାତକାରରେ ପାସ୍‌ ନିଶ୍ଚୟ ବୋଲି ସେ ଧରିନିଏ। କିନ୍ତୁ ପରୀକ୍ଷା ଫଳ ଆସେ ଫେଲ୍‌। କିଏ କହେ ଝିଅଟି ଶୁଖିଲା ମୁହିଁ। କିଏ କହେ ଝିଅ ଦେହର ରଙ୍ଗ ଶ୍ୟାମଳ। ଏମିତି କେତେ କ’ଣ ଦୋଷ କାଢ଼ି ପ୍ରତ୍ୟାଖ୍ୟାନ କରିଦିଅନ୍ତି। ଝିଅଟି ସବୁ କଥା ଶୁଣେ। କଷ୍ଟ ପାଏ। କିନ୍ତୁ ସବୁ ସହିଯାଇ ପୁଣି ନିଜକୁ ପ୍ରଦର୍ଶିତ କରେ ଆଉ କାହା ଆଗରେ। କେତେବେଳେ ହୁଏତ ସାକ୍ଷାତକାରର ଅନ୍ତ ଘଟେ। ପୁଅ ଏବଂ ପୁଅ ଘରର ଲୋକେ ପସନ୍ଦ କରନ୍ତି। କିନ୍ତୁ ଝିଅର ଇଚ୍ଛା ଅନିଚ୍ଛା, ପସନ୍ଦ ଅପସନ୍ଦ ଜାଣିବାକୁ ଚେଷ୍ଟା କରାଯାଏ ନାହିଁ। ମା’ବାପାମାନେ ସ୍ବୀକୃତି ପ୍ରଦାନ କରିଦିଅନ୍ତି ଝିଅର ବାହାଘର ନିମନ୍ତେ।
ଆରମ୍ଭ ହୋଇଯାଏ କନ୍ୟାଦାନର ପ୍ରସ୍ତୁତି ପର୍ବ। ଦାନ ସହିତ ଦକ୍ଷିଣା ଦେବା ପାଇଁ ଆୟୋଜନ ଚାଲେ। ଅଳଙ୍କାର ସାଙ୍ଗକୁ ଜାନି ଯୌତୁକ। ସମ୍ବଳ ଥାଉ ବା ନ ଥାଉ। ଧାର ଉଧାର କରି ଦେବାକୁ ହେବ। ବାହାଘର କାର୍ଯ୍ୟ ସମ୍ପନ୍ନ ହୁଏ। ଝିଅକୁ ବିଦାୟ ଦେବାର ସମୟ ଉପନୀତ ହୁଏ। ପଚିଶ ସତେଇଶ ବର୍ଷର ଏକ ରକ୍ତଗତ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଏ। ସମସ୍ତ ଦୁଃଖ ଯନ୍ତ୍ରଣାକୁ ବୁକୁରେ ଚାପିରଖି ମା’ବାପା ଏକ ଅନିଶ୍ଚିତତାର ଦୁନିଆକୁ ଝିଅକୁ ପଠାଇ ଦେବାକୁ ବାଧ୍ୟ ହୁଅନ୍ତି। ଟିକି ଟିକି ପାଦରେ ନାଲି ଅଳତା ଲଗାଇ, କପାଳରେ ଚନ୍ଦନ, ସିନ୍ଥିରେ ସିନ୍ଦୂର ନାଇ, ମଥାରେ ନାଲି ଓଢ଼ଣି ପକାଇ, ଛଳଛଳ ଆଖିରେ ଯେତେବେଳେ ଝିଅଟି ବାପଘରୁ ଶାଶୁଘର ଆଡ଼କୁ ଗୋଡ଼ କାଢ଼େ ଦୁନିଆରେ ଏମିତି କୌଣସି ମା’ବାପା ନାହାନ୍ତି ଯେଉଁମାନେ କନ୍ୟାଦାନ ମହାପୁଣ୍ୟ ବୋଲି ବିଚାର କରୁଥିବେ।
ଏହା ସତ୍ତ୍ୱେ ଭାରତୀୟ ଦର୍ଶନରେ ଏହା ଏକ ଶୃଙ୍ଖଳିତ ବନ୍ଧନ। କାହାର ଇଚ୍ଛା ବିରୋଧରେ ଏହା ହେଲେ ବୈବାହିକ ଜୀବନ ସମସ୍ୟା ଜର୍ଜରିତ ହେବ, ସଦାସର୍ବଦା ଅଶାନ୍ତି ଲାଗି ରହିବ। ଏ କ୍ଷେତ୍ରରେ ଉଭୟ ଝିଅ ଓ ପୁଅକୁ ପୂର୍ଣ୍ଣ ସ୍ବାଧୀନତା ଦେବା ଉଚିତ। ଭାବିବା ଉଚିତ ନୁହେଁ ନାରୀ ଏକ ବସ୍ତୁ ଯାହାକୁ ଦାନ କରି ପୁଣ୍ୟ ଅର୍ଜନ କରାଯିବ। ଝିଅ ଏକ ବୋଝ ନୁହେଁ ଯାହାକୁ ମୁଣ୍ଡରୁ ଓହ୍ଲାଇ ଦେଇ ମା’ବାପା ଆଶ୍ୱସ୍ତ ହେବେ। ପ୍ରତ୍ୟେକଟି ମଣିଷକୁ ଯଦି ସମ୍ବଳ ବୋଲି ବିଚାର କରାଯାଏ ତେବେ ନାରୀ ହେଉଛି ଶ୍ରେଷ୍ଠ ସମ୍ବଳ। ସମାଜ, ସଭ୍ୟତା ଓ ସଂସ୍କୃତିର ବିକାଶରେ ଏମାନଙ୍କର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଅପରପକ୍ଷେ ଏହି ସମ୍ପଦକୁ ଯେଉଁ ଜାତି, ଯେଉଁ ଦେଶ, ଯେଉଁ ଗୋଷ୍ଠୀ ଏପରି କି ଯେଉଁ ବ୍ୟକ୍ତିବିଶେଷ ହେୟ ମଣିଛି, ଅବହେଳା କରିଛି ତା’ର ବିକାଶ ନୁହେଁ ବରଂ ବିନାଶ ଘଟିଛି। ଏହାର ଅସଂଖ୍ୟ ଉଦାହରଣ ଆମ ସମାଜରେ ଜାଜ୍ଜ୍ୱଲ୍ୟମାନ ହୋଇ ସତର୍କର ବାର୍ତ୍ତା ପ୍ରଦାନ କରୁଛି।

  • ଅକ୍ଷୟ କୁମାର ମିଶ୍ର
    ମୋ:୭୦୦୮୦୭୩୫୯୯

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?