ଉପାଦେୟ ଅଶୋକ ପୁଷ୍ପ

ରାମାୟଣରେ ବର୍ଣ୍ଣିତ ହୋଇଛି ଯେ, ରାବଣ ସୀତାଙ୍କୁ ଚୋରାଇ ନେଇ ଲଙ୍କାର ଅଶୋକ ବନରେ ବନ୍ଦୀ କରି ରଖିଥିଲା। ଅଶୋକ ବୃକ୍ଷ ମୂଳରେ ବସି ସୀତା ରାମଙ୍କ କଥା ଭାବି ଭାବି ଦୁଃଖରେ କାଳ କାଟୁଥିଲେ। ଅଶୋକ ବୃକ୍ଷ ସୀତାଙ୍କୁ ଛାଇ ଓ ମୁକ୍ତ ବାୟୁ ପ୍ରଦାନ କରି ସନ୍ତୋଷ ଲାଭ କରୁଥିଲା ଯେପରି। ତେଣୁ କାହିଁ କେତେ ଯୁଗରୁ ଅଶୋକ ବୃକ୍ଷର ଅବତାରଣା କରାଯାଇଛି। ଆୟୁର୍ବେଦ ଶାସ୍ତ୍ରରେ ମଧ୍ୟ ଅଶୋକ ବୃକ୍ଷର ଅନେକ ଔଷଧୀୟ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାର ଫୁଲ ସୁନ୍ଦର ଓ ସୁଗନ୍ଧଯୁକ୍ତ। ସାରା ଭାରତରେ ଏହି ବୃକ୍ଷ ଦେଖାଯାଏ। ଓଡ଼ିଶାରେ ମଧ୍ୟ ପ୍ରାୟ ପ୍ରତ୍ୟେକ ଜିଲାରେ ଏହି ବୃକ୍ଷ ଦୃଷ୍ଟିଗୋଚର ହୁଏ। ଭାରତର ଜାତୀୟ ପୁଷ୍ପ ପଦ୍ମ ହୋଇଥିବାବେଳେ ଓଡ଼ିଶାର ରାଜ୍ୟ ପୁଷ୍ପ (ଷ୍ଟେଟ ଫ୍ଲାୱାର) ହେଉଛି ଅଶୋକ ଯାହା ଓଡ଼ିଶାର ଲୋକମାନେ ପ୍ରାୟ ଜାଣି ନଥିବେ। ଏହି ପୁଷ୍ପ ବୃକ୍ଷ ବିଷୟରେ କିଛି ଆଲୋଚନା କରିବା ପ୍ରାସଙ୍ଗିକ ମନେହୁଏ।
ଅଶୋକ ବୃକ୍ଷର ଇଂଲିଶ୍‌ ନାମ ଅଶୋକା ଓ ବୈଜ୍ଞାନିକ ନାମ ସାରାକା ଅଶୋକା ଓ ଏହା ସିଜାଲପିନିଆସି ବଂଶର ଅନ୍ତର୍ଭୁକ୍ତ। ଏହାକୁ ବଙ୍ଗାଳୀ, ହିନ୍ଦୀ ଓ ଗୁଜରାଟୀରେ ଅଶୋକା, ତାମିଲରେ ଅଶୋଗମ୍‌ ଓ ତେଲୁଗୁରେ ଅଶୋକ ଚେଟ୍ଟୁ କୁହାଯାଏ। ଏହି ବୃକ୍ଷର ନାମ ଅନୁସାରେ ମଧ୍ୟ ଲୋକଙ୍କ ନାମ ଅଶୋକ ଦିଆଯାଇଥାଏ। ଇତିହାସରୁ ମଧ୍ୟ ଆମେ ମଗଧର ରାଜା ଅଶୋକଙ୍କ ନାମ ଜାଣିଛେ। ଅଶୋକ ଅର୍ଥ ଶୋକ ନିବାରକ ବା ନାହିଁ ଶୋକ ଯାହାର। ପ୍ରକୃତରେ ଏହି ବୃକ୍ଷର ବହୁ ଔଷଧୀୟ ଗୁଣ ଯୋଗୁ ଏହା ଶୋକ ବା ଦୁଃଖ ନିବାରକ ଅଟେ। ବାସ୍ତୁଶାସ୍ତ୍ରରେ ମଧ୍ୟ ଏହାର ମହତ୍ତ୍ୱ ରହିଛି। ଗୃହର ବାସ୍ତୁଦୋଷ ନିବାରଣ ଯଥା ଗୃହର ଦୁର୍ଘଟଣାରୁ ସୁରକ୍ଷା ତଥା ସମସ୍ୟା ମୁକ୍ତ ପାଇଁ ଗୃହର ଉତ୍ତର ଦିଗରେ ଅଶୋକ ବୃକ୍ଷ ଲଗାଯାଇଥାଏ।
ଉଦ୍ଭିଦର ବର୍ଣ୍ଣନା: ଅଶୋକ ଏକ ଚିରହରିତ୍‌ ବୃକ୍ଷ ଅଟେ। ବୃକ୍ଷର ଉଚ୍ଚତା ପ୍ରାୟ ୨୦ ରୁ ୩୦ ଫୁଟ ଯାଏଁ ହୋଇଥାଏ। ଏହାର ପତ୍ରଗୁଡ଼ିକ ଯୌଗିକ ଓ ଉପପତ୍ରଗୁଡ଼ିକ ଲମ୍ବାଳିଆ। ଗାଢ଼ ସବୁଜ ପତ୍ର ସବୁ ବହୁତ ଘଞ୍ଚ ଅଟେ ଓ ଚିରହରିତ୍‌। ନୂତନ ପତ୍ର କଅଁଳିବା ସମୟରେ ଲାଲ ରଙ୍ଗର ହୋଇଥାଏ। ଏହାର ବହୁତ ଶାଖା ପ୍ରଶାଖା ଥାଏ। କାଣ୍ଡରୁ ଏକ ପ୍ରକାର ଅଠା ନିର୍ଗତ ହୋଇ ଶୁଖିଗଲା ପରେ ଗୋଲ ଗୋଲ ଆକାରରେ କାଣ୍ଡରେ ଲାଗି ରହିଥାଏ। ଏହି ବୃକ୍ଷର ଫୁଲ ଗାଢ଼ କମଳା ରଙ୍ଗର, ଯାହା ଫେବୃଆରୀରୁ ଏପ୍ରିଲ ମାସ ଯାଏ ଫୁଟିଥାଏ। ଫୁଲରୁ ପାଖୁଡ଼ାଗୁଡ଼ିକ ଝଡ଼ିବା ପୂର୍ବରୁ ଲାଲ ରଙ୍ଗ ହୋଇଯାଏ। ଫୁଲଗୁଡ଼ିକ ପେନ୍ଥା ପେନ୍ଥା ଆକାରରେ ଫୁଟି ବୃକ୍ଷର ଶୋଭାବର୍ଦ୍ଧନ କରିଥାଏ। ଫୁଲଗୁଡ଼ିକ କାହାଳୀ ଆକାରର ଓ ସୁଗନ୍ଧଯୁକ୍ତ। ଏହି ଫୁଲରୁ ବହୁ କଳାମଞ୍ଜି ଥିବା ଚେପଟା ଓ ଲମ୍ବା ଫଳ ହୋଇଥାଏ। କଷି ଫଳ ଈଷତ୍‌ ଲାଲ ଓ ପାକଳ ହେଲେ ସାଗୁଆ ହୋଇଥାଏ।
ଉତ୍ପତ୍ତି: ଅଶୋକ ବୃକ୍ଷ ଭାରତର ଦାକ୍ଷିଣାତ୍ୟ ମାଳଭୂମିର କେନ୍ଦ୍ର ଅଞ୍ଚଳ ତଥା ପଶ୍ଚିମଘାଟର ମଧ୍ୟବର୍ତ୍ତୀ ଅଞ୍ଚଳରେ ପ୍ରଥମ ଉତ୍ପତ୍ତି ହୋଇଥିବାର ଅନୁମାନ କରାଯାଏ। ଏହା ମଧ୍ୟ ଦକ୍ଷିଣ ଏସିଆ ଦେଶଗୁଡ଼ିକରେ ଓ ପଶ୍ଚିମ ମ୍ୟାନମାରରେ ଦୃଷ୍ଟିଗୋଚର ହୁଏ। ଏହା ଓଡ଼ିଶା ଓ ଆସାମରେ ପ୍ରାକୃତିକ ଭାବରେ ବଢ଼ିଥାଏ। କେନ୍ଦ୍ର ଓ ପୂର୍ବ ହିମାଳୟର ପାଦଦେଶରେ ଥିବା ପର୍ବତମାଳା, ଉତ୍ତର ଭାରତର ସମତଳ ଅଞ୍ଚଳ ତଥା ମୁମ୍ବାଇ ନିକଟ ପଶ୍ଚିମ ଉପକୂଳରେ ଅଶୋକ ବୃକ୍ଷ ଦୃଷ୍ଟିଗୋଚର ହୁଏ। ଏହା ଏକ ବନ୍ୟ ବୃକ୍ଷ। କାଳକ୍ରମେ ଏହା ପ୍ରାକୃତିକ ପରିବେଶରୁ କମି କମି ଆସୁଛି। ବର୍ତ୍ତମାନ ଏହା ଏକ ଅସୁରକ୍ଷିତ ଜାତିର ଉଦ୍ଭିଦ ରୂପେ ପରିଗଣିତ ହେଉଛି।
ପୌରାଣିକ ପରମ୍ପରା: ଅଶୋକ ବୃକ୍ଷ ଭାରତୀୟ ଉପମହାଦେଶ ଯଥା- ଭାରତ, ନେପାଳ ଓ ଶ୍ରୀଲଙ୍କାରେ ଏକ ପବିତ୍ର ବୃକ୍ଷ ରୂପେ ପରିଗଣିତ ହୁଏ। ଏହି ଅଞ୍ଚଳରେ ଏହା ଧାର୍ମିକ ଓ ସାହିତି୍ୟକ ଭାବନା ସହ ଜଡ଼ିତ। ଏକ ସୁନ୍ଦର ବୃକ୍ଷ ତଥା ସୁନ୍ଦର, ସୁବାସିତ ଓ ପ୍ରଚୁର ଫୁଲ ଯୋଗୁ ଏହା ରାଜବାଟିକା, ବଗିଚା ଓ ଭାରତର ବିଭିନ୍ନ ହିନ୍ଦୁ ଓ ବୌଦ୍ଧ ମନ୍ଦିର ନିକଟରେ ବା ପରିସରରେ ଲଗାଯାଇଥାଏ। ଏହାର ଫୁଲ ହିନ୍ଦୁ ଦେବଦେବୀଙ୍କୁ ଅର୍ପଣ କରାଯାଏ। ଅଶୋକ ବୃକ୍ଷ ଓ ପୁଷ୍ପର ସଂସ୍କୃତରେ ଷୋଳଟି ଭିନ୍ନ ଭିନ୍ନ ନାମ ରହିଅଛି। କୁହାଯାଏ ଯେ ବୁଦ୍ଧ ରାଣୀ ମାୟାଙ୍କ ଗର୍ଭରୁ ଏକ ବାଟିକାରେ ଅଶୋକ ବୃକ୍ଷ ତଳେ ଜନ୍ମ ହୋଇଥିଲେ। ସେଥିପାଇଁ ବୁଦ୍ଧ ସ୍ତୂପ ଓ ଅନ୍ୟାନ୍ୟ କୀର୍ତ୍ତିରାଜିମାନଙ୍କରେ ଏହି ଫୁଲ ବ୍ୟବହୃତ ହୁଏ।
ନୟାଗଡ଼ ଜିଲାର ଓଡ଼ଗାଁଠାରେ ଅବସ୍ଥିତ ରଘୁନାଥ ମନ୍ଦିରରେ ବନବାସୀ ରାମ, ଲକ୍ଷ୍ମଣ ଓ ସୀତା ପୂଜା ପାଇ ଆସୁଛନ୍ତି। ଉକ୍ତ ମନ୍ଦିର ବେଢ଼ାର ଉତ୍ତର ପୂର୍ବ ଦିଗରେ ଗୋଟିଏ ଅଶୋକ ବୃକ୍ଷ ରହିଥିଲା। ଏହି ମନ୍ଦିରରେ ଦେବୀ ସୀତା ଅଧିଷ୍ଠିତା ଥିଲା ବେଳେ ଅଶୋକ ବୃକ୍ଷଟିଏ ମଧ୍ୟ ରହିଥିଲା। ସତେଯେପରି ଦେବୀ ସୀତାଙ୍କ ପାଇଁ ଅଶୋକ ବୃକ୍ଷ ପୁରାଣର ସ୍ମୃତି ବହନ କରିଥିଲା। କୌଣସି କାରଣରୁ ଏବେ ସେ ବୃକ୍ଷଟି ସେଠାରେ ନାହିଁ।
ଔଷଧୀୟ ଗୁଣ: ଅଶୋକ ବୃକ୍ଷର ଅନେକ ଔଷଧୀୟ ଗୁଣ ରହିଛି। ଏହାର ଛେଲି, ଫୁଲ ଓ କଢ଼ ଏଥିପାଇଁ ବ୍ୟବହାର କରାଯାଏ। ଏହାର ଛେଲି କଷା ଓ ଏହା ସ୍ତ୍ରୀ ରୋଗରେ ବିଶେଷତଃ ଋତୁଚକ୍ରର ନିୟମିତତା ପାଇଁ ବ୍ୟବହୃତ ହୁଏ। ଆୟୁର୍ବେଦରେ ଅଶୋକାରିଷ୍ଟର ପ୍ରସ୍ତୁତି ବିଷୟରେ ବର୍ଣ୍ଣନା କରାଯାଇଛି ଓ ଏଥିପାଇଁ ଏହି ଗଛର ଛେଲି ମୁଖ୍ୟତଃ ବ୍ୟବହୃତ ହୁଏ। ନାଳରକ୍ତ ଝାଡ଼ାରେ ଏହାର ଫୁଲକୁ ବାଟି ଖିଆଯାଏ। ଏହାର ଛେଲି ମଧ୍ୟ ପେଟରୋଗ, କୃମିଜନିତ ରୋଗ ଇତ୍ୟାଦିରେ ବ୍ୟବହୃତ ହୁଏ। ଏହାର ଛେଲିର ସିଝା ଜଳ ସହ ଶୀତଳ ଅବସ୍ଥାରେ ମହୁ ମିଶାଇ ସେବନ କଲେ ସ୍ତ୍ରୀ ଲୋକମାନଙ୍କର ପେଟ ଗୋଳମାଳ, ପ୍ରଦର ତଥା ଜରାୟୁ ରୋଗ ଉପଶମ ହୋଇଥାଏ। ଏହି ସିଝା ଶୀତଳ ଜଳ ସହ ମିଶ୍ରିଗୁଣ୍ଡ ଓ ମହୁ ମିଶାଇ ସେବନ କଲେ ପ୍ଳୀହା ରୋଗ, ଶୋଥ, ଜ୍ୱର ତଥା ବାୟୁଜନିତ ରୋଗରେ ଉପଶମ ମିଳିଥାଏ। ଏହି ବୃକ୍ଷର ମଞ୍ଜି ମଧ୍ୟ ଉତ୍ତମ ପରିସ୍ରା ପାଇଁ ବ୍ୟବହୃତ ହୁଏ। ଅଶୋକ ପତ୍ରର ଲେପ ବାଳମୂଳିଆ, ବଥ, ବ୍ରଣ, ବାଗୀ, କାଖଗୋଲି ଆଦି ଉପଶମ କରିଥାଏ।
ଏହିସବୁ ଦୃଷ୍ଟିରୁ ଅଶୋକ ବୃକ୍ଷର ବହୁ ଔଷଧୀୟ ଗୁଣ, ସୌନ୍ଦଯ୍ୟପୂର୍ଣ୍ଣ ଓ ସୁବାସିତ ପୁଷ୍ପ ତଥା ଧାର୍ମିକ ତତ୍ତ୍ୱକୁ ହୃଦୟଙ୍ଗମ କରି ଜନସାଧାରଣ ଏହାର ସୁବିନିଯୋଗ କରିବା ବାଞ୍ଛନୀୟ।

ପ୍ର. ଅରୁଣ ଚନ୍ଦ୍ର ସାହୁ
-ଅନ୍ବେଷଣ, ୫୨/୨,
ଭାଗବତ ସନ୍ଧାନ କଲୋନୀ
ଜି.ଜି.ପି., ଭୁବନେଶ୍ୱର-୨୫
ମୋ: ୮୨୪୯୦୭୯୦୮୪


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri